Saturday 27 April 2019

ସବୁ କାମରେ ସରକାର

ସବୁ କାମରେ ସରକାର

ଆମେ ପରିଷ୍କାର ରହିବାକୁ ଭଲ ପାଉ | ପ୍ରତି ଦିନ ସ୍ନାନ କରୁ, ଘରଟିକୁ ସଫା ରଖୁ | ପର୍ବପର୍ବାଣୀରେ ଘର ଅଗଣାକୁ ସଜାଉ | ମାର୍ଗଶୀର ମାସ ସକାଳେ ଅସଂଖ୍ଯ ଗୃହିଣୀ ଘରେ ଲିପାପୋଛା କରି ମୁରୁଜ ପକାଇ ଲକ୍ଷ୍ମୀଙ୍କୁ ସ୍ବାଗତ କରିଥାନ୍ତି | ବ୍ଯକ୍ତିଗତସ୍ତରରେ ପରିଷ୍କାର ପରିଚ୍ଛନ୍ନତା ଆମ ଚଳଣିର ଏକ ସ୍ବାଭାବିକ ଅଙ୍ଗ ହୋଇଥିବା ସ୍ଥଳେ କ୍ରମାଗତ ଭାବରେ ସାମୁହିକ ସ୍ତରରେ ଏହାର ଗୁରୁତ୍ବ ହ୍ରାସ ପାଇଥିବା ଚିନ୍ତାଜନକ | ଘରର ଅଳିଆ ଅନେକ ବାହାରେ ପକାଇ ଦେବାକୁ ପସନ୍ଦ କରନ୍ତି, ଫଳରେ ସର୍ବଜନୀନ ସୁବିଧାମାନ ଅପରିଷ୍କାର ରହୁଛି | ପୋଖରୀ ଘାଟ ହେଉ, ରାସ୍ତାକଡ ହେଉ, ନଦୀ ବନ୍ଧ ହେଉ ବା ସହରର ପାର୍କ ହେଉ, ଏପରିକି ଗାଁ ସ୍କୁଲର ପରିବେଶ, ଡାକ୍ତରଖାନା ଭିତର ଓ ବାହାର ମଧ୍ୟ ଆବର୍ଜନାମୟ ହୋଇ ରହିଥିବା ଦେଖାଯାଏ | ମହାତ୍ମାଗାନ୍ଧୀ ଉନ୍ନତ, ସୁସ୍ଥ ପରିବେଶ ପ୍ରତି ଗରୁତ୍ବ ଦେଇ ଦେଶବାସୀଙ୍କୁ ବ୍ଯକ୍ତିଗତ ଏବଂ ସାମୁହିକ ସ୍ତରରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ କରିଥିଲେ | ଆଜି ସରକାର ମଧ୍ୟ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ବ୍ଯାପକ କାର୍ଯ୍ୟକ୍ରମ କ୍ରିୟାନ୍ବିତ କରିବା ପାଇଁ ତତ୍ପର | ଦେଶର ପ୍ରଧାନମନ୍ତ୍ରୀ ନିଜେ ହାତରେ କୋଦାଳ ଧରି ପାବନ ଗଙ୍ଗାର ଅବହେଳିତ ଘାଟ ସଫା କରିବା ପାଇଁ ଆଗେଇ ଆସିଛନ୍ତି | ଏହି କାର୍ଯ୍ୟକ୍ରମ ଅନେକଙ୍କୁ ଉଦ୍‌ବୁଦ୍ଧ କରିଥିବା ବେଳେ କେତେକ ଉଦାସୀନ ଭାବ ପ୍ରଦର୍ଶନ କରୁଛନ୍ତି | ଏପରିକି ଯଦି କୌଣସି କାର୍ଯ୍ୟାଳୟ ବା ଅନୁଷ୍ଠାନରେ ଶୌଚାଳୟଟି ଅପରିଷ୍କାର ରହୁଛି, ଆମ ମଧ୍ୟରୁ ଜଣେ ଦୁଇ ଜଣ କହୁଛନ୍ତି, ଦେଖ, ସ୍ବଚ୍ଛ ଭାରତ, ଏହାଦ୍ବାରା ଆମେ ମସ୍ତବଡ ଭୁଲ କରୁଛେ | ଦେଶର ନେତୃତ୍ବ ଦିଗ୍‌ଦର୍ଶନ ଦେବେ, ଆମକୁ ପ୍ରେରଣା ଦେବେ | ଆମ ବିଦ୍ୟାଳୟର ଶୌଚାଳୟକୁ ଉପଯୁକ୍ତ ସ୍ଥିତିରେ ରଖିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ନୁହେଁ ଏହି ଦାୟିତ୍ବ ଆମର|
ସରକାର ସମାଜର ବିକଳ୍ପ ନୁହେଁ | ସମାଜ ବ୍ଯାପକ | ସରକାରଙ୍କ ବସତି ଏହି ବ୍ଯାପକତା ମଧ୍ୟରେ | ଶହ ଶହ ବର୍ଷ ଧରି ସାମୁହିକ ଜ୍ଞାନ, ଚଳଣି, ବ୍ଯବହାର, ଆଚରଣ, କର୍ତ୍ତବ୍ଯ, ଚେତନା, ଦିନଚର୍ଯ୍ୟା, ସଂହତି ଦ୍ବାରା ସମାଜ ସମୃଦ୍ଧ ହୋଇଛି | ସମାଜ ଏକ ସ୍ବୟଂ ନିୟନ୍ତ୍ରିତ ବ୍ଯବସ୍ଥା | ଏହି ବ୍ଯବସ୍ଥାର କେତେକ ଆବଶ୍ଯକତା ପୁରଣ ପାଇଁ ସରକାରର ସୃଷ୍ଟି ହୋଇଥାଏ | ସରକାର ସମାଜକୁ ନିୟନ୍ତ୍ରଣ କରି ନ ଥାଏ କିନ୍ତୁ ବିଶ୍ବର ବିଭିନ୍ନ ଦେଶରେ ସମାଜର ସ୍ଥିତି ଏକା ପ୍ରକାରର ହୋଇ ନଥାଏ | କେଉଁ ଦେଶରେ ସମାଜ ଉନ୍ନତ, ସମୃଦ୍ଧ ହୋଇଥିବା ବେଳେ କେଉଁ ଦେଶରେ ସମାଜ ବିଚଳିତ, ଆକ୍ରାନ୍ତ ସ୍ଥିତିରେ ଥିବା ପରିଲକ୍ଷିତ ହୋଇଥାଏ ସମାଜରେ ଭାଷା, ସଂସ୍କୃତି, ବିଶ୍ବାସ, ମୂଲ୍ଯବୋଧ, ବ୍ଯବହାର ଇତ୍ଯାଦି ପ୍ରତିଫଳିତ ହୋଇଥାଏ | ଯୁକ୍ତରାଷ୍ଟ୍ର ଆମେରିକାରେ ଇଂରାଜୀ ଭାଷା, ଗଣତନ୍ତ୍ର, ବ୍ଯକ୍ତିଗତ ସ୍ବାତନ୍ତ୍ର୍ଯ, ଖାଦ୍ୟ ଇତ୍ଯାଦି ସମାଜର ଐକତା ପ୍ରଦର୍ଶନ କରିଥାଏ | ଭାରତବର୍ଷରେ ଭାଷାର ବିଭିନ୍ନତା ସତ୍ତ୍ବେ ଭାରତୀୟ ଭାବ ସମଗ୍ର ଦେଶକୁ ଗୋଟିଏ ସମାଜରେ ବାନ୍ଧି ରଖିଥାଏ |
ଏକ ଉନ୍ନତ ସମାଜରେ ଯୋଗ୍ଯ ବ୍ଯକ୍ତିମାନେ ନେତୃତ୍ବ ନେବାର ସୁଯୋଗ ପାଇଥାନ୍ତି ଏବଂ ସମାଜକୁ ଉତ୍କର୍ଷ ପଥରେ ଆଗେଇ ନେଇ ପାରନ୍ତି | ବିଶ୍ବର କେତୋଟି ରାଷ୍ଟ୍ରରେ ସମାଜ ଏତେ ସମୃଦ୍ଧ ଯେ ଉତ୍କର୍ଷ ପ୍ରତି ବ୍ଯକ୍ତି ସ୍ତରରେ ମଧ୍ୟ ପରିଲକ୍ଷିତ ହୋଇଥାଏ ଏବଂ ସେହି ସମାଜର ଉଚ୍ଚ ମୂଲ୍ଯବୋଧ, ସମସ୍ତ ବ୍ଯକ୍ତିଙ୍କୁ ପ୍ରଭାବିତ କରିଥାଏ| ସ୍ବୀଜରଲ୍ଯାଣ୍ଡ ଏଭଳି ଏକ ସମାଜ ଯେଉଁଠାରେ ଟ୍ରାଫିକ୍ ଲାଇଟ୍ ବ୍ଯବସ୍ଥା ଅକାମି ହୋଇଗଲେ ମଧ୍ୟ ଯାନବାହାନ ଚଳାଚଳ ଅସ୍ତବ୍ଯସ୍ତ ନ ହୋଇ ଶୃଙ୍ଖଳିତ ଭାବରେ ଚାଲିଥାଏ| ଆଇନ୍ର ପାଳନ ସ୍ବତଃପ୍ରବୃତ ଭାବରେ କରାଯାଇଥାଏ | ଏହି ଶୃଙ୍ଖଳା କିନ୍ତୁ ସମସ୍ତ ବିକଶିତ ରାଷ୍ଟ୍ରରେ ପରିଲକ୍ଷିତ ହୁଏ ନାହିଁ | ଗୋଟିଏ ଉଦାହରଣ ଏହି ସ୍ଥିତିକୁ ପରିଷ୍କାର କରିବ | ମନେ କରନ୍ତୁ ଜଣେ କହିଲେ ସମାଜର ଅସ୍ତିତ୍ବ ନାହିଁ ଏହି ବକ୍ତବ୍ଯର ସତ୍ଯତା ହୁଏତ ଇଂଲଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଅାମେରିକାର କିଛି ନାଗରିକ ସ୍ବୀକାର କରିପାରନ୍ତି, କିନ୍ତୁ ସ୍କାଣ୍ଡିନେଭିଅା ବା ସ୍ବିଜରଲ୍ଯାଣ୍ଡ ଭଳି ଦେଶର ସମସ୍ତ ନାଗରିକ ଏହାକୁ ଏକ ଅବାନ୍ତର ଉକ୍ତି ଭାବରେ ପ୍ରତ୍ଯାଖ୍ଯାନ କରିବେ | ସୁସ୍ଥ ସମାଜରେ ବିଭିନ୍ନ ଅନୁଷ୍ଠାନମାନ ବିକଶିତ ହୋଇଥା’ନ୍ତି ଏବଂ ଏମାନଙ୍କ ଦ୍ବାରା ଆତ୍ମସମ୍ମାନ, ଅନ୍ଯ ପ୍ରତି ସମ୍ମାନଭାବ, ପରିବାର, ଧର୍ମାନୁଷ୍ଠାନ, ବିଦ୍ୟାଳୟ, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ବିକାଶ ହୋଇଥାଏ | ସରକାରଙ୍କ କଳେବରରର ବୃଦ୍ଧି ହେବା ଫଳରେ ଏହି ଭାବ ଏବଂ ଅନୁଷ୍ଠାନମାନ ମଳିନ ହୋଇଯାନ୍ତି | ସୁସ୍ଥ ସମାଜ ବ୍ଯକ୍ତି ବିଶେଷର ବୌଦ୍ଧିକ ସୃଜନ ଶକ୍ତିକୁ ଅଧିକ କ୍ରିୟାଶୀଳ କରେ| ବ୍ଯକ୍ତି ନୂତନ ସାଧନ ସୃଷ୍ଟି କରେ | ଅଧିକ ବିତ୍ତଶାଳୀ ହୋଇ ବିତ୍ତର ସମୁଚିତ ଉପଯୋଗ ପାଇଁ ସୁଯୋଗ ପାଇଥାଏ | ଏକ ବିଶାଳ ବିକଶିତ ଉଦ୍ୟୋଗ ସମାଜରେ ମୂଲ୍ଯବୋଧ ହ୍ରାସ କରେ ନାହିଁ ଏକ ସମୃଦ୍ଧ ସମାଜର ବିକାଶରେ ସହାୟକ ହୋଇଥାଏ|
ଆମର ଜଣେ ସମସାମୟିକ ଦାର୍ଶନୀକ ଚାର୍ଲସ୍ ମୁରେ ଗତ କେତୋଟି ଦଶନ୍ଧିରେ ବିଭିନ୍ନ ସମାଜରେ ହେଉଥିବା ପରିବର୍ତ୍ତନ ଅନୁଧ୍ୟାନ କରି କେତୋଟି ଉପାଦେୟ ନିଷ୍କର୍ସ ଉପସ୍ଥାପନ କରିଛନ୍ତି | ତାଙ୍କର ମତ ହେଲା, ସମାଜରେ ଅନେକ ପରିବର୍ତ୍ତନ ହୋଇଛି | ସରକାରୀ ବ୍ଯୟ ପରିମାଣ ଯଥେଷ୍ଟ ବୃଦ୍ଧି ହୋଇଛି | ଅପବ୍ଯୟର ମାତ୍ରା ବଢ଼ି ଚାଲିଛି | ଅନେକ କ୍ଷେତ୍ରରେ ସରକାର ଯେଉଁ ଶ୍ରେଣୀର ବ୍ଯକ୍ତିମାନଙ୍କୁ ସାହାଯ୍ଯ କରିବାକୁ ପଦକ୍ଷେପ ନେଉଥିଲେ, ପ୍ରକୃତରେ ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି | ସରକାରଙ୍କ କାୟା ବିସ୍ତାର ଏବଂ ଦୃତବର୍ଦ୍ଧିଷ୍ଣୁ ସର୍ବବ୍ଯାପୀ ଅନୁପ୍ରବେଶ ଦ୍ବାରା ସାଧାରଣ ମଣିଷର ନିତିଦିନିଆ ଜୀବନର ସର୍ବୋତ୍କୃଷ୍ଣ ସ୍ବାଦ ଏବଂ ଆନନ୍ଦ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି | ସାଧାରଣ ମଣିଷଟିଏ ପରମ ଆନନ୍ଦ ପାଉଥିଲା କ୍ଷୁଧାକ୍ରାନ୍ତ ଲୋକଟିକୁ ଖୁଅାଇବାରେ | ରୋଗୀର ସେବା କରିବାରେ | ଦୁଃଖୀକୁ ସାନ୍ତ୍ବନା ଦେବାରେ | ଶିଶୁର ଲାଳନ ପାଳନରେ | ଜରାବସ୍ଥାରେ ଅନ୍ଯର ଅାଶାବାଡି ହେବାରେ | ଭୁଲ ଭଟକା କରିଥିବା ଲୋକଟିକୁ ଭତ୍ସନା କରି ମାର୍ଗଦର୍ଶନ କରିବାରେ ଏହା ହିଁ ଜୀବନର ସ୍ବାଦ ଥିଲା | ଆଜି ସରକାରଙ୍କ ବିଶାଳ ଏବଂ ବିକରାଳ କାୟା ସମାଜରେ ମଣିଷକୁ ଏହି ଆନନ୍ଦରୁ ବଞ୍ଚିତ କରିଛି | ଏହା ହିଁ ବିଗତ କେତୋଟି ଦଶନ୍ଧିରେ ସାମାଜିକ ବ୍ଯବସ୍ଥାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ |
ଏହି ଅବସ୍ଥା ପାଇଁ ଆମେ ମୁଖ୍ଯତଃ ଦାୟୀ | ସବୁ କାମ ପାଇଁ ଆମେ ସରକାରଙ୍କୁ ନିମନ୍ତ୍ରଣ କରୁଛେ ଏବଂ ଏକ କ୍ଷମତା ପିପାସୁ ବ୍ଯଗ୍ର ସରକାର ନୂଆ କାମ କରିବା ପାଇଁ ଆଗ୍ରହରେ ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିଚାଲିଛି | ଅନୁପ୍ରବେଶ ପ୍ରକ୍ରିୟା ଅବ୍ଯାହତ ରହିଛି | ଏହା ଚିନ୍ତାଜନକ | ଏହା ଫଳରେ ସମାଜ ଆଜି ଦୁର୍ବଳ, ରୋଗାକ୍ରାନ୍ତ ହୋଇଛି | ଏହି ଅନାବଶ୍ଯକ ଅନୁପ୍ରେବଶ ଯୋଗୁଁ ସମାଜର ମୂଲ୍ଯବୋଧର ମଧ୍ୟ ଦୃତ ଅବକ୍ଷୟ ହେଉଛି|
କିନ୍ତୁ ଏହି ପ୍ରବାହ ଶୁଭଙ୍କର ନୁହେଁ | ସମାଜର ଅନ୍ତନିର୍ହିତ ଶକ୍ତିର ପୁର୍ବିନ୍ଯାସ ଏକାନ୍ତ କାମ୍ଯ | ସମାଜର ସାମର୍ଥ୍ୟ ସମ୍ପର୍କରେ ସାମୁହିକ ସଚେତନତାର ଆବଶ୍ଯକତା ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଅନୁଭୂତିର ଅବତାରଣା ପ୍ରାସଙ୍ଗିକ ମନେ ହୁଏ | ବିଗତ ଶତାବ୍ଦୀର ସତୁରି ଦଶକରେ ଇସ୍ପାତ ନଗରୀ ରାଉରକେଲାରେ ଦୁଇ ଭାଷା ଭାଷୀ ଲୋକମାନଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ଯ ସୃଷ୍ଟି ହୋଇଥିଲା ଏବଂ ଏହା ଫଳରେ ରାଉରକେଲାର ଶାନ୍ତ ବାତାବରଣ କେତେକାଂଶରେ ପ୍ରଭାବିତ ହୋଇଥିଲା | ଏହାର ପ୍ରଭାବ ଇସ୍ପାତ କାରଖାନାର ଉତ୍ପାଦନକୁ ବ୍ଯାଘାତ ନ କରିବା ପାଇଁ ପ୍ରଶାସନ ବ୍ଯଗ୍ର ଥିଲା | ଏହି ସ୍ପର୍ଶକାତର ଘଡିରେ କେତେକ ଅସାମାଜିକ ବ୍ଯକ୍ତି ପରିସ୍ଥିତିକୁ ଜଟିଳ କରିବା ପାଇଁ ତତ୍ପର ହୋଇଉଠିଲେ ଏବଂ ଏକ ଭାଷାଭାଷୀ ବାଳିକାଟିଏ ଅତ୍ଯାଚାରିତ ହେଲା| ଫଳରେ ପରିସ୍ଥିତି ହଠାତ୍ ଜଟିଳ ହୋଇ ପଡିଲା| ବ୍ଯାପକ ପୁଲିସ ବ୍ଯବସ୍ଥା ଦ୍ବାରା ଅପରାଧିଙ୍କୁ ଚିହ୍ନଟ କରିବା ପାଇଁ ପ୍ରଚେଷ୍ଟା ହେଲା | ବ୍ଯକ୍ତିଗତ ସ୍ତରରେ ମୁଁ ସାମାଜିକ ଶକ୍ତିର ଆଶ୍ରୟ ନେବା ପାଇଁ ସ୍ଥିର କଲି | ଅତିରିକ୍ତ ଜିଲ୍ଲାପାଳ ଭାବରେ ଅନେକ ଟ୍ରେଡ୍ ୟୁନିୟନ୍ ନେତାଙ୍କ ସହ ପରିଚୟ ଥିଲା | ସେମାନଙ୍କ ମଧ୍ୟରୁ ଜଣେ ବାମପନ୍ଥୀ ଯୁବକ ନେତାଙ୍କର ସାଂଗଠନିକ ବ୍ଯାପାରରେ ନୈପୁଣ୍ଯତା ଥିବା ମୁଁ ବୋଧ କରିଥିଲି ଏବଂ ଗୁପ୍ତରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଅପରାଧି ଚିହ୍ନଟ କରିବା ପାଇଁ ଅନୁରୋଧ କଲି | ସେ ମୋର ମନୋଭାବରେ ତାଙ୍କ ପ୍ରତି ବିଶ୍ବାସ ଓ ସମ୍ମାନ ଦେଖି ଗର୍ବିତ ହେଲେ ଏବଂ ତାଙ୍କ ସାଥୀମାନଙ୍କ ସାହାଯ୍ଯରେ ଅପରାଧି ଚିହ୍ନଟ କରିବା ପାଇଁ ପ୍ରତିଶୃତି ଦେଲେ | ରାଜ୍ଯ ପ୍ରଶାସନ ଏବଂ ଇସ୍ପାତ କାରଖାନାର ଉଚ୍ଚ ଅଧିକାରୀମାନେ ସମସ୍ତେ ପୁଲିସ୍ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ଥିଲୁ | ମୁଁ ଗୋଟିଏ ଫୋନ୍ ପାଇଲି | ଯୁବ ନେତା ମୋତେ ଅପରାଧୀଙ୍କ ଘର ଠିକଣା ଦେଲେ | ମୋବାଇଲ ପାଟ୍ରୋଲ୍ ଗାଡିକୁ ବେତାର ସନ୍ଦେଶ ଦିଆଗଲା | ଦୋଷୀଙ୍କୁ ତୁରନ୍ତ ତାଙ୍କ ଘରୁ ଅଣାଗଲା | ଗୋଟିଏ ବିଭତ୍ସକାଣ୍ଡର ସମାଧାନ ମାତ୍ର କେତୋଟି ଘଣ୍ଟା ମଧ୍ୟରେ ହୋଇ ପାରିଥିଲା |
ଏକ ସମୃଦ୍ଧ, ଉତ୍କର୍ଷ ସମାଜ ସରକାରଙ୍କୁ ମୂଲ୍ଯବୋଧ ପ୍ରଦାନ କରେ, ସରକାରୀ ବ୍ଯବସ୍ଥାକୁ ମାର୍ଜିତ କରେ, ମାନବଧର୍ମୀ କରେ, ସଞ୍ଜମ କରେ, ଏହା ହିଁ ଆଜିର ଆବଶ୍ଯକତା | ଆମେ କିନ୍ତୁ ଆମେ ସରକାର ସବୁ କରୁ ଦର୍ଶନକୁ କ୍ରିୟାନ୍ବିତ କରିବା ପାଇଁ ବ୍ଯଗ୍ର | ଏହା ଫଳରେ ଆମେ ଦିନକୁ ଦିନ କର୍ମଭୀରୁ ହୋଇଯାଉଛେ | ସରକାରଙ୍କ ଆକାର ଦେଖି ଆମେ ଭୟଭୀତ ହେଉଛେ |ସରକାରଙ୍କୁ ପ୍ରଶ୍ନ ପଚାରିବା ପାଇଁ ସଙ୍କୋଚ ବୋଧ କରୁଛେ | ନିରବ ରହିବା ଶ୍ରେୟସ୍କର ମନେ କରୁଛେ| ଆଜି ଆମେ ନିରବ ରହୁଛେ କାଲି ହୁଏତ ଆମେ ଭାବିବାକୁ ମଧ୍ୟ ଭୟ କରିବା | ଏହା ଏକ ସସ୍ତବଡ ଭୁଲ ହେବ | ଏହି ସ୍ଥିତି ମାନବଶକ୍ତିର ଅଭୁତପୂର୍ବ ସମ୍ଭାବନା ପ୍ରତି ଅପମାନଜନକ ମଧ୍ୟ ହେବ | ତେଣୁ ସମାଜ ସମୃଦ୍ଧ ହେଉ, ଅଧିକ କ୍ରିୟାଶୀଳ ହେଉ| ଅନେକ କାମ ସମାଜ କରୁ ଓ ବ୍ଯକ୍ତିବିଶେଷ କରନ୍ତୁ ଏହା ହିଁ ଆଜିର ଅାବଶ୍ଯକତା |

No comments:

Post a Comment