Tuesday 4 August 2020

ସକାଳର ମୁଢି ବିକାଳି

ଆମ ଘର ପାଖରେ ଯେଉଁ କେନାଲ ଜନ୍ମ ହେବାର ମାତ୍ର କିଛିବର୍ଷ ପରେ ମୃତ୍ୟୁବରଣ କଲାପରେ ଏକ ଉଗ୍ର ନର୍ଦମା ଓ ଆବର୍ଜନା କୁଣ୍ଡରେ ପରିଣତ ହେଇ ପରିବେଶର ରୁଗ୍ଣତାକୁ ତ୍ୱରାନିତ୍ବ କରୁଛି ସେହି କେନାଲ କୂଳରେ ଗୋଟିଏ ମୁଢି ତିଆରି କାରଖାନା ଥିବା କୁହାଯାଏ | ଏହାର ପ୍ରଶସ୍ତି ସୁଦୂରପ୍ରସାରୀ | ମନେହୁଏ ମୋ ବ୍ୟତୀତ ଆମ ଅଂଚଳର ସମସ୍ତେ ଏହି କାରଖାନା ହୁଏତ ଦେଖିଛନ୍ତି ବା ଏହା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି |ଆଜି ସକାଳ ଛ ଟା ବେଳେ ଦେଖିଲି ଆମଘର ସାମନା ନିରୋଳା ରାସ୍ତା ରେ ନିଜ ସାଇକଲକୁ ଧୀରେ ଚଳେଇ ଲୋକଟିଏ "ମୁଢି, ମୁଢି" ଡାକ ଡାକି ରାସ୍ତାର ଦୁଇ ଆଡ଼କୁ ନଜର ପକେଇ ଗ୍ରାହକ ଖୋଜୁଛି | ପ୍ରାୟ ପାଞ୍ଚଫୁଟ ଲମ୍ବା ମୁଢ଼ି଼ବସ୍ତା ଟିଏ ସାଇକଲ ପଛରେ ଶୋଇଛି ; ମୁଆଁ ଗୁଡିଏ ଜରି ବ୍ୟାଗ ରେ ସାଇକଲ ହ୍ୟାଣ୍ଡଲ ରୁ ଓହଳିଛନ୍ତି | ଘର ଗେଟ ପଛରେ ଠିଆହୋଇ ତାକୁ ଡାକିଲି | ସେ ତତକ୍ଷଣାତ ସାଇକଳରୁ ଓଲ୍ହେଇ ଗେଟ ପାଖକୁ ଆସିଲା | କରୋନା ମହାମାରୀ ପରିପ୍ରେକ୍ଷୀରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଲି | ଘର ତାର ଢେଙ୍କାନାଳ ଜିଲା ଭୁବନ ପାଖ ଗୋଟିଏ ଗାଁରେ | "ବ୍ରାହ୍ମଣୀ ସେଠି ଭାରି ଚଉଡା |" ମୋର ଏହି ବକ୍ତବ୍ୟ ତାକୁ ଆନନ୍ଦିତ କଲା | ମନେହେଲା ତା ଘର ଆଖପାଖ ସହ ମୋର ପରିଚିତି ତାକୁ ମୋ ସହିତ ଏକ ବନ୍ଧନରେ ବାନ୍ଧୁଛି | ମୋ ପ୍ରତି ସମ୍ମାନ ଓ ବିଶ୍ୱାସ ତା ହୃଦୟରେ ଅଙ୍କୁରିତ ହେଉଥିବା ଅନୁଭବ କଲି |ପକେଟ ରୁ ଗୋଟିଏ ହୋମିଓପାଥି ଔଷଧ ବୋତଲ ବାହାରକଲି | ଆର୍ସେନିକ ଆଲବୁମିନ ୩୦ ଔଷଧ ସରକାର କରୋନା ପରିପ୍ରେକ୍ଷୀରେ ସେବନ କରିବା ପାଇଁ ଅନୁମୋଦନ କରିଛନ୍ତି | ସେ ଓ ତା ପରିବାର ଏହି ଔଷଧ ଖାଇବାକୁ ଅନୁରୋଧ କଲି | ସେ ସହମତ ହେଲା | "ମଦ ଖାଉଛ କି ନାହିଁ ?" ମୁଁ ପଚାରିଲି | ସେ ମନାକଲା ; କିନ୍ତୁ ପର ମୁହୂର୍ତ୍ତରେ କହିଲା, "ମାସେ ଦୁଇମାସରେ ଭୋଜିଭାତରେ ପିଇଦିଏ |" ମୁଁ ତାକୁ ଏପରି ନକରିବା ପାଇଁ ଅନୁରୋଧ କଲି | ସେ କହିଲା " ଆପଣ କହିଲେଣି, ମୁଁ ନିଶ୍ଚୟ ମାନିବି |" ଏହା କହି ସେ ଚାଲିଗଲା |ସକାଳର ଏହି ଅନୁଭୂତି ମୋତେ ଉତ୍ଫୁଲ୍ଲିତ କରିଥିଲା | *******

No comments:

Post a Comment