ଗୋପାଳ ଚନ୍ଦ୍ର ବେହେରା ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ | ଗୋପାଳ ନିଜ ପରିବାର ସହିତ ଆମ ଘର ପାଖରେ ଅନେକ ବର୍ଷରୁ ରହି ଆସୁଛି | ୧୯୮୨ ମସିହାରେ ଆମ ଘର ନିହ ପଡିଲା ଦିନରୁ ଆମେ ତାକୁ ପଡୋଶୀ ଭାବରେ ଦେଖି ଆସୁଛୁ | ଅବଶ୍ୟ ସରକାରୀ ଜମି ଉପରେ ସେ ନିଜ ପାଇଁ ଓ ତା ଗାଈବାଛୁରି ମାନଙ୍କ ପାଇଁ ଅସ୍ଥାୟୀ ଗୃହ କରି ରହିଛି ଓ ନିଜ ଜୀବିକା ନିର୍ବାହ କରି ଆସୁଛି | ଏହିଭଳି ଅନେକ ପରିବାର ଆମ ସହରରେ ବସବାସ କରନ୍ତି | ଆମ ଘରର ଭିତ୍ତି ପଡିବା ଅବସରରେ ଯେଉଁ ପୂଜା ହେଲା , ତା ପାଇଁ ଗୋବର ଓ କ୍ଷୀର ଗୋପାଳ ଆଗ୍ରହରେ ଯୋଗେଇ ଦେଇଥିଲା |ଅବସର ପରେ ଆମେ ନିଜ ଘରେ ରହିବା ପରେ ପ୍ରାୟ ଅଠର ବର୍ଷ ହେଲା ସେ ଆମକୁ କ୍ଷୀର ଦିଏ। ଅମାୟିକ ବ୍ୟକ୍ତିତ୍ୱ ତାର | ଜୀବିକା ପାଇଁ ବହୁତ ପରିଶ୍ରମ କରେ | ସରକାରୀ ବ୍ୟବସ୍ଥାର ପାନୀୟ ଜଳ ସୁବିଧା ତା ଘର ପାଇଁ ସମ୍ଭବ ହେଇନଥିଲା | ଦିନକୁ ପ୍ରାୟ ଶହେ ବାଲଟି ପାଣି ସେ ପାଖ ନଳକୂପରୁ ଏବଂ ଆମ ଭଳିଆ କେତେଜଣ ପଡୋଶୀଙ୍କ ଘରୁ ନିଜ ଘରକୁ ନିଏ ପରିବାର ଓ ଗାଈ ବାଛୁରୀଙ୍କ ଆବଶ୍ୟକତା ପୂରଣ ପାଇଁ | ସଂଘର୍ଷମୟ ସଂସାରରେ କିନ୍ତୁ ମୁହଁରେ ତାର ସବୁବେଳେ ହସ ଥାଏ | ନିୟମିତ ଖାଣ୍ଟି କ୍ଷୀର ଦେବାକୁ ଆମେ ବରାବର ତାଗିଦା କରୁ , ସେ ଶୁଣେ, ଆଉ ହସେ। ବେଳଅବେଳରେ ଗାଈଙ୍କ ଔଷଧ ପାଇଁ ହେଉ ବା ଗୋଖାଦ୍ୟ କିଣିବା ପାଇଁ ହେଉ , ଟଙ୍କା ଦରକାର ହୁଏ | କରଜ କରିବା ର ବିକଳ୍ପ ନଥାଏ | ଅସୁବିଧା କହି ଆମ ଭଳି କେତୋଟି ଗ୍ରାହକଙ୍କ ପାଖକୁ ଆସେ ] ଆମେ କ୍ଷୀର ଯୋଗାଣ ପାଇଁ ଅଗ୍ରିମ ଡିପୋଜିଟ ଭାବରେ ତାକୁ ଟଙ୍କା ଦେଇଥାଉ | ଆଜି ମୁଖା ପିନ୍ଧି ଅବେଳରେ ଆମ ଘରକୁ ଆସିଲା, ଭାବିଲି ଟଙ୍କା ମାଗିବ । ସେ ହସି, ଜରି ବ୍ୟାଗ ଟିଏ ବଢେଇ କହିଲା " ଗାଁରୁ ବାଡି ପୋଟଳ କିଲେ ଆପଣଙ୍କ ପାଇଁ ଆଣିଛି ।"
********
********
No comments:
Post a Comment