Thursday 1 November 2018

ଇଜ୍ ଅଫ୍ ଡୁଇଂଗ୍ ବିଜିନେସ୍

ଜଣାଶୁଣା ଯୁବକଟିଏ | ପରିବାରର ବଡପୁଅ ; ସେମାନେ ଦୁଇ ଭାଇ ; ତାର ତିନି ଭଉଣୀ | ବାପ ମା କାର୍ଯ୍ୟଦକ୍ଷ ; ଦାୟିତ୍ବବୋଧ ଜ୍ଞାନ ସମ୍ପନ୍ନ | ପରିବାରଟି ଆମ ଓଡିଶାର ସୁଦୂର କୁଡୁମୁଲୂଗୁମା ଗାଁ ର ବାସିନ୍ଦା ନୁହଁ ; ଭୁବନେଶ୍ବର ପାଖ ଏକ  ତହସିଲ ର | ଯୁବକଟି ଶିକ୍ଷିତ | ଗତ ବର୍ଷ ତା ମଝିଆଁ ଭଉଣୀ ବାହାଘର ପାଇଁ ସାରା ପରିବାର ଆବଶ୍ୟକ ଅର୍ଥ ଯୋଗାଡ କରିବା ପାଇଁ ଯେମିତି ହଇରାଣ ହରକତ ହେଇଥିଲେ ଆମେ ଦେଖି ଚିନ୍ତିତ ହେଇଥିଲୁ | କିଛି ପରିମାଣରେ ହାତବି ବଢେଇଥିଲୁ | ସାନଭାଇ ଚାକିରୀ ଟିଏ  ପାଇଁ ସାକ୍ଷାତକାର ରେ ଅସଫଳ ହେବାପରେ ମୁହଁ ଶୁଖେଇ ବୁଲୁଥିବା ଦେଖି ମୋ ପତ୍ନୀ ତାକୁ ବ୍ୟବସାୟ କରିବା ପାଇଁ ପ୍ରବର୍ତ୍ତାଇଲେ ଓ କିଛି ସାହାଯ୍ୟ ମଧ୍ୟ କଲେ | ମୋ କଥା ମାନି ଯୁବକଟି ଗାଁରେ ଇଟା ତିଆରି କଲା | ସେଇ ପଇସାକୁ ମୁଳଧନ କରି ବ୍ୟବସାୟ ଆଗକୁ ନବାକୁ ଉପଦେଶ ଦେଲି | ପକ୍କା ଘର ପରିବାର ର ନଥିଲା : ବ୍ୟାଙ୍କ ରୁ  ରୂଣ ଦେବା ପାଇଁ ପରାମର୍ଶ ଦେଲି ; ବ୍ୟାଙ୍କ ଅଧିକାରୀଙ୍କୁ କହିଲି  ; ସେ ରାଜି ହେଲେ | କାଳ କ୍ଷେପଣ ନକରି  ଜମି କାଗଜ ଦେଖିଲେ | ଜମି କିନ୍ତୁ ନା ଆବେଦନକାରୀ ନାଁରେ ଥିଲା ନା  ତା ବାପ ନାଁ ରେ | ସେହି ଅଂଚଳ ରେ ଜମି ବିକ୍ରୀର ରେଜିଷ୍ଟ୍ରେସନ ଓ ମ୍ୟୁଟେସନ କେଉଁକାଳରୁ ବନ୍ଦ ହେଇଚି ଅତୀତରେ ଜମିଜମା କାରବାରରେ ବ୍ୟାପକ ଚଂଚକତା ଯୋଗୁଁ | ବ୍ୟାଙ୍କ  ବାବୁ ଋଣ  ଦେଇ ପାରିଲେନି | ମୋ ସାହାଯ୍ୟରେ ଗୋଟିଏ ମାଇକ୍ରୋ ଫାଇନାନସ୍ ସଂସ୍ଥା ଋଣ  ଦେଲେ ; ଅଗତ୍ୟା ଯୁବକଟି ଅଧିକ ସୁଧଦେଇ ଋଣ ନେବାପାଇଁ ବାଧ୍ୟ ହେଲା ; ଘର କଲା ; ବର୍ତମାନ ଋଣ  ପରିଶୋଧ କରୁଚି | କେବଳ ତାକୁ ଋଣ  ମିଳୁନି ; ସେଇ ଅଂଚଳ ଯାକ ସେଇ ଅବସ୍ଥା | ବ୍ୟବସାୟ ପାଇଁ ଋଣ  ନାହିଁ ; ଘର ତିଆରି ପାଇଁ ଋଣ  ନାହିଁ | କାରଣ ଆମ ଜମି ଜମା ପ୍ରସଂଗ ବୁଝୁଥିବା ତହସିଲ ପ୍ରଶାସନରେ ଆଜି ଅନେକ ସମସ୍ୟା ସମାଧାନ ଅପେକ୍ଷାରେ | ପୁରୁଣା ଭୁବନେଶ୍ବର ସହର ଓ ପୁରୀ ସହର ଏବଂ ପାଖ ଆଖ ଗାଁରେ ଅବସ୍ଥା ମଧ୍ୟ ତଦୃପ | ଶହଶହ ଭଦ୍ର, ପ୍ରତିଷ୍ଠିତ, ପୁରାତନ ପରିବାରଂକ ବାସଗୃହ ଜମି ଆଜି ଅଯଥା ବିବାଦରେ ଛନ୍ଦି ହେଇ ପଡିଛି କେବଳ ସରକାରଂକ ଅପାରଗତା  ଯୋଗୁଁ | ଅବ୍ୟାହତ ସମସ୍ୟା  ପରିପ୍ରେକ୍ଷୀରେ  ଏକ ନ୍ୟାୟ ସମ୍ମତ ଆଇନ ପ୍ରଣୟନ କରିବା ପାଇଁ ଆମ ପ୍ରଶାସନ ର ଉପଯୁକ୍ତ  ମାନସିକତା ଏବଂ  ଦକ୍ଷତା ଆବଶ୍ୟକ | ଅଧିକାଂଶ ପରିବାର କୋଟ କଚିରୀ ରୁ ରହତାଦେଶ ଆଣି ବସବାସ କରୁଛନ୍ତି | ଅନେକଂକ ପିଲାମାନେ ବିଦେଶରେ ବାସ କରୁଛନ୍ତି  | ସେମାନେ ଏଇ ମାମଲା ମାନଙ୍କର  ପେଂଚ ବୁଝି ପାରିବେନି ଓ ସବୁ ସମ୍ପତ୍ତି ଦଲାଲଂକ ହାତକୁ ଚାଲିଯିବା ସମ୍ଭାବନା ରହୁଛି  | ଆମ ସରକାର ଗାଂଧାରୀଂକ ଭଳି ଅନ୍ଧ ପୁଟୁଳି ଲଗେଇ ମେକ୍ ଇନ୍ ଓଡିଶା ଯାତ୍ରା ଆୟୋଜନ କଲେ ଆମ ଲୋକଙ୍କ ସମସ୍ୟାର ସମାଧାନ ହେବନାହିଁ  | ଗାଲୁଆଂକ ବାରବାଟୀ ଚାଷ ନୀତି ଅବଲମ୍ବନ କଲେ ଆମ ରାଜ୍ୟବାସୀ ଉତ୍ପୀଡ଼ନର ଶିକାର ହେଉଥିବେ  | ଓଡ଼ିଆ ପୁଅ ଝିଅ ନିଜ ଭିଟାମାଟି ର କବଲା ବା ପଟ୍ଟା  ପାଇ ପାରୁନି ; ଋଣ  ପାଇ ପାରୁନି |  ଆମ  ସରକାର ଏହା ହୃଦୟଙ୍ଗମ କରିବା ଆଵଶ୍ୟକ | ଆମ ଓଡ଼ିଆ ଯୁବକ ଯୁବତୀ   ବେପାର କରିବେ କେମିତି ; ଘର ତୋଳିବେ କେମିତି : ଆଗକୁ ବଢିବେ କେମିତି ? " ଇଜ୍ ଅଫ୍ ଡୁଇଂଗ୍ ବିଜିନେସ୍ " ତାଲିକା ରେ ଆମ ରାଜ୍ୟ ତଳ କୁ ଚାଲିଗଲା ବୋଲି ତୁମ୍ବି ତୋଫାନ ନକରି ;  କୁମ୍ଭୀର ଅଶ୍ରୁ ପ୍ରବାହ ନକରି ଆମେ ଘରକୁ ସଜାଡିବା ଯୋଗ୍ୟତା ଆହରଣ କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି କରିବା ଆବଶ୍ୟକ |

*******
1st November, 2016

No comments:

Post a Comment