Thursday 17 October 2019

ଆମେ ଦେଖୁଛେ କି ନାହିଁ


ଆମେ ଦେଖୁଛେ କି ନାହିଁ ; କିନ୍ତୁ ଦିନ ମଜୁରିଆ ଟିଏ ଦେହ ଦରଜ , ମୁଣ୍ଡ ବିନ୍ଧା ବା ଭୋକ ନହେବା ଇତ୍ୟାଦି ବେମାରୀ ପାଇଁ ପାଖ ଔଷଧ ଦୋକାନୀ କୁ ଯାଇ ଲକ୍ଷଣ କୁହେ ଆଉ ଦୋକାନ ଆଗରେ ଥିବା ବେଞ୍ଚ ରେ ବସି ବା ଶୋଇ ଗୋଟିଏ ଭଲ ଇଂଜେକସନ ନେବା ପାଇଁ ନେହୁରା ହୁଏ | କି ଇଂଜେକସନ ନିଏ ; ତା ଫଳ କଣ ହୁଏ ସେ ହିସାବ କିଏ କରନ୍ତି ନାହିଁ |

ଅଧିକାଂଶ ମଫସଲ ସରକାରୀ ଡାକ୍ତରଖାନା ରେ ଡାକ୍ତର ବାବୁ ନଥାନ୍ତି ; ଲୋକେ ଫାର୍ମାସିଷ୍ଟ ବାବୁଙ୍କୁ ଡାକ୍ତର ବାବୁ ସମ୍ବୋଧନ କରନ୍ତି ଏବଂ ସେ ରୋଗୀଙ୍କ ଦେଖାଶୁଣା କରନ୍ତି | ଏଇୟା ହେଉଛି ବାସ୍ତବିକତା | ପ୍ରଚାର ହେଉଛି ଅମୁକ ସ୍ୱାସ୍ଥ୍ୟ ଯୋଜନା ; ସମୁକ ସ୍ୱାସ୍ଥ୍ୟ ବୀମା ; ହଁ , ଅନେକେ ଉପକାର ପାଇଛନ୍ତି |

ଅନେକ ନର୍ସିଙ୍ଗହୋମ ସେହି ଯୋଜନାମାନ କାର୍ଯ୍ୟକାରୀ କରି ଅନେକ ଆବଶ୍ୟକ ଅପରେସନ କରିଛନ୍ତି ; ଅନେକ ଗରିବ ପରିବାର ଉପକୃତ ହେଇଛନ୍ତି | କିନ୍ତୁ ଯାହା ଜଣାପଡୁଛି ଏବେ ସରକାର ସେଇ ସଂସ୍ଥା ମାନଙ୍କୁ କୋଟି କୋଟି ଟଙ୍କା ଦେଇ ନାହାନ୍ତି | ସେମାନେ ଆଉ ସେ ଯୋଜନା କାର୍ଯ୍ୟକାରୀ କରିବେ ନାହିଁ ବୋଲି କହି ସାରିଲେଣି |

ଆମେ ଘୋଷଣା କରିବାରେ ଏତେ ବ୍ୟସ୍ତ ଯେ କେଉଁ ଯୋଜନା କେମିତି କାମ କରୁଛି ତାକୁ ଦେଖିବାକୁ ଆଗ୍ରହ ବା ସାମର୍ଥ୍ୟ ନାହିଁ | ଏଇ ପ୍ରହେଳିକାମୟ ବ୍ୟବସ୍ଥା ଭିତରେ ସାଧାରଣ ମଣିଷ ଟି ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଉଛି |
(17th October, 2019)

*******

No comments:

Post a Comment