Wednesday 26 September 2018

ଆମ ଦେଶର ବୟସ୍କଙ୍କ ଭୂମିକା

    ୨୦୧୧ ଜନଗଣନା ଅନୁଯାୟୀ ଆମ ଦେଶରେ ପ୍ରାୟ ଦୁଇକୋଟି ପାଞ୍ଚ ଲକ୍ଷ ଲୋକ ଙ୍କ ବୟସ ୭୫ ବର୍ଷ ବା ଅଧିକ | ସେମାନଙ୍କ ଭିତରୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯଦି ଆମେ ଏକ କୋଟି ଲୋକଙ୍କୁ କର୍ମଠ ଗୋଷ୍ଠୀରୁ ବାଦ ଦେବା ତେବେବି ପ୍ରାୟ ଏହି ବୟସ ସୀମା ଭିତରେ ଥିବା ଏକକୋଟି ଲୋକ ଦେଶରେ ସକ୍ରିୟ ଅବସ୍ଥାରେ ଅଛନ୍ତି | ବିଶ୍ବରେ ଶତାଧିକ ଦେଶର ସମୁଦାୟ ଲୋକସଂଖ୍ୟା ଏକ କୋଟିରୁ କମ | ଏମାନଙ୍କ ମଧ୍ୟରେ ସିଙ୍ଘାପୁର , ସ୍ୱିଡ଼େନ , ସ୍ୱିଜରଲାଣ୍ଡ , ଇଜରାଇଲ, ଡେ଼ନମାର୍କ ଭଳି ସମୃଦ୍ଧ ଦେଶ ଅନ୍ୟତମ | ଆମ ଦେଶର ଏହି ବର୍ଷୀୟାନ କିନ୍ତୁ କର୍ମଠ ଏକକୋଟି ଲୋକେ କଣ କରିବା ଆବଶ୍ୟକ ? ସେମାନଙ୍କ ମଧ୍ୟରୁ ହୁଏତ ଅନେକେ ଶାନ୍ତିରେ ପରିବାର ସହିତ ବସବାସ କରି ରହିବା ପସନ୍ଦ କରିବେ ; ଅନେକେ ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ଥିବେ | ଅନେକେ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ଲିପ୍ତ ରହିଥିବେ | ଅନେକେ ମାର୍ଗଦର୍ଶକ ଭାବରେ ବିଭିନ୍ନ ସମସ୍ୟାରେ ନିଜ ପରାମର୍ଶ ଦେଉଥିବେ | ଏମାନଙ୍କ ସହଯୋଗରେ ସମାଜ ଉପକୃତ ହେବା ଆଶା କରାଯାଏ | ଆମେ ଯଦି ତାଙ୍କପ୍ରତି ଅସହିଷ୍ଣୁ ଭାବ ପ୍ରଦର୍ଶନ କରିବା ସେମାନେ ହୁଏତ ବାଧ୍ୟ ହୋଇ ମୌନତା ବା ନିଷ୍କ୍ରିୟତା ପ୍ରଦର୍ଶନ କରିବେ | ଏଭଳି ମନୋଭାବ କିନ୍ତୁ ସମାଜ କୁ ସମୃଦ୍ଧ କରିବନି ; ବରଂ ଅସହିଷ୍ଣୁ ଭାବର ପ୍ରସାର କରିବ | କନିଷ୍ଠ ପିଢ଼ି ବୟସ୍କ ମାନଙ୍କ ପାଇଁ ଉପଯୁକ୍ତ ଭୂମିକା ନିରୂପଣ କରିବା ଆବଶ୍ୟକ ; ତାଙ୍କୁ ଗଠନ ମୂଳକ କାର୍ଯ୍ୟରେ ସହାୟତା ପ୍ରଦାନ କରିବା ବାଞ୍ଛାନିୟ ହେବ ; ତାଙ୍କୁ ମୌନ ରହିବାକୁ କହିବା ହୁଏତ ଠିକ ହେବନି | ବୟସ୍କ ଗୋଷ୍ଠୀ ମଧ୍ୟ କନିଷ୍ଠଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଅଶୋଭନୀୟ ; ସେମାନେ ଏହିଭଳି କାର୍ଯ୍ୟରୁ କ୍ଷାନ୍ତ ହେବା ନିତାନ୍ତ ଆବଶ୍ୟକ |

****** 

No comments:

Post a Comment