Saturday 26 October 2019

ସାମ୍ୟବାଦ

ଘରପାଖ ହାଟ ରେ ଆଳୁ ପିଆଜ ଅଦା ବିକାଳି ପିଣ୍ଡିରେ ବସୁଥିଲେ କିନ୍ତୁ ଶାଗ , ବାଇଗଣ , ମୂଳା ,ପୋଟଳ, କୋବି ଇତ୍ୟାଦି ପରିବା ବିକାଳି ତଳେ ବସୁଥିଲେ | କେଉଁ କାରଣରୁ ଏହି ବ୍ୟବସ୍ଥା ହେଇଥିଲା  ମୁଁ ଜାଣି ପାରୁନଥିଲି | ଆଜି ଅନେକ ଦିନ ପରେ ସକାଳେ ହାଟରେ ଦେଖିଲି ଅନେକ ପରିବା ବିକାଳି  ପିଣ୍ଡିରେ ବସିଛନ୍ତି | ପାଖ ଗାଁରୁ ଆସୁଥିବା ମୋ ଜଣାଶୁଣା  ପରିବା ବିକାଳି , ଗଗନ, ଦୂରରୁ ମୋତେ ଦେଖି ଦଉଡି ଆସି ଦେଖେଇଲା ସେ କେଉଁ ପିଣ୍ଡିରେ ବସୁଛି | କିନ୍ତୁ ଏଯାଏଁ ସମସ୍ତେ ପିଣ୍ଡି ପାଇ ନାହାନ୍ତି | ପିଣ୍ଡିରେ ପରିବା ଥିବାରୁ ତଳେ ବସି ଭେଣ୍ଡି  ବାଛିବା କଷ୍ଟ କିଣିବା ଲୋକର ଆଉ ନାହିଁ ; ନା ବୁଲା ଗାଈ କୋବି ଟାଣି ନେବା ଭୟ ବିକାଳିର ଅଛି | ଏଇ ଦୃଶ୍ୟ ଦେଖି ମୋର ବିପିଏଲ ଏପିଏଲ ପରିବାର  କଥା ମନେ ପଡିଲା | ମନେହେଲା ଯେମିତି ଅନେକେ ଦାରିଦ୍ର୍ୟ ରେଖା ଅତିକ୍ରମ କଲେଣି ଆଉ ଅନ୍ୟ କେତେ ଅପେକ୍ଷା କରୁଛନ୍ତି | ଉପରେ ଯେଉଁମାନେ ଅଛନ୍ତି , ଗାଈ ଦୌରାତ୍ମ୍ୟ ଭଳି ଅତ୍ୟାଚାର  ରୁ  ରକ୍ଷା ପାଇଲେଣି,  ଆଉ ଯେଉଁ ମାନେ ତଳେ ଅଛନ୍ତି ; ବିପଦରେ ଅଛନ୍ତି | କେବେ ସାମ୍ୟବାଦ ପ୍ରତିଷ୍ଠା ହେବ ଜାଣିବା ପାଇଁ ଜଣେ ତଳେ ବସିଥିବା ବିକାଳି କୁ ସେ କେବେ ପିଣ୍ଡିକୁ ଯିବ ପଚାରିଲି | ସେ ମୋ ମୁହଁକୁ ଚାହିଁ କହିଲା, " ବାବୁ ଦେବାଯାଏଁ ତଳେ ବସୁଥିବୁ " | ମୁଁ ବୁଝିଲି | ଆର୍ଥିକ ପରିବର୍ତ୍ତନ ପାଇଁ ତଳ ଲୋକକୁ ଶାନ୍ତିରେ ଅପେକ୍ଷା କରିବାକୁ ହବ | ସେ ତଳେ ବସିଲେ ବି ନିରବରେ ବସିଥିବ ; ଆନ୍ଦୋଳନ କରିବ ନି | ବାବୁ ,   ଅର୍ଥ ଆମ ସରକାରୀ ବ୍ୟବସ୍ଥା; ଯେବେ  ଚାହିଁବ  ସେ ଉପରକୁ ଯିବ |
******
October 26, 2019

No comments:

Post a Comment