Sunday 24 November 2019

ଗାଁ ପୋଖରୀ ହୁଡାରେ ମୋବାଇଲ ସିଗନାଲ






ପଚିଶବର୍ଷ ବୟସ୍କ ଯୁବକଟିର ଘର ଅନୁଗୁଳ ଜିଲା ହଣ୍ଡପା ଅଂଚଳର ଗୋଟିଏ ପାହାଡିଆ ଗାଁରେ | କୌଣସି କାରଣରୁ ଗାଁକୁ ଏପର୍ଯ୍ୟନ୍ତ ମାବାଇଲ ଫୋନ ସିଗନାଲ ପହଂଚି ପାରିନି | ଭୁବନେଶ୍ୱରରୁ ତା ଘରକୁ ଫୋନ କରିବା ସମ୍ଭବ ନୁହେଁ | ବାପା ଯଦି ରବିବାର ବେପାର ପାଇଁ ହଣ୍ଡପା ବା ବଇଣ୍ଡା ଆସନ୍ତି, ସେ କଥା ହେଇପାରେ; କାରଣ ସେହି ଜାଗାରେ ସିଗନାଲ ମିଳେ |

କୁଆଡେ ଗାଁ ର କେତୋଟି ବାହାଘର ପ୍ରସ୍ତାବ ଏହି ସିଗନାଲ ସଙ୍କଟ ଯୋଗୁଁ ଭାଙ୍ଗି ଯାଇଥିବା ସେ କୁହେ | କାଲିଠାରୁ ସେ ଗାଁ ଯାଇଛି ; କାରଣ, ବାପା ଓ ମା ଭୀଷଣ ଜ୍ବରରେ ପଡିଛନ୍ତି | ଜେଜେମା ବ୍ୟତୀତ ଘରେ ସୁସ୍ଥ ଲୋକ ଆଉ କିଏ ନାହିଁ | ଆଜି ସକାଳେ ତା ଭଲମନ୍ଦ ବୁଝିବା ପାଇଁ ତାକୁ ଫୋନ କଲି | ଜାଣିଥିଲି ଫୋନ ସଂଯୋଗ ହେବନି | ତଥାପି କଲି |

ଆଶ୍ଚର୍ଯ୍ୟ ହେଲି , ଫୋନ ରିଂ ହେଲା ; ସେ ଫୋନ ଧରିଲା ଓ ଉତ୍ତର ଦେଲା | ଆଜି ସିଗନାଲ ଯିବା କାରଣ ପଚାରିଲି | ସେ କହିଲା ବଡ଼ିସକାଳୁ ଗାଁ ପୋଖରୀ ପାଖକୁ ଆସିଥିଲା , ସେଇ ଜାଗାକୁ ସିଗନାଲ ଆସେ ; ସେଇଠୁ ତା ଭିଣେଇ ସାଙ୍ଗରେ କଥା ହେବାକୁ ସେ ଆସିଥିଲା | ଆଜି ତା ବାପା ମାଙ୍କୁ ଅନୁଗୁଳ ନେବ ; ଡାକ୍ତରଙ୍କୁ ଦେଖେଇବ |

ତା ଭିଣେଇ ଫାର୍ମାସିଷ୍ଟ ; ହଣ୍ଡପା ଠାରୁ ଦଶ କିଲୋମିଟର ଦୂର ଗାଁ ରେ ରୁହନ୍ତି | ସେ ମଧ୍ୟ ତା ସାଙ୍ଗରେ ଅନୁଗୁଳ ଯିବ | ସେଇ ବିଷୟରେ କଥା ହେବା ପାଇଁ ପୋଖରୀବନ୍ଧ ପାଖକୁ ଆସିଥିଲା | ଗାଁ ଦୂରସଂଚାର ବ୍ୟବସ୍ଥାର ଏହି ସ୍ୱଳ୍ପ ଉନ୍ନତି ଯେ ଆଜିକା ପାଠୁଆ ଝିଅ ମାନଙ୍କୁ ଏଇ ଗାଁ ରେ ଘରକରିବାକୁ ପ୍ରଲୋଭିତ କରିବ ସେ ବିଷୟରେ ମୁଁ ସନ୍ଦିହାନ |

*******
24th November, 2019

No comments:

Post a Comment