Tuesday 22 December 2020

୨୦୨୦ ମସିହା ଡିସେମ୍ବର ମାସର କେତୋଟି କ୍ଷୁଦ୍ର ଟିପ୍ପଣୀ

1. ଆଜି କୁଣ୍ଢେଇବେଣ୍ଟ ସାହି ଲୋକ ଯିବେ; କାଲି ବାସେଳୀ ସାହି ଲୋକେ -- ଏମିତି ପାଳି କରି ଜମିରେ ପାଣି ମଡ଼ା ଯାଏ, ଦିଅଁ ଦର୍ଶନ ହୁଏନି | ଆମ ଲୋକେ ମୁହଁରେ ପଟି ଲଗେଇ ଚୁପ ରହିଲେ ଦିନକୁଦିନ ଅବ୍ୟବସ୍ଥା ବଢିବ , ହାକିମିରାଜ ବଢିବ | ଆମ ସଂସ୍କୃତି ର ଗାରିମା ଓ ସୌନ୍ଦର୍ଯ୍ୟ ରହୁ | 2. ଯେଉଁ ଅଂଚଳରେ ଅସାମର୍ଥ୍ୟର ପୁଜାରିଙ୍କ ସଂଖ୍ୟା ଯେତେ ବେଶୀ, ସେହି ଅଂଚଳ ସେତେ ଅନୁନ୍ନତ ହୋଇଥାଏ | 3. ଓଡିଶା ସରକାର କେବଳ MSP କୁ ବୃଦ୍ଧି କରିବା ଆବଶ୍ୟକ କହିଲେ ରାଜ୍ୟ ଚାଷ ବା ଚାଷୀ ଲାଭବାନ ହେବନି, ରାଜ୍ୟସରକାରଙ୍କୁ MSP ରେ କିଣି ଚାଷୀଙ୍କୁ ରକ୍ଷା କରିବା ଆବଶ୍ୟକ । ମାଂଡିଆ, ଅଳସୀ, ମୁଗ, ବୁଟ, ମକା ,ବିରି ଇତ୍ୟାଦି ଫସଲ ସରକାର କିଣିଲେ କୃଷକ ମାନଙ୍କୁ ସାହାଯ୍ୟ କରିବା ସମ୍ଭବ। ଏ ଦିଗରେ ସକ୍ରିୟତା ପ୍ରଦର୍ଶନ ନ ହେବା ଚିନ୍ତା ଜନକ । 4. ଅଶୀ ବର୍ଷ ବୟସ୍କ ମୋ ଇଞ୍ଜିନିଅର ବନ୍ଧୁ କାଲି ଅସହାୟ ସ୍ୱରରେ ମୋତେ ପଚାରିଲେ "କୋଭିଡ ପ୍ରତିରୋଧକ ଟିକା କେବେ ଆସିବ " | ତାଙ୍କୁ ଅଯଥା ଭୟ ଓ ନୈରାଶ୍ୟ ମାନସିକାତାରୁ ମୁକ୍ତ କରିବା ପାଇଁ ଟିକା ଶୀଘ୍ର ଆସୁଥିବା ଆଶ୍ବାସନା ଦେଇ ମୋ ବ୍ୟକ୍ତିଗତ ନିଷ୍ପତ୍ତି ଟିକା ନନେବା ସମ୍ପର୍କରେ କହିଲି | ମୋ ଯୁକ୍ତି ହେଲା ସମାଜରେ ମୋ ଅପେକ୍ଷା ଉପଯୋଗୀ ଏବଂ ଯୋଗ୍ୟ ବ୍ୟକ୍ତି ଟିକା ନିଅନ୍ତୁ; ମୁଁ ମୁଖା ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ବାକି ଜୀବନ ବିତେଇବି | ସେ ଆଶ୍ୱସ୍ତ ହୋଇ ମୋ ମାର୍ଗ ଅବଲମ୍ବନ କରିବେ ବୋଲି କହିଲେ | 5. ଦେବ ଦୀପାବଳୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ମନ୍ଦିର ସମ୍ମୁଖରେ ସହସ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛି | ଆସ୍ଥାର ନିଳୟ ର ପରିବେଶ ନିର୍ମଳ , ଉଜ୍ଜ୍ୱଳ , ସମ୍ମାନୀୟ ଏବଂ ଐଶ୍ବର୍ଯ୍ୟମୟ ହେବା ଆବଶ୍ୟକ | ଏହି ମାନସିକତା ସୁଦୂରପ୍ରସାରୀ ହେଉ | ଆମ ନଦୀଘାଟ ଏବଂ ଜଳାଶୟ ଉପକଣ୍ଠ ପୂତମୟ ହେଉ, ନିର୍ମଳ ହେଉ; ଜଳସ୍ରୋତ ଶୁଦ୍ଧତାର ବାର୍ତ୍ତା ବହନ କରୁ; ନଦୀକୂଳରେ ଏବଂ ବୃହତ ଜଳାଶୟ ମାନଙ୍କର ଘାଟରେ ସନ୍ଧ୍ୟାରେ ପ୍ରଦୀପ ବନ୍ଦନା ହେଉ | ଚିଲିକା ତୀରରେ କାଳିଜାଇ ମନ୍ଦିରର ଘାଟରେ , କଟକ ଗଡ଼ଗଡ଼ିଆ ଘାଟ ଓ ଦୟାନଦୀ କୂଳରେ ଏହି ପ୍ରୟାସର ଅୟମାରମ୍ଭ ହେଉ | 6. ତିରିଶବର୍ଷ ପୂର୍ବେ ଧନୁମୁଆଁ ବହୁତ ଟାଣ ଥିଲା | ଖାଇବାରେ କସରତ କରିବାକୁ ସିନା ହେଉଥିଲା ,ସୁଆଦ କିନ୍ତୁ ଅପୂର୍ବ ଥିଲା | ତିରିଶ ବର୍ଷ ପୂର୍ବେ ମାର୍ଗଶିର ଗୁରୁବାର ପାହାନ୍ତିଆ ଅନ୍ଧାରରେ ତୁଳସୀ ଚଉରା ତଳେ ଚିତା ଦେବାବେଳେ ପ୍ରଚଣ୍ଡ ଶୀତ ହେଉଥିବା ଆଜି ମୋ ଝିଅ ମନେପକାଉଥିଲା | ଏବେ ସବୁ ଓଲଟପାଲଟ ହେଇ ଯାଇଛି | ମୁଆଁ ନରମ,ସକାଳ ଗରମ | 7. " ଘର କୋଣାର୍କ ପାଖରେ ; ପିଲାଦିନୁ ଭୁବନେଶ୍ୱର ଆସି ଦଶବର୍ଷ ବୁଲିଲି; ତା'ପରେ ଏଇଠି (ଭୁବନେଶ୍ୱର ଛ ନମ୍ବର ୟୁନିଟ }ବରା ଦୋକାନ 44 ବର୍ଷ ହେଲା କଲି |" ବରା ଛାଣୁ ଛାଣୁ ରବି ସାହୁ ମୋତେ କହୁଥିଲେ | ମୁଁ କହିଲି, "ତୁମେ ପରା ଫୁଟିଲା ତେଲରେ ହାତ ପୁରାଇ ବରା ଓଲଟେଇ ଦିଅ?" ସେ ହସି ନିଜ ହାତରେ ଛଣା ହେଉଥିବା ବରାକୁ ଏପଟସେପଟ କରିଦେଲେ | 8. ଓଡ଼ିଶାରେ ବର୍ତ୍ତମାନ ଧନୀବର୍ଗର ଅନେକ ବ୍ୟକ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ଫାର୍ମହାଉସ ସ୍ଥାପନ କରିଛନ୍ତି | କିନ୍ତୁ ମୁଖ୍ୟତଃ ଏଗୁଡିକ ଆମୋଦ ଉଦ୍ୟାନ ଭାବରେ ବ୍ୟବହୃତ ହେଉଛି | ଭଲ ହୁଅନ୍ତା ଯଦି ଏହି ସ୍ଥାନଗୁଡିକ ଆଦର୍ଶ କୃଷିକ୍ଷେତ୍ର ଭାବରେ ବିକଶିତ ହୋଇ ସ୍ଥାନୀୟ କୃଷି ବ୍ୟବସ୍ଥାକୁ ଅଧିକ ଅର୍ଥକାରୀ କରିବାରେ ସହାୟକ ହୁଅନ୍ତା | 9. ଚାରିଦିନ ପରେ ଗାଁରୁ ଫେରିବ କହି ଘରକାମ କରୁଥିବା ଯୁବକ ନିଜ ଲୁଗାପଟା ନେଇ ଗଲାବେଳେ ଆମେ ଭାବିଲୁ ସେ ଆଉ ଫେରିବନି ଏବଂପୁଣିଥରେ ଖୋଜା ହବ ଆଉ ଜଣେ ବିଶ୍ୱସ୍ତ ଯୁବକ | କିନ୍ତୁ ସେ ଫେରିଲା , ବରଂ ଆମପାଇଁ ଗାଁରୁ ଫୁଲକୋବି ଆଣିଥିଲା | ଖାଲି ଫୁଲତୋଡ଼ା ଆମ ପାଖରେ ନଥିଲା ; ନହେଲେ ତା ପାଇଁ ଆମ ସ୍ୱାଗତ ସମ୍ବର୍ଦ୍ଧନାରେ କୌଣସି ଊଣା ନଥିଲା | 10. ଦୋକାନରେ ଆଜି ମାଲିକ ନଥିଲେ ; ତାଙ୍କ ରାଗି ପ୍ରକୃତିର ସାନପୁଅ ଥିଲା | ମାଲିକ ସାଙ୍ଗରେ କେତେଦିନହେଲା ଗୋଟିଏ କଅଁଳିଆ ବିରାଡ଼ିଛୁଆ ଖେଳୁଥିବା ଦେଖୁଥିଲି |ମାଲିକ ବିକ୍ରିପାଇଁ ରଖିଥିବା କ୍ଷୀର ପ୍ୟାକେଟରୁ ଗୋଟିଏ ପ୍ୟାକେଟ ତା ପାଇଁ ରଖୁଥିଲେ | ଆଜି ବିରାଡ଼ିଛୁଆକୁ ଦେଖିଲିନି | ପଶୁମାନେ ମଧ୍ୟ ଜାଣନ୍ତି କିଏ ତାଙ୍କୁ ଭଲପାଏ; କିଏ ପାଏନି | 11. ଗତ ଦୀପାବଳି ରାତ୍ରିରେ ଅଯୋଧ୍ୟା ରେ ସରଜୁ ନଦୀ ଘାଟ ପ୍ରଦୀପରେ ସୁସଜ୍ଜିତ ହୋଇଥିବା ଏବଂ ଦେବଦୀପାବଳି ରାତ୍ରିରେ କାଶୀ ର ଘାଟ ଗୁଡିକ ପ୍ରଦୀପରେ ସୁସଜ୍ଜିତ ହୋଇଥିବା ଦୃଶ୍ୟ ଏକ ନୂତନ ଭାରତର ଅଭ୍ୟୁଦୟ କରୁଥିବା ଉଲ୍ଲେଖ କରିଥିଲି | କେତେକ ବନ୍ଧୁ ଏହା ପସନ୍ଦ ନକରି ନିଜ ପ୍ରତିକ୍ରୟା ବ୍ୟକ୍ତ କରିଥିଲେ |ଗତକାଲି ସୁସଜ୍ଜିତ ଏକାମ୍ରନଗର ମୁଖ୍ୟମନ୍ତ୍ରୀ ପରିଦର୍ଶନ କରୁଥିବା ଭିଡିଓ ରେ ମହାଦେବଙ୍କ ସ୍ତୁତି ସଂଗୀତ ଧ୍ୱନି ମୋତେ ଆନନ୍ଦିତ କରିଥିଲା ଏବଂ ଏହି ଦୃଶ୍ୟ ମଧ୍ୟ ନୂତନ ଭାରତର ସଂକେତ ହୋଇଥିବା ମୁଁ ଉଲ୍ଲେଖ କରିଥିଲି | ନାପସନ୍ଦ ପ୍ରତିକ୍ରିୟା ସେହି ବନ୍ଧୁ ମାନଙ୍କଠାରୁ ଆଶା କରିଥିଲି | କିନ୍ତୁ ଏପର୍ଯ୍ୟନ୍ତ କିଛି ପାଇନାହିଁ |

No comments:

Post a Comment