Monday 11 January 2021

ଆମ ନାକତଳେ ହେଉଥିବା ଅବ୍ୟବସ୍ଥା

ଆଜି ସକାଳେ ବୁଲିବାବେଳେ ବୈଷ୍ଣବଙ୍କ ସଂଗେ ଦେଖାହେଲା | ଅନେକ ଗୁରୁତ୍ୱପୁଣ୍ଣ ସରକାରୀ ପଦବୀ ଅଳଙ୍କୃତ କରି ନିଜ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ସେ ବେଶ ସୁନାମ ଅର୍ଜନ କରିଥିଲେ | ଅବସର ପରେ ଲୋକଙ୍କ ସାଙ୍ଗରେ ମିଳିମିଶି ତାଙ୍କ ସୁବିଧା ଅସୁବିଧା ସମ୍ବନ୍ଧରେ ଆଗ୍ରହ ଦେଖାନ୍ତି ଏବଂ କାହା ପ୍ରତି ଅନ୍ୟାୟ ହେଲେ ଯଥା ସମ୍ଭବ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି | ଅଭିମାନ ବା ଅହଂକାର ଠାରୁ ବହୁତ ଦୂରରେ ଥିବା ତାଙ୍କର ଅନ୍ୟ ଏକ ବିଶେଷତ୍ୱ | ବାଟରେ ସାକ୍ଷାତ ପରେ ଆମେ ଦୁଇଜଣ ଏକାଠି ବୁଲୁଥିବା ବେଳେ ଅନ୍ୟ ଜଣେ ବନ୍ଧୁ, କୈଳାଶ, ଦେଖାହେଲେ ଏବଂ ଆମ ସାଙ୍ଗରେ ଚାଲିଲେ | ହଠାତ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ କୋଡିଏ ତାରିଖ ପୂର୍ବରୁ ପଦମୁକ୍ତ କରାଯିବ ନା ନାହିଁ ଏହି ବିଷୟରେ କୈଳାଶ ଆମ ମତାମତ ଜାଣିବାକୁ ଚାହୁଁଥିଲେ | ବୈଷ୍ଣବଙ୍କ ପ୍ରତିକ୍ରିୟା ଅଲଗା ପ୍ରକାର ହେବା ଶୁଣି ମୁଁ ଗମ୍ଭୀରତା ସହ ତାଙ୍କ ମତାମତ ଶୁଣିଲି | ତାଙ୍କ କହିବାର ମର୍ମ ହେଲା ଆମେ ଆମେରିକାରେ କଣ ହେବ ନହେବ ସେବିଷୟରେ ବାଦବିବାଦ , ଆଲୋଚନା ନକରି ଆମ ଚାରିପଟେ କଣ ହେଉଛି ସେବିଷୟରେ ଚିନ୍ତା କରୁନୁ କାହିଁକି | ସେ ଗୋଟିଏ ଉଦାହରଣ ଭାବରେ ନିଜ ଅନୁଭୂତି କହିଲେ | ଗତକାଲି ନିଜେ କାର ଚଳେଇ କଟକରୁ କାମସାରି ଭୁବନେଶ୍ୱର ଫେରିଥିଲେ | ଘରେ ପହଂଚିବା ପରେ ଫୋନ ରେ ଆସିଥିବା ଗୋଟିଏ ଏସଏମଏସ ପଢି ଜାଣିଲେ ଯେ ତାଙ୍କୁ ମାତ୍ରାଧିକ ବେଗରେ କାର ଚଳେଇଥିବା ଯୋଗୁଁ ଦୁଇହଜାର ଟଙ୍କା ଜୋରିମାନା ହେଇଚି | କେଉଁଠି ସେ ଅତିବେଗରେ କାର ଚଲେଇଥିଲେ ସେ ଜାଣି ପାରିଲେନି | ସେ ସବୁବେଳେ ଗାଡି ସାବଧାନ ହୋଇ ଚଳାନ୍ତି ଏବଂ ଗାଡି ବେଗ ନିୟନ୍ତ୍ରିତ ରଖିଥାନ୍ତି | ପୁଲିସ ତାଙ୍କୁ ଅତ୍ୟଧିକ ବେଗରେ କାର ଚଳେଇଥିବା ପ୍ରମାଣ ନଦେଇ ଜୋରିମାନା କରିବା ଆଇନତଃ ଗ୍ରହଣଯୋଗ୍ୟ ନୁହେଁ | ଯଦି ପ୍ରମାଣ ଦିଆଯାଏ ତେବେ ସେ ଜୋରିମାନା ଦେବାକୁ ପ୍ରସ୍ତୁତ | ନଚେତ ଏହିଭଳି ଆଭିମୁଖ୍ୟ ସମାଜରେ ଭୟ ସୃଷ୍ଟି କରିବ ଏବଂ ବିନା କାରଣରେ ଅନେକ ଦଣ୍ଡିତ ହେବେ | ସେ କହିଲେ ଏହିଭଳି ସମସ୍ୟାର ସମାଧାନ କିଭଳି ହେବ ସେ ବିଷୟରେ ଆମେ ଅଧିକ ସଚେତନ ହେବା ଆବଶ୍ୟକ | ଏହା ନକରି ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବିଷ୍ୟତ ପ୍ରତି ଅଧିକ ଆଗ୍ରହୀ ହେବା ବୋଧହୁଏ ଏକ ପଳାୟନପନ୍ଥୀ ର ରଣକୌଶଳ ହେବ | ମୁଁ ପ୍ରସଙ୍ଗର ଗୁରୁତ୍ୱ ବୁଝିଲି ଏବଂ ଏହି ଆଦେଶ କୁ କୋର୍ଟ ରେ ଚାଲେଞ୍ଜ କରିବାକୁ ପରାମର୍ଶ ଦେଲି | ଆମେ ଆମ ନାକତଳେ ହେଉଥିବା ଅବ୍ୟବସ୍ଥାକୁ ଅଣଦେଖା କରୁଛେ ; ଅର୍ଥହୀନ ପ୍ରସଙ୍ଗ ସମ୍ପର୍କରେ ଅଯଥା ବାକବିତଣ୍ଡା କରୁଛେ | ଆମ ସମାଜର ଅଧିକାଂଶ ଅନୁଷ୍ଠାନ ଓ ବ୍ୟବସ୍ଥା ଆମ ଦେଖାଶୁଣା ଓ ଆଗ୍ରହ ଅଭାବରୁ ରୁଗ୍ଣ ହେଇ ଯାଉଛନ୍ତି| ବିଦ୍ୟାଳୟରେ ଶିକ୍ଷକ ରହୁନାହାନ୍ତି ; ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ; ବିଦ୍ୟାର୍ଥୀଙ୍କୁ ଠିକ ସମୟରେ ପାଠ୍ୟପୁସ୍ତକ ମିଳୁନାହିଁ | ଚେନ ଟଣା ବଢୁଛି | କିନ୍ତୁ ବିଭିନ୍ନ ଜାଗାରେ ଅସଂଖ୍ୟ ଖଟି ଜମୁଛି ; ଅମୁକ ପୂଜା, ସମୁକ ଉଛବ ଲାଗି ବାଟଘାଟ ରେ ଚାନ୍ଦା ଅସୁଲ ଚାଲିଛି | ଏମିତି ହେଲେ ସମାଜ ସୁଧୁରିବ ନାହିଁ | ଦେଖିଲି, ଆମ ବନ୍ଧୁ କୈଳାଶ ଆଉ ଆମେରିକା ପ୍ରସଙ୍ଗ ପ୍ରତି ଗୁରୁତ୍ୱ ନଦେଇ ନିଜ ପରିବେଶର ହାଲ ସମ୍ବନ୍ଧରେ ସଚେତନ ହେଉଛନ୍ତି | ********

No comments:

Post a Comment