ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶା ଆଶାନୁରୂପ ଅଗ୍ରଗତି କରିନଥିବା କ୍ରମଶଃ ଶିକ୍ଷିତ ଯୁବାପୀଢ଼ି ହୃଦୟଙ୍ଗମ କରୁଛନ୍ତି | ନିଯୁକ୍ତି କ୍ଷେତ୍ରରେ ଅଗ୍ରଗତି ନଗଣ୍ୟ ; ରାଜ୍ୟର ଅସୀମ ପ୍ରାକୃତିକ ବୈଭବର ସିଂହଭାଗ କାରବାର ବାହାର ଲୋକଙ୍କ ହାତରେ ; ସ୍ଥାନୀୟ ଲୋକେ କଣ୍ଢେଇ, ପିଠା ରେ ଆପ୍ୟାୟିତ |ଏଇ ଦୁଇ ଦଶନ୍ଧିରେ ଓଡ଼ିଶାର ସାମୁହିକ ବିକାଶରେ ରାଜ୍ୟ ରାଜନୈତିକ ଚିତ୍ରପଟର ଜାଗୃତ ଶକ୍ତିଙ୍କ ଅବଦାନ ସନ୍ତୋଷଜନକ ନୁହେଁ | କୃଷି, ପର୍ଯ୍ୟଟନ, ଜଳସେଚନ ଅବିକଶିତ; ନିଯୁକ୍ତି କ୍ଷେତ୍ରରେ ସ୍ଥାଣୁତ୍ୱ ; ସ୍ଥାନୀୟ ଉଦ୍ୟୋଗୀ ଅବହେଳିତ | ମନେହୁଏ ଆସନ୍ତା ପଂଚାୟତ ନିର୍ବାଚନରେ ସୁପ୍ତପ୍ରାୟ ଶକ୍ତିର ପ୍ରଦର୍ଶନ ଆଶାଜନକ ହେବ |
*******
ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡ଼ିଆ ବୁଝିବା ଆବଶ୍ୟକ ସମ୍ବାଦ ଥାଳିରେ ରିହା ଚକ୍ରବର୍ତୀ ପ୍ରସଙ୍ଗ ବା ଅନୁଭବ-ବର୍ଷା ପ୍ରସଙ୍ଗ ମୁଖ୍ୟ ଆଇଟମ ହେବା ଭୋଜନ ଥାଳିରେ ଲଙ୍କା ଓ ଲେମ୍ବୁ ମୁଖ୍ୟ ଆଇଟମ ହେବା ଭଳି | ଏହାଦ୍ୱାରା ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି ହେଉଛି | ଏହା ଫଳରେ ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ଦ୍ରୁତଗତିରେ ଗ୍ରହଣୀୟତା ହରାଉଛନ୍ତି | ପ୍ରକୃତ ସମ୍ବାଦ ପାଇଁ ସୋସାଲ ମିଡ଼ିଆ ଦିନକୁଦିନ ଅଧିକ ଆକର୍ଷଣୀୟ ହେଉଛି |
ଏମିତି କେତେ ଖେଳ ଆମ ପିଲାଦିନେ ପିଲାମାନେ ଖେଳୁଥିଲେ ଯାହା ଆଜି ବୋଧହୁଏ ହଜି ଗଲାଣି । ସେମିତି ଖେଳ ମନେ ପକେଇ ତା ବିଷୟରେ ଆଲୋଚନା କରିବାକୁ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲି । ଏହି ଅନୁରୋଧ ପରେ ଅନେକ ବ୍ୟକ୍ତି ପିଲାଦିନ ଖେଳ ବିଷୟରେ ଲେଖିଲେ |
ଜଣେ ବାଟି/ଗୁଲି ଖେଳ ଓ ସେକାସେକି ଖେଳ କଥା କହିଲେ | ଅନ୍ୟ ଜଣେ ସାଇକେଲର ପୁରୁଣା ଚକ କୁ ଗଡେଇ ଗଡେଇ ନେବା ପ୍ରତିଯୋଗିତା ବିଷୟ ଉଲ୍ଲେଖ କଲେ | ବହୁତ ଗୁଆ ଗଛ ଥିବା ଅଂଚଳର ଜଣେ ବନ୍ଧୁ ପିଲାଦିନେ ଗୁଆ ବାହୁ ( ଗୁଆ ପଟିଆ) ରେ ସାଥୀ କୁ ବସେଇ ଟାଣି ଟାଣି ଗାଁ ଦାଣ୍ଡ ପ୍ରତିଯୋଗିତା ବିଷୟରେ ଲେଖିଲେ | ଆଉ ଜଣେ ଗାଁ ରେ ହେଉଥିବା ଦାଣ୍ଡିଆ ଖେଳ ବିଷୟରେ ଉଲ୍ଲେଖ କଲେ |..
ଜଣେ ପାକିଲି ଖେଳ ବିଷୟରେ ଉଲ୍ଲେଖ କରି କହିଲେ ଏହି ଖେଳରେ ପାଞ୍ଚ ଜଣ ପାଞ୍ଚ ଜଣଙ୍କୁ ଜଗନ୍ତି, ଆଠଟା ବଡ ବର୍ଗକ୍ଷେତ୍ର ମଝିରେ ଥିବା ଘରକୁ ଜଣେ ଓ ମଝିରେ ଲମ୍ବା ଲାଇନ କୁ ଦାଣ୍ଡିଆ ଜଗେ। ଗୋଟିଏ ଦଳର ସମସ୍ତ ସଦସ୍ୟ ଯାଇ ଗୋଟିଏ ଘରେ ରୁଣ୍ଡ ହେଇ ପାରିଲେ ଜିତିବା ହୁଏ । ଛୁଇଁବା ବଦଳରେ ଶକ୍ତ ଚାପୁଡ଼ା ପିଠିରେ ବସେ । ଜଣେ ଦିଆସିଲ ଖୋଳ ଓ ଖପରା ଖେଳ କଥା ବଖାଣିଲେ ଏବଂ ଅନ୍ୟଜଣେ ବାଘ ଛେଳି ଖେଳକଥା ; ତଳେ ଗାର କାଟି ଗୋଡି ରେ ଖେଳ ; ପତଳା ଜିଆଇ ତାର ପଛରେ ବଗ ପର ବାନ୍ଧି ବର୍ଷା ଦିନେ "ନମ୍ବର" ଖେଳ ; ବର୍ଷା ଦିନେ ମାଟିରେ ଲୁହା ରଡ଼ ମାରି ପୋତି ଖେଳିବା ; କିତିକିତି; ପୁଚି ; ବାଟି ବା କାଚଗୁଲି ଖେଳ ; କଉଡି ଖେଳ ; ଲେମ୍ବୁ ଖେଳ ; ନଟୁ ଖେଳ ; ଗାଁ ଦାଣ୍ଡରେ କୁମାର ପୁର୍ଣିମା ଖେଳ (ଆଗରୁ ପନ୍ଦର କୋଡିଏ ଦିନ ଖେଳୁଥିଲେ, ଏବେ ଗୋଟିଏ ଦିନ ବି ଖେଳ ହେଉନି, କେବଳ ବହି ବୋଲା ହେଉଛି) ; ମନେ ପକେଇଲେ |
ଏଇସବୁ ଖେଳ ବିଷୟରେ ଜାଣିଲେ ଅନ୍ୟମାନେ ନିଶ୍ଚୟ ଏମିତି ଖେଳ ଗୁଡିକର ପୁନଃ ଆବିର୍ଭାବ ପାଇଁ ଆଗ୍ରହୀ ହେବେ | ଆମ ସରକାରଙ୍କ କ୍ରୀଡାବିଭାଗ ଏଦିଗରେ ସଚେତନ ହୋଇ ଆଗାମୀ ଦିନମାନଙ୍କରେ ଏହି ଖେଳ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କରିବା ପାଇଁ ଅନୁରୋଧ କରୁଛି |
*******
ଆମ ଦୁନିଆରେ ଏମିତି ବାରମ୍ବାର ହୁଏ -- କାହାର ନ୍ୟାଯ୍ୟ ଅନୁରୋଧ ସଂପୃକ୍ତ ବ୍ୟକ୍ତି ଆଖି ପିଛୁଳାକେ ମୁଣ୍ଡରୁ ମୂଳପୋଛ କରି ଦିଅନ୍ତି ।
********
ଆମ ପିଲାଦିନର ବଣଭୋଜି ପାଇଁ ଭଡା ବସ୍ ରେ ଚାରି ଘଣ୍ଟା ଯାତ୍ରା ଦରକାର ହେଉ ନ ଥିଲା । ଦିନ ସାଢେ ତିନିଟା ବେଳେ ଖାଇବା ହେବାକୁ ଯାଉଛି ଜାଣି ବି ଭୋକ ଲାଗୁ ନଥିଲା । ପେଜୁଆ ଭାତ ହେଉ ବା ଦରପୋଡା ଡାଲମା ବା ଦରସିଝା ମାଉଁସ ତରକାରୀ -- ସବୁ ଅମୃତ ଭଳି ଲାଗୁଥିଲା । ବାସନ ମାଜିବା ରେ ଲାଜ ଲାଗୁ ନଥିଲା । ଆଜି ଇକୋ ରିଟ୍ରିଟ ରେ ସରକାର ଅତିଥିଙ୍କୁ ରନ୍ଧାଭୋଜନ ଯୋଗେଇବା ବ୍ୟବସ୍ଥା କରିଥିବା ଖବର ପ୍ରକାଶିତ ହେଇଚି | ତେବେ ଏଇ ବ୍ୟବସ୍ଥା କୁ କଣ ବଣଭୋଜି କୁହାଯିବ ? ବଣଭୋଜିର ନିଜେ ଜାଳେଣି ଯୋଗାଡ଼ କରନ୍ତି ; ନିଜେ ରାନ୍ଧନ୍ତି ; ନିଜେ ବାସନ ମାଜନ୍ତି ; ଗଛତଳେ ଖବରକାଗଜ ନହେଲେ ଚାଦର ପକେଇ ଖଲି ପତରରେ ଖାଆନ୍ତି |
*******
"ନା ଷଣ୍ଢ ଖାଇବେ ନା ମାଙ୍କଡ଼,ସେଇଥିପାଇଁ ବିଲରେ କେବଳ ସାଗ କରିଛି । ବାଉଁଶ ବାଡ ଦେଇଥିଲି,ଟଙ୍କା ଦିହଜାର ଖର୍ଚ୍ଚ କରି, ପରିବା କରିବା ପାଇଁ । ଷଣ୍ଢ ଭାଂଗିଦେଲେ। କଙ୍କ୍ରିଟ ଖୁଣ୍ଟ , ଲୁହା କଣ୍ଟାତାର ଦେଲେ ହେବ, କିନ୍ତୁ ଅନ୍ୟ ଜଣଙ୍କ ବିଲ ରେ ପରିବା କରୁଛି ; କେତେଦିନ ମାଲିକ ଜମି ଦେବ ଠିକ ନାହିଁ | ତେଣୁ ଏତେ ଖର୍ଚ୍ଚ କରିବା ପାଇଁ ସାହାସ ହେଲାନି ।" ଆଜି ସକାଳେ ଭିଙ୍ଗାରପୁର ବ୍ଲକ ର ବେଂଟପୁର ଗାଁର ଲାଗୁଆ ନଡିଆ ତୋଳାଳି କହୁଥିଲା ।
*******
କରୋନା ମହାମାରୀ ପାଇଁ ଅନେକ ବ୍ୟବସାୟ,ଅନୁଷ୍ଠାନ, ସଂସ୍ଥା କୁ ଯିବା ବାରଣ କରାଗଲା | ଏହି ନିୟମ ଦେଶବ୍ୟାପୀ ଲାଗୁ ହେଲା | ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିଲେ | ଭଲକଥା | କିନ୍ତୁ ଧୀରେଧୀରେ କଟକଣା ମାନଙ୍କୁ କୋହଳ କରାଗଲା | ମଦ ଦୋକାନ ଖୋଲିଲା ; ମଲ ଖୋଲିଲା ; ଅନେକ ରାଜ୍ୟରେ ଧର୍ମାନୁଷ୍ଠାନ ମଧ୍ୟ ଖୋଲିଲା | କିନ୍ତୁ ଆମ ଓଡ଼ିଶାରେ ଧର୍ମାନୁଷ୍ଠାନ କ୍ଷେତ୍ରରେ ବ୍ୟତିକ୍ରମ ହେଲା | ଏଯାଏଁ ସବୁ ବନ୍ଦ ରହିଛି | କାଇପଦର ବାବା ବୁଖାରି ପୀର ଙ୍କ ପାଖକୁ ଯାଇହବନି ; ନା ଭୂଷଣ୍ଡପୁର ମା ଉଗ୍ରତାରା ଙ୍କ ପାଖକୁ; ନା ବାଙ୍କି ମା ଚର୍ଚ୍ଚିକାଙ୍କ ପାଖକୁ; ନା ବାଣପୁର ମା ଭଗବତୀ | ଏମିତିକି ମା କଟକଚଣ୍ଡୀ ବି ମନା ; ଆରଡ଼ି ର ଆଖଣ୍ଡଳମଣି ବି ; ଭବାନୀପାଟଣାର ମା ମାଣିକେଶ୍ବରୀ ; ସମ୍ବଲପୁର ର ମା ସମଲେଇ ଠାକୁରାଣୀ , ଧାମନଗର ଦରଘା ବି ମନା | ବୁଝିପାରୁନି ଏମିତି କାହିଁକି ? ଆମ ଠାକୁର, ଠାକୁରାଣୀ ଆମ ପୀର ବାବା ଆମକୁ ପିଲାଦିନୁ ଦେଖିଛନ୍ତି ; ତାଙ୍କ ଆଶୀର୍ବାଦରେ ଆମେ ଗଢ଼ା ହେଇଚୁ | ସେମାନେ ଆମକୁ ପରିଚାଳିତ କରୁଛନ୍ତି | ଏମାନଙ୍କ ବିନା ଓଡ଼ିଆ ବଂଚିବ କେମିତି ? ମୁଁ ସେମାନଙ୍କ କଥା କହୁନି ଯେଉଁମାନେ ଡରି ଘରେ ଲୁଚି ରହୁଛନ୍ତି |
*******
No comments:
Post a Comment