Sunday 24 November 2019

ପୁରୀ ଭଙ୍ଗା






ବୟସ ଏକାଅଶୀ ; ଆଜୀବନ ଜଗନ୍ନାଥ ଭକ୍ତ; ଗଣି ହବନି କେତେଥର ରତ୍ନ ସିଂହାସନ ରେ ଠାକୁରଙ୍କୁ ଦୂରରୁ , ପାଖରୁ ମୁଣ୍ଡିଆ ମାରିଛନ୍ତି ; ସୁଖରେ ଯାଇଛନ୍ତି ; ଦୁଃଖରେ ବି | କାଲି କହୁଥିଲେ ସେ ଆଉ ଯିବେନି ଦର୍ଶନ କରିବାକୁ | ସ୍ୱରରେ ଅଭିମାନ ; ମନ ଆହତ |

ଆଉଜଣେ କହୁଥିଲେ | ସେ ଜଗନ୍ନାଥ ଭକ୍ତ ; ଭଲ ଇଞ୍ଜିନିଅର | ମନ୍ଦିର ସେବାରେ ଅନେକ ବର୍ଷ କାମ କରିଛନ୍ତି | ମନ୍ଦିର ଆଖପାଖରୁ ମଠ , ବାସଗୃହ ଭାଙ୍ଗିବା ସେ ଆହତ | ଦେଉଳ ପାଖରେ ରହୁଥିବା ଶତାଧିକ ବୃଦ୍ଧ ଓ ବୃଦ୍ଧା ଯେଉଁମାନେ ପ୍ରତିଦିନ ସକାଳ ସନ୍ଧ୍ୟାରେ ଦର୍ଶନ ପାଇଁ ଯାଆନ୍ତି ସେମାନେ ଏବେ ଏହି ସୁଯୋଗରୁ ବଂଚିତ ହେବାରୁ ସେ ମର୍ମାହତ |

ଅଭିମାନ କରି ଠାକୁରଙ୍କ ପାଖକୁ ଯାଉ ନାହାନ୍ତି | ଏସବୁ ଶୁଣିଲା ପରେ ମୁଁ ଭାବିଲି ଆଜି ଠାକୁରଙ୍କ ଉପରେ ଅଭିମାନ କରିଥିବା ଭକ୍ତଂକ ସଂଖ୍ୟା ବଢି ଚାଲିଛି | ଯେଉଁ ଧ୍ଵଂସଲୀଳା ଚାଲିଛି ସେଥିରେ ଅନେକେ ଅସୁଖୀ | କାହାକୁ ସେମାନେ କହିବେ ? କିଏ ଶୁଣିବ | ଆଜି ସେଇଥି ପାଇଁ ତାଙ୍କ କାଳିଆ ଉପରେ ରୋଷ |

ଦେଖିବା କିଏ ଜିତୁଛି -- ଜେସିବି ମେସିନ ନା ଆହତ ଭକ୍ତ | ହଁ , ଆଉ ଗୋଟିଏ କଥା | ଭଙ୍ଗା ହେବା ପରେ ଯେଉଁ ଖୋଲା ଜାଗା ବାହାରୁଚି ଓ ବାହାରିବ ସେଇଠି କଣ ହେବ ? ଯାହା ହେବ ଜଳଜଳ ହେଇ ଦିଶୁଚି |

ସେଇଠି କେତେ ବର୍ଷ ପରେ ଉଠା ଦୋକାନୀ ବସିବେ ; ରାଜନୀତି ହେବ , ଭାଷଣବାଜି ଚାଲିବ ; ନେତା ସ୍ବପ୍ନ ଦେଖେଇବେ ; ପରିବା ବିକ୍ରି ହେବ ; ଖୋଲାଖୋଲି ପାଚିରୀ କଡରେ ଲୋକେ ଏକ କରିବେ ; ନିର୍ମାଲ୍ୟ ବିକ୍ରି ହେବ ; କାଠ ଠାକୁର ମୂର୍ତ୍ତି ବିକ୍ରି ହେବ ; ପଟି ଚିତ୍ର ବିକ୍ରି ହେବ |

*******
24th November, 2019

No comments:

Post a Comment