Saturday 19 September 2020

ସିଦ୍ଧାନ୍ତ ର ପାଠପଢା

 ଅଳ୍ପ ବୟସରେ ବିଶ୍ବର ଫୁଟବଲ ଖେଳ ବିଷୟରେ ତାର ବହୁତ ଜ୍ଞାନ ଥିଲା | ସ୍କୁଲର ବଡ଼ ପିଲା ମାନେ ତାକୁ ଏହି କାରଣରୁ ବହୁତ ସ୍ନେହ କରୁଥିଲେ | ଅତ୍ୟନ୍ତ ଲୋକପ୍ରିୟ ଛାତ୍ର ଥିଲା ସେ | ତାଠାରୁ ସାତବର୍ଷ ବଡ଼ ଭାଇକୁ ତାଙ୍କ ହାଉସିଂ କମ୍ପ୍ଲେକ୍ସରେ ବଡ଼ ବଡ଼ ପିଲା ମାନେ ସିଦ୍ଧାନ୍ତ ର  ଭାଇ ଭାବରେ ଜାଣିଥିଲେ , ଯେମିତି ବଡ଼ ଭାଇର ଅନ୍ୟ କୌଣସି ପରିଚୟ ନଥିଲା |

 ପାଠପଢ଼ାରେ କିନ୍ତୁ ମନ ଦେଉନଥିଲା | ତା ସାଙ୍ଗମାନେ ଚିନ୍ତିତ ହେଲେ | ଯଦି ସେ ଫେଲ ହେଇଯିବ ତାହେଲେ ସେ ଆଉ ତାଙ୍କ ସାଙ୍ଗରେ ପଢ଼ିପାରିବନି ନା ବେଶୀ  ସମୟ ବିତେଇ ପାରିବ | ଯାହାହେଉ , ସାଙ୍ଗଙ୍କ ପ୍ରାର୍ଥନା କାମ ଦେଲା | ସେ ପରୀକ୍ଷାରେ ଭଲ କଲା | 

କିନ୍ତୁ ସିଦ୍ଧାନ୍ତ ଆଉ ସେହି ସ୍କୁଲ ରେ ପଢି ପାରିଲାନି | ସେମାନେ ସହରର ଆଉ ଗୋଟିଏ ଅଂଚଳରେ ନୂଆଘର କଲେ ଏବଂ ସେଇ ଘର ପାଖ ସ୍କୁଲରେ ସିଦ୍ଧାଂତର ଆଡ଼ମିସନ ପାଇଁ ଯୋଜନା ହେଲା | ଦିନେ ବାପା ମାଙ୍କ ସାଙ୍ଗରେ ସେ ପ୍ରିନ୍ସିପାଲ ଓ କ୍ଳାସ ଶିକ୍ଷକଙ୍କୁ ସାକ୍ଷାତ କଲା | ତାଙ୍କ ପ୍ରଶ୍ନ ମାନଙ୍କର ସନ୍ତୋଷଜନକ ଉତ୍ତର ଦେଲା ; ଲିଖିତ ପରୀକ୍ଷରେ ମଧ୍ୟ ଭଲ କଲା | ତାକୁ ସ୍କୁଲରେ ଆଡ଼ମିସନ ମିଳିଗଲା | 

 କିନ୍ତୁ ମହାମାରି ଯୋଗୁଁ ସ୍କୁଲ ଖୋଲିଲା ନାହିଁ | ଇ କ୍ଳାସ ଆରମ୍ଭ ହେଲା | ସିଦ୍ଧାଂତର ପଢିବା ଆଗ୍ରହ ହଠାତ ବଢିଗଲା | ଠିକ ସମୟରେ ଲାପଟପ ଆଗରେ ଖାତା ବହି କଲମ ଧରି ସେ ବସିଯାଏ | ସକାଳୁ ଠିକ ସମୟରେ ଉଠିବା , ଠିକ ସମୟରେ ନିତ୍ୟକର୍ମ ସାରିବା ; ଠିକ ସମୟରେ ଜଳଖିଆ ଖାଇବା ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରୁଥିଲା | ଇ କ୍ଳାସ ରେ ତା ଏକାଗ୍ରତା ତା ଶିକ୍ଷକଙ୍କୁ  ମଧ୍ୟ ଆନନ୍ଦିତ  କରିଥିଲା | 

ତ୍ରୈମାସିକ ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ୮୦ ପରସେଣ୍ଟ ରୁ ଅଧିକ ନମ୍ବର ରଖିଲା | ତା ବାପା ମା ଖୁସି ହେଲେ ; ବେଶୀ ଆଶ୍ଚର୍ଯ୍ୟ ହେଲା ତା ବଡ଼ ଭାଇ | 

ସିଦ୍ଧାନ୍ତ କୁ ସମସ୍ତେ ପଚାରିଲେ ସେ ପରୀକ୍ଷା ଫଳରେ ଖୁସି ତ ? ସେ ଗମ୍ଭୀର ହେଇ କହିଲା, "ବେଶୀ ଭଲ ହେଲାନି; ଆରଥରକୁ ବେଶୀ ନମ୍ବର ରଖିବ |"

********

Wednesday 9 September 2020

୨୦୨୦ ସେପ୍ଟେମ୍ବର ମାସ ପ୍ରଥମ ଦଶଦିନ ର କେତୋଟି ବିଚାର

 


 

ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶା ଆଶାନୁରୂପ ଅଗ୍ରଗତି କରିନଥିବା କ୍ରମଶଃ ଶିକ୍ଷିତ ଯୁବାପୀଢ଼ି ହୃଦୟଙ୍ଗମ କରୁଛନ୍ତି | ନିଯୁକ୍ତି କ୍ଷେତ୍ରରେ ଅଗ୍ରଗତି ନଗଣ୍ୟ ; ରାଜ୍ୟର ଅସୀମ ପ୍ରାକୃତିକ ବୈଭବର ସିଂହଭାଗ କାରବାର ବାହାର ଲୋକଙ୍କ ହାତରେ ; ସ୍ଥାନୀୟ ଲୋକେ କଣ୍ଢେଇ, ପିଠା ରେ ଆପ୍ୟାୟିତ |ଏଇ ଦୁଇ ଦଶନ୍ଧିରେ ଓଡ଼ିଶାର ସାମୁହିକ ବିକାଶରେ ରାଜ୍ୟ ରାଜନୈତିକ ଚିତ୍ରପଟର ଜାଗୃତ ଶକ୍ତିଙ୍କ ଅବଦାନ ସନ୍ତୋଷଜନକ ନୁହେଁ | କୃଷି, ପର୍ଯ୍ୟଟନ, ଜଳସେଚନ ଅବିକଶିତ; ନିଯୁକ୍ତି କ୍ଷେତ୍ରରେ ସ୍ଥାଣୁତ୍ୱ ; ସ୍ଥାନୀୟ ଉଦ୍ୟୋଗୀ ଅବହେଳିତ | ମନେହୁଏ ଆସନ୍ତା ପଂଚାୟତ ନିର୍ବାଚନରେ ସୁପ୍ତପ୍ରାୟ ଶକ୍ତିର ପ୍ରଦର୍ଶନ ଆଶାଜନକ ହେବ |

*******

ଇଲେକ୍ଟ୍ରୋନିକ ପ୍ରିଣ୍ଟ ମିଡ଼ିଆ ବୁଝିବା ଆବଶ୍ୟକ ସମ୍ବାଦ ଥାଳିରେ ରିହା ଚକ୍ରବର୍ତୀ ପ୍ରସଙ୍ଗ ବା ଅନୁଭବ-ବର୍ଷା ପ୍ରସଙ୍ଗ ମୁଖ୍ୟ ଆଇଟମ ହେବା ଭୋଜନ ଥାଳିରେ ଲଙ୍କା ଲେମ୍ବୁ ମୁଖ୍ୟ ଆଇଟମ ହେବା ଭଳି | ଏହାଦ୍ୱାରା ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି ହେଉଛି  | ଏହା ଫଳରେ ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ଦ୍ରୁତଗତିରେ  ଗ୍ରହଣୀୟତା ହରାଉଛନ୍ତି |   ପ୍ରକୃତ ସମ୍ବାଦ ପାଇଁ ସୋସାଲ ମିଡ଼ିଆ ଦିନକୁଦିନ ଅଧିକ ଆକର୍ଷଣୀୟ ହେଉଛି |

ଏମିତି କେତେ ଖେଳ ଆମ ପିଲାଦିନେ ପିଲାମାନେ ଖେଳୁଥିଲେ ଯାହା ଆଜି ବୋଧହୁଏ ହଜି ଗଲାଣି ସେମିତି ଖେଳ ମନେ ପକେଇ ତା ବିଷୟରେ ଆଲୋଚନା କରିବାକୁ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲି  ଏହି ଅନୁରୋଧ ପରେ ଅନେକ ବ୍ୟକ୍ତି ପିଲାଦିନ ଖେଳ ବିଷୟରେ ଲେଖିଲେ |

ଜଣେ ବାଟି/ଗୁଲି ଖେଳ   ସେକାସେକି ଖେଳ କଥା କହିଲେ | ଅନ୍ୟ ଜଣେ ସାଇକେଲର ପୁରୁଣା ଚକ କୁ ଗଡେଇ ଗଡେଇ ନେବା ପ୍ରତିଯୋଗିତା ବିଷୟ ଉଲ୍ଲେଖ କଲେ | ବହୁତ ଗୁଆ ଗଛ ଥିବା ଅଂଚଳର ଜଣେ ବନ୍ଧୁ    ପିଲାଦିନେ ଗୁଆ ବାହୁ ( ଗୁଆ ପଟିଆ) ରେ ସାଥୀ କୁ ବସେଇ ଟାଣି ଟାଣି ଗାଁ ଦାଣ୍ଡ ପ୍ରତିଯୋଗିତା ବିଷୟରେ ଲେଖିଲେ | ଆଉ ଜଣେ ଗାଁ ରେ ହେଉଥିବା ଦାଣ୍ଡିଆ ଖେଳ ବିଷୟରେ ଉଲ୍ଲେଖ କଲେ |..

ଜଣେ  ପାକିଲି ଖେଳ ବିଷୟରେ ଉଲ୍ଲେଖ କରି କହିଲେ ଏହି ଖେଳରେ  ପାଞ୍ଚ  ଜଣ ପାଞ୍ଚ  ଜଣଙ୍କୁ ଜଗନ୍ତି, ଆଠଟା  ବଡ ବର୍ଗକ୍ଷେତ୍ର ମଝିରେ ଥିବା  ଘରକୁ ଜଣେ ମଝିରେ ଲମ୍ବା ଲାଇନ କୁ ଦାଣ୍ଡିଆ ଜଗେ। ଗୋଟିଏ ଦଳର ସମସ୍ତ ସଦସ୍ୟ  ଯାଇ ଗୋଟିଏ  ଘରେ ରୁଣ୍ଡ ହେଇ ପାରିଲେ  ଜିତିବା ହୁଏ ଛୁଇଁବା ବଦଳରେ ଶକ୍ତ ଚାପୁଡ଼ା ପିଠିରେ ବସେ ଜଣେ ଦିଆସିଲ ଖୋଳ ଖପରା ଖେଳ କଥା ବଖାଣିଲେ ଏବଂ ଅନ୍ୟଜଣେ  ବାଘ ଛେଳି ଖେଳକଥା ; ତଳେ ଗାର କାଟି ଗୋଡି ରେ ଖେଳ ; ପତଳା ଜିଆଇ  ତାର ପଛରେ ବଗ ପର ବାନ୍ଧି ବର୍ଷା ଦିନେ "ନମ୍ବର" ଖେଳ ; ବର୍ଷା ଦିନେ ମାଟିରେ ଲୁହା ରଡ଼ ମାରି ପୋତି ଖେଳିବା ; କିତିକିତି;  ପୁଚି ; ବାଟି ବା କାଚଗୁଲି ଖେଳ ; କଉଡି ଖେଳ ;  ଲେମ୍ବୁ ଖେଳ ; ନଟୁ ଖେଳ ;  ଗାଁ ଦାଣ୍ଡରେ କୁମାର ପୁର୍ଣିମା ଖେଳ (ଆଗରୁ ପନ୍ଦର କୋଡିଏ ଦିନ  ଖେଳୁଥିଲେ, ଏବେ ଗୋଟିଏ ଦିନ ବି ଖେଳ ହେଉନି, କେବଳ ବହି ବୋଲା ହେଉଛି) ; ମନେ ପକେଇଲେ |

ଏଇସବୁ ଖେଳ ବିଷୟରେ ଜାଣିଲେ ଅନ୍ୟମାନେ ନିଶ୍ଚୟ ଏମିତି ଖେଳ ଗୁଡିକର ପୁନଃ ଆବିର୍ଭାବ ପାଇଁ ଆଗ୍ରହୀ ହେବେ | ଆମ ସରକାରଙ୍କ କ୍ରୀଡାବିଭାଗ ଏଦିଗରେ ସଚେତନ ହୋଇ ଆଗାମୀ ଦିନମାନଙ୍କରେ ଏହି ଖେଳ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କରିବା ପାଇଁ ଅନୁରୋଧ କରୁଛି |

*******

ଆମ ଦୁନିଆରେ ଏମିତି ବାରମ୍ବାର ହୁଏ -- କାହାର ନ୍ୟାଯ୍ୟ ଅନୁରୋଧ ସଂପୃକ୍ତ ବ୍ୟକ୍ତି ଆଖି ପିଛୁଳାକେ ମୁଣ୍ଡରୁ ମୂଳପୋଛ କରି ଦିଅନ୍ତି

********

ଆମ ପିଲାଦିନର ବଣଭୋଜି ପାଇଁ ଭଡା ବସ୍ ରେ ଚାରି ଘଣ୍ଟା ଯାତ୍ରା ଦରକାର ହେଉ ଥିଲା   ଦିନ ସାଢେ ତିନିଟା ବେଳେ ଖାଇବା ହେବାକୁ ଯାଉଛି ଜାଣି ବି ଭୋକ ଲାଗୁ ନଥିଲା ପେଜୁଆ ଭାତ ହେଉ ବା ଦରପୋଡା ଡାଲମା ବା ଦରସିଝା ମାଉଁସ ତରକାରୀ --  ସବୁ ଅମୃତ ଭଳି ଲାଗୁଥିଲା ବାସନ ମାଜିବା ରେ ଲାଜ ଲାଗୁ ନଥିଲା ଆଜି ଇକୋ ରିଟ୍ରିଟ ରେ ସରକାର ଅତିଥିଙ୍କୁ ରନ୍ଧାଭୋଜନ ଯୋଗେଇବା ବ୍ୟବସ୍ଥା କରିଥିବା ଖବର ପ୍ରକାଶିତ ହେଇଚି | ତେବେ ଏଇ ବ୍ୟବସ୍ଥା କୁ କଣ ବଣଭୋଜି କୁହାଯିବ ? ବଣଭୋଜିର ନିଜେ ଜାଳେଣି ଯୋଗାଡ଼ କରନ୍ତି ; ନିଜେ ରାନ୍ଧନ୍ତି ; ନିଜେ ବାସନ ମାଜନ୍ତି ; ଗଛତଳେ ଖବରକାଗଜ ନହେଲେ ଚାଦର ପକେଇ ଖଲି ପତରରେ ଖାଆନ୍ତି |

*******

"ନା ଷଣ୍ଢ ଖାଇବେ ନା ମାଙ୍କଡ଼,ସେଇଥିପାଇଁ ବିଲରେ କେବଳ ସାଗ କରିଛି ବାଉଁଶ ବାଡ ଦେଇଥିଲି,ଟଙ୍କା ଦିହଜାର ଖର୍ଚ୍ଚ କରି, ପରିବା କରିବା ପାଇଁ ଷଣ୍ଢ ଭାଂଗିଦେଲେ। କଙ୍କ୍ରିଟ ଖୁଣ୍ଟ , ଲୁହା କଣ୍ଟାତାର ଦେଲେ ହେବ, କିନ୍ତୁ ଅନ୍ୟ ଜଣଙ୍କ ବିଲ ରେ ପରିବା କରୁଛି ; କେତେଦିନ ମାଲିକ ଜମି ଦେବ ଠିକ ନାହିଁ | ତେଣୁ ଏତେ ଖର୍ଚ୍ଚ କରିବା ପାଇଁ ସାହାସ ହେଲାନି  " ଆଜି ସକାଳେ ଭିଙ୍ଗାରପୁର ବ୍ଲକ ବେଂଟପୁର ଗାଁର ଲାଗୁଆ ନଡିଆ ତୋଳାଳି କହୁଥିଲା

*******

କରୋନା ମହାମାରୀ ପାଇଁ ଅନେକ ବ୍ୟବସାୟ,ଅନୁଷ୍ଠାନ, ସଂସ୍ଥା  କୁ ଯିବା ବାରଣ କରାଗଲା | ଏହି ନିୟମ ଦେଶବ୍ୟାପୀ ଲାଗୁ ହେଲା | ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିଲେ | ଭଲକଥା | କିନ୍ତୁ ଧୀରେଧୀରେ କଟକଣା ମାନଙ୍କୁ କୋହଳ କରାଗଲା | ମଦ ଦୋକାନ ଖୋଲିଲା ; ମଲ ଖୋଲିଲା ; ଅନେକ ରାଜ୍ୟରେ ଧର୍ମାନୁଷ୍ଠାନ ମଧ୍ୟ ଖୋଲିଲା | କିନ୍ତୁ ଆମ ଓଡ଼ିଶାରେ ଧର୍ମାନୁଷ୍ଠାନ କ୍ଷେତ୍ରରେ ବ୍ୟତିକ୍ରମ ହେଲା | ଏଯାଏଁ ସବୁ ବନ୍ଦ ରହିଛି |   କାଇପଦର ବାବା ବୁଖାରି ପୀର ଙ୍କ ପାଖକୁ ଯାଇହବନି ; ନା ଭୂଷଣ୍ଡପୁର ମା ଉଗ୍ରତାରା ଙ୍କ ପାଖକୁ; ନା ବାଙ୍କି ମା ଚର୍ଚ୍ଚିକାଙ୍କ ପାଖକୁ; ନା ବାଣପୁର ମା ଭଗବତୀ | ଏମିତିକି ମା କଟକଚଣ୍ଡୀ ବି ମନା ; ଆରଡ଼ି ଆଖଣ୍ଡଳମଣି ବି ; ଭବାନୀପାଟଣାର ମା ମାଣିକେଶ୍ବରୀ ; ସମ୍ବଲପୁର ମା ସମଲେଇ ଠାକୁରାଣୀ , ଧାମନଗର ଦରଘା ବି ମନା | ବୁଝିପାରୁନି ଏମିତି କାହିଁକି ? ଆମ ଠାକୁର, ଠାକୁରାଣୀ ଆମ ପୀର ବାବା ଆମକୁ ପିଲାଦିନୁ ଦେଖିଛନ୍ତି ; ତାଙ୍କ ଆଶୀର୍ବାଦରେ ଆମେ ଗଢ଼ା ହେଇଚୁ | ସେମାନେ   ଆମକୁ ପରିଚାଳିତ କରୁଛନ୍ତି | ଏମାନଙ୍କ ବିନା ଓଡ଼ିଆ ବଂଚିବ କେମିତି ? ମୁଁ ସେମାନଙ୍କ କଥା କହୁନି ଯେଉଁମାନେ  ଡରି ଘରେ ଲୁଚି ରହୁଛନ୍ତି |

*******