Tuesday 11 June 2019

ରୋଜଗାର ସୁଯୋଗ ସମ୍ଭାବନା


ରୋଜଗାର ସୁଯୋଗ ସମ୍ଭାବନା


ଆମ ଦେଶ ବିଶ୍ବର ଅନ୍ଯତମ ବୃହତ୍ ଅର୍ଥ ବ୍ଯବସ୍ଥା ଏବଂ ବର୍ତ୍ତମାନ ଆମ ଅର୍ଥ ବ୍ଯବସ୍ଥାର ଅଭିବୃଦ୍ଧି ହାର ବିଶ୍ବରେ ଅଦ୍ବିତୀୟ | ବିଶ୍ବର ସର୍ବବୃହତ୍ ଯୁବଶକ୍ତି ମଧ୍ଯ ଆମଦେଶରେ ବିଦ୍ୟମାନ |  ଅନେକ ସମୟରେ କୌଣସି ଅର୍ଥବ୍ଯବସ୍ଥାର ଅଭିବୃଦ୍ଧି ହାର  ସଂପୃକ୍ତ ଦେଶର ପ୍ରଗତିର  ମାନଦଣ୍ଡ ଭାବରେ ଗ୍ରହଣ କରାଯାଇଥାଏ, କିନ୍ତୁ ଦ୍ରୁତ ଅଭିବୃଦ୍ଧି ସତ୍ତ୍ବେ ରୋଜଗାର ସୁଯୋଗ ପର୍ଯାପ୍ତ ହୋଇପାରି ନ ଥାଏ  | ଫଳରେ ବେରୋଜଗାରି ସମସ୍ଯା ବିକାଶ ପ୍ରବାହକୁ ଆକ୍ରାନ୍ତ କରେ ଏବଂ ପ୍ରଗତି ପାଇଁ ଆବଶ୍ଯକ ସାମାଜିକ ଶୃଙ୍ଖଳା ବ୍ଯାହତ ହୋଇଥାଏ | ତେଣୁ ଏକ ସୁଚିନ୍ତିତ ସନ୍ତୁଳିତ  ବ୍ଯବସ୍ଥା ମାଧ୍ଯମରେ ଅର୍ଥନୀତିର ଅଭିବୃଦ୍ଧି ଏବଂ କର୍ମ ପାଇଁ ସୁଯୋଗ ମଧ୍ଯରେ ସମନ୍ବୟ ସୃଷ୍ଟି କରିବା ଆବଶ୍ଯକ |
  ବର୍ତ୍ତମାନ ଆମ ଦେଶରେ ପ୍ରତିବର୍ଷ ଶହେ କୋଡ଼ିଏ ଲକ୍ଷ ଯୁବକଯୁବତୀ ରୋଜଗାର ବଜାରରେ ଅବତୀର୍ଣ୍ଣ ହୋଇଛନ୍ତି | ସେମାନଙ୍କ ବ୍ଯତୀତ ଏ ଯାଏଁ ରୋଜଗାର ନ ପାଇ ଲକ୍ଷ ଲକ୍ଷ ଯୁବକଯୁବତୀ ସୁଯୋଗ ଅପେକ୍ଷାରେ  ରହିଛନ୍ତି | ସମସ୍ଯାର ବିଶାଳତା ଦୃଷ୍ଟିରୁ ପ୍ରତିବର୍ଷ ଦେଶରେ ଦୁଇଶହ ଲକ୍ଷ କର୍ମ ସୁଯୋଗ ସୃଷ୍ଟି ପାଇଁ ସରକାର ପ୍ରୟାସ କରୁଛନ୍ତି | ଏହି ବଳିଷ୍ଠ ପଦକ୍ଷେପର ସଫଳତା ପାଇଁ ସାମୂହିକ ଉଦ୍ୟମ ଆବଶ୍ଯକ |
  ଦେଶର ଆୟ କୃଷି, ଉଦ୍ୟୋଗ ଏବଂ ସେବା କ୍ଷେତ୍ରରୁ ଉତ୍ପନ୍ନ ହୋଇଥାଏ | 2016 ମସିହାରେ ସମଗ୍ର ବିଶ୍ବର ଆୟ ସଂପର୍କରେ ବିଶ୍ବବ୍ଯାଙ୍କ ଯେଉଁ ତଥ୍ଯ ପ୍ରକାଶ କରିଛନ୍ତି ସେଥିରୁ ଜଣାଯାଏ ଯେ ସମଗ୍ର ବିଶ୍ବ ଆୟର ମାତ୍ର 4 ପ୍ରତିଶତ କୃଷିରୁ ଉତ୍ପନ୍ନ ହେଉଥିବା ବେଳେ 69 ପ୍ରତିଶତ ସେବା କ୍ଷେତ୍ର (ସର୍ଭିସେସ୍)ରୁ ଉତ୍ପନ୍ନ ହୋଇଥିଲା ଏବଂ 27 ପ୍ରତିଶତ ଆୟ ଉଦ୍ୟୋଗ କ୍ଷେତ୍ରରୁ ଉତ୍ପନ୍ନ ହୋଇଥିଲା  | ଉଦ୍ୟୋଗ କ୍ଷେତ୍ରର ଏକ ମୁଖ୍ଯ ଅଂଶ ହେଲା ବିନିର୍ମାଣ (ମାନୁଫାକଚରିଂ)କ୍ଷେତ୍ର | ବିନିର୍ମାଣ କ୍ଷେତ୍ରର ଅବଦାନ ଥିଲା 17 ପ୍ରତିଶତ | ଏହି ବର୍ଷ ଭାରତର ମୋଟ ଆୟର 17 ପ୍ରତିଶତ କୃଷିରୁ ଉତ୍ପନ୍ନ ହୋଇଥିବା ବେଳେ 29 ପ୍ରତିଶତ ଉଦ୍ୟୋଗ (ବିନିର୍ମାଣରୁ 17 ପ୍ରତିଶତ) ଏବଂ 54 ପ୍ରତିଶତ ସେବା କ୍ଷେତ୍ରରୁ ଉତ୍ପନ୍ନ ହୋଇଥିଲା |   ଚୀନ୍ ର ମୋଟ ଆୟର  ମାତ୍ର  9 ପ୍ରତିଶତ କୃଷିରୁ  ଉତ୍ପନ୍ନ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଆୟର  ମାତ୍ର  1 ପ୍ରତିଶତ  କୃଷିରୁ ଉତ୍ପନ୍ନ ହୋଇଥିଲା | ସେବାକ୍ଷେତ୍ରର ଅବଦାନ ଚୀନ୍ କ୍ଷେତ୍ରରେ 52 ପ୍ରତିଶତ ଥିବା ବେଳେ ଯୁକ୍ତରାଷ୍ଟ୍ର କ୍ଷେତ୍ରରେ 79 ପ୍ରତିଶତ ଥିଲା|  ବିନିର୍ମାଣ କ୍ଷେତ୍ରର ଅବଦାନ ଚୀନ୍ କ୍ଷେତ୍ରରେ ଥିଲା 29 ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର କ୍ଷେତ୍ରରେ ଥିଲା 12 ପ୍ରତିଶତ  |
  ଅଧିକାଂଶ ଦେଶରେ ସେବା କ୍ଷେତ୍ରରୁ ଜାତୀୟ ଆୟର ମୁଖ୍ଯାଂଶ ଉତ୍ପନ୍ନ ହେଉଥିବା ଲକ୍ଷ୍ୟ କରାଯାଏ | କୃଷିର ଅବଦାନ ପ୍ରାୟ ସମସ୍ତ ଦେଶରେ  ସ୍ବଳ୍ପ ହୋଇଥିବା ପରିଲକ୍ଷିତ ହୁଏ | କର୍ମନିଯୁକ୍ତି ସୁଯୋଗ ପ୍ରତ୍ଯେକ କ୍ଷେତ୍ରରୁ ସମାନ ପରିମାଣରେ ଉପଲବ୍ଧ ହୋଇ ନ ଥାଏ | ଆମ ଦେଶରେ ଲକ୍ଷ୍ୟ କରାଯାଇଥିବା ବିଶେଷତ୍ବ ହେଲା କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିବା ମାନବସମ୍ବଳ  ଯଦିଓ ଏହି କ୍ଷେତ୍ରରୁ ଜାତୀୟ ଆୟର ଏକ-ପଞ୍ଚମାଂଶ ମଧ୍ଯ ଉତ୍ପନ୍ନ ହୋଇ ନ ଥାଏ  ତଥାପି ଆମ ଦେଶର ସମସ୍ତ ସମସ୍ତ କର୍ମଜୀବୀଙ୍କ ମଧ୍ଯରୁ ଅଧା ମାନବସମ୍ବଳ ଏହି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି   | ମାନୁଫାକଚରିଂ କ୍ଷେତ୍ରରୁ ଉତ୍ପନ୍ନ ହେଉଥିବା ଜାତୀୟ ଆୟର ମାତ୍ର  10 ପ୍ରତିଶତ ଉତ୍ପନ୍ନ ହୋଇଥାଏ| ଆମ ଦେଶର ଅତ୍ଯନ୍ତ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକରେ ଯେଉଁଠାରେ  କୋଡ଼ିଏ ବା ତା’ପରଠାରୁ କମ୍ କାରିଗର ନିଯୁକ୍ତ ହୋଇଥାନ୍ତି  କିନ୍ତୁ ଏହି କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ  ସମଗ୍ର  ମାନୁଫାକଚରିଂ କ୍ଷେତ୍ରରେ ନିୟୋଜିତ ମାନବସମ୍ବଳଙ୍କ 75 ପ୍ରତିଶତ କାରିଗରଙ୍କୁ ରୋଜଗାର ଦେଇଥାନ୍ତି | ସେବା କ୍ଷେତ୍ରରେ ମଧ୍ଯ  ଏପରି ବିଶେଷତ୍ବ ପରିଲକ୍ଷିତ ହୋଇଥାଏ | ଏହି କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ମାତ୍ର 2 ପ୍ରତିଶତ ନିୟୋଜିତ ହୋଇଥାନ୍ତି  ଅତି ବୃହତ୍ ପ୍ରତିଷ୍ଠାନଗୁଡ଼ିକରେ ଏବଂ ସେଠାରେ ଉତ୍ପନ୍ନ ହୋଇଥାଏ ସେବା କ୍ଷେତ୍ରର ସମଗ୍ର ଆୟର 40 ପ୍ରତିଶତ ଆୟ | ସଂଗଠିତ କ୍ଷେତ୍ରରେ ନିୟୋଜିତ ଥିବା ଲୋକଙ୍କ ଆୟର  ଛ’ଗୁଣ ଅଧିକ  |
 ଅନେକେ ଭାରତକୁ ଚୀନ୍ ଭଳି ଏକ ବୃହତ୍ ମାନୁଫାକଚରିଂ (ବିନିର୍ମାଣ) ଶକ୍ତି ଭାବରେ ବିକଶିତ  ହେବା ପସନ୍ଦ କରୁଥିବା ବେଳେ ସେବାକ୍ଷେତ୍ର ଆମ  ଜାତୀୟ  ଆୟର ମୁଖ୍ଯସ୍ରୋତ ହୋଇଥିବା ଦୃଷ୍ଟିରୁ ଅନେକେ ଏହି କ୍ଷେତ୍ରର  ବିକାଶ ଉପରେ ଗୁରୁତ୍ବ ଦେଇଥାନ୍ତି | କିନ୍ତୁ ସମୀକ୍ଷାରୁ ଜଣାଯାଏ ଯେ ସେବାକ୍ଷେତ୍ରର ଜାତୀୟ ଆୟ ବୃଦ୍ଧି ପାଇଁ ଯଥେଷ୍ଟ ଅବଦାନ ଥିବା ସତ୍ତ୍ବେ ଏହି କ୍ଷେତ୍ର ବ୍ଯାପକ କର୍ମସୁଯୋଗ ସୃଷ୍ଟି କରିପାରେ ନାହିଁ | ବରଂ ବିନିର୍ମାଣ କ୍ଷେତ୍ରରେ କର୍ମନିଯୁକ୍ତି ସୁଯୋଗ ପର୍ଯ୍ୟାପ୍ତ ରହିଥାଏ | କୃଷିକ୍ଷେତ୍ରରେ କର୍ମ ସୁଯୋଗ ସମ୍ଭାବନା  ବ୍ଯାପକ ଥିବା ଦୃଷ୍ଟିରୁ କେତେକ ବିଶେଷଜ୍ଞ ଏହି କ୍ଷେତ୍ରର ପୁନବିର୍ନ୍ଯାସ ପ୍ରତି ଗୁରୁତ୍ବ ପ୍ରଦାନ କରିଥାନ୍ତି |
   ଆମ ଦେଶର ରୋଜଗାର ସୁଯୋଗ ଆବଶ୍ଯକତାର ବ୍ଯାପକତା ଏବଂ ଦେଶର ବିଶାଳତା,ବିବିଧତା ଏବଂ ବୈଶିଷ୍ଟ୍ଯ ଦୃଷ୍ଟିରୁ  ଆମକୁ ମୁଖ୍ଯତଃ କୃଷି ଏବଂ ବିନିର୍ମାଣ କ୍ଷେତ୍ରକୁ  ଗୁରୁତ୍ବ ଦେବା ଆବଶ୍ଯକ  | କୃଷି କ୍ଷେତ୍ରକୁ ଏକ ବିନିର୍ମାଣ କ୍ଷେତ୍ରରୂପେ ରୂପାନ୍ତର କରି ଆମେ ଅସଂଖ୍ଯ କର୍ମସୁଯୋଗ ସୃଷ୍ଟି କରିବା  ସମ୍ଭବ ହେବ | ଦେଶର ଆଭ୍ଯନ୍ତରୀଣ ବଜାରର ବିକାଶ ଆବଶ୍ଯକ  ସ୍ବଦେଶୀ ପଦାର୍ଥ ସ୍ବଚ୍ଛଳ ଭାରତୀୟ  ଚାହିଦା ମେଣ୍ଟାଇବା  ରଣକୌଶଳ ଭାରତରେ ପ୍ରସ୍ତୁତ ସାମଗ୍ରୀକୁ ରପ୍ତାନିଯୋଗ୍ଯ କରିବା କୌଶଳ ଅପେକ୍ଷା ଶ୍ରେୟସ୍କର ହେବ | ବିଦେଶରେ ଆମ ପ୍ରସ୍ତୁତ  ସାମଗ୍ରୀର ଚାହିଦା ସୃଷ୍ଟି କରିବା କଷ୍ଟକର ହେବ | ଏହା ରଘୁରାମ ରାଜନ୍ ମଧ୍ଯ କହିଛନ୍ତି  ତାଙ୍କର ମତ ହେଲା, ଆମର ବିକାଶ ବୃଦ୍ଧି ହାର 7.5 ପ୍ରତିଶତ ହେବା ନିଶ୍ଚୟ ଆନନ୍ଦଦାୟକ | କିନ୍ତୁ ଦେଶରେ ବ୍ଯାପକ କର୍ମ ସୁଯୋଗ ସୃଷ୍ଟି ପାଇଁ ଅଭିବୃଦ୍ଧି ହାରକୁ 10 ପ୍ରତିଶତକୁ  ବୃଦ୍ଧି  କରିବା ଆବଶ୍ଯକ | ଉଦ୍ୟୋଗ ସ୍ଥାପନ ଏବଂ ପରିଚାଳନା କ୍ଷେତ୍ରରେ ଅବ୍ଯାହତ ନକାରାତ୍ମକ ଶକ୍ତିଗୁଡ଼ିକ  ଅପସାରଣ କରିପାରିଲେ ଏବଂ ଏହି ଦ୍ରୁତ ବିକାଶ ଗତି ସଂପର୍କରେ ରାଜନେତିକ  ଶକ୍ତିଗୁଡ଼ିକର  ସହମତି ହେଲେ ଆମେ 10 ପ୍ରତିଶତ ବୃଦ୍ଧି ହାସଲ କରିପାରିବା |
  ବିନିର୍ମାଣ କ୍ଷେତ୍ରକୁ ସବଳ,ସୁସ୍ଥ କରିବାକୁ ହେଲେ ଆମକୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ଯକ | କ୍ଷୁଦ୍ର ଉଦ୍ୟୋଗଗୁଡ଼ିକରେ  ଉତ୍ପାଦିକା ଶକ୍ତି ଏବଂ ଆକାରର ପୁନବିର୍ନ୍ଯାସ ଆବଶ୍ଯକ|  ଅବ୍ଯାହତ ଶ୍ରମ ଆଇନଗୁଡ଼ିକର ପରିବର୍ତ୍ତନ  ଆବଶ୍ଯକ | ମହିଳାମାନଙ୍କର  ଉଦ୍ୟୋଗ କ୍ଷେତ୍ରରେ ଯୋଗଦାନ ହାର ବୃଦ୍ଧି ହେବା ଆବଶ୍ଯକ | ମଜୁରିରେ ତାରତମ୍ଯ ଦୂର ହେବା ବାଞ୍ଛନୀୟ | ମାଲିକ ଏବଂ କାରିଗର ସଂପର୍କରେ ସଂସ୍କାର ଆବଶ୍ଯକ | ଆଉଟସୋସିର୍ଂ ଭଳି ବ୍ଯବସ୍ଥା ବ୍ଯାପକ ହେବା ଆବଶ୍ଯକ |
  2025 ମସିହା ସୁଦ୍ଧା ଦେଶରେ ବିନିର୍ମାଣ କ୍ଷେତ୍ରରୁ  25ରୁ 30 ପ୍ରତିଶତ ଜାତୀୟ ଆୟ ଉତ୍ପନ୍ନ କରିବା ଏବଂ ଏହି କ୍ଷେତ୍ରରେ ଅଧିକ 900ଲକ୍ଷ ବ୍ଯକ୍ତିଙ୍କ ପାଇଁ କର୍ମସୁଯୋଗ ସୃଷ୍ଟି ନିମନ୍ତେ ପ୍ରୟାସ ହେଉଛି  | ଆମ ରାଜ୍ଯ କୃଷି, ହସ୍ତତନ୍ତ, ହସ୍ତଶିଳ୍ପ, ପଯର୍ଯଟନ କ୍ଷେତ୍ରକୁ ପ୍ରାଧାନ୍ଯ ଦେଇ ଅନୁରୂପ ଅଗ୍ରଗତି କରିବା ଆବଶ୍ଯକ  |ଏହି ସମ୍ବନ୍ଧରେ  ଆମ ରାଜ୍ଯରେ ଏକ ବିନିର୍ମାଣ ଚକ୍ରକେନ୍ଦ୍ର (ମାନୁଫାକଚରିଂ ହବ୍) ସ୍ଥାପନର ଆବଶ୍ଯକତା ଅନୁଭବ କରାଯାଏ | ଆମ ରାଜ୍ଯରେ ପ୍ରତିବର୍ଷ ସାଢ଼େ ଚାରିଲକ୍ଷ ଯୁବକଯୁବତୀ ରୋଜଗାର  ବଜାରରେ ଅବତତୀର୍ଣ୍ଣ ହେଉଛନ୍ତି |  ଏହା ବ୍ଯତୀତ ବେରୋଜଗାର ଯୁବକଯୁବତୀ ମଧ୍ଯ ଅପେକ୍ଷାରତ ଅଛନ୍ତି  ଆମ ରାଜ୍ଯରେ ବର୍ଷକୁ ସାତଲକ୍ଷ କର୍ମ ସୁଯୋଗ  ସୃଷ୍ଟି କରିବା ଆବଶ୍ଯକ |
କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଅଞ୍ଚଳରେ ପ୍ରାୟ ଚାରିଶହ ଚାଉଲମିଲ୍ ରହିଛି  ଏହା ସେହି ଅଞ୍ଚଳରେ ଏକ ଉଦ୍ୟୋଗପ୍ରିୟ ବାତାବରଣ ସୃଷ୍ଟି କରିଛି | ଏହି ଅଞ୍ଚଳର ହସ୍ତଶିଳ୍ପ ଓ ହସ୍ତଶିଳ୍ପ ଐିତିହ୍ଯ ସର୍ବବିଦିତ | ବ୍ଯାପକ ଧାନଚାଷ ସହିତ ଏହି ଅଞ୍ଚଳରେ କପା, ତେଳବୀଜ ଏବଂ ମକାଚାଷ ବ୍ଯାପକ ହେଉଛି | ଫଳ ଏବଂ ପରିବା ଚାଷର ଲୋକପ୍ରିୟତା  ପ୍ରମାଣିତ ହୋଇଛି | ଏହି ଅନୁକୂଳ ବାତାବରଣ ପରିପ୍ରେକ୍ଷୀରେ  ବରଗଡ଼ ଅଞ୍ଚଳରେ ଆମ ରାଜ୍ଯର ଏକ ଅନନ୍ଯ ବିନିର୍ମାଣ ଚକ୍ରକେନ୍ଦ୍ର (ମାନୁଫାକଚରିଂ ହବ୍) ସ୍ଥାପନ କରି ରାଜ୍ଯକୃଷିର ଗୁଣାତ୍ମକ ରୂପାନ୍ତକରଣ କରିବା ସଙ୍ଗେସଙ୍ଗେ ବ୍ଯାପକ ରୋଜଗାର ସୁଯୋଗ ସୃଷ୍ଟି କରିପାରିବା |

************  

No comments:

Post a Comment