Wednesday 6 February 2019

କ୍ଷମତା ରାଜନୀତି କୌଶଳ

ଗୁଡ଼େ ଲୋକଙ୍କୁ ଅସୁବିଧାରେ ରଖି ତାଙ୍କୁ ଭଲଦିନର ଆଶ୍ୱାସନା ଦେଇ ନିଜ ହାତମୁଠାରେ ରଖିବା ଆମ ଦେଶରେ କ୍ଷମତା ରାଜନୀତି ସଂସାରରେ ଏକ ସାଧାରଣ କୌଶଳ ହେଇଗଲାଣି | ଏହାଦ୍ୱାରା ଆମ ଦେଶର ତ କ୍ଷତି ହେଉଛି ; କିନ୍ତୁ କ୍ଷମତା ରାଜନୀତିର ମଙ୍ଗୁଆଳମାନେ ଏହା ଫଳରେ କ୍ଷମତା ଜାବୁଡି ରଖି ପାରୁଛନ୍ତି | 
ସହରରେ ବସ୍ତିବାସିନ୍ଦାଙ୍କ ବିଷୟରେ ଭାବନ୍ତୁ | ଖାଲ ହଉ , ନାଳ ହେଉ ; ପଡିଆ ହେଉ ; ଯେଉଁଠି ପାରେ ସେଇଠି ; ବସ୍ତି ଛତୁ ଫୁଟିଲାପରି ହେଇ ଚାଲିଛି | ସହରର ଶ୍ବାସରୁଦ୍ଧ ହେଇଯାଉଛି ; ନର୍ଦମା ପାଣି ନିୟନ୍ତ୍ରଣ ବିହୀନ ହେଇ ବୋହୁଛି ; ବର୍ଷାଜଳ ରାସ୍ତା ମାନଙ୍କୁ ପ୍ଲାବିତ କରୁଛି ; ପାନୀୟଜଳ ପାଇପ, କଣା ହେଇ ବସ୍ତିବାସୀଙ୍କ ତୃଷା ମେଂଟାଉଛି | ଅନିୟନ୍ତ୍ରିତ ବସ୍ତି ର କଳେବର ବଢି ଚାଲିଛି | ବାସିନ୍ଦା ମାନଙ୍କର ଜମି ମାଲିକାନା ନଥିବାରୁ ସେମାନଙ୍କୁ ଡରେଇ ଧମକେଇ ବା ଆଶ୍ୱାସନା ଦେଇ ତାଙ୍କର ଆନୁଗତ୍ୟ ହାସଲ କରାଯାଉଛି | ଗୋଟିଏ ଗୋଟିଏ ସହରରେ ବସ୍ତିବାସୀଙ୍କ ସଂଖ୍ୟା ଜମି ମାଲିକାନାରେ ଥିବା ଅଧିବାସୀଙ୍କ ଠାରୁ ଅଧିକ ହେଇଗଲାଣି | ଫଳରେ ବସ୍ତିବାସୀଙ୍କ ସାହାଯ୍ୟ ବିନା ନିର୍ବାଚନରେ ଜୟଲାଭ କରିବା ସମ୍ଭବ ହେଉନାହିଁ | 
ଗାଁ କଥାବି ସେମିତି | କ୍ଷମତା ଦଲାଲମାନେ ଚାହିଁଲେ, ଗୋଟିଏ ଅନୁଗ୍ରହ ଆଧାରିତ ଅଯୋଗ୍ୟ ପରିବାରର ରାସନ କାର୍ଡକୁ ଅକାମି କରିଦେଲେ, ଗୋଟିଏ ପରିବାର ଅସାଧୁ ଉପାୟରେ ମାସକୁ କୋଡିଏ ପଚିଶ କିଲୋ ଶସ୍ତା ଚାଉଳ ପାଉଥିବା ସୁଯୋଗରୁ ବଂଚିତ ହେଉଛି | ତେଣୁ ସେହି ପରିବାରର ଆନୁଗତ୍ୟ ଧମକ ବଳରେ ହାସଲ କରିହେଉଛି | ଆନୁଗତ୍ୟ ବିନା, ଘର ; ପାଇଖାନା; ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଆର୍ଥିକ ସହାୟତା ଇତ୍ୟାଦି ଅନେକ ସୁବିଧା ପାଇବା ଅସମ୍ଭବ ହେଇଯାଉଛି | ତେଣୁ ଗାଁର ଅନେକ ପରିବାର ଅନୁଗ୍ରହରେ ବଂଚିବାକୁ ହେଲେ କ୍ଷମତା କେନ୍ଦ୍ରର ମଙ୍ଗୁଆଳଙ୍କ ପାଖରେ ନତମସ୍ତକ ହୋଇ ରହୁଛନ୍ତି |
 ଆମ ବ୍ୟବସ୍ଥାରେ ଆଜି ମଧ୍ୟ ଆଇନର ପ୍ରାଧାନ୍ୟ ବଦଳରେ ଇଚ୍ଛାଧୀନ କ୍ଷମତା ର ପ୍ରାବଲ୍ୟ ରହିଛି | ଏହି ସମସ୍ତ ଅବ୍ୟବସ୍ଥାର ନିରାକାରଣ ପାଇଁ ସଚେତନ ନାଗରିକ ବା ରାଜନୈତିକ ଶକ୍ତି ବ୍ୟଗ୍ର ଥିବା ମନେହୁଏନି |6th February, 2018

*****
6th February, 2018


No comments:

Post a Comment