Tuesday 18 September 2018

ସାତକୋଶିଆ ଅରଣ୍ୟର ସୁନ୍ଦରୀ ବାଘୁଣୀ

ମୁଁ ବନ୍ୟପ୍ରାଣୀ ବିଶେଷଜ୍ଞ ନୁହେଁ | କିନ୍ତୁ ଆଜି ପ୍ରାତଃଭ୍ରମଣ କରୁଥିବା ବେଳେ ମଧ୍ୟପ୍ରଦେଶର ବାଂଧବଗଡ ଅରଣ୍ୟରୁ ସାତକୋଶିଆ ଅରଣ୍ୟକୁ ଅଣା ଯାଇଥିବା ସୁନ୍ଦରୀ ବାଘୁଣୀ ବିଷୟ କେଜାଣେ କାହିଁକି ମନକୁ ଆସିଲା | ଏହି ବାଘୁଣୀ ସମ୍ପର୍କରେ ଚର୍ଚ୍ଚା ଅବ୍ୟାହତ ରହିଛି | ହୁଏତ ସେଥିପାଇଁ ମୋର ସୁପ୍ତ ମାନସରେ ଅବସ୍ଥାନ କରୁଥିବା ସୁନ୍ଦରୀ ଆଜି ସକାଳେ ମୋର ଜାଗ୍ରତ ମାନସରେ ଆତ୍ମପ୍ରକାଶ କଲା | ତାର ଭବିଷ୍ୟତ ସମ୍ପର୍କରେ ମୁଁ ଚିନ୍ତିତ ହେଲି | " ସୁନ୍ଦରୀ କେଉଁଠି ରହିବ ?" ଏହି ପ୍ରଶ୍ନ ମୋତେ ଆକ୍ରାନ୍ତ କଲା | " ଯେଉଁ ମହିଳା ସୁନ୍ଦରୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଖବର ପ୍ରକାଶିତ ହୋଇଛି ତାଙ୍କ ପାର୍ଥିବ ଶରୀର ପରୀକ୍ଷା ହୋଇ ମୃତ୍ୟୁ ର ସଠିକ କାରଣ ନିରୂପଣ ହେଲାଣି କି ?" ଏହି ପ୍ରଶ୍ନ ମଧ୍ୟ ଉଠିଲାଣି | ମୁଁ ଭାବିଲି ଜନ ଆକ୍ରୋଶ ଫଳରେ ସୁନ୍ଦରୀଙ୍କୁ କଣ ବାଂଧବଗଡକୁ ସ୍ଥାନାନ୍ତର କରାଯିବ ? ହଠାତ ମନେ ପଡିଲା ସାତକୋଶିଆ ଅରଣ୍ୟର ସେହି ଚତୁର ବ୍ୟାଘ୍ର କଥା ଯିଏ ସାତକୋଶିଆ ଜଙ୍ଗଲରୁ ଲୁଚିଲୁଚି ନନ୍ଦନକାନନ ପହଂଚିଗଲା | ଆଜି ସେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବାସ କରୁଛି | ସୁନ୍ଦରୀ କଣ ସେମିତି ଦିନେ ହଠାତ ନନ୍ଦନକାନନ ରେ ଆତ୍ମପ୍ରକାଶ କରି ସମସ୍ତଙ୍କୁ ଚକିତ କରିବ ? ଯଦି ସେୟା ହୁଏ; ମିଡିଆରେ ପୁଣି ସୁନ୍ଦରୀ ବାବଦରେ ବହୁତ ଚର୍ଚ୍ଚା ହେବ | ଏମିତି ଭାବନାରେ ଛନ୍ଦିହେଇ ମୁଁ ଚାଲୁଥାଏ ; ହଠାତ ଗୁଡ଼େ ବୁଲାକୁକୁର ସକାଳର ନିରୋଳା ରାସ୍ତାରେ ମୋ ପାଖଦେଇ ଦୌଡ଼ି ଗଲେ ; ମୁଁ ଚମକି ପଡି ପ୍ରକୃତିସ୍ଥ ହେଇ ଅନ୍ୟ କଥା ଭାବି ଆଗକୁ ଚାଲିଲି |

*******
17th September, 2018

No comments:

Post a Comment