Thursday 20 September 2018

ଯୁବକ ଗାଡିଚାଳକ

ଗୋଟିଏ ଉଚ୍ଚଶିକ୍ଷା ଅନୁଷ୍ଠାନ ର ଏକ ଗୁରୁତ୍ବପୁର୍ଣ ମିଟିଙ୍ଗରେ ଯୋଗଦେବାକୁ ଯାଉଥିଲି | ଅନୁଷ୍ଠାନର ଜଣେ ଅଧିକାରୀ ମୋତେ ନେବାପାଇଁ ଆସିଥିଲେ | ସେଦିନ ରବିବାର ହୋଇଥିବା ସତ୍ତ୍ୱେ ରାସ୍ତାରେ ଭିଡ ଥିଲା | ଯୁବକ ଗାଡିଚାଳକ ସାବଧାନ ହେଇ ଗାଡି ଚଳାଉଥିବା ଲକ୍ଷ୍ୟ କଲି | ଚାଳକର ଦାୟିତ୍ୱବୋଧ ମୋତେ ଭଲ ଲାଗିଲା | ଦେଖିଲି ଗୋଟିଏ ବାଇକ ଚାଳକ ଲୁହାଟୋପି ପିନ୍ଧି ଅନ୍ୟମନସ୍କ ଭାବରେ ବାଇକ ଚଳାଉଛି | ଆମ ଯୁବକ ଚାଳକ କହିଲା," ରାସ୍ତାରେ ଏଇଭଳି ଚାଳକ ସମସ୍ୟା ସୃଷ୍ଟି କରୁଛନ୍ତି | ଲୁହାଟୋପି ଭିତରେ ଇଅରଫୋନ ଲଗେଇ ଗପୁଛନ୍ତି , ନହେଲେ ଗୀତ ଶୁଣୁଛନ୍ତି | ଲୁହାଟୋପି ଭିତରେ ଏମିତି କାରସାଦି ଯୋଗୁଁ ପୁଲିସ ବି ଅସୁବିଧାରେ ପଡୁଛନ୍ତି |" ତା ମତାମତ ମୋତେ ଭଲ ଲାଗିଲା | ଯାହାହେଉ , ଆମେ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଂଚିଲୁ | କାମ ସରିବାପରେ ମୁଁ ଘରକୁ ଫେରିଲି | ସେହି ଅଧିକାରୀ ଆସିବାପାଇଁ ପ୍ରସ୍ତୁତ ହେଉଥିଲେ | ତାଙ୍କୁ ବାରଣ କଲି |
ସେହି ଯୁବକ ଡ୍ରାଇଭର ସହିତ ଫେରୁଥାଏ | ଖଣ୍ଡପଡ଼ା ଅଂଚଳର ଏହି ପଚିଶ ବର୍ଷ ବୟସ୍କ ଯୁବକ କିଛି ବର୍ଷ ହେବ ଭୁବନେଶ୍ୱରରେ ଗାଡି ଚଳାଉଛି | ଗାଡି ମାଲିକଙ୍କ ଆଠଟି ଗାଡି ଅଛି | ସେ ମାସକୁ ଏଗାର ହଜାର ତାଙ୍କ ଦରମା ବାବଦକୁ ପାଏ | ମାଲିକ ରହିବାପାଇଁ ଜାଗା ଦେଇଛନ୍ତି | ଅନ୍ୟ କେତେଜଣ ଡ୍ରାଇଭର ମଧ୍ୟ ସେଇଠି ରୁହନ୍ତି | ସେମାନେ ମିଶିକରି ରାନ୍ଧନ୍ତି | ୨ହଜାର ଟଙ୍କା ଖର୍ଚ ହୁଏ ଖାଇବାରେ | ତା ଜାଅଁଳା ଭାଇ ଆଇଟିଆଇ ରୁ ଫିଟର ଟ୍ରେଡ଼ ରେ ଡିପ୍ଲୋମା କରି ଚାକିରୀ ଖୋଜୁଛି | କାମ ପାଇଲା ପର୍ଯ୍ୟନ୍ତ ସେ ମଧ୍ୟ ଗାଡି ଚଲାଉଛି |
ନିଜେ ଗାଡ଼ିଟିଏ ବ୍ୟାଙ୍କ ଋଣରେ କିଣି ଉବର ରେ ଭଡା ରେ ଚଳାଇବା ପାଇଁ କହିଲି | ସେ ଉବର ବିଷୟରେ ଜାଣିଚି ; ତାର କେତେଜଣ ସାଙ୍ଗ ସେମିତି କରିଛନ୍ତି | ତା ଗାଁ ରେ ଏବେ ଘର ମରାମତି ଚାଲିଛି ; କେତୋଟି ନୂଆ ରୁମ ବି ତିଆରି ହେବ | ଖର୍ଚ ହେଉଛି | ଘରକାମ ସରିଲେ ନିଜ କାର ପାଇଁ ଋଣ ନେବ | ମୁଁ କିନ୍ତୁ ତାକୁ ବିଳମ୍ବ ନକରି ଋଣ ନେବାକୁ ପ୍ରବର୍ତ୍ତାଇଲି | ଯେତେ ଶୀଘ୍ର ଅଧିକ ଉପାର୍ଜ୍ଜନ ହେବ , ଆର୍ଥିକ ଅବସ୍ଥା ସୁଧୁରିବ |ମୋର ଏହି ଯୁକ୍ତି ତାକୁ ଭଲ ଲାଗିଲା |
ଆମେ ଯେଉଁଠି କର୍ମଠ ଯୁବଶକ୍ତି ଦେଖିବା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରବର୍ତ୍ତାଇବା ବୋଧହୁଏ ସମୟୋପଯୋଗୀ ହେବ | ସେମାନେ ଅଳ୍ପରେ ସନ୍ତୁଷ୍ଟ ନହୁଅନ୍ତୁ |
ସେଦିନ ଏଇ ଯୁବକ ମୋ କଥାଶୁଣି ଆପେ ଆପେ କହିଲା " କାଲି ମୋର ପରିବାର ହେବ , ଅଧିକ ପଇସା ଦରକାର ହବ ; ଆପଣ ଠିକ କହୁଛନ୍ତି |" 

*******

No comments:

Post a Comment