Monday 28 October 2019

ଦୀପାବଳି ବାଣ ଫୁଟା

ଦୀପାବଳି ପୂର୍ବ ଅପରାହ୍ନରେ ଆମ ସହରର ବାଣ ଦୋକାନ ଅନୁସନ୍ଧାନରେ ଗଲି | ଡ୍ରାଇଭର କେଉଁଠୁ ଶୁଣିଥିଲା ବ୍ବରଗଡ଼ ଅଂଚଳର ବ୍ରିଟକଲୋନୀ କଥା | ସେଇଠି ବାଣ ଦୋକାନ ଥିବା କହିଲା | ମୁଁ ସେଇ ଅଂଚଳକୁ ଯାଇ ଗୋଟେ ଖୋଲା ଜାଗାରେ ମାତ୍ର ଗୋଟିଏ ଦୋକାନ ଦେଖି ସେଇଠି ପହଂଚିଲି | ମାତ୍ର ଅଳ୍ପ କେତେଜଣ ଗ୍ରାହକ ଥିଲେ | ଦୋକାନ ଟି ସମୃଦ୍ଧ ଦିଶୁନଥିଲା | ପୂର୍ବ ବର୍ଷ ମାନଙ୍କ ଭଳି ଦୋକାନ ମାନଙ୍କ ସଂଖ୍ୟା ସ୍ୱଳ୍ପ ଥିବା ଜଣା ପଡୁଥିଲା | ବାଣ ତିଆରି କରି ଆମ ଦେଶର ଅନେକ ଲୋକ ଜୀବିକା ନିର୍ବାହ କରୁଥିଲେ | ଆମେ ସେଇ ସୁଯୋଗକୁ ସଂକୁଚିତ  କରିବାରେ ଲାଗିଛେ | ବାଣ ଡିକ୍ରି କରି ଅନେକ ଯୁବକ ସାମୟିକ କର୍ମ ସୁଯୋଗ ପାଉଥିଲେ | ତାହା ମଧ୍ୟ ସଂକୁଚିତ  ହେଉଛି | ମୋର ଜଣେ ଉଚ୍ଚଶିକ୍ଷିତ ଭାଣିଜୀର ବକ୍ତବ୍ୟ ମନେ ପଡିଲା | ସେ କହୁଥିଲା ପିଲାଙ୍କ ବାଣ ଫୁଟାଇବା କଥା | ତାର ମତ ହେଲା ବାଣ ଫୁଟାଇଲେ ପିଲାଙ୍କ ସାହାସ ବଢେ | ବଡ଼ ହେଇ ସେ ଆମ ଦେଶର ସେନାବାହିନୀ ରେ ଯୋଗ ଦେବାପାଇଁ ଆକୃଷ୍ଟ ହୁଏ | ସେ ମାତୃଭୂମି ର ସୁରକ୍ଷା କରେ; ନିଆଁ ସହିତ ଖେଳେ ; ସହିଦ ହୁଏ | ଆମ ପିଲାଙ୍କୁ ସାହସୀ ହେବାକୁ ହେବ | ତାର ମତ ବାଣ ଦିନେ ଫୁଟିଲେ ଆମ ବିଶାଳ ଦେଶ ପ୍ରଦୂଷଣ ରେ ଅତ୍ୟନ୍ତ ଆକ୍ରାନ୍ତ ହେବନି ; ବରଂ ଗାଡି ମଟର ସଂଖ୍ୟା ବଢି ଆମ ସହର ମାନଙ୍କୁ ଯଥେଷ୍ଟ  ପ୍ରଦୂଷିତ କରୁଛନ୍ତି | ମୋର ମଧ୍ୟ ସେଇ ମତ | କେଉଁକାଳରୁ ଚାଲି ଆସୁଥିବା ଆମର ବର୍ଷରେ  ଦିନକର ପର୍ବ ପର୍ବାଣି      ଉପରେ ଏତେ କଟକଣା  କାହିଁକି ? ହଁ , ବାଣ ଫୁଟାରେ କଟକଣା ରହୁ ; ନିୟନ୍ତ୍ରଣ ରହୁ ; ରାତି ତମାମ ଠୋ ଠା, ଢ଼ୋ ଢା  ନହେଉ ; ଜନବସତି ଠାରୁ ଦୂରରେ ବିକ୍ରି ହେଉ ; ବିପଦଜନକ ବାଣ ବ୍ୟବହାର ଜନବସତି ଠାରୁ ଦୂରରେ ହେଉ | ଖୋଲା ପଡିଆରେ ଆତସବାଜି  ପ୍ରତିଯୋଗିତା ହେଉ | ଆମ ଲୋକେ ଏହା ଉପଭୋଗ କରନ୍ତୁ | ଆମ ସଂସ୍କୃତି ବଂଚି ରହୁ |

******
October 28, 2019

No comments:

Post a Comment