Sunday 30 August 2020

ଅଗଷ୍ଟ ୨୦୨୦ ର ଦ୍ଵିତୀୟ ପକ୍ଷ ର କେତୋଟି ପ୍ରାସଙ୍ଗିକ ଟିପ୍ପଣୀ


ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ଯ ଅର୍ପଣ କରିବା ସମୟରେ ଆମେ ଧଳା ମନ୍ଦାର ଫୁଲ ଅର୍ପଣ କରିବାକୁ ଭଲପାଉ। ଆମ ବଗିଚାର ଗୋଟିଏ କୋଣରେ ଗଛଟିଏ ଅଛି ଏବଂ  ଗଛରେ ଏବେ ପ୍ରତିଦିନ ଦୁଇଟି ଫୁଲ ଫୁଟୁଛି । ଆଜି (ଅଗଷ୍ଟ ମାସ ପନ୍ଦର ତାରିଖ )  ବୋଧହୁଏ ବର୍ଷା ରେ ଖୁସି ହେଇ ଗଛଟି ତିନୋଟି ଫୁଲ ଦେଇଥିବା ଦେଖି ମୁଁ ଭାବିଲି ତୃତୀୟ ଫୁଲ ଟି ଗଛ ତରଫରୁ ସୂର୍ଯ୍ୟ ଙ୍କୁ ଅର୍ପଣ କରିବା ବୋଧହୁଏ ଉଚିତ ହେବ।
*****

ସରକାର ରାଜକୋଷରୁ ଅର୍ଥ ବ୍ୟୟକରି ପେଷାଦାର ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କାଳ୍ପନିକ ନକ୍ସା/ଚିତ୍ର ମାଧ୍ୟମରେ ବରମୁଣ୍ଡା ବସ୍ ଟର୍ମିନାଲ, ଶ୍ରୀ କ୍ଷେତ୍ର,  ସ୍ୱର୍ଗଦ୍ୱାର,  ଏକାମ୍ର କ୍ଷେତ୍ର ଇତ୍ୟାଦି ପ୍ରକଳ୍ପ ମାନଙ୍କର ସମ୍ଭାଵ୍ୟ ରୂପ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରୟାସ କେତେଦୂର ଆବଶ୍ୟକ ତାହା ବିଚାର୍ଯ୍ୟ | ମୋର କିନ୍ତୁ ମନେହୁଏ ଏହା ଅନାବଶ୍ୟକ ଏବଂ ସରକାରୀ ଅର୍ଥର ଅପବ୍ୟୟ | ବରଂ ପ୍ରକଳ୍ପମାନ ଶୀଘ୍ର ଆରମ୍ଭ ହୋଇ ଶୀଘ୍ର ସମ୍ପୂର୍ଣ୍ଣ ହେଲେ ସରକାରଙ୍କ ସାମର୍ଥ୍ୟ ପ୍ରଦର୍ଶିତ ହେବା ସଂଗେ ସଂଗେ ଜନମଙ୍ଗଳ ହୋଇପାରନ୍ତା | ଆଶ୍ଚର୍ଯ୍ୟ ବିଷୟ ଯେ ଆମ ଲୋକପ୍ରିୟ ନବୀନ ସରକାର ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ରହି ମଧ୍ୟ ଆମ ଗାଁ ସ୍କୁଲ ମାନଙ୍କର  ଗୁଣାତ୍ମକ ବିକାଶ କରି ପାରିଲେନି | ଅବଶ୍ୟ ଅନେକ ସ୍କୁଲ ଚଟାଣ ରେ ଟାଇଲ ଲାଗୁଚି; ଯେଉଁଠି ହୁଏତ ଛାତ ରେ ଫଲସ ସିଲିଂ ଲାଗୁଚି | କିନ୍ତୁ ଗାଁ ବିଦ୍ୟାଳୟ ର  ଏକ ଅନନ୍ୟ ପରିଚୟ ସୃଷ୍ଟି ହେଉନି | ଯଦି ହୋଇପାରନ୍ତା, ତେବେ ଏହା ନବୀନ ସମର୍ଥକମାନଙ୍କୁ ଆନନ୍ଦିତ କରନ୍ତା | ବିଦ୍ୟାଳୟର ସମସ୍ତ ଆବଶ୍ୟକତା ପାଇଁ ଉପଯୁକ୍ତ ବ୍ୟବସ୍ଥା ଥିବା ଏକ ସୁରୁଚି ସମ୍ପନ୍ନ; ଉନ୍ନତ ମାନ ର  ସୌଧ ର ନକ୍ସା ର ଆବଶ୍ୟକତା ରହିଛି ; ନକ୍ସା ପ୍ରସ୍ତୁତ ହେବା ପରେ ଶୀଘ୍ର ଏହିଭଳି ସ୍କୁଲ ଗୃହ ନିର୍ମାଣ ହେଉ, ପ୍ରତ୍ୟେକ ଗାଁ ର ପରିଚୟ ଗାଁ ସ୍କୁଲ ରୁ ହେଉ | ଏହି ସ୍କୁଲ ରେ କମ୍ପ୍ୟୁଟର ବ୍ୟବସ୍ଥା ହେଉ ; ସୌରଶକ୍ତି ବ୍ୟବହାର ହେଉ ; ଭିଡିଓ ମାଧ୍ୟମରେ ଶିକ୍ଷା ପ୍ରଦାନ ସୁବିଧା ରହୁ | ଆବଶ୍ୟକତା ଅନୁଯାୟୀ  ଶିକ୍ଷକ ନିୟୋଜିତ ହୁଅନ୍ତୁ  |  ଏହା ଶିକ୍ଷା ପ୍ରସାରରେ ସହାୟକ ହେବ |
ବହୁ ବିଳମ୍ବ ହେଲାଣି ; ଆଉ ଅଧିକ  ବିଳମ୍ବ ନହେଉ |
******

କାଲି (ଅଗଷ୍ଟ ୨୨ ତାରିଖ) ଶନିବାର, କାଲି ମଧ୍ୟ ଗଣେଶ_ଚତୁର୍ଥୀ | ଓଡ଼ିଶାର ଅସଂଖ୍ୟ ଛାତ୍ରଛାତ୍ରୀ  ଖାତା,ବହି ; କଲମ, ପେନସିଲ, ଘର ଗଣେଶ ମୂର୍ତ୍ତି ପାଖରେ ରଖି ପୂଜା କରିବେ ; ଭୋଗ, ପୁଷ୍ପାଞ୍ଜଳି ଦେବେ | ଏଇ ପ୍ରଥା ଆମ ସଂସ୍କୃତି ର ଏକ ଅଙ୍ଗ | କିନ୍ତୁ ସରକାର ଫୁଲମାଳ ଟିଏ କିଣିବା ପାଇଁ ସୁଯୋଗ ଦେବେନି; କାରଣ କାଲି ସଟଡାଉନ  ନ ହେଲେ ଲକଡାଉନ | ଏମିତି ଅବିମନୁଷ୍ୟତା କାହିଁକି ?
******

ପ୍ରତିବାଦ ଗଣତନ୍ତ୍ର କୁ ପରିପୃଷ୍ଟ କରିଥାଏ ; ଶୋଧନ ପାଇଁ ମାର୍ଗଦର୍ଶକ ହୋଇଥାଏ | ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବ୍ୟକ୍ତି ପ୍ରତିବାଦ କୁ ସମ୍ମାନ ପ୍ରଦର୍ଶନ କରେ; ଭୃକୁଞ୍ଚନ କରେନାହି ବା ପ୍ରତିଶୋଧ ପରାୟଣ ହୁଏ ନାହିଁ | (ଅଗଷ୍ଟ ୨୪, ୨୦୨୦)
******

"ଚାଷୀ ବିଲରୁ  ଭେଣ୍ଡି ଦୁଇଦିନ ନ ତୋଳିଲେ ଭେଣ୍ଡି ତକ ବୁଢା ହେଇଯିବ । ଲୋକସେବକ ମାନେ ଲୋକ ସେବା ଭବନରୁ ଏହା ବୁଝି ପାରୁ ନାହାନ୍ତି । ଶନିରବି ଅଲବତ ବଂଦ ହେବ । ଶୁକ୍ରବାର ସଂଧ୍ୟାରେ ଭିଡ ହେଉ . ଠେଲାଠେଲି ହଉ, ପରବାୟ ନାହିଁ ।" ମୁଁ ଦୁଇ ଗଜ ଦୂରରୁ ମୁହଁରେ ମୁଖା ଲଗେଇ  ଦୋକାନୀ କଥା ଶୁଣୁଥିଲି। (ଅଗଷ୍ଟ ୨୪, ୨୦୨୦)
******

ଉତ୍କର୍ଷ ଏକ ସାମର୍ଥ୍ୟ, ଏହା ବ୍ୟକ୍ତିଗତ ସ୍ତରରେ ହେବା ସ୍ୱଭାବିକ, କିନ୍ତୁ ସାମୁହିକ ସ୍ତରରେ ଉତ୍କର୍ଷ ସମାଜ ଏବଂ ଜାତିକୁ ଉନ୍ନତ କରେ ଏବଂ ସରକାର ଙ୍କ ସାମର୍ଥ୍ୟ ପ୍ରତିପାଦନ କରିଥାଏ । ସରକାର କିନ୍ତୁ ବ୍ୟକ୍ତିଗତ ସ୍ତରରେ ଉତ୍କର୍ଷ କୁ ପୁରସ୍କୃତ କରି ନିଜର କର୍ତ୍ତବ୍ୟ ସଂପାଦନ କରିବା ମନୋବୃତ୍ତି ପ୍ରଦର୍ଶନ କରିଥାନ୍ତି । (ଅଗଷ୍ଟ ୨୫,୨୦୨୦)
*****

ଆମ ରାଜ୍ୟରେ ଆଉ କିଛି ହେଉ ନ ହେଉ , "ବୋଲେ ହୁଁ ଟି " ମାନସିକତା ବୈଶାଖ ର ବନାଗ୍ନି ଭଳି ହୁ ହୁ ହେଇ ମାଡି ଯାଇଛି । ଏହାର ବିଷମ ପରିଣତି ସଂପର୍କରେ ଆମ ଯୁବାପିଢି ସଚେତନ ହେବା ନିତାନ୍ତ ଆବଶ୍ୟକ ମନେହୁଏ । (ଅଗଷ୍ଟ ୨୬,୨୦୨୦)
*****

ଆମେ ରାଜ୍ୟର ଅନୁକୂଳ ପରିବେଶର ସୁଯୋଗ ନେଇ ବ୍ୟାପକ ସ୍ତରରେ ଚାହା, କଫି, ଗୋଲମରିଚ, ଡାଲଚିନ, ଅଳେଇଚ ଚାଷ କରିବା ନା ନିଜ ସାମର୍ଥ୍ୟକୁ ଗଂଜେଇ ଚାଷ ଓ ତାହାର ଚୋରା ଚାଲାଣରେ ସୀମିତ ରଖିବା ? ଆମେ ରାଜ୍ୟର ଅନୁକୂଳ ପରିବେଶର ସୁଯୋଗ ନେଇ ଗୋପାଳନ କରି ନିଜ ସନ୍ତାନଙ୍କୁ ଯଥେଷ୍ଟ କ୍ଷୀର ଦେବା ନା ମଦ୍ୟପାନରେ  ନିଜର  ସମ୍ବଳକୁ ନଷ୍ଟ  କରିବା? (ଅଗଷ୍ଟ ୨୭,୨୦୨୦)
******

ଜେଇଇ ଏବଂ ଏନ୍ଇଇଟି ରେ ଭାଗ ନେଉଥିବା ଓଡିଶା ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଭକାମନା ଜଣାଉଛି । ଈଶ୍ବର ସେମାନଙ୍କ ମଙ୍ଗଳ କରନ୍ତୁ , ତାଙ୍କର ପ୍ରତିଭା ସର୍ବଭାରତୀୟ ସ୍ତରରେ ପ୍ରଦର୍ଶିତ ହେଉ। ଆମ ବିଦ୍ୟାର୍ଥୀ ସମାଜ ପରୀକ୍ଷା ପ୍ରତି ଉଦାସୀନ ନ ହୁଅନ୍ତୁ। ସଂଘର୍ଷମୟ ଜୀବନରେ ପରୀକ୍ଷା ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏକ ସୁଯୋଗ । (ଅଗଷ୍ଟ ୨୯,୨୦୨୦)
*****

No comments:

Post a Comment