Tuesday, 30 June 2020

ଆମର ସବୁ ଜିନିଷ ଆବଶ୍ୟକ , କାରଣ ଆମେ ମନୁଷ୍ୟ |

ଆମେ  ବର୍ଷା ମାଗୁ ; ତା ପାଇଁ ପ୍ରାର୍ଥନା କରୁ ; ଈଶ୍ବର ଆଶୀର୍ବାଦ କରି ବର୍ଷା ଦିଅନ୍ତି | ଆମେ ଏଥର ବାଲି ଛତୁ ମାଗୁ ; ରାତ୍ରିର ବର୍ଷା ଓ ଘଡଘଡି-ବିଜୁଳି ପରେ ଅନେକ ଜାଗାରେ ବାଲିଛତୁ ଫୁଟି ଥିବା ଆମେ ଦେଖୁ ଓ ତା ସ୍ୱାଦ ଉପଭୋଗ କରୁ | ପୁଣି ଇଛାହୁଏ ଆହୁରି ଆନନ୍ଦ ପାଇଁ | ଆମେ ସାଧବ ବୋହୁ ପୋକ ଦେଖିବାକୁ ମନକରୁ | ଆମ ଇଛାର  ପରିସମାପ୍ତି ହୁଏନାହିଁ ; ନା ମାଗିବା ବନ୍ଦ ହୁଏ | କାରଣ ଆମେ ମଣିଷ | ଆମେ ଭୁଲିଯାଉ ଯେ ଆମର ଅସ୍ତିତ୍ବ ସୃଷ୍ଟି ପାଇଁ ଆଦୌ ଆବଶ୍ୟକ ନୁହେଁ | ପ୍ରତ୍ୟେକ ପ୍ରାଣୀ ସୃଷ୍ଟିର ବିକାଶ ପାଇଁ କର୍ମରତ -- ଯେଭଳି ଜିଆ ଟିଏ ଜମିର ଉର୍ବରତା ବୃଦ୍ଧି କରିଥାଏ ; ମହୁମାଛି ପରାଗ ସଙ୍ଗମ ରେ ସହାୟକ ହୋଇଥାଏ | ଜୀବଜଗତର ବିକାଶ ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ଅନାବଶ୍ୟକ ; ଅଥଚ  ଆମର ସବୁ ଜିନିଷ ଆବଶ୍ୟକ , କାରଣ ଆମେ ମନୁଷ୍ୟ |

****

ଗୋପାଳର ବାଡ଼ି ପୋଟଳ

ଗୋପାଳ ଚନ୍ଦ୍ର ବେହେରା ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ | ଗୋପାଳ ନିଜ  ପରିବାର ସହିତ  ଆମ ଘର ପାଖରେ ଅନେକ ବର୍ଷରୁ ରହି ଆସୁଛି | ୧୯୮୨ ମସିହାରେ ଆମ ଘର  ନିହ ପଡିଲା ଦିନରୁ ଆମେ ତାକୁ ପଡୋଶୀ ଭାବରେ ଦେଖି ଆସୁଛୁ | ଅବଶ୍ୟ ସରକାରୀ ଜମି ଉପରେ ସେ ନିଜ ପାଇଁ ଓ ତା ଗାଈବାଛୁରି ମାନଙ୍କ ପାଇଁ ଅସ୍ଥାୟୀ ଗୃହ କରି ରହିଛି ଓ ନିଜ ଜୀବିକା ନିର୍ବାହ କରି ଆସୁଛି |  ଏହିଭଳି ଅନେକ ପରିବାର ଆମ ସହରରେ ବସବାସ କରନ୍ତି | ଆମ ଘରର ଭିତ୍ତି ପଡିବା ଅବସରରେ ଯେଉଁ ପୂଜା ହେଲା , ତା ପାଇଁ ଗୋବର ଓ କ୍ଷୀର ଗୋପାଳ ଆଗ୍ରହରେ ଯୋଗେଇ ଦେଇଥିଲା |ଅବସର ପରେ ଆମେ ନିଜ ଘରେ ରହିବା ପରେ ପ୍ରାୟ   ଅଠର ବର୍ଷ ହେଲା ସେ ଆମକୁ କ୍ଷୀର ଦିଏ। ଅମାୟିକ ବ୍ୟକ୍ତିତ୍ୱ ତାର | ଜୀବିକା ପାଇଁ ବହୁତ ପରିଶ୍ରମ କରେ | ସରକାରୀ ବ୍ୟବସ୍ଥାର ପାନୀୟ ଜଳ ସୁବିଧା ତା ଘର ପାଇଁ ସମ୍ଭବ ହେଇନଥିଲା | ଦିନକୁ ପ୍ରାୟ ଶହେ ବାଲଟି ପାଣି ସେ ପାଖ ନଳକୂପରୁ ଏବଂ ଆମ ଭଳିଆ କେତେଜଣ ପଡୋଶୀଙ୍କ ଘରୁ ନିଜ ଘରକୁ ନିଏ ପରିବାର ଓ ଗାଈ ବାଛୁରୀଙ୍କ ଆବଶ୍ୟକତା ପୂରଣ ପାଇଁ | ସଂଘର୍ଷମୟ ସଂସାରରେ କିନ୍ତୁ ମୁହଁରେ ତାର ସବୁବେଳେ ହସ ଥାଏ | ନିୟମିତ ଖାଣ୍ଟି କ୍ଷୀର ଦେବାକୁ ଆମେ ବରାବର  ତାଗିଦା କରୁ , ସେ ଶୁଣେ, ଆଉ ହସେ। ବେଳଅବେଳରେ ଗାଈଙ୍କ ଔଷଧ ପାଇଁ ହେଉ ବା ଗୋଖାଦ୍ୟ କିଣିବା ପାଇଁ ହେଉ , ଟଙ୍କା ଦରକାର ହୁଏ | କରଜ କରିବା ର ବିକଳ୍ପ ନଥାଏ | ଅସୁବିଧା କହି ଆମ ଭଳି କେତୋଟି ଗ୍ରାହକଙ୍କ ପାଖକୁ ଆସେ ] ଆମେ କ୍ଷୀର ଯୋଗାଣ ପାଇଁ ଅଗ୍ରିମ ଡିପୋଜିଟ ଭାବରେ ତାକୁ ଟଙ୍କା ଦେଇଥାଉ  |  ଆଜି  ମୁଖା ପିନ୍ଧି  ଅବେଳରେ ଆମ ଘରକୁ ଆସିଲା, ଭାବିଲି  ଟଙ୍କା ମାଗିବ । ସେ ହସି, ଜରି ବ୍ୟାଗ ଟିଏ ବଢେଇ କହିଲା " ଗାଁରୁ ବାଡି ପୋଟଳ କିଲେ ଆପଣଙ୍କ ପାଇଁ ଆଣିଛି ।"

********