Sunday 24 February 2019

ଲାଠି ଯାହାର ମହିଷି ତାହାର


ଲାଠି ଯାହାର ମହିଷି ତାହାର



ଆଜି ସକାଳେ ମନ୍ଦିର ବଗିଚାରେ ବୁଲିବାବେଳେ ବନ୍ଧୁ ଗୋପାଳ ଶୁଖିଲା ହସରେ ମୋର ସ୍ୱାଗତ କରିବା ଦେଖି ମୁ ଭାବିଲି   ତାକୁ ସାହାଯ୍ୟ କରିବାପାଇଁ  ମୋର କାଲିର  ପ୍ରୟାସ ସଫଳ ହେଇନାହିଁ | କିନ୍ତୁ କିଛିସମୟ ପରେ ଜାଣିଲି ତା' ଉଦାସୀନତାର କାରଣ ଭିନ୍ନ ଥିଲା | ସମ୍ପୃକ୍ତ ରାଜକର୍ମଚାରୀ ମାନେ ଗତକାଲିର  ପ୍ରସଙ୍ଗ ସମ୍ପର୍କରେ ତାକୁ ବୁଝାଇଥିଲେ | କହିଲେ " ୟୁଜର ଚାର୍ଜ ସହରର ପ୍ରତିଷ୍ଠିତ ଲୋକମାନେ ମଧ୍ୟ ଦେଲେଣି | ଯେଉଁ କେତେଜଣ କୋଟ ଯାଇଥିଲେ ଆମେ ତାଙ୍କୁ ବୁଝାଇବା ପରେ ସେମାନେ ମଧ୍ୟ  କୋଟରୁ କେସ ପ୍ରତ୍ୟାହାର କରିଦେଇଛନ୍ତି | ତେଣୁ ଆପଣ ମଧ୍ୟ ୟୁଜର ଚାର୍ଜ ଦେଇଦିଅନ୍ତୁ |" ଆମ ପ୍ରଚଳିତ ବ୍ୟବସ୍ଥାର ଏହି ମାନସିକତା ଗୋପାଳକୁ ବିବ୍ରତ କରିଛି ଏବଂ ସେଇଥିପାଇଁ ସେ ମୋ ପାଖରେ ଫେରାଦି କରୁଛି | ସେ ଜାଣିଚି ମୁ ମଧ୍ୟ " ଦଶ ତୁଣ୍ଡରେ ଛେଳି କୁକୁର" ନ୍ୟାୟରେ ବିଶ୍ୱାସ କରେନି |  କୌଣସି ଟିକସ ପରିମାଣ ଅତ୍ୟନ୍ତ  ସ୍ୱଳ୍ପ ହେଲେ ମଧ୍ୟ ଯଦି ସମ୍ବିଧାନ ବ୍ୟବସ୍ଥାର ପରିପନ୍ଥୀ ହୋଇଥାଏ ତାହା ଦେବା ପାଇଁ ତାର ବିବେକ କୁଣ୍ଠାବୋଧ କରୁଥିବା ମୁଁ ଅନୁଭବ କଲି | ଏହି ପ୍ରସଙ୍ଗରେ ରଫାଦଫାର ସ୍ଥାନ ନାହିଁ | କିନ୍ତୁ କଣ କରାଯିବ ? ପାଣିରେ ରହି କୁମ୍ଭୀର ସହିତ ଶତ୍ରୁତା କେମିତି କରିହବ ? ଏହି ଦ୍ଵନ୍ଦଦ୍ୱାରା  ଆଜି ଆମ ଦୁଇଜଣ ଆକ୍ରାନ୍ତ ହୋଇଥିଲୁ | ସେ ମୋତେ ଗୋଟିଏ ଛୋଟ ଗପ ଶୁଣାଇଲା | କହିଲା " ଆମ ଗାଁର ହରିହରକୁ ଦିନେ ତା ପୁଅ ପରୀକ୍ଷାରେ କେମିତି କରିଥିବା ପଚାରିଲି | ହରିହର କହିଲା ସେ ଫେଲ ହେଇଚି | କାରଣ ପଚାରିଲି | ସେ କହିଲା ତା ପୁଅ ଯଦି ପରୀକ୍ଷାରେ ବାପା ଜାଗାରେ ମାମୁ ଲେଖିଥାନ୍ତା ମାଷ୍ଟର ତାକୁ ପାସ ନମ୍ବର ଦେଇଥାନ୍ତା : କିନ୍ତୁ ତା ପୁଅ ଏତେ ବଦମାସ ଯେ ସେ ବାପ ଜାଗାରେ ଭିଣେଇ ଲେଖିଲା | ମାଷ୍ଟର ତାକୁ ଶୂନ ଦବନି ?" ମୁଁ ଏହି ଗପର ତାତ୍ପର୍ଯ୍ୟ ପଚାରିଲି | ସେ କହିଲା " ମୁନିସିପାଲିଟି ର ମୋଟେ କ୍ଷମତା ନାହିଁ ଏମିତି ଗୋଟେ ମାମୂଲ ଅସୁଲ କରିବା ପାଇଁ | ମୁଁ କେମିତି ଦେବି?" ତା ନୈତିକ ମୂଲ୍ୟବୋଧ ମୋତେ ପ୍ରଭାବିତ କରୁଥାଏ | ତା ମନୋବଳ ରକ୍ଷା ପାଇଁ ମୁଁ ଯତ୍ପରୋନାସ୍ତି ପ୍ରୟାସ କରୁଥିଲି | ତାକୁ ୟୁଜର ଚାର୍ଜ ପୈଠ ନକରି କିଛିଦିନ ଅପେକ୍ଷା କରିବାକୁ ଉପଦେଶ ଦେଲି | ଦେଖାଯାଉ ବିଜେପି ବନ୍ଧୁ ମାନେ କଣ କରୁଛନ୍ତି | ଆମ ସମାଜରେ "ଲାଠି ଯାହାର ମହିଷି ତାହାର " ନ୍ୟାୟ ଚାଲିବ ନା ବିଧି ଦ୍ୱାରା ପ୍ରତିଷ୍ଠିତ ବ୍ୟବସ୍ଥାର ବିଜୟ ହେବ ?
********
24th February, 2017

No comments:

Post a Comment