Tuesday 29 December 2020

ନିର୍ଦ୍ଦେଶ ଦେବାପରେ ଦାୟିତ୍ୱ ମୁକ୍ତ ହେବା ମାନସିକତା

ଆଜି ପମ୍ପଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ଅସାବଧାନତା ବଶତଃ ଡିଜେଲ କାରରେ ପେଟ୍ରୋଲ ଭର୍ତ୍ତି କରିବା ପରେ କାର ମାଲିକ ( ମୋର ଆତ୍ମୀୟ ) ସ୍ୱାଭାବିକ ଭାବରେ କାର୍ଡ ଦ୍ୱାରା ଅର୍ଥ ପୈଠ କରି ରସିଦ ନେଇ ଗାଡି ଚଳେଇ କିଛିବାଟ ଯିବା ପରେ ଗାଡି ଚାଲିବା ବନ୍ଦ ହେଲା | ଅଗତ୍ୟା ମାଲିକ ମେକାନିକ ଡକେଇଲେ ଏବଂ ସମସ୍ୟା ର କାରଣ ଜଣା ପଡିଲା | କାରକୁ ଟଣାଯାଇ ଗ୍ୟାରେଜ ନିଆଯାଇ ପେଟ୍ରୋଲ କଢ଼ାଯିବ ; ଡିଜେଲ ଭର୍ତ୍ତି ହେବା ପରେ କାର କାର୍ଯ୍ୟକ୍ଷମ ହେବ | ବିନାଦୋଷରେ ମାଲିକ ଅନ୍ୟୁନ ସାତ ହଜାର ଟଙ୍କା ଖର୍ଚ୍ଚ କରିବେ | ମାଲିକ ଡିଜେଲ ରସିଦ ରୁ ପମ୍ପଷ୍ଟେସନ ର ଟେଲିଫୋନ ନମ୍ବର ପାଇ ଫୋନ ରେ ପମ୍ପ ମ୍ୟାନେଜରଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରିଲେ | ମ୍ୟାନେଜର ତତକ୍ଷଣାତ ସିସିଟିଭି କ୍ୟାମେରା ସାହାଯ୍ୟରେ ଜାଣି ପାରିଲେ ଯେ ପମ୍ପ ଅପରେଟରଙ୍କ ଅସାବଧାନତା ଯୋଗୁଁ କାର ରେ ପେଟ୍ରୋଲ ବଦଳରେ ଡିଜେଲ ଭର୍ତ୍ତି ହୋଇଛି | ମ୍ୟାନେଜର ସମସ୍ତ ଖର୍ଚ୍ଚ ବହନ କରିବାକୁ ସମ୍ମତି ଦେଲେ ଏବଂ କାର ରେ ଆବଶ୍ୟକ ଡିଜେଲ ଭର୍ତ୍ତି କରି କାରକୁ ମାଲିକଙ୍କୁ ଫେରାଇବା ପାଇଁ ବ୍ୟବସ୍ଥା କଲେ | ବାଙ୍ଗାଲୋର ମହାନଗରୀ ରେ ଆଜି ସକାଳର ଏହି ଘଟଣା ଏକ ସାମାନ୍ୟ ଦୁର୍ଘଟଣା ଭାବରେ ଗ୍ରହଣ କରା ଯାଇପାରେ ; କିନ୍ତୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଅନୁଭୂତି | ଏହାକୁ ଆମେ ଏକ ସତର୍କ ଘଣ୍ଟି ଭାବରେ ଗ୍ରହଣ କରିବା ଯଥାର୍ଥ ହେବ | ଦୈନଦିନ ଜୀବନରେ ଆମେ ଅନେକ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତିଙ୍କ ସହାୟତା ନେଉଥାଇ | ଯେପରି ପାଚକ/ପାଚିକା ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି | ଆମେ ତାଙ୍କୁ ନିର୍ଦେଶ ଦେଇ ଅନ୍ୟ କାମରେ ବ୍ୟସ୍ତ ରହୁ | ପାଚକର ମାନସିକ ସ୍ଥିତି ସମ୍ପର୍କରେ ଆମେ ଉଦାସୀନ ରହୁ | ସେ କୌଣସି କାରଣରୁ ବିଚଳିତ ଅଛି ବା ନାହିଁ ସେ ବିଷୟରେ ଆମ ଅଜ୍ଞ ରହୁ | ଚିନ୍ତିତ ଅବସ୍ଥାରେ ପାଚକ ହୁଏତ ଆମ ନିର୍ଦ୍ଦେଶ ତାମିଲ କରି ପାରି ନଥାଏ ; ହୁଏତ ଲୁଣ ବଦଳରେ ଚିନି ବ୍ୟବହାର କରି ଥାଇ ପାରେ | ଆମେ ନିର୍ଦ୍ଦେଶ ଦେବାପରେ ଦାୟିତ୍ୱ ମୁକ୍ତ ହେବା ମାନସିକତା ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ | ପାଚକ/ପାଚିକା କାମ କରୁଥିବା ସମୟରେ ମଝିରେ ମଝିରେ ତାଙ୍କ କାମ ତଦାରଖ କରିବା ଆବଶ୍ୟକ | ଏହା ଏକ ଉଦାହରଣ ମାତ୍ର | ପ୍ରତ୍ୟେକ କ୍ଷେତ୍ରରେ ଅନୁରୂପ ସତର୍କତାର ଆବଶ୍ୟକତା ରହିଛି | ********

Monday 28 December 2020

ଓଡ଼ିଶାରେ ମହିଳା ସଶସ୍ତ୍ରୀକରଣ

ମହିଳା ମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଓଡ଼ିଶାରେ ସୀମିତ ନୁହେଁ | ପ୍ରତ୍ୟେକ ରାଜ୍ୟରେ ଏହି ବ୍ୟବସ୍ଥା ରହିଛି | ଆମ ରାଜ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ୪.୪୫ ଲକ୍ଷ ଥିବାବେଳେ ପଶ୍ଚିମ ବଙ୍ଗରେ ପ୍ରାୟ ୮.୬୭ ଲକ୍ଷ ଗୋଷ୍ଠୀ କାର୍ଯ୍ୟରତ | ଦେଶସାରା ଏହି ଗୋଷ୍ଠୀମାନେ ପ୍ରାୟ ଏକ ପ୍ରକାର କାର୍ଯ୍ୟରେ ନିୟୋଜିତ | ମହିଳା ସଶସ୍ତ୍ରୀକରଣ କାର୍ଯ୍ୟକ୍ରମ କେବଳ ଓଡ଼ିଶାରେ ଅନନ୍ୟ କହିବା ବୋଧହୁଏ ପ୍ରଚାରଧର୍ମୀ ହେବ | ଆମ ରାଜ୍ୟ ସରକାରଙ୍କ ମହିଳା ଶକ୍ତି ଅଭ୍ୟୁଦୟ କାର୍ଯ୍ୟକ୍ରମର ବିଶେଷତ୍ୱ କଣ ? ଏଠି ମଦର ପ୍ରସାର ତୀବ୍ର, ଯାହା ମହିଳାଙ୍କ ସୁରକ୍ଷା ପରିପନ୍ଥୀ :ଅସଂଖ୍ୟ ପରିବାର ଆଜି ମଦ ପ୍ରସାର ଫଳରେ ବିପନ୍ନ | ମହିଳାଙ୍କ ଶିଶୁ ଆଜି ନିଖୋଜ ବା ଅତ୍ୟାଚାରିତ | ଶୌଚାଳୟ ବ୍ୟବସ୍ଥା ଶୋଚନୀୟ | ଏହିଭଳି ଚରମ ଅବ୍ୟବସ୍ଥା ପରିପ୍ରେକ୍ଷୀରେ ଓଡ଼ିଶାର ନାରୀ ସଶସ୍ତ୍ରୀକରଣ କିଭଳି ଆଜି ଦେଶପାଇଁ ଅନୁକରଣୀୟ ହୋଇଛି ତାହା ବିଚାର୍ଯ୍ୟ | ଆମେ ଏକ ସବଳ ପ୍ରଚାର ଧର୍ମୀ ରଣକୌଶଳ ଅବଲମ୍ବନ କରି ରାଜ୍ୟର ଦୁର୍ବଳ ଅସୁରକ୍ଷିତ ମହିଳା ସମ୍ପ୍ରଦାୟକୁ ଶକ୍ତିଶାଳୀ କରିବା ସମ୍ଭବ ନୁହେଁ | ଏକ ସାମାଜିକ ସହମତି ମାଧ୍ୟମରେ ରାଜ୍ୟର ନାରୀଙ୍କ ପ୍ରଗତି ସମ୍ଭବ | କେବଳ ଦଳଗତ ସ୍ଲୋଗାନ ମାଧ୍ୟମରେ ନୁହେଁ | ********

Friday 25 December 2020

ସୋସାଲ ମିଡ଼ିଆ ରେ ଅସତ୍ୟ ପରିବେଷଣ

ସୋସାଲ ମିଡ଼ିଆ ରେ ଅସତ୍ୟ ପରିବେଷଣ ହେଉଥିବା ଆମ ରାଜ୍ୟର ପ୍ରମୁଖ ରାଜନୈତିକ ଶକ୍ତି ବୋଧ କରୁଛନ୍ତି ଏବଂ ଏହାକୁ ପ୍ରତିହତ କରି ସତ୍ୟ ପରିପ୍ରକାଶ ପାଇଁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିବା ଖବରକାଗଜରେ ପ୍ରକାଶିତ ହୋଇଛି | ମନେହୁଏ ପ୍ରମୁଖ ରାଜନୈତିକ ଶକ୍ତି ପ୍ରିଣ୍ଟ ମିଡ଼ିଆ ବା ଇଲେକ୍ଟ୍ରୋନିକ ମିଡ଼ିଆ ମାନଙ୍କ ପ୍ରତି ସନ୍ତୁଷ୍ଟ ; କେବଳ ସୋସାଲ ମିଡିଆରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ହୃଦବୋଧ କରୁଛନ୍ତି | ରାଜ୍ୟ ସୋସାଲ ମେଡିଆରେ ଅସତ୍ୟର ପ୍ରସାର ପ୍ରସଙ୍ଗ ସମ୍ପର୍କରେ ଏକ ନିରପେକ୍ଷ ଅନୁଶୀଳନ ଆବଶ୍ୟକ ମନେହୁଏ | ଓଡିଶା ସୋସାଲ ମିଡିଆରେ ଆଜି ମୁଖ୍ୟତଃ କେଉଁ ପ୍ରସଙ୍ଗମାନ ଆଲୋଚିତ ହେଉଛି? କେତେଜଣ ଭଲ ଖାଦ୍ୟ ଫଟୋ ଦେଉଛନ୍ତି ; କେତେଜଣ ରସଗୋଲା , ପଖାଳ , ଦହିବରା ଆଳୁଦମ ର ପ୍ରଶସ୍ତି ଗାନ କରୁଛନ୍ତି ; କେତେଜଣ ନିଜ ବନ୍ଧୁଙ୍କ ସହିତ ରୁଚିପୂର୍ଣ୍ଣ ଆଳାପ କରୁଛନ୍ତି ; ମାତ୍ର କେତେଜଣ ଆମ ରାଜ୍ୟର ସୁବିଧା ଅସୁବିଧା ବ୍ୟକ୍ତ କରୁଛନ୍ତି | କେତେବେଳେ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଫୋଟ ପ୍ରକାଶିତ ହେଉଛି | କେତେଜଣ ସମୟ ସମୟରେ ଯଥାର୍ଥ କାରଣ ଯୋଗୁଁ ରାଜନୈତିକ ନେତୃତ୍ୱର ଦୋଷ ଦୁର୍ବଳତା ବିଷୟରେ ଲେଖୁଛନ୍ତି | ଏହି ପୃଷ୍ଠଭୂମି ପରିପ୍ରେକ୍ଷୀରେ ବିଚଳିତ ହେବାର ଅବକାଶ କାହିଁ ? ଯୁବାଗୋଷ୍ଠୀଙ୍କୁ ସତ୍ୟପ୍ରିୟ ହେବା ପାଇଁ ପରାମର୍ଶ ଦିଆ ଯାଉଛି ଏବଂ ରାଜ୍ୟର ଓ ନେତୃତ୍ୱ ସମ୍ପର୍କରେ ବାସ୍ତବ ରୂପ ଚିତ୍ରଣ ପାଇଁ ପରାମର୍ଶ ଦିଆଯାଇଛି | ଉଚିତ ହୋଇଥାନ୍ତି ଯଦି ଛାତ୍ରଗୋଷ୍ଠୀଙ୍କୁ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆ ଯାଇଥାନ୍ତା ; ସୁରାପାନ ଠାରୁ ଦୂରରେ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥାନ୍ତା ; ଚେନ ଲୁଟେରାଂକୁ ଧରିବା ପାଇଁ ଆହ୍ବାନ ଦିଆ ଯାଇଥାନ୍ତା ; ଡ୍ରଗ ସେବନ ରୁ ବାରଣ କରା ଯାଇଥାନ୍ତା | ତାଙ୍କୁ ଗୋଡାଣିଆ ମାନସିକତା ପରିହାର ପାଇଁ ପରାମର୍ଶ ଦିଆ ଯାଇଥାନ୍ତା | ତାଙ୍କୁ ସଫଳ ନାଗରିକ ହେବା ପାଇଁ ଉପଦେଶ ଦିଆଯାଉ | ସେମାନଙ୍କୁ ଏକ ଉନ୍ନତ ରାଜ୍ୟର ସାରଥି ହେବା ପାଇଁ ପ୍ରେରଣା ଦିଆଯାଉ | *********

Tuesday 22 December 2020

୨୦୨୦ ମସିହା ଡିସେମ୍ବର ମାସର କେତୋଟି କ୍ଷୁଦ୍ର ଟିପ୍ପଣୀ

1. ଆଜି କୁଣ୍ଢେଇବେଣ୍ଟ ସାହି ଲୋକ ଯିବେ; କାଲି ବାସେଳୀ ସାହି ଲୋକେ -- ଏମିତି ପାଳି କରି ଜମିରେ ପାଣି ମଡ଼ା ଯାଏ, ଦିଅଁ ଦର୍ଶନ ହୁଏନି | ଆମ ଲୋକେ ମୁହଁରେ ପଟି ଲଗେଇ ଚୁପ ରହିଲେ ଦିନକୁଦିନ ଅବ୍ୟବସ୍ଥା ବଢିବ , ହାକିମିରାଜ ବଢିବ | ଆମ ସଂସ୍କୃତି ର ଗାରିମା ଓ ସୌନ୍ଦର୍ଯ୍ୟ ରହୁ | 2. ଯେଉଁ ଅଂଚଳରେ ଅସାମର୍ଥ୍ୟର ପୁଜାରିଙ୍କ ସଂଖ୍ୟା ଯେତେ ବେଶୀ, ସେହି ଅଂଚଳ ସେତେ ଅନୁନ୍ନତ ହୋଇଥାଏ | 3. ଓଡିଶା ସରକାର କେବଳ MSP କୁ ବୃଦ୍ଧି କରିବା ଆବଶ୍ୟକ କହିଲେ ରାଜ୍ୟ ଚାଷ ବା ଚାଷୀ ଲାଭବାନ ହେବନି, ରାଜ୍ୟସରକାରଙ୍କୁ MSP ରେ କିଣି ଚାଷୀଙ୍କୁ ରକ୍ଷା କରିବା ଆବଶ୍ୟକ । ମାଂଡିଆ, ଅଳସୀ, ମୁଗ, ବୁଟ, ମକା ,ବିରି ଇତ୍ୟାଦି ଫସଲ ସରକାର କିଣିଲେ କୃଷକ ମାନଙ୍କୁ ସାହାଯ୍ୟ କରିବା ସମ୍ଭବ। ଏ ଦିଗରେ ସକ୍ରିୟତା ପ୍ରଦର୍ଶନ ନ ହେବା ଚିନ୍ତା ଜନକ । 4. ଅଶୀ ବର୍ଷ ବୟସ୍କ ମୋ ଇଞ୍ଜିନିଅର ବନ୍ଧୁ କାଲି ଅସହାୟ ସ୍ୱରରେ ମୋତେ ପଚାରିଲେ "କୋଭିଡ ପ୍ରତିରୋଧକ ଟିକା କେବେ ଆସିବ " | ତାଙ୍କୁ ଅଯଥା ଭୟ ଓ ନୈରାଶ୍ୟ ମାନସିକାତାରୁ ମୁକ୍ତ କରିବା ପାଇଁ ଟିକା ଶୀଘ୍ର ଆସୁଥିବା ଆଶ୍ବାସନା ଦେଇ ମୋ ବ୍ୟକ୍ତିଗତ ନିଷ୍ପତ୍ତି ଟିକା ନନେବା ସମ୍ପର୍କରେ କହିଲି | ମୋ ଯୁକ୍ତି ହେଲା ସମାଜରେ ମୋ ଅପେକ୍ଷା ଉପଯୋଗୀ ଏବଂ ଯୋଗ୍ୟ ବ୍ୟକ୍ତି ଟିକା ନିଅନ୍ତୁ; ମୁଁ ମୁଖା ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ବାକି ଜୀବନ ବିତେଇବି | ସେ ଆଶ୍ୱସ୍ତ ହୋଇ ମୋ ମାର୍ଗ ଅବଲମ୍ବନ କରିବେ ବୋଲି କହିଲେ | 5. ଦେବ ଦୀପାବଳୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ମନ୍ଦିର ସମ୍ମୁଖରେ ସହସ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛି | ଆସ୍ଥାର ନିଳୟ ର ପରିବେଶ ନିର୍ମଳ , ଉଜ୍ଜ୍ୱଳ , ସମ୍ମାନୀୟ ଏବଂ ଐଶ୍ବର୍ଯ୍ୟମୟ ହେବା ଆବଶ୍ୟକ | ଏହି ମାନସିକତା ସୁଦୂରପ୍ରସାରୀ ହେଉ | ଆମ ନଦୀଘାଟ ଏବଂ ଜଳାଶୟ ଉପକଣ୍ଠ ପୂତମୟ ହେଉ, ନିର୍ମଳ ହେଉ; ଜଳସ୍ରୋତ ଶୁଦ୍ଧତାର ବାର୍ତ୍ତା ବହନ କରୁ; ନଦୀକୂଳରେ ଏବଂ ବୃହତ ଜଳାଶୟ ମାନଙ୍କର ଘାଟରେ ସନ୍ଧ୍ୟାରେ ପ୍ରଦୀପ ବନ୍ଦନା ହେଉ | ଚିଲିକା ତୀରରେ କାଳିଜାଇ ମନ୍ଦିରର ଘାଟରେ , କଟକ ଗଡ଼ଗଡ଼ିଆ ଘାଟ ଓ ଦୟାନଦୀ କୂଳରେ ଏହି ପ୍ରୟାସର ଅୟମାରମ୍ଭ ହେଉ | 6. ତିରିଶବର୍ଷ ପୂର୍ବେ ଧନୁମୁଆଁ ବହୁତ ଟାଣ ଥିଲା | ଖାଇବାରେ କସରତ କରିବାକୁ ସିନା ହେଉଥିଲା ,ସୁଆଦ କିନ୍ତୁ ଅପୂର୍ବ ଥିଲା | ତିରିଶ ବର୍ଷ ପୂର୍ବେ ମାର୍ଗଶିର ଗୁରୁବାର ପାହାନ୍ତିଆ ଅନ୍ଧାରରେ ତୁଳସୀ ଚଉରା ତଳେ ଚିତା ଦେବାବେଳେ ପ୍ରଚଣ୍ଡ ଶୀତ ହେଉଥିବା ଆଜି ମୋ ଝିଅ ମନେପକାଉଥିଲା | ଏବେ ସବୁ ଓଲଟପାଲଟ ହେଇ ଯାଇଛି | ମୁଆଁ ନରମ,ସକାଳ ଗରମ | 7. " ଘର କୋଣାର୍କ ପାଖରେ ; ପିଲାଦିନୁ ଭୁବନେଶ୍ୱର ଆସି ଦଶବର୍ଷ ବୁଲିଲି; ତା'ପରେ ଏଇଠି (ଭୁବନେଶ୍ୱର ଛ ନମ୍ବର ୟୁନିଟ }ବରା ଦୋକାନ 44 ବର୍ଷ ହେଲା କଲି |" ବରା ଛାଣୁ ଛାଣୁ ରବି ସାହୁ ମୋତେ କହୁଥିଲେ | ମୁଁ କହିଲି, "ତୁମେ ପରା ଫୁଟିଲା ତେଲରେ ହାତ ପୁରାଇ ବରା ଓଲଟେଇ ଦିଅ?" ସେ ହସି ନିଜ ହାତରେ ଛଣା ହେଉଥିବା ବରାକୁ ଏପଟସେପଟ କରିଦେଲେ | 8. ଓଡ଼ିଶାରେ ବର୍ତ୍ତମାନ ଧନୀବର୍ଗର ଅନେକ ବ୍ୟକ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ଫାର୍ମହାଉସ ସ୍ଥାପନ କରିଛନ୍ତି | କିନ୍ତୁ ମୁଖ୍ୟତଃ ଏଗୁଡିକ ଆମୋଦ ଉଦ୍ୟାନ ଭାବରେ ବ୍ୟବହୃତ ହେଉଛି | ଭଲ ହୁଅନ୍ତା ଯଦି ଏହି ସ୍ଥାନଗୁଡିକ ଆଦର୍ଶ କୃଷିକ୍ଷେତ୍ର ଭାବରେ ବିକଶିତ ହୋଇ ସ୍ଥାନୀୟ କୃଷି ବ୍ୟବସ୍ଥାକୁ ଅଧିକ ଅର୍ଥକାରୀ କରିବାରେ ସହାୟକ ହୁଅନ୍ତା | 9. ଚାରିଦିନ ପରେ ଗାଁରୁ ଫେରିବ କହି ଘରକାମ କରୁଥିବା ଯୁବକ ନିଜ ଲୁଗାପଟା ନେଇ ଗଲାବେଳେ ଆମେ ଭାବିଲୁ ସେ ଆଉ ଫେରିବନି ଏବଂପୁଣିଥରେ ଖୋଜା ହବ ଆଉ ଜଣେ ବିଶ୍ୱସ୍ତ ଯୁବକ | କିନ୍ତୁ ସେ ଫେରିଲା , ବରଂ ଆମପାଇଁ ଗାଁରୁ ଫୁଲକୋବି ଆଣିଥିଲା | ଖାଲି ଫୁଲତୋଡ଼ା ଆମ ପାଖରେ ନଥିଲା ; ନହେଲେ ତା ପାଇଁ ଆମ ସ୍ୱାଗତ ସମ୍ବର୍ଦ୍ଧନାରେ କୌଣସି ଊଣା ନଥିଲା | 10. ଦୋକାନରେ ଆଜି ମାଲିକ ନଥିଲେ ; ତାଙ୍କ ରାଗି ପ୍ରକୃତିର ସାନପୁଅ ଥିଲା | ମାଲିକ ସାଙ୍ଗରେ କେତେଦିନହେଲା ଗୋଟିଏ କଅଁଳିଆ ବିରାଡ଼ିଛୁଆ ଖେଳୁଥିବା ଦେଖୁଥିଲି |ମାଲିକ ବିକ୍ରିପାଇଁ ରଖିଥିବା କ୍ଷୀର ପ୍ୟାକେଟରୁ ଗୋଟିଏ ପ୍ୟାକେଟ ତା ପାଇଁ ରଖୁଥିଲେ | ଆଜି ବିରାଡ଼ିଛୁଆକୁ ଦେଖିଲିନି | ପଶୁମାନେ ମଧ୍ୟ ଜାଣନ୍ତି କିଏ ତାଙ୍କୁ ଭଲପାଏ; କିଏ ପାଏନି | 11. ଗତ ଦୀପାବଳି ରାତ୍ରିରେ ଅଯୋଧ୍ୟା ରେ ସରଜୁ ନଦୀ ଘାଟ ପ୍ରଦୀପରେ ସୁସଜ୍ଜିତ ହୋଇଥିବା ଏବଂ ଦେବଦୀପାବଳି ରାତ୍ରିରେ କାଶୀ ର ଘାଟ ଗୁଡିକ ପ୍ରଦୀପରେ ସୁସଜ୍ଜିତ ହୋଇଥିବା ଦୃଶ୍ୟ ଏକ ନୂତନ ଭାରତର ଅଭ୍ୟୁଦୟ କରୁଥିବା ଉଲ୍ଲେଖ କରିଥିଲି | କେତେକ ବନ୍ଧୁ ଏହା ପସନ୍ଦ ନକରି ନିଜ ପ୍ରତିକ୍ରୟା ବ୍ୟକ୍ତ କରିଥିଲେ |ଗତକାଲି ସୁସଜ୍ଜିତ ଏକାମ୍ରନଗର ମୁଖ୍ୟମନ୍ତ୍ରୀ ପରିଦର୍ଶନ କରୁଥିବା ଭିଡିଓ ରେ ମହାଦେବଙ୍କ ସ୍ତୁତି ସଂଗୀତ ଧ୍ୱନି ମୋତେ ଆନନ୍ଦିତ କରିଥିଲା ଏବଂ ଏହି ଦୃଶ୍ୟ ମଧ୍ୟ ନୂତନ ଭାରତର ସଂକେତ ହୋଇଥିବା ମୁଁ ଉଲ୍ଲେଖ କରିଥିଲି | ନାପସନ୍ଦ ପ୍ରତିକ୍ରିୟା ସେହି ବନ୍ଧୁ ମାନଙ୍କଠାରୁ ଆଶା କରିଥିଲି | କିନ୍ତୁ ଏପର୍ଯ୍ୟନ୍ତ କିଛି ପାଇନାହିଁ |