Sunday 9 June 2019

ପ୍ରାତଃକାଳୀନ ଅନୁଭୂତି


ପ୍ରାତଃକାଳୀନ ଅନୁଭୂତି


ସେଦିନ ଅତି ସକାଳୁ ମୁଁ ବୁଲିଯାଉଥିବା ରାସ୍ତାରେ କେତିଟି ପାନଦୋକାନ ସ୍ୱଳ୍ପ ଚଳଚଂଚଳ ଥିବା ଉପଲବ୍ଧ କରିଥିଲି | ଓଡିଶାରେ ସହର ହେଉ ବା ଗାଁ, ସବୁଠାରେ ପାନ ଦୋକାନ | ମନେହୁଏ ପାନଦୋକାନ ବହୁଳ ରାଜ୍ୟ ଭାବରେ ଆମ ସ୍ଥାନ ପ୍ରଥମ |ଆପଣ ଆକଳନ କରିପାରିବେ  ଗୋଟିଏ ପାନଦୋକାନୀ ଦିନକୁ କେତେ  ପାନ ଭାଙ୍ଗେ ଓ ବିକ୍ରୀ କରେ? ମୋର ମଧ୍ୟ ଏବିଷୟରେ କୌଣସି ଧାରଣା ନଥିଲା | ଅବଶ୍ୟ  ଦୋକାନର ଅବସ୍ଥିତି ; ଜନବସତିର ଆର୍ଥିକ ପରିସ୍ଥିତି, ଓ ଦୋକାନ ବାଟଦେଇ ଚଳାଚଳ କରୁଥିବା ବ୍ୟକ୍ତିବିଶେଷ ପାନ ବ୍ୟବହାର ପରିମାଣକୁ ପ୍ରଭାବିତ କରିଥାନ୍ତି |ଆମ ଘରପାଖ ଦୋକାନୀ ମୋର ଜଣାଶୁଣା ; ଅବଶ୍ୟ ମୁଁ ପାନ ଖାଏନାହିଁ କିନ୍ତୁ ଯୁବକ ଦୋକାନୀର କର୍ମ ତତ୍ପରତା ଏବଂ ହସହସ ମୁହଁ ମୋତେ ପ୍ରଭାବିତ କରିଥିଲା | ତାର ମୋ ପ୍ରତି  ଭକ୍ତିଭାବ ଯୋଗୁଁ ତା ଦୁଃଖସୁଖ ସମ୍ପର୍କରେ ମୁଁ ତା ସହିତ ସମୟ ସମୟରେ  ଆଲୋଚନା କରେ | ଭବିଷ୍ୟତରେ କିଛି ଉଦ୍ୟୋଗ  ସ୍ଥାପନ ପାଇଁ ତାକୁ ପ୍ରେରଣା ଦିଏ.| ବଡ଼ି ପ୍ରସ୍ତୁତ କରି ପାକେଟରେ ବିକିବା ପାଇଁ ପରାମର୍ଶ ଦିଏ | ତା କହିବା ଅନୁଯାୟୀ ସେ ଦିନକୁ ପ୍ରାୟ ଦେଢ଼ହଜାର ପାନ ଭାଙ୍ଗେ ଓ ବିକେ | ଏଇ ହିସାବରେ ଚିନ୍ତା କରନ୍ତୁ ଭୁବନେଶ୍ୱର ଭଳି ଏକ ସହରରେ   ପ୍ରତିଦିନ କେତେ ପାନ ଭଙ୍ଗା ହେଇ ବିକ୍ରୀ ହେଉଥିବ |
ମୋର ଗନ୍ତବ୍ୟ ଥିଲା କେନାଲ କୂଳ | ସହରର ଏହି କେନାଲ ଟି ଏକ ପ୍ରହେଳିକା | ଏହା ପରିତ୍ୟକ୍ତ ଏବଂ ଦଳ , ଆବର୍ଜନା ଏବଂ ସହରର ଶୌଚାଳୟ ମାନଙ୍କରୁ ଏବଂ ନର୍ଦମାରୁ ପ୍ରବାହିତ ପାଣି ଏହି ଜାଗାରେ ରହିଥାଏ | କିନ୍ତୁ କେନାଲର ଉଭୟ ପାର୍ଶ୍ୱରେ ପ୍ରଶସ୍ତ ସଡକ ନିର୍ମିତ ହୋଇଛି ଏବଂ ପ୍ରାତଃକାଳରେ ଏହି ମାର୍ଗ ଯାନବାହାନ ଶୁନ୍ୟ ହୋଇଥିବାରୁ ସକାଳେ ବୁଲିବା ପାଇଁ ମୁଁ ଏହି ଅଂଚଳକୁ ପସନ୍ଦ କରେ |
ସେଦିନ ପ୍ରାତଃକାଳୀନ ନିଶବ୍ଦତା ଭଙ୍ଗ କରି କେନାଲ କୁଳର ସୁରମ୍ୟ ମନ୍ଦିର ଭିତରୁ ହଠାତ ମେସିନରୁ ନିର୍ଗତ ହେଉଥିବା ଝାଞ୍ଜମୃଦଙ୍ଗ ବାଦ୍ୟ ପରିବେଶକୁ ପୁତମୟ କରିଥିଲା | ବର୍ଷବର୍ଷ ଧରି ମାଗଣା ଚାଉଳ ଆକ୍ରାନ୍ତ ସମାଜ ଆମକୁ ଅନେକ ଦିନରୁ କର୍ମବିମୁଖ କରିଛି | ପ୍ରାତଃକାଳରେ ଦେବଦର୍ଶନ ଆଗ୍ରହ ପ୍ରାୟ ଲୁପ୍ତ ହେଇଚି | ଫଳରେ ଆଳତି ପାଇଁ ପୂଜକ ବ୍ୟତୀତ ଭକ୍ତ ଉପସ୍ଥିତ ନଥାନ୍ତି  | ଝାଞ୍ଜମୃଦଙ୍ଗ  ବଜାଇବା ପାଇଁ ଭକ୍ତ ନଥାନ୍ତି | ଫଳରେ ଦ୍ରୁତଗତିରେ ମନ୍ଦିରରେ ମେସିନ୍ ପ୍ରୟୋଗ ହେଉଛି ଏବଂ ଆଳତି ସମୟରେ ମେସିନ ରୁ ନିର୍ଗତ ବାଦ୍ୟ ମାଧ୍ୟମରେ ପୂଜା ପ୍ରକ୍ରିୟା ସମ୍ପନ୍ନ  ହେଉଛି | ସକାଳେ ବିଛଣାରେ ଶୋଇଥିବା ଅବସ୍ଥାରେ  ମନ୍ଦିର ପରିସରରୁ ମେସିନ ନିର୍ଗତ ଝାଞ୍ଜମୃଦଂଗ ବାଦ୍ୟ ଉପଭୋଗ କରିବା ଗ୍ରହଣୀୟ ହେଉଛି |
ସେଦିନ ଏହି ନିରୋଳା ପରିବେଶରେ କେନାଲ କୂଳର ଗୋଟିଏ କଂକ୍ରିଟ ବେଞ୍ଚ ଉପରେ ଏକାନ୍ତରେ ପ୍ରାତଃକାଳୀନ ମୃଦୁ ସମୀର ଉପଭୋଗ କରୁଥିବା ଚାଳିଶ ବର୍ଷ ବୟସ୍କ ଲୋକଟି ମୋ ଦୃଷ୍ଟି ଆକର୍ଷଣ କରିଥିଲା | ତା ପାଖରେ ବସି କିଛି ସମୟ ବାର୍ତ୍ତାଳାପ ନିତାନ୍ତ ଆନନ୍ଦଦାୟକ ଓ ଶିକ୍ଷାପ୍ରଦ ହୋଇଥିଲା | ନିକଟସ୍ଥ ବିରିୟାନୀ ପ୍ରସ୍ତୁତ ହେଉଥିବା କାରଖାନାରେ ଜଣେ ରୋଷେୟା ଭାବରେ ସେ କାମ କରେ | ତା ସହିତ ଅନ୍ୟ ସାତଜଣ ରୋଷେୟା ମଧ୍ୟ କାମ କରନ୍ତି |  ସେଦିନ  ରବିବାର ହେଇଥିବାରୁ ଅନ୍ୟ ରବିବାର ଭଳି  ଦେଢ଼ କୁଇଣ୍ଟାଲ ଚିକନ ଓ ଷାଠିଏ କିଲୋ ମଟନ ବ୍ୟବହାର ହେଇଥିଲା  | କିଲେ ଚିକନ ରେ ଆଠ ପ୍ଲେଟ ବିରିୟାନୀ ହୁଏ |ବିରିୟାନୀ ବ୍ୟତୀତ କାରଖାନାରେ କବାବ ; ରୋଲ ଇତ୍ୟାଦି ମଧ୍ୟ  ପ୍ରସ୍ତୁତ ହୁଏ | ପ୍ରସ୍ତୁତ ଖାଦ୍ୟ କାରଖାନାରୁ  ଏକ  ଭ୍ୟାନରେ  ସହରର ଏକ ପ୍ରମୁଖ ରାସ୍ତାକଡ଼ରେ ଥିବା ଦୋକାନକୁ ପଠାଯାଏ ଏବଂ ସେହିଠାରେ  ବିକ୍ରୀ ହୋଇଥାଏ | ପ୍ରାୟ ଷାଠିଏ ଭାଗ ଖାଦ୍ୟ ପାର୍ସଲ ରେ ଯାଏ ; ଚାଳିଶ ଭାଗ ଦୋକାନରେ ଉପଭୋକ୍ତା ମାନେ ଖାଇଥାନ୍ତି | ପ୍ରତିଦିନ ଶୋଇଲାବେଳକୁ  ରାତି ଦେଢ଼ଟା ବାଜେ |  ନିଜେ କିଛି କରିବାପାଇଁ ତାର ପ୍ରବଳ ଇଛା ଥିଲେ ବି ଦୁର୍ବଳ ଆର୍ଥିକ ପରିସ୍ଥିତି ଯୋଗୁଁ ଏହା ସମ୍ଭବ  ହୋଇ ପାରିନାହିଁ | ନିଜେ ସେ ଶାକାହାରୀ ; ମାସକୁ ସତର ହଜାର ଟଙ୍କା ପାରିଶ୍ରମିକ ଭାବରେ ଅର୍ଜନ କରି ପରିବାର ପୋଷଣ କରେ |
******* 

No comments:

Post a Comment