Monday 3 December 2018

ଆମେ ସୋସାଲ ମିଡିଆକୁ କିପରି ବ୍ୟବହାର କରୁଚୁ

ମୋର ଜଣେ ବନ୍ଧୁ ଆମେ ସୋସାଲ ମିଡିଆକୁ କିପରି ବ୍ୟବହାର କରୁଚୁ ସେ ବିଷୟରେ ସଂକ୍ଷେପରେ ମୋ ମତ ଜାଣିବାକୁ ଇଛାକଲେ | ଏକ ବ୍ୟାପକ ପ୍ରସଂଗକୁ ଚୁମ୍ବକରେ ଉପସ୍ଥାପିତ କରିବା ମୋ ପାଇଁ ସହଜ ହେଇନଥିଲା | ତଥାପି ବନ୍ଧୁଂକୁ ଯାହା କହିଲି ତାକୁ ନିମ୍ନରେ ଉଲ୍ଲେଖ କରୁଚି ----
ଅନେକେ ନିଜ ପରିବେଶର ଉନ୍ନତି ଓ ଦୈନନ୍ଦିନ ଜୀବନର ସୁବିଧା ଅସୁବିଧା ସମ୍ପର୍କରେ ଉଲ୍ଲେଖ କରନ୍ତି ଏବଂ ଆଶା କରନ୍ତି ସମ୍ପୃକ୍ତ କର୍ତ୍ତୃପକ୍ଷ ଶୀଘ୍ର ସମସ୍ୟା ମାନଂକର ପ୍ରତିକାର କରିବେ | ଶାସନ ମୁଖ୍ୟ ମଧ୍ୟ ସୋସାଲ ମିଡିଆ ରେ ଆଲୋଚିତ ପ୍ରସଂଗ ମାନଂକୁ ଗୁରୁତ୍ବ ଦେବାପାଇଁ ନିର୍ଦେଶ ଦେଇଥାନ୍ତି | ଏଭଳି ଆଭିମୁଖ୍ୟ ଅନେକ ବ୍ୟକ୍ତିଂକୁ ବିଭିନ୍ନ ସମସ୍ୟା ଉତ୍ଥାପନ ପାଇଁ ଆଗ୍ରହୀ କରିଥାଏ | କିନ୍ତୁ ସମସ୍ୟା ସମାଧାନ ସମ୍ପର୍କରେ କ୍ବଚିତ ତତ୍ପରତା ପରିଲକ୍ଷିତ ହୋଇଥାଏ.; ବରଂ ସୁପ୍ରିମୋ ମାନେ ନିଜେ ସୋସାଲ ମିଡିଆରେ ତତ୍ପର ହୋଇ ଅନର୍ଗଳ ସନ୍ଦେଶ ଦେବାରେ ଲାଗି ପଡନ୍ତି | ଏକ ବାତାବରଣ ସୃଷ୍ଟି ହୁଏ ଯେପରି ସୋସାଲ ମିଡିଆ ସମସ୍ତଂକ କହିବାପାଇଁ ଏକ ମାଧ୍ୟମ ; ଏହା ଶୁଣିବା ପାଇଁ ବା ଶୁଣି ପ୍ରତିକାର ପାଇଁ ନୁହେଁ |
ଜଣେ ନିଜ ଘରପାଖ ନାଳକୁ ଆବର୍ଜନାମୁକ୍ତ କରିବା ପାଇଁ ସୋସାଲ ମିଡିଆ ମାଧ୍ୟମରେ ବାରମ୍ବାର ଅନୁରୋଧ କରି ହତାଶ ହେଲାପରେ ସେ ବିଶ୍ବ ସମସ୍ୟା ; ପୁନ୍ଜିବାଦ ; ରୁଢିବାଦ ; ଗେରୁଆ ବାଦ , ସେକୁଲାର ବାଦ ଇତ୍ୟାଦି ସମ୍ପର୍କରେ ଅବିଶ୍ରାନ୍ତ ଲେଖି ଚାଲେ | ସେ ବୁଝିପାରେନି ଯେ ଯଦି ତା କଥା ଡାକେବାଟରେ ଥିବା ପୌରସଂସ୍ଥା ଶୁଣୁନି ତେବେ ତା କଥା ରାଷ୍ଟ୍ରପତି ଟ୍ରମ୍ପ କେମିତି ଶୁଣିବେ | ଟ୍ରମ୍ପ ନଶୁଣିଲେ ବି ଅନେକେ ଅଂଟାଭିଡି ସେହି ପ୍ରସଂଗରେ ଯୁଦ୍ଧ ଡାକରା ଦେଇ ପୁଳେ ଲେଖି ପକାନ୍ତି ଏବଂ ବାକ୍ୟ ଯୁଦ୍ଧ ଚାଲୁ ହେଇଯାଏ |
ଆଉ କେତେ ଅନ୍ୟମାନଂକୁ ନିଜ ଅଭିଜ୍ଞତା, ଉପଲବ୍ଧି ସମ୍ପର୍କରେ କହିବାକୁ ପସନ୍ଦ କରନ୍ତି |ଅନେକେ ଏହା ପସନ୍ଦ କରନ୍ତି ଏବଂ ପ୍ରେରଣା ପାଆନ୍ନ୍ତି; କିନ୍ତୁ ଅନେକେ ବି ଏହାକୁ ଆତ୍ମ ପ୍ରଶଂସା ଭାବି ନାପସନ୍ଦ କରନ୍ତି ; ସେମାନେ ଉପଲବ୍ଧି ,ଜ୍ଞାନ ବା ଅନୁଭୁତିର ପ୍ରସାର ଚାହାନ୍ତି ନାହିଁ , ଚାହାନ୍ତି ଅଜ୍ଞତାର ଆଧିପତ୍ୟ |
ଆଉ କେତେକ ତାଂକ ପୋଷାକ, ହସ, ଜନ୍ମଦିନ, ବିବାହ ବାର୍ଷିକୀ ଇତ୍ୟାଦି ପ୍ରକାଶ କରି ନିଜେ ଆନନ୍ଦିତ ହୁଅନ୍ତି ଏବଂ ତାଂକ ଅନ୍ତରଂଗଂକୁ ଆନନ୍ଦ ଦିଅନ୍ତି |
ସୋସାଲ ମିଡିଆ ଅନେକ ଘଟଣା ଏବଂ ସମସ୍ୟା ଉପସ୍ଥାପିତ କରିଥାଏ ଯାହା ଆମ ସମ୍ବାଦପତ୍ର ବା ଚବିଶ ଘଣ୍ଟିଆ ଟିଭି ଚାନେଲ ପ୍ରକାଶ କରିବାରେ ରୁଚି ରଖନ୍ତି ନାହିଁ | ଅନେକ ସମ୍ବେଦନଶୀଳ ; ସ୍ପର୍ଶକାତର ଘଟଣା ହୁଏତ ନ୍ୟସ୍ତସ୍ବାର୍ଥ ଶକ୍ତିଂକ କରାମତି ଯୋଗୁଁ ଲୋକଙ୍କ ପାଖରେ ପହଂଚି ନଥାନ୍ତା | ହୁଏତ ଏହି ଶକ୍ତି ସୋସାଲ ମିଡିଆ ର ବିଶେଷତ୍ବ ଏବଂ ଆବଶ୍ୟକତା ପ୍ରତିପାଦିତ କରିଥାଏ |
ସୋସାଲ ମିଡିଆରେ ଆମ ବ୍ୟକ୍ତିଗତ ଓ ସାମୁହିକ ଚରିତ୍ର ପ୍ରତିଫଳିତ ହୁଏ | ସାମୁହିକ ବା ବ୍ୟକ୍ତିଗତ କ୍ଲେଶ ଉପଶମ ପାଇଁ ଆମ ସରକାର ଏହି ମାଧ୍ୟମକୁ ଆଗ୍ରହରେ ଗ୍ରହଣ କରିଥିବା ମନେହୁଏନାହିଁ ; ନା ନାଗରିକର କୌଣସି ଉପାଦେୟ ପ୍ରସ୍ତାବ ସରକାର ଗ୍ରହଣ କରିବାର ମାନସିକତା ପ୍ରଦର୍ଶନ କରୁଥିବା ହୃଦବୋଧ ହୋଇଥାଏ |

********  
3rd December, 2017

No comments:

Post a Comment