Friday 14 September 2018

ପରିଣତ ବୟସରେ ଘରଘର ର କାହାଣୀ


ପରିଣତ ବୟସରେ ଘରଘର ର କାହାଣୀ


କାଲି ଏକାଦଶୀ ଯୋଗୁଁ ମୋ ବନ୍ଧୁ ଉପବାସରେ ଥିଲେ ; ତେଣୁ ଆଜି ପ୍ରାତଃଭ୍ରମଣରେ ନଆସି ସକାଳେ କିଛି ଅଧିକ ସମୟ ବିଶ୍ରାମ ନେବା ଆବଶ୍ୟକତା ବିଷୟରେ ସେ ମୋତେ କାଲି ସୁଚନା ଦେଇଥିଲେ | ତେଣୁ ଆଜି ସକାଳବୁଲା ଏକୁଟିଆ କରିବାକୁ ହେଇଥିଲା ଏବଂ ମନ୍ଦିର ଉଦ୍ୟାନରେ ଅନେକ ଚିହ୍ନା ଲୋକଂକୁ ବନ୍ଧୁଂକ ଅନୁପସ୍ଥିତି ର କାରଣ ସମ୍ପର୍କରେ ବୁଝାଇବା ଆବଶ୍ୟକ ହେଇଥିଲା | ସତକଥା ନ କହି ସେ ବାହାରକୁ ଯାଇ ଥିବା କହି ଜଣକୁ ବୁଝାଇବା ପରେ ଅନ୍ୟ କାହାକୁ ହସିହସି ବନ୍ଧୁ ଛୁଟିରେ ଥିବା କହିଲି | ଯାହାହେଉ ବୁଲା ସରିଲା ଓ ମୁ ଘର ଆଡକୁ ଚାଲୁଥିଲି | ପଛରୁ ଗୋଟିଏ ବାଇକ୍ ମୋ ଆଡକୁ ଆସୁଥିବା ଜାଣିଲି | ଗୋପାଳ ବଡପାଟିରେ ନମସ୍କାର କଲା ; ମୁ ପଛକୁ ବୁଲି ତା ଆଡେ ଚାହିଁ ତା ଅଭିବାଦନ ଗ୍ରହଣ କଲି | ମୋ ଅନୁମାନ ଠିକ୍ ଥିଲା | ସେ ମାଚ୍ଛ କିଣିବାକୁ ବରଗଡ ହାଟକୁ ଯାଉଥିଲା | ଆଜି ସେ ତା ପସନ୍ଦର ଭାକୁଡ କିଣିବନି | ତା ଗୃହିଣୀ ତାକୁ ଚୋପାଛଡା ଚିନ୍ଗୁଡି ଆଉ ମାଗୁର ମାଛ ଆଣିବା ପାଇଁ ବରାଦ ଦେଇଛନ୍ତି | ଚିନ୍ଗୁଡି କଖାରୁ ଡଂକ ଓ ସାଗରେ ପଡିବ | ଗୋପାଳ କଖାରୁ ଡଂକ ଓ ସାଗ କିଣି ସାରିଚି | ମୁ ତା ସଉଦା ବିଷୟରେ ଆଗ୍ରହ ଦେଖେଇବାରୁ ସେ ଭାରି ଖୁସି ହେଲା ଆଉ ଗପିବା ଆରମ୍ଭ କରିଦେଲା | କହିଲା " ଆମ ଯାଜପୁର ଲୋକମାନଂକ ଖିଆ ନିଆରା | ଆମଭଳି କିଏ ଖାଇବ ନା ଆମ ପସନ୍ଦ ର ଖିଆ କଉଠି ମିଳିବ |" ସେ ୧୯୬୬ ସାଲରେ ଭବାନୀପାଟଣା ରେ ଚାକିରୀ କରୁଥିଲା : ଗଣ୍ଡେ ଭଲ ଖାଇବା ସପନ ଥିଲା | ବହୁ କଷ୍ଟରେ ଗୋଟେ ଯାଜପୁର ଆଡର ହୋଟେଲ୍ ପାଇଲା ; କିନ୍ତୁ ଘର ସୁଆଦ ପାଇଲାନି | ଆଜି ତାର ମୁଗୁରା ରେ ଧରା ଚୁନା ମାଚ୍ଛ ଆମ୍ବିଳ ମନେପଡିଲା | ମୁ ଶୁଣୁଥାଏ ଆଉ ହସୁ ଥାଏ | ତାର ଯେଉଁ ବୋହୁଟି ଦିଲ୍ଲୀର ଝିଅ , ତାକୁ ମୋଟେ ଆମଆଡ଼ ରନ୍ଧା ମାଲୁମ୍ ନାହିଁ | କହିଲା, "ସେମାନଂକ ଖିଆରେ ନା ସୁଆଦ ଅଛି ନା ଦଶ ବାର ପ୍ରକାରର ଭଜା, ତରକାରି ଅଛି | ଡାଲି ଆଉ ଆଚାର ହେଲେ ବହୁତ ହେଲା |" ମୁ କହିଲି " "ଗୋପାଳ , ତୁମ ମାଗୁର ସରିଯିବ |" ସେ ହସିଲା ; ଆଉ ସ୍କୁଟି ଚଲେଇ ଚାଲିଗଲା |
ଆଉ ଦିନକର କଥା | ରାମବାବୁ ମୋ ବୟସର ; ସବୁଦିନ ଭଳି ସେଦିନ  ସକାଳେ ବି ମନ୍ଦିର ଉଦ୍ୟାନରେ ଦେଖାହେଲା | ସେତେବେଳକୁ ସେ ବଗିଚାରେ ପ୍ରବେଶ କରୁଥିଲେ, ଆଉ ଆମେଦିହେଁ --- ମୁଁ ଓ ମୋ ବନ୍ଧୁ -- ବଗିଚାରୁ ବାହାରୁଥିଲୁ | ଅଧିକାଶଂକ ଭଳି ରାମବାବୁ ମଧ୍ୟ ମନ୍ଦିର ପରିବେଶରେ ପଶିବା ସଂଗେସଂଗେ ମନ୍ଦିର ଚୁଳରେ ଉଡୁଥିବା ନେତ ଆଡେ ଚାହିଁ ନମସ୍କାର କରୁଥିଲେ | ତାପରେ ତାଂକ ଦୃଷ୍ଟି ଆମେ ଆଡେ ପଡିଲା | ତାଂକ ହସ ମୁହଁ ଭିତରେ ସେ କିଛି ଚୋବାଉଥିବା ଲକ୍ଷ୍ଯକଲି ; ଭାବିଲି ତାଂକ ହସର ଅଧା କାରଣ ମୋତେ ଦେଖିବାରେ; ଆଉ ଅଧା, ଚୋବାଉଥିବା ଲବଂଗ ବା ମସଲାର ସ୍ବାଦରେ | ସେ ଯାହାହେଉ , ନମସ୍କାର, ପ୍ରତି ନମସ୍କାର ଉପଚାର ସରିବା ମାତ୍ରକେ ମୁଁ ପଚାରିଲି," ରାମବାବୁ , ଆଜି ଘରେ ଘାଣ୍ଟ ତରକାରି ହଉଚି ତ ?" ସେ କହିଲେ, " ଘାଣ୍ଟ ତରକାରି କରିବ କିଏ ? ବୋହୁ ତ ତରତର ହେଇ ସକାଳୁ ସ୍କୁଲକୁ ଯିବ | ଆମେ ଘାଣ୍ଟ ତରକାରି ପର୍ବଟି ରବିବାରରେ ପାଳିବାକୁ ଠିକ କରିଚୁ | ଆଜି ଯଥାକଥା ରେ ଚଳେଇ ଦେବୁ |" ମୋ ବନ୍ଧୁ ଶୁଣିଲେ; ଆଉ କହିଲେ, " ଆପଣ କହିବାରୁ ଘାଣ୍ଟତରକାରି ଆଜି ହବା କଥା ଜାଣିଲି ; ଅସୁସ୍ଥତା ଯୋଗୁଁ, ମୋ ପତ୍ନୀ ବୋଧେ ମନେ ରଖି ପାରିନାହାନ୍ତି |"
ଏଇ ହେଲା ଘରଘର ର କାହାଣୀ | ପରିସ୍ଥିତି ଅନେକ ମାତ୍ରାରେ ଆମକୁ ନିୟନ୍ତ୍ରିତ କରୁଚି | କିନ୍ତୁ ଆମକୁ ଖୁସିରେ ବଂଚିବାକୁ ହେବ |

*********  

1 comment:


  1. The last line Sir is very very emotional


    ଆମେ ଘାଣ୍ଟ ତରକାରି ପର୍ବଟି ରବିବାରରେ ପାଳିବାକୁ ଠିକ କରିଚୁ | ଆଜି ଯଥାକଥା ରେ ଚଳେଇ ଦେବୁ |" ମୋ ବନ୍ଧୁ ଶୁଣିଲେ; ଆଉ କହିଲେ, " ଆପଣ କହିବାରୁ ଘାଣ୍ଟତରକାରି ଆଜି ହବା କଥା ଜାଣିଲି ; ଅସୁସ୍ଥତା ଯୋଗୁଁ, ମୋ ପତ୍ନୀ ବୋଧେ ମନେ ରଖି ପାରିନାହାନ୍ତି |" ଏଇ ହେଲା ଘରଘର ର କାହାଣୀ | ପରିସ୍ଥିତି ଅନେକ ମାତ୍ରାରେ ଆମକୁ ନିୟନ୍ତ୍ରିତ କରୁଚି | କିନ୍ତୁ ଆମକୁ ଖୁସିରେ ବଂଚିବାକୁ ହେବ |


    Great post

    ReplyDelete