Friday 25 December 2020

ସୋସାଲ ମିଡ଼ିଆ ରେ ଅସତ୍ୟ ପରିବେଷଣ

ସୋସାଲ ମିଡ଼ିଆ ରେ ଅସତ୍ୟ ପରିବେଷଣ ହେଉଥିବା ଆମ ରାଜ୍ୟର ପ୍ରମୁଖ ରାଜନୈତିକ ଶକ୍ତି ବୋଧ କରୁଛନ୍ତି ଏବଂ ଏହାକୁ ପ୍ରତିହତ କରି ସତ୍ୟ ପରିପ୍ରକାଶ ପାଇଁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିବା ଖବରକାଗଜରେ ପ୍ରକାଶିତ ହୋଇଛି | ମନେହୁଏ ପ୍ରମୁଖ ରାଜନୈତିକ ଶକ୍ତି ପ୍ରିଣ୍ଟ ମିଡ଼ିଆ ବା ଇଲେକ୍ଟ୍ରୋନିକ ମିଡ଼ିଆ ମାନଙ୍କ ପ୍ରତି ସନ୍ତୁଷ୍ଟ ; କେବଳ ସୋସାଲ ମିଡିଆରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ହୃଦବୋଧ କରୁଛନ୍ତି | ରାଜ୍ୟ ସୋସାଲ ମେଡିଆରେ ଅସତ୍ୟର ପ୍ରସାର ପ୍ରସଙ୍ଗ ସମ୍ପର୍କରେ ଏକ ନିରପେକ୍ଷ ଅନୁଶୀଳନ ଆବଶ୍ୟକ ମନେହୁଏ | ଓଡିଶା ସୋସାଲ ମିଡିଆରେ ଆଜି ମୁଖ୍ୟତଃ କେଉଁ ପ୍ରସଙ୍ଗମାନ ଆଲୋଚିତ ହେଉଛି? କେତେଜଣ ଭଲ ଖାଦ୍ୟ ଫଟୋ ଦେଉଛନ୍ତି ; କେତେଜଣ ରସଗୋଲା , ପଖାଳ , ଦହିବରା ଆଳୁଦମ ର ପ୍ରଶସ୍ତି ଗାନ କରୁଛନ୍ତି ; କେତେଜଣ ନିଜ ବନ୍ଧୁଙ୍କ ସହିତ ରୁଚିପୂର୍ଣ୍ଣ ଆଳାପ କରୁଛନ୍ତି ; ମାତ୍ର କେତେଜଣ ଆମ ରାଜ୍ୟର ସୁବିଧା ଅସୁବିଧା ବ୍ୟକ୍ତ କରୁଛନ୍ତି | କେତେବେଳେ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଫୋଟ ପ୍ରକାଶିତ ହେଉଛି | କେତେଜଣ ସମୟ ସମୟରେ ଯଥାର୍ଥ କାରଣ ଯୋଗୁଁ ରାଜନୈତିକ ନେତୃତ୍ୱର ଦୋଷ ଦୁର୍ବଳତା ବିଷୟରେ ଲେଖୁଛନ୍ତି | ଏହି ପୃଷ୍ଠଭୂମି ପରିପ୍ରେକ୍ଷୀରେ ବିଚଳିତ ହେବାର ଅବକାଶ କାହିଁ ? ଯୁବାଗୋଷ୍ଠୀଙ୍କୁ ସତ୍ୟପ୍ରିୟ ହେବା ପାଇଁ ପରାମର୍ଶ ଦିଆ ଯାଉଛି ଏବଂ ରାଜ୍ୟର ଓ ନେତୃତ୍ୱ ସମ୍ପର୍କରେ ବାସ୍ତବ ରୂପ ଚିତ୍ରଣ ପାଇଁ ପରାମର୍ଶ ଦିଆଯାଇଛି | ଉଚିତ ହୋଇଥାନ୍ତି ଯଦି ଛାତ୍ରଗୋଷ୍ଠୀଙ୍କୁ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆ ଯାଇଥାନ୍ତା ; ସୁରାପାନ ଠାରୁ ଦୂରରେ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥାନ୍ତା ; ଚେନ ଲୁଟେରାଂକୁ ଧରିବା ପାଇଁ ଆହ୍ବାନ ଦିଆ ଯାଇଥାନ୍ତା ; ଡ୍ରଗ ସେବନ ରୁ ବାରଣ କରା ଯାଇଥାନ୍ତା | ତାଙ୍କୁ ଗୋଡାଣିଆ ମାନସିକତା ପରିହାର ପାଇଁ ପରାମର୍ଶ ଦିଆ ଯାଇଥାନ୍ତା | ତାଙ୍କୁ ସଫଳ ନାଗରିକ ହେବା ପାଇଁ ଉପଦେଶ ଦିଆଯାଉ | ସେମାନଙ୍କୁ ଏକ ଉନ୍ନତ ରାଜ୍ୟର ସାରଥି ହେବା ପାଇଁ ପ୍ରେରଣା ଦିଆଯାଉ | *********

No comments:

Post a Comment