Monday 19 August 2019

ଆମ ସାମାଜିକ କର୍ତ୍ତବ୍ୟ


ମୋର ଜଣେ ଅନୁଜସମ ଆତ୍ମୀୟ ବୟସରେ ମୋଠାରୁ ସାତବର୍ଷ ସାନ  | ଅନେକ ବର୍ଷ ପୂର୍ବେ ଗୋଟିଏ ମାଳଅଂଚଳର ଜିଲ୍ଲାପାଳ ଥିବାବେଳେ ଅନେକ ଦୁର୍ଗମ ଗାଁ କୁ ଚାଲିଚାଲି ଯାଇ ଲୋକଙ୍କ ଅବସ୍ଥା ବୁଝିବା ତାଙ୍କର ଗୋଟିଏ ଝୁଙ୍କ ଥିଲା | କେତେଥର ଘରକୁ ଫେରିବା ଡେରି ହେଲେ କାହା ଘରେ ବା ଜାଗା ନଥିଲେ  ଗୁହାଳରେ ରାତ୍ରିଯାପନ କରିଥିବା ସେ ମୋତେ କହୁଥିଲେ | ସେତେବେଳ କର୍ମସଂସ୍କୃତି ଭିନ୍ନ ଥିଲା ,  ଆତ୍ମ ପ୍ରଚାର ପ୍ରସାରରେ ଅନେକ ଗୁଣୀ , ପ୍ରତିଭା ସମ୍ପନ୍ନ , କର୍ତବ୍ୟନିଷ୍ଠ ଅଧିକାରୀ ସମୟ ନଷ୍ଟ କରୁନଥିଲେ | ମୋ ଆତ୍ମୀୟ  ଥିଲେ ସେହିଭଳି ଜଣେ ବ୍ୟକ୍ତିତ୍ୱ | ଅବସର ନେବାର କେତେ  ବର୍ଷ ହେଲାଣି | ପ୍ରାୟ  ଦୁଇ ବର୍ଷ  ହେବ, ଆଂଠୁ ପୀଡାର ଶିକାର ହେଇ ବହୁ କଷ୍ଟ ପାଉଛନ୍ତି : କିନ୍ତୁ କର୍ମଚଞ୍ଚଳ ଅଛନ୍ତି | ଦୁଇଦିନ ତଳେ ତାଙ୍କ  ଭଲମନ୍ଦ ବୁଝୁଥିଲି | କେତେଦିନ ହେବ ସେ ନିଜେ ତାଙ୍କ ଭୁବନେଶ୍ୱର ଘର ବଗିଚାରେ ନାନା ଜାତିର ଗଛ ଚାରା କରି ନିଜ ଗାଁରେ ବାଂଟୁଛନ୍ତି | ଚାରା ପ୍ରାୟ ସରିଗଲାଣି | କେବଳ କିଛି ଆମ୍ବ ଚାରା ବଳିଛି |  ଶୁଣି ଖୁସି ହେଲି |
ଭାବିଲି , ବୟସରେ ତାଙ୍କଠୁ ଅନେକ ସାନ ; ଅଥଚ ପାଠୁଆ ଲୋକେ ସହରରେ ରହି ସାମାଜିକ କର୍ତ୍ତବ୍ୟ  ବାବଦରେ  କଣ କରୁଛନ୍ତି ? ଅନେକ ସମୟରେ ଅପ୍ରାସଙ୍ଗିକ ବିଷୟରେ ଚର୍ଚ୍ଚା , ବାଦ ବିସମ୍ବାଦ ଓ  ବିବାଦ ରେ ଛଂଦି ରହୁଛନ୍ତି ଅନେକ ବ୍ୟକ୍ତି | ଅନେକ ସରକାର ଉପରେ ସବୁକିଛି ଛାଡିଛନ୍ତି ଏବଂ ନିଜେ ସାମାଜିକ ଦାୟିତ୍ତ୍ଵରୁ ଦୁରେଇ ରଖୁଛନ୍ତି | ଆମ ଦେଶରେ ଏପରି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ବହୁ ବାଧାବିଘ୍ନ ଦ୍ୱାରା ସତ୍ତ୍ୱେ ସମାଜ ପାଇଁ ଅନେକ କିଛି କରି ଯାଇଛନ୍ତି ଏବଂ ବିକାଶଧାରାକୁ ସମୃଦ୍ଧ କରିଛନ୍ତି ; ଅବହେଳିତଙ୍କ ଉନ୍ନତି କରିଛନ୍ତି | ଆମେ ସମସ୍ତେ ଅଳ୍ପ ବହୁତ କରି ପାରିବା ଆମ ସମାଜପାଇଁ | ଆଶା କରେ ଆମେ ନିଜ ସାମାଜିକ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା  |

********
19th August, 2019

No comments:

Post a Comment