ଅଳ୍ପ ବୟସରେ ବିଶ୍ବର ଫୁଟବଲ ଖେଳ ବିଷୟରେ ତାର ବହୁତ ଜ୍ଞାନ ଥିଲା | ସ୍କୁଲର ବଡ଼ ପିଲା ମାନେ ତାକୁ ଏହି କାରଣରୁ ବହୁତ ସ୍ନେହ କରୁଥିଲେ | ଅତ୍ୟନ୍ତ ଲୋକପ୍ରିୟ ଛାତ୍ର ଥିଲା ସେ | ତାଠାରୁ ସାତବର୍ଷ ବଡ଼ ଭାଇକୁ ତାଙ୍କ ହାଉସିଂ କମ୍ପ୍ଲେକ୍ସରେ ବଡ଼ ବଡ଼ ପିଲା ମାନେ ସିଦ୍ଧାନ୍ତ ର ଭାଇ ଭାବରେ ଜାଣିଥିଲେ , ଯେମିତି ବଡ଼ ଭାଇର ଅନ୍ୟ କୌଣସି ପରିଚୟ ନଥିଲା |
ପାଠପଢ଼ାରେ କିନ୍ତୁ ମନ ଦେଉନଥିଲା | ତା ସାଙ୍ଗମାନେ ଚିନ୍ତିତ ହେଲେ | ଯଦି ସେ ଫେଲ ହେଇଯିବ ତାହେଲେ ସେ ଆଉ ତାଙ୍କ ସାଙ୍ଗରେ ପଢ଼ିପାରିବନି ନା ବେଶୀ ସମୟ ବିତେଇ ପାରିବ | ଯାହାହେଉ , ସାଙ୍ଗଙ୍କ ପ୍ରାର୍ଥନା କାମ ଦେଲା | ସେ ପରୀକ୍ଷାରେ ଭଲ କଲା |
କିନ୍ତୁ ସିଦ୍ଧାନ୍ତ ଆଉ ସେହି ସ୍କୁଲ ରେ ପଢି ପାରିଲାନି | ସେମାନେ ସହରର ଆଉ ଗୋଟିଏ ଅଂଚଳରେ ନୂଆଘର କଲେ ଏବଂ ସେଇ ଘର ପାଖ ସ୍କୁଲରେ ସିଦ୍ଧାଂତର ଆଡ଼ମିସନ ପାଇଁ ଯୋଜନା ହେଲା | ଦିନେ ବାପା ମାଙ୍କ ସାଙ୍ଗରେ ସେ ପ୍ରିନ୍ସିପାଲ ଓ କ୍ଳାସ ଶିକ୍ଷକଙ୍କୁ ସାକ୍ଷାତ କଲା | ତାଙ୍କ ପ୍ରଶ୍ନ ମାନଙ୍କର ସନ୍ତୋଷଜନକ ଉତ୍ତର ଦେଲା ; ଲିଖିତ ପରୀକ୍ଷରେ ମଧ୍ୟ ଭଲ କଲା | ତାକୁ ସ୍କୁଲରେ ଆଡ଼ମିସନ ମିଳିଗଲା |
କିନ୍ତୁ ମହାମାରି ଯୋଗୁଁ ସ୍କୁଲ ଖୋଲିଲା ନାହିଁ | ଇ କ୍ଳାସ ଆରମ୍ଭ ହେଲା | ସିଦ୍ଧାଂତର ପଢିବା ଆଗ୍ରହ ହଠାତ ବଢିଗଲା | ଠିକ ସମୟରେ ଲାପଟପ ଆଗରେ ଖାତା ବହି କଲମ ଧରି ସେ ବସିଯାଏ | ସକାଳୁ ଠିକ ସମୟରେ ଉଠିବା , ଠିକ ସମୟରେ ନିତ୍ୟକର୍ମ ସାରିବା ; ଠିକ ସମୟରେ ଜଳଖିଆ ଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା | ଇ କ୍ଳାସ ରେ ତା ଏକାଗ୍ରତା ତା ଶିକ୍ଷକଙ୍କୁ ମଧ୍ୟ ଆନନ୍ଦିତ କରିଥିଲା |
ତ୍ରୈମାସିକ ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ୮୦ ପରସେଣ୍ଟ ରୁ ଅଧିକ ନମ୍ବର ରଖିଲା | ତା ବାପା ମା ଖୁସି ହେଲେ ; ବେଶୀ ଆଶ୍ଚର୍ଯ୍ୟ ହେଲା ତା ବଡ଼ ଭାଇ |
ସିଦ୍ଧାନ୍ତ କୁ ସମସ୍ତେ ପଚାରିଲେ ସେ ପରୀକ୍ଷା ଫଳରେ ଖୁସି ତ ? ସେ ଗମ୍ଭୀର ହେଇ କହିଲା, "ବେଶୀ ଭଲ ହେଲାନି; ଆରଥରକୁ ବେଶୀ ନମ୍ବର ରଖିବ |"
********
No comments:
Post a Comment