Saturday 15 September 2018

ଗୋପାଳର ଡାକ୍ତର ଦେଖା



ଗୋପାଳର ଡାକ୍ତର ଦେଖା


ନୂଆ ସହରରେ ଭଲ ଘରଟିଏ ଅପେକ୍ଷା ଭଲ ସ୍କୁଲ ଟିଏ କେମିତି ତା ଝିଅ ପାଇଁ ମିଳିବ ସେଇ ଚିନ୍ତାରେ ଗୋପାଳ ଜଣା ଅଜଣା ଲୋକମାନଂକ ଠାରୁ ଖବର ନେଲା | କେନ୍ଦୁଝର ରୁ କଟକ ବଦଳି ହେଇ ଆସିବାର ତିନିଦିନ ପରେ ଝିଅର ଭଲ ସ୍କୁଲରେ ନା' ଲେଖେଇ ଦେଲା | ତାପରେ ସ୍କୁଲ ପାଖାପାଖି ଗୋଟେ ଘର ଖୋଜି ଭଡାରେ ନେଇଗଲା | ସବୁ ଭଲରେ ଚାଲୁଥାଏ |

ଅଳ୍ପ ଦିନ ଭିତରେ ଅଫିସ ଲୋକେ ଗୋପାଳର କାର୍ଯ୍ୟଦକ୍ଷତା ବାବଦରେ ଜାଣିଗଲେ | ସମସ୍ତେ ତାକୁ ସମ୍ମାନ ଦେଉଥିଲେ | ଉପର ହାକିମ ବି ଦେଖିଲେ ଯେ ଏବେ କାମ କରିବାରେ ଆଉ ଡରଭୟ ନାହିଁ | ଭୁଲ୍ଭଟକା ହେଲେ ଗୋପାଲ ଫଅଟ କରି ସଜାଡି ଦବ | ମାସେ ଖଣ୍ଡେ ସବୁ ଭଲରେ ଚାଲିଲା | ତା'ପରେ ହଠାତ ତା ଝିଅ ଦିହ ଖରାପ ହେଲା | ସହରର ଦକ୍ଷ  ଡାକ୍ତର କିଏ ପଚରାଉଚୁରା କରି ଠିକ୍ ଜାଗାରେ ପହଂଚିଲା |
ଭିଡ ହେଇଥାଏ | ଗୋପାଳ ବି ଅଫିସ ରେ ଠିକ୍ ସମୟରେ ପହଂଚିବା ପାଇଁ ବ୍ୟଗ୍ର ହେଉଥାଏ | ଡାକ୍ତରଂକ ଘର ଦୁଆର ଆଗରେ ଗୋଟେ ବୋର୍ଡରେ ରୋଗୀ ଦେଖିବା ସମୟ ଲେଖା ହେଇଥାଏ | ସମୟ ହେଇ ଯାଇଥାଏ ; କିନ୍ତୁ ଦୁଆର ଖୋଲି ନଥାଏ |
ଗୋପାଳ ରହି ପାରିଲାନି ; ଦୁଆରର ଚାବିକଣା ଉପରେ ଡାହାଣ ଆଖି ରଖି  ଦୁଆର ଆରପଟେ କଣ ହେଉଚି ଦେଖିଲା | ଯାହା ଦେଖିଲା ତାକୁ କାହାକୁ ନକହି ରାଗରେ ତମତମ ହେଇ ବାରଣ୍ଡାରେ ଦୁଇ ମିନିଟ୍ ଏପଟ ସେପଟ ହେଲା | ଡାକ୍ତର ବାବୁ ଗୋଟେ ସାଢୀ କୁ ଲୁଙ୍ଗି  ଭଳି ପିନ୍ଧି, ପନିକିରେ ପରିବା କାଟୁଥିଲେ ; ଆଉ ପାଖ ଚୌକୀ ଉପରେ ବସିଥିବା ଗୃହିଣୀ ତାଂକ ସାଂଗରେ ଗପୁ ଥିଲେ | ରାଗରେ କବାଟ ପାଖ କାନ୍ଥରେ ଲାଗିଥିବା କଲିଂଗବେଲ୍ କୁ ଗୋପାଳ ଜୋରରେ ଦବେଇ ଦେଇ  ପ୍ରତିକ୍ରିୟା ଜାଣିବା ପାଇଁ  ଚାବିକଣା ଉପରେ  ତା ଆଖିକୁ ପୁଣିଥରେ ଥୋଇଲା |
ଡାକ୍ତରବାବୁ ଚମକି ପଡିଲେ | ବାଇଗଣ ବଦଳରେ ତାଂକ ଆଂଗୁଠି କାଟିଦେଇ ଚିତ୍କାର କଲେ | ଘର ଭିତର ମାହୋଲଟା ହଠାତ ଗରମ ହେଇଗଲା | ଆଂଗୁଠି ଉପରେ ତୁଳା ଖଣ୍ଡେ ଚିପିଧରି  ଡାକ୍ତରବାବୁ କବାଟ ଖୋଲି ଦାନ୍ତ ରଗଡି ବଡ ବଡ ଆଖି କରି ଗୋଟେ ଘାଇଲା ଭାଲୁ ଭଳି ଗର୍ଜନ କରି  କିଏ ଘଣ୍ଟି ବଜେଇଲା ପଚାରିଲେ | ଏତେଗୁଡେ ଲୋକ ଡରି ଚୁପଚାପ୍ ହେଇ ଜଣେଜଣ କୁ ଅନଉଥିଲେ | ଗୋପାଳ ଆଗେଇ ଆସି ସେ ଘଣ୍ଟି  ବଜେଇ ଥିବା କହିଲା | ଆଉ କହିଲା " ବୋର୍ଡ ରେ ଯେଉଁ ସମୟ ଲେଖା ହେଇଚି ସେଇ ସମୟରେ ଆପଣ ନ ଆସିବାରୁ ସମସ୍ତଂକ ଅସୁବିଧା ହେଲାଣି;  ମୋର ଅଫିସ୍ ସମୟ ବି ହେଇଗଲାଣି" |
 ଡାକ୍ତର ବଡ ପାଟିରେ କହିଲେ " ତୁମେ କଣ ଭାରି ବଡଲୋକ; ମୁହୂର୍ତ୍ତେ ବିଳମ୍ବ ହେଲେ ତମର ଭାରି ଅସୁବିଧା ହେଇ ଯିବ ? ଏତେ ଲୋକ ତ ଶାନ୍ତ ହେଇ ଅପେକ୍ଷା କରୁଛନ୍ତି !! " ଗୋପାଳ ଝିଅ ହାତଧରି ଯିବାକୁ ବାହାରି ବଡ ପାଟିରେ କହିଲା " ଏଇ ସହରରେ ଆପଣ କଣ ଗୋଟିଏ ବୋଲି ଡାକ୍ତର ? ମୁ ଅନ୍ୟ ଡାକ୍ତର ପାଖକୁ ଯାଉଚି |"
 ହଠାତ୍ ଡାକ୍ତର ବାବୁ ଲହୁଣୀ ପାଲଟି ଗଲେ; ଚଅଟ୍ କରି ଗୋପାଳ ହାତକୁ ଧରି ଭିତର ରୁମକୁ ଟାଣି ନେଇଗଲେ | ଝିଅ କୁ ଦେଖିଲେ|  ଗୋପାଳ ଭାବିଥିଲା ତାକୁ ମାଗଣା ରେ ଦେଖିବେ : କିନ୍ତୁ ତାଂକ ପାଉଣା ମାଗିଲେ | ସେତେବେଳକୁ ଗୋପାଳର ରାଗ ବି ଶାନ୍ତ ହେଇ ଯାଇଥିଲା | ବିନା ଯୁକ୍ତିରେ ପଇସା ଦେଇ ଗୋପାଳ ଝିଅକୁ ଧରି ଫେରିଲା | ତା' ପରେ କିନ୍ତୁ ସେଇ ଡାକ୍ତରଙ୍କ  ଦୁଆର  ମାଡିଲାନି |

******

No comments:

Post a Comment