Saturday 2 February 2019

ଶିକ୍ଷାର ଉଦ୍ଦେଶ୍ୟ

୧୯୬୦/୬୧ ମସିହା ରେ  ମୁଁ ରେଭେନ୍ଶା କଲେଜରେ ସ୍ନାତକ ସ୍ତରରେ ରାଜନୀତି ବିଜ୍ଞାନ ଅନର୍ସ ବିଭାଗର ଛାତ୍ର ଥିଲି | ଅନର୍ସ ବିଭାଗରେ  ବତିଶ ଜଣ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିଲେ | ବୋଧହୁଏ ଶହେ ଅଠେଇଶଜଣ ଶିକ୍ଷାର୍ଥୀ ରାଜନୀତି ବିଜ୍ଞାନ ପାସ ବିଷୟ ଭାବରେ ଅଧ୍ୟୟନ କରୁଥିଲେ | ଦିନେ ରସାୟନ ବିଜ୍ଞାନ ଲେକ୍ଚର ଥିଏଟରରେ ରାଜନୀତିଵିଜ୍ଞାନ ର ଉଭୟ ପାସ ଓ ଅନର୍ସ ର ଶିକ୍ଷାର୍ଥୀ ମାନଙ୍କର ଏକ ସମ୍ମିଳିତ କ୍ଳାସ ନେଉଥିଲେ ସ୍ୱନାମଧନ୍ୟ, ବାଗ୍ମୀ ; ବିଚକ୍ଷଣ ଅଧ୍ୟାପକ ନମସ୍ୟ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ | ତାଙ୍କର ଅଧ୍ୟାପନା ଶୈଳୀ ଅନନ୍ୟ ଥିଲା | ଗୋଟିଏ ସାଧାରଣ ପ୍ରସଙ୍ଗ କୁ ଆଧାରକରି ସେ ତାଙ୍କ ବକ୍ତୃତା ଆରମ୍ଭ କରିବେ ଏବଂ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଅନର୍ଗଳ ଭାଷଣ ରେ ଲୀନ ହେବାବେଳକୁ ସେ ନିଜ ବାକକୌଶଳ ବ୍ୟବହାର କରି ମୁଖ୍ୟ ବିଷୟବସ୍ତୁ ସମ୍ପର୍କରେ ଶିକ୍ଷାଦାନ ଆରମ୍ଭ କରିଦେବେ | ପ୍ରାୟ ସମସ୍ତେ ଅନୁଭବ କରୁଥିଲେ ଯେ ତାଙ୍କର ପ୍ରତ୍ୟେକ କ୍ଳାସ ଅତି ଅଳ୍ପ ସମୟରେ ଶେଷ ହୋଇଯାଉଥିଲା | ସେଦିନ ସେ ସାର୍ବଭୌମତ୍ବ (sovereignty) ସମ୍ପର୍କରେ ନିଜ ବକ୍ତୃତା ଆରମ୍ଭ ପୂର୍ବରୁ ହଠାତ ଜଣେ ଶିକ୍ଷାର୍ଥୀଙ୍କୁ ସାର୍ବଭୌମତ୍ବ ସମ୍ପର୍କରେ ତାଙ୍କ ଜ୍ଞାନ ସମ୍ପର୍କରେ ଜାଣିବାକୁ ଚାହିଁଲେ | ଆମ ସହପାଠୀ ଶିକ୍ଷାର୍ଥୀ ଜଣକ ଅତ୍ୟନ୍ତ ମେଧାସମ୍ପନ୍ନ ଥିଲା | ହୁଏତ ଡକ୍ଟର ଦାଶଙ୍କ ଅତର୍କିତ ଚୟନ ତାକୁ କିଛିମାତ୍ରାରେ ବିଚଳିତ କରିଥିଲା | ସେ କିନ୍ତୁ ଦମ୍ଭର ସହିତ ସାର୍ବଭୌମତ୍ବ ସମ୍ପର୍କରେ ପ୍ରାୟ ତିନି ଚାରିଜଣ ଦାର୍ଶନିକ କଣ କହିଥିଏ ତାହା କହିବାରେ ଲାଗିଲା | ଡକ୍ଟର ଦାଶ ଧୈର୍ଯ୍ୟଚ୍ୟୁତ ହେଲେ ଏବଂ ଉଚ୍ଚସ୍ୱରରେ କହିଲେ " ହଉ , ଏତେଗୁଡ଼େ ଦାର୍ଶନିକଙ୍କ ସାର୍ବଭୌମତ୍ବ ର ସଜ୍ଞା ଶୁଣିଲି ; ମୁଁ କିନ୍ତୁ ଚାହୁଁଛି ଜାଣିବା ପାଇଁ ଯେ ତୁ ନିଜେ ସାର୍ବଭୌମତ୍ବ ବିଷୟରେ ଯାହା ବୁଝିଛୁ ନିଜ ଭାଷାରେ ମୋତେ କହିବୁ |" ସେତେବେଳକୁ ଆମ ସହପାଠୀ ଝାଳନାଳ ହେଇ ଯାଇଥିଲା | ମୁଁ ସେଦିନ ଶିକ୍ଷାର ଉଦ୍ଦେଶ୍ୟ ବୁଝିଲି | ଶୁଆ ପରି କୌଣସି ଶବ୍ଦ ନବୁଝି କଣ୍ଠସ୍ଥ କରି ଆମେ ଜ୍ଞାନ ଆହରଣ କରୁନି | କୌଣସି ବିଷୟର ଜ୍ଞାନ ଉପଲବ୍ଧ ହୋଇଥାଏ ଯେତେବେଳେ ସେହି ବିଷୟଟି ଆମ ମେଧାଶକ୍ତିର ନିୟନ୍ତ୍ରଣକୁ ଆସେ ଏବଂ ଆମ ଭାଷାରେ ଆତ୍ମପ୍ରକାଶ କରିଥାଏ | ସେଦିନ ଡକ୍ଟର ଦାଶଙ୍କ ପ୍ରକୃତ ଶିକ୍ଷା ସେହି ଦୁଇପଦ ଉପଦେଶରେ ଅନ୍ତର୍ନିହିତ ଥିଲା | ଆଜିଯାଏ ଅନେକ ସ୍ଥାନରେ ଶିକ୍ଷାର୍ଥୀ ମାନଙ୍କୁ ମୁଁ କିଛି ଉପଦେଶ ଦେବାବେଳେ ଏହି ଦୃଷ୍ଟାନ୍ତର ଅବତାରଣା କରିଥାଏ |

****** 

No comments:

Post a Comment