Thursday 20 September 2018

ମୋର ଜଣେ ସ୍ପଷ୍ଟବାଦୀ ବନ୍ଧୁ


ମୋର ଜଣେ  ସ୍ପଷ୍ଟବାଦୀ ବନ୍ଧୁ


ମୋର ଜଣେ ବନ୍ଧୁ ସ୍ପଷ୍ଟବାଦୀ | ଅପ୍ରିୟ ସତ୍ୟ ମଧ୍ୟ ବ୍ୟକ୍ତ କରିବାରେ ତାଙ୍କର ଦ୍ଵିଧା ନଥାଏ | ରାଜନୀତି ରେ ଯୋଗ ଦେବା ପୂର୍ବରୁ କେନ୍ଦ୍ର ସରକାର ରେ ଉଚ୍ଚ ପଦବୀ ଅଳଙ୍କୃତ କରିଥିଲେ | କେତେବର୍ଷ ହେବ ସକ୍ରିୟ ରାଜନୀତିରେ ଅଛନ୍ତି |
 ଆମେ ଆଲୋଚନା କରୁଥିବା ବେଳେ ମୁଁ କହିଲି ," ଆମ ଜନମଙ୍ଗଳ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ଯୋଗାଉଛନ୍ତି ;ଫଳରେ ଆମ ରାଜ୍ୟରେ ଲୋକେ ଆନନ୍ଦରେ ରହୁଛନ୍ତି ଏବଂ ଶାସକ ଦଳ ଲୋକପ୍ରିୟତାର ଶୀର୍ଷ ସ୍ଥାନରେ ରହିବା ସମ୍ଭବ ହେଇପାରିଛି |"
ଏହି କଥା ଶୁଣି କହିଲେ " କେବଳ ଆମ ରାଜ୍ୟରେ ନୁହେଁ; ଅନେକ ରାଜ୍ୟରେ ଏହିଭଳି ବ୍ୟବସ୍ଥା ରହିଛି ; କିନ୍ତୁ ନିର୍ବାଚନ ପରେ ଅନ୍ୟ ଦଳ କ୍ଷମତାକୁ ଆସୁଛନ୍ତି | ଓଡିଶା ରେ କିନ୍ତୁ ଆମ ରାଜନୈତିକ ଶକ୍ତିମାନେ ଲୋକମାନଙ୍କୁ ସବୁକଥା ଭଲ ଭାବରେ ବୁଝାଇ ପାରୁନାହାନ୍ତି ; ଫଳରେ ଲୋକେ ଭାବୁଛନ୍ତି ଓଡିଶା ନେତୃତ୍ୱ ଅନନ୍ୟ ଏବଂ ଓଡ଼ିଶାରେ ହିଁ କେବଳ ଏତେ ଜନମଙ୍ଗଳ କାମ ହେଇପାରିଛି |"

 ସେ ମୋତେ କେତୋଟି ପାଲଟା ପ୍ରଶ୍ନ ପଚାରିଲେ  | କହିଲେ " ଆମ ସରକାର ଆଇନରେ ବ୍ୟବସ୍ଥା କରିଛନ୍ତି ଯେ କେତୋଟି ସେବା ନାଗରିକ ମାନଙ୍କୁ ନିର୍ଦ୍ଧାରିତ ସମୟ ରେ ମିଳିବ | ଆମେ ଏହି ବ୍ୟବସ୍ଥା ର କାର୍ଯ୍ୟକାରିତା ସମ୍ପର୍କରେ ଉଦାସୀନ ରହୁଚୁ | ଜନ୍ମ ସାର୍ଟିଫିକେଟ କେତେଜଣଙ୍କୁ ନିର୍ଦ୍ଧାରିତ ସମୟରେ ମିଳୁଛି ? ମ୍ୟୁଟେସନ କେତେଜଣଙ୍କ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ସୀମାରେ ହେଇ ପାରୁଛି ? ଆମ ଦେଶରେ ଅନେକ ଆଇନ ଅଛି ; କିନ୍ତୁ ପ୍ରତିପାଳନ କିଭଳି ହେଉଛି ? ଯେଉଁ ରାଜ୍ୟରେ ସଚେତନତା ଅଧିକ ସେଇ ରାଜ୍ୟରେ ନାଗରିକ
ମାନେ  ଠିକ ସମୟରେ  ସେବା ପାଇପାରୁଛନ୍ତି | ଅନେକ ଜାଗାରେ ବିନା ଉତ୍କୋଚରେ କାମ ହେଉନାହିଁ | ନାଗରିକ ହନ୍ତସନ୍ତ ହେଉଛନ୍ତି | ରାଜନୈତିକ ଶକ୍ତି ମାନେ ପ୍ରଶାସନର ପ୍ରକୃତ ମାନ  କିପରି ଏବଂ ଲୋକେ କିଭଳି ତାଙ୍କ ପ୍ରାପ୍ୟ ଠିକ ସମୟରେ ପାଇବେ ସେଦିଗରେ ସକ୍ରିୟତା ଦେଖାଇବା ଆବଶ୍ୟକ | ନହେଲେ କେବଳ ପ୍ରଚାର ସର୍ବସ୍ବ ପ୍ରଶାସନ ରାଜତ୍ୱ କରିବ, ଆଉ ଆମେ ବିକାଶ ଆଡକୁ ଆଗେଇବା ବିଳମ୍ବ ହେବ |  "

ଆଉ କହିଲେ , " ଦିଲ୍ଲୀ ସରକାର ସରକାରୀ ସ୍କୁଲ ମାନଙ୍କର ମାନ ଆଉ କାୟା ବଦଳେଇଦେଲେ ; ଭୁବନେଶ୍ୱର ସହରରେ ସରକାରୀ ହାଇସ୍କୁଲ ମାନଙ୍କର ସ୍ଥିତି କିନ୍ତୁ ବଦଳି ପାରିନି : ଗାଁ ସ୍କୁଲ ଅବସ୍ଥା ନକହିଲେ ଭଲ |ଆମ ପିଲାମାନେ ଉପଯୁକ୍ତ  ଶିକ୍ଷା ଲାଭରୁ ବଂଚିତ ହେବା ଉଚିତ ନୁହେଁ | ସରକାରଙ୍କ ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନତା ଆବଶ୍ୟକ | ଦିଲ୍ଲୀରେ ନାଗରିକ ମାନଙ୍କୁ ଘର ଦୁଆରରେ ରାସନ ମିଳିବା ବ୍ୟବସ୍ଥା ହେଲାଣି | ବିଜୁଳି ଦର , ପାଣି ଦର  କମିଲାଣି    |  ଏଇଠି ଆମେ ସେଭଳି ସଫଳତା ଆଣିପାରିଲେ ଲୋକେ ଉପକୃତ ହୁଅନ୍ତେ  | "

ମୁଁ ତାଙ୍କୁ ଶୁଣିଲି ; ମନେମନେ ଭାବିଲି ବନ୍ଧୁ ଯାହା କହୁଛନ୍ତି ସେଥିରେ ଦ୍ବିମତ ହେବାର ଅବକାଶ ନାହିଁ | କିନ୍ତୁ ସେ ଏହି କାମ ଏକୁଟିଆ କରିବେ କେମିତି ? ଏହା କରିବା ପାଇଁ  ଅନେକ ବ୍ୟକ୍ତିଙ୍କ ପ୍ରୟାସ ଆବଶ୍ୟକ | ଆମେ ଯଦି ପ୍ରସ୍ତୁତ ନହେବା, ପରିବର୍ତ୍ତନ ଛାଏଁ ଆସିବନି |

*********  

No comments:

Post a Comment