Thursday 1 August 2019

ପିଲାଦିନ କଥା

ଶ୍ରାବଣ ପାହାନ୍ତିଆର ପତଳା ଅନ୍ଧାରରେ ତାରାଭଳି ଦିଶୁଥିବା ଗଙ୍ଗଶିଉଳି ଫୁଲ ଆମ ମାଟିମଣ୍ଡପ ସାହି ଘର ମୁଖ୍ୟ ଫାଟକ ପାଖ ଚଟାଣରେ ବିଛେଇ ହେଇଥାଏ | ଫୁଲଚାଙ୍ଗୁଡ଼ି ଧରି ପିଲାଦିନେ ଫୁଲ ଗୋଟେଇବା ମନେପଡେ | ଅଳ୍ପ ସମୟରେ ଚାଙ୍ଗୁଡ଼ି ଭର୍ତ୍ତି ହେଇଯାଏ; ଜେଜେମାଙ୍କ "ସେତିକି ଥାଉ" ଶୁଣି ମୁଁ ଘରକୁ ଦୌଡ଼ି ଯାଇ ତାଙ୍କୁ ଚାଙ୍ଗୁଡ଼ି ଧରେଇ ଦିଏ | ପିଲାଦିନେ ରାୟଗଡା ପାଖ  ଥେରୁବାଲିରେ ବାପା ଓ ମା ଙ୍କ ସହ ଗୋଟିଏ ଟ୍ରେନ ସେଲୁନରେ ରାତି ଅବିବାହିତ କରି ସକାଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସସ୍ତ୍ରୀକ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ରୁ ବାହାରିବା ଦେଖିଥିଲି | ଏହା ଏକ ଅଭୁଲା ଅନୁଭୂତି | ରାଷ୍ଟ୍ରପତି ସସ୍ତ୍ରୀକ ସେହି ଅଂଚଳରେ ଅବସ୍ଥାନ କରୁଥିବା ବିନୋବାଙ୍କୁ ସାକ୍ଷାତ ପାଇଁ ଯାଇଥିଲେ | କୋରାପୁଟରେ ରହିବାବେଳେ ବାପା ଭୁବନେଶ୍ୱର ଫୋନ କରନ୍ତି ; କଲେକ୍ଟର  କରିଥିବାରୁ ଅର୍ଡିନାରି କଲ ଶୀଘ୍ର ମିଳିଯାଏ : ଡେରିହେଲେ ବାପା ଅର୍ଜେଂଟ କଲ କରନ୍ତି ; ସେଥିରେ ଡେରି ହେଲେ ଇମିଡିଏଟ କଲ କରନ୍ତି |ନିତାନ୍ତ ଜରୁରୀ କାମ ଥିଲେ ଲାଇଟନିଂ କଲ କରନ୍ତି |ଏଇ ଶବ୍ଦରେ ମୁଁ ଡରିଯାଏ | ସାଂଗେସାଂଗେ କଲ ମିଳିଯାଏ | ପିଲାଦିନ ଏହିକଥା ମନେପଡେ | ପିଲାଦିନେ ବାପା କୋରାପୁଟ କଲେକ୍ଟର ଥିବାବେଳେ କଲେକ୍ଟର ବଙ୍ଗଳାରେ ସନ୍ଧ୍ୟା ପୂର୍ବରୁ ଜଣେ ପିଅନ ବଙ୍ଗଳାରେ ଆଲୁଅ ପାଇଁ ପ୍ରାୟ  ସାତଟି ପେଟ୍ରୋମାକ୍ସ ଲାଇଟ ଜଳେଇବା ପାଇଁ ଆୟୋଜନ କରୁଥିବା ମନେପଡେ | ଆମେ ଥିବାବେଳେ ବଙ୍ଗଳାକୁ ବିଜୁଳି ଆସିଥିବା ବି ମନେପଡେ |



ପିଲାଦିନେ ବାପା କହୁଥିଲେ ତାଙ୍କ ଛାତ୍ରଜୀବନର ସଂଘର୍ଷ  କଥା  --  କେମିତି ବିଗତ ଶତାବ୍ଦୀର ତୃତୀୟ ଦଶକରେ  ଆର୍ଥିକ ବାଧ୍ୟବାଧକତା କାରଣରୁ ନିଜ ଗାଁ ସିଂହାପୁରରୁ ସେ ଅନେକଥର ଯାଜପୁର ସ୍କୁଲ  ଯାଉଥିଲେ ପ୍ରାୟ ୨୫ କିଲୋମିଟର ପାଦରେ ଚାଲିଚାଲି |

ପିଲାଦିନେ କୋରାପୁଟରେ ଥିବା ବେଳେ ଜାମା କିଣିବାକୁ ଆମେ 'ସାମସନ' ଦୋକାନ ଯାଉଥିବା ମନେପଡେ; 'ସାମସଂଗ' ବଜାରକୁ ଆସି ନଥିଲେ |
ପିଲାଦିନେ ଗୁରୁଜନଙ୍କ ସାଙ୍ଗରେ ପୁରୀ ମାଟିମଣ୍ଡପ ସାହି ଘରୁ ଚାଲି ସମୁଦ୍ରକୂଳକୁ ଯିବା; ସମୁଦ୍ରକୁଳ ବାଲିରୁ ଶାମୁକା ଗୋଟେଇବା ଓ  ଘରକୁ ଫେରିବା ପରେ ଜାମା ଓ ପ୍ୟାଂଟର ସବୁ ପକେଟରୁ ବାଲିମିଶା ଶାମୁକା ବାହାରକରି ଜେଜେମାଙ୍କୁ ଦେଖେଇବା ଆନନ୍ଦ ମନେପଡେ | ଜୟପୁରରୁ ସିନେମା ଦେଖି ଆମେ କୋରାପୁଟ ଫେରୁଥାଉ ; ଜୟପୁର ଘାଟି ରାସ୍ତାରେ ଗୋଟିଏ ମହାବଳ ବାଘ ଦେଖିଲୁ | କାର ଚାଳକ ଆମକୁ ଆଉ ଗୋଟିଏ ମହାବଳ ବାଘ ଦେଖାଇଲା | ବାଁ ପଟ ବାଘ ରାସ୍ତା ଅତିକ୍ରମ କରି ଡାହାଣ ଆଡକୁ ଯାଇ ପ୍ରତୀକ୍ଷାରେ ଥିବା ବାଘ ପାଖକୁ ଗଲା ଏବଂ ଦିହେଁ ଜଙ୍ଗଲକୁ ଗଲେ. | ପିଲାଦିନର ସେହି ଅନୁଭୂତି ମନେପଡେ. | ପିଲାଦିନେ ରାଜ୍ୟର ଗୋଟିଏ "ନିଆଁଖୁଣ୍ଟା" ପ୍ରଭାବ ଆଜିର ସୋସାଲ ମିଡ଼ିଆ ଅପେକ୍ଷା ଅଧିକ ଥିଲା ; କାରଣ ସେତେବେଳେ କାନ ଶୁଣୁଥିଲା : ବିବେକ  ଚେଇଁ ଥିଲା |
ପିଲାଦିନେ ଅଜାଙ୍କୁ ଦଶହରା ଦିନ ଭଦଭଦଳିଆ ଚଢେଇ ଦେଖିବା ପାଇଁ ସକାଳୁ ତାଙ୍କ ତଳ ତେଲେଙ୍ଗା ବଜାର ହଜାରୀ ଲେନ ଘରୁ ରିକ୍ସାରେ  ବସି କାଠଯୋଡ଼ି କୁଳ ଯିବା ମନେପଡେ |
ପିଲାଦିନେ ମାଆଙ୍କ ଠାରୁ କେନାଲରେ କଟକରୁ ମାଛଗାଁ ମୋଟର ବୋଟରେ ଯିବା ଅନୁଭୂତି ଶୁଣିଥିବା ମନେପଡେ |

ପଡିଶା ଅଜାଙ୍କ ରୁପା ନାସଦାନୀ ପିଲାଦିନେ ମୋ ପାଇଁ ଏକ ଆକର୍ଷଣ ଥିଲା | ବହୁତ ନେହୁରା କରିବା ପରେ ସେ ହସି ଟିକିଏ ନାସ ଦେଉଥିଲେ | ତାକୁ ନାକରେ ପୁରେଇ ଦୁଇ ମିନିଟ ବାରମ୍ବାର ଛିଙ୍କିବା ଆନନ୍ଦ ଆଜି ଯାଏଁ ମନେ ପଡେ |

ପିଲାଦିନେ ପୁରୀ ସମୁଦ୍ରକୂଳରେ ବାଲି କଙ୍କଡା ପିଲାମାନଙ୍କ ସାଙ୍ଗରେ ଲୁଚକାଳି ଖେଳୁଥିଲେ | ଓଟ ଆସି ନଥିଲେ |

ପିଲାଦିନେ ଜେଜେମାଙ୍କ ଢଗ ଶୁଣିବାକୁ ଭଲ ଲାଗୁଥିଲା |

ପିଲାଦିନେ ଅନେକଙ୍କ ଘରେ କାକାତୁଆ ଚଢେଇ ଦେଖି ଆମେ ଖୁସି ହେଉଥିଲୁ |

ପିଲାଦିନେ କିଲ୍ଲାପଡିଆ ଘରେ ରହୁଥିବା ବେଳେ ରାତିରେ ମହାନଦୀ ପୋଲରେ ଟ୍ରେନ ଯାଉଥିବା ଶବ୍ଦ ଶୁଭୁଥିଲା |

ପିଲାଦିନେ ବଡ଼ ମାନଙ୍କ ମାନସାଙ୍କ ଉତ୍ତର ଦେବାକୁ ବଡ଼ ଆଗ୍ରହ ହେଉଥିଲା

ପିଲାଦିନେ ଘରେ ତିଆରି ଜଳଖିଆ ଭାରି ସୁଆଦ ଲାଗୁଥିଲା |

ପିଲାଦିନେ ରାତି ଆକାଶରେ ତାରାଙ୍କ ଭିଡ଼ ଥିଲା |

ପିଲାଦିନେ ଓଡ଼ିଆ ଖବରକାଗଜରେ ଅଳ୍ପ ଫଟ ଓ ବେଶୀ ଲେଖା ଥିଲା |

ପିଲାଦିନେ ରଥରେ ଠାକୁର ବଡ଼ ଦିଶୁଥିଲେ , ଏବେ ମଣିଷ ବଡ଼ ଦିଶୁଛନ୍ତି |

ପିଲାଦିନେ ବଡ଼ଦେଉଳ ବହୁତ ଦୂରରୁ ଦିଶୁଥିଲା |

ପିଲାଦିନେ ଆକାଶବାଣୀ କଟକ କେନ୍ଦ୍ର ଅତ୍ୟନ୍ତ ସ୍ପଷ୍ଟ ଶୁଭୁଥିଲା ; ଆଜିର ଘୋ'ଘା' ରେ କେଉଁଠି ଲୁଚି ଯାଇଥିବା ମନେହୁଏ |
********** 


No comments:

Post a Comment