ଲାଠି ଯାହାର ମହିଷି ତାହାର
ଆଜି ସକାଳେ ମନ୍ଦିର ବଗିଚାରେ ବୁଲିବାବେଳେ ବନ୍ଧୁ ଗୋପାଳ ଶୁଖିଲା ହସରେ ମୋର ସ୍ୱାଗତ କରିବା ଦେଖି ମୁ ଭାବିଲି ତାକୁ ସାହାଯ୍ୟ କରିବାପାଇଁ ମୋର କାଲିର ପ୍ରୟାସ ସଫଳ ହେଇନାହିଁ | କିନ୍ତୁ କିଛିସମୟ ପରେ ଜାଣିଲି ତା' ଉଦାସୀନତାର କାରଣ ଭିନ୍ନ ଥିଲା | ସମ୍ପୃକ୍ତ ରାଜକର୍ମଚାରୀ ମାନେ ଗତକାଲିର ପ୍ରସଙ୍ଗ ସମ୍ପର୍କରେ ତାକୁ ବୁଝାଇଥିଲେ | କହିଲେ " ୟୁଜର ଚାର୍ଜ ସହରର ପ୍ରତିଷ୍ଠିତ ଲୋକମାନେ ମଧ୍ୟ ଦେଲେଣି | ଯେଉଁ କେତେଜଣ କୋଟ ଯାଇଥିଲେ ଆମେ ତାଙ୍କୁ ବୁଝାଇବା ପରେ ସେମାନେ ମଧ୍ୟ କୋଟରୁ କେସ ପ୍ରତ୍ୟାହାର କରିଦେଇଛନ୍ତି | ତେଣୁ ଆପଣ ମଧ୍ୟ ୟୁଜର ଚାର୍ଜ ଦେଇଦିଅନ୍ତୁ |" ଆମ ପ୍ରଚଳିତ ବ୍ୟବସ୍ଥାର ଏହି ମାନସିକତା ଗୋପାଳକୁ ବିବ୍ରତ କରିଛି ଏବଂ ସେଇଥିପାଇଁ ସେ ମୋ ପାଖରେ ଫେରାଦି କରୁଛି | ସେ ଜାଣିଚି ମୁ ମଧ୍ୟ " ଦଶ ତୁଣ୍ଡରେ ଛେଳି କୁକୁର" ନ୍ୟାୟରେ ବିଶ୍ୱାସ କରେନି | କୌଣସି ଟିକସ ପରିମାଣ ଅତ୍ୟନ୍ତ ସ୍ୱଳ୍ପ ହେଲେ ମଧ୍ୟ ଯଦି ସମ୍ବିଧାନ ବ୍ୟବସ୍ଥାର ପରିପନ୍ଥୀ ହୋଇଥାଏ ତାହା ଦେବା ପାଇଁ ତାର ବିବେକ କୁଣ୍ଠାବୋଧ କରୁଥିବା ମୁଁ ଅନୁଭବ କଲି | ଏହି ପ୍ରସଙ୍ଗରେ ରଫାଦଫାର ସ୍ଥାନ ନାହିଁ | କିନ୍ତୁ କଣ କରାଯିବ ? ପାଣିରେ ରହି କୁମ୍ଭୀର ସହିତ ଶତ୍ରୁତା କେମିତି କରିହବ ? ଏହି ଦ୍ଵନ୍ଦଦ୍ୱାରା ଆଜି ଆମ ଦୁଇଜଣ ଆକ୍ରାନ୍ତ ହୋଇଥିଲୁ | ସେ ମୋତେ ଗୋଟିଏ ଛୋଟ ଗପ ଶୁଣାଇଲା | କହିଲା " ଆମ ଗାଁର ହରିହରକୁ ଦିନେ ତା ପୁଅ ପରୀକ୍ଷାରେ କେମିତି କରିଥିବା ପଚାରିଲି | ହରିହର କହିଲା ସେ ଫେଲ ହେଇଚି | କାରଣ ପଚାରିଲି | ସେ କହିଲା ତା ପୁଅ ଯଦି ପରୀକ୍ଷାରେ ବାପା ଜାଗାରେ ମାମୁ ଲେଖିଥାନ୍ତା ମାଷ୍ଟର ତାକୁ ପାସ ନମ୍ବର ଦେଇଥାନ୍ତା : କିନ୍ତୁ ତା ପୁଅ ଏତେ ବଦମାସ ଯେ ସେ ବାପ ଜାଗାରେ ଭିଣେଇ ଲେଖିଲା | ମାଷ୍ଟର ତାକୁ ଶୂନ ଦବନି ?" ମୁଁ ଏହି ଗପର ତାତ୍ପର୍ଯ୍ୟ ପଚାରିଲି | ସେ କହିଲା " ମୁନିସିପାଲିଟି ର ମୋଟେ କ୍ଷମତା ନାହିଁ ଏମିତି ଗୋଟେ ମାମୂଲ ଅସୁଲ କରିବା ପାଇଁ | ମୁଁ କେମିତି ଦେବି?" ତା ନୈତିକ ମୂଲ୍ୟବୋଧ ମୋତେ ପ୍ରଭାବିତ କରୁଥାଏ | ତା ମନୋବଳ ରକ୍ଷା ପାଇଁ ମୁଁ ଯତ୍ପରୋନାସ୍ତି ପ୍ରୟାସ କରୁଥିଲି | ତାକୁ ୟୁଜର ଚାର୍ଜ ପୈଠ ନକରି କିଛିଦିନ ଅପେକ୍ଷା କରିବାକୁ ଉପଦେଶ ଦେଲି | ଦେଖାଯାଉ ବିଜେପି ବନ୍ଧୁ ମାନେ କଣ କରୁଛନ୍ତି | ଆମ ସମାଜରେ "ଲାଠି ଯାହାର ମହିଷି ତାହାର " ନ୍ୟାୟ ଚାଲିବ ନା ବିଧି ଦ୍ୱାରା ପ୍ରତିଷ୍ଠିତ ବ୍ୟବସ୍ଥାର ବିଜୟ ହେବ ?
********
24th February, 2017