Tuesday 29 December 2020

ନିର୍ଦ୍ଦେଶ ଦେବାପରେ ଦାୟିତ୍ୱ ମୁକ୍ତ ହେବା ମାନସିକତା

ଆଜି ପମ୍ପଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ଅସାବଧାନତା ବଶତଃ ଡିଜେଲ କାରରେ ପେଟ୍ରୋଲ ଭର୍ତ୍ତି କରିବା ପରେ କାର ମାଲିକ ( ମୋର ଆତ୍ମୀୟ ) ସ୍ୱାଭାବିକ ଭାବରେ କାର୍ଡ ଦ୍ୱାରା ଅର୍ଥ ପୈଠ କରି ରସିଦ ନେଇ ଗାଡି ଚଳେଇ କିଛିବାଟ ଯିବା ପରେ ଗାଡି ଚାଲିବା ବନ୍ଦ ହେଲା | ଅଗତ୍ୟା ମାଲିକ ମେକାନିକ ଡକେଇଲେ ଏବଂ ସମସ୍ୟା ର କାରଣ ଜଣା ପଡିଲା | କାରକୁ ଟଣାଯାଇ ଗ୍ୟାରେଜ ନିଆଯାଇ ପେଟ୍ରୋଲ କଢ଼ାଯିବ ; ଡିଜେଲ ଭର୍ତ୍ତି ହେବା ପରେ କାର କାର୍ଯ୍ୟକ୍ଷମ ହେବ | ବିନାଦୋଷରେ ମାଲିକ ଅନ୍ୟୁନ ସାତ ହଜାର ଟଙ୍କା ଖର୍ଚ୍ଚ କରିବେ | ମାଲିକ ଡିଜେଲ ରସିଦ ରୁ ପମ୍ପଷ୍ଟେସନ ର ଟେଲିଫୋନ ନମ୍ବର ପାଇ ଫୋନ ରେ ପମ୍ପ ମ୍ୟାନେଜରଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରିଲେ | ମ୍ୟାନେଜର ତତକ୍ଷଣାତ ସିସିଟିଭି କ୍ୟାମେରା ସାହାଯ୍ୟରେ ଜାଣି ପାରିଲେ ଯେ ପମ୍ପ ଅପରେଟରଙ୍କ ଅସାବଧାନତା ଯୋଗୁଁ କାର ରେ ପେଟ୍ରୋଲ ବଦଳରେ ଡିଜେଲ ଭର୍ତ୍ତି ହୋଇଛି | ମ୍ୟାନେଜର ସମସ୍ତ ଖର୍ଚ୍ଚ ବହନ କରିବାକୁ ସମ୍ମତି ଦେଲେ ଏବଂ କାର ରେ ଆବଶ୍ୟକ ଡିଜେଲ ଭର୍ତ୍ତି କରି କାରକୁ ମାଲିକଙ୍କୁ ଫେରାଇବା ପାଇଁ ବ୍ୟବସ୍ଥା କଲେ | ବାଙ୍ଗାଲୋର ମହାନଗରୀ ରେ ଆଜି ସକାଳର ଏହି ଘଟଣା ଏକ ସାମାନ୍ୟ ଦୁର୍ଘଟଣା ଭାବରେ ଗ୍ରହଣ କରା ଯାଇପାରେ ; କିନ୍ତୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଅନୁଭୂତି | ଏହାକୁ ଆମେ ଏକ ସତର୍କ ଘଣ୍ଟି ଭାବରେ ଗ୍ରହଣ କରିବା ଯଥାର୍ଥ ହେବ | ଦୈନଦିନ ଜୀବନରେ ଆମେ ଅନେକ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତିଙ୍କ ସହାୟତା ନେଉଥାଇ | ଯେପରି ପାଚକ/ପାଚିକା ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି | ଆମେ ତାଙ୍କୁ ନିର୍ଦେଶ ଦେଇ ଅନ୍ୟ କାମରେ ବ୍ୟସ୍ତ ରହୁ | ପାଚକର ମାନସିକ ସ୍ଥିତି ସମ୍ପର୍କରେ ଆମେ ଉଦାସୀନ ରହୁ | ସେ କୌଣସି କାରଣରୁ ବିଚଳିତ ଅଛି ବା ନାହିଁ ସେ ବିଷୟରେ ଆମ ଅଜ୍ଞ ରହୁ | ଚିନ୍ତିତ ଅବସ୍ଥାରେ ପାଚକ ହୁଏତ ଆମ ନିର୍ଦ୍ଦେଶ ତାମିଲ କରି ପାରି ନଥାଏ ; ହୁଏତ ଲୁଣ ବଦଳରେ ଚିନି ବ୍ୟବହାର କରି ଥାଇ ପାରେ | ଆମେ ନିର୍ଦ୍ଦେଶ ଦେବାପରେ ଦାୟିତ୍ୱ ମୁକ୍ତ ହେବା ମାନସିକତା ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ | ପାଚକ/ପାଚିକା କାମ କରୁଥିବା ସମୟରେ ମଝିରେ ମଝିରେ ତାଙ୍କ କାମ ତଦାରଖ କରିବା ଆବଶ୍ୟକ | ଏହା ଏକ ଉଦାହରଣ ମାତ୍ର | ପ୍ରତ୍ୟେକ କ୍ଷେତ୍ରରେ ଅନୁରୂପ ସତର୍କତାର ଆବଶ୍ୟକତା ରହିଛି | ********

No comments:

Post a Comment