Wednesday 10 October 2018

ପରିସ୍ଥିତି ଏବଂ ପ୍ରତିକ୍ରିୟା


ପରିସ୍ଥିତି ଏବଂପ୍ରତିକ୍ରିୟା


ପରିସ୍ଥିତି ପ୍ରତିକ୍ରିୟା ସୃଷ୍ଟି କରେ | କିନ୍ତୁ ପ୍ରତିକ୍ରିୟା ସମସ୍ତଙ୍କ ପାଇଁ ଏକ ପ୍ରକାରର ହୋଇ ନଥାଏ | କିଏକିଏ ମଧ୍ୟ ପ୍ରତିକ୍ରିୟା ଶୁନ୍ୟ ହେବା ଦେଖାଯାଏ | ଆମ ଦେଶ ରେ ତେଲ ଦର ବଢୁଥିବା ଯୋଗୁଁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖା ଯାଉଛି | ଅନେକେ ଏହା ପସନ୍ଦ କରୁନାହାନ୍ତି ; ମିଡିଆରେ, ଭାଷଣରେ ତୈଳଦର ବୃଦ୍ଧି କୁ ବିରୋଧ କରୁଛନ୍ତି ; ବନ୍ଦ ଡାକରା ହେଉଛି ; ଶୋଭାଯାତ୍ରା ହେଉଛି | କିନ୍ତୁ ସହର ରାସ୍ତା ରେ ଯାନବାହାନ ଚଳାଚଳ ହ୍ରାସ ପାଇନି | କାଲି ସହରର ଏକ ଜଣାଶୁଣା କାର ଶୋରୁମକୁ ଯାଇଥିଲି | ପରିବେଶ ବେସ ଚଳଚଂଚଳ ଥିଲା | ଅନେକ ଗ୍ରାହକ ଥିଲେ ; ଅନେକ କାର ଟେଷ୍ଟ ଡ୍ରାଇଭ ରେ ଯାଉଥିଲେ | କାରବାର ମାନ୍ଦା ହେବାର କୌଣସି ଲକ୍ଷଣ ପରିଲକ୍ଷିତ ହେଉନଥିଲା |
ସୁନାଦର ବୃଦ୍ଧି ହେଇଥିବା ଖବର ପ୍ରକାଶିତ ହେଲା ; ଶୁଣିଲି ଦଶ ଗ୍ରାମ ସୁନା ଦାମ ବତିଶ ହଜାର ଟଙ୍କା | ଗହଣା ବିଜ୍ଞାପନ ଟେଲିଭିଜନରେ ନିୟମିତ ଦେଖୁଚି ; ପ୍ରଖ୍ୟାତ ବ୍ୟକ୍ତିମାନେ ବିଜ୍ଞାପନରେ କିଣାବିକା କରୁଛନ୍ତି | ଆମ ସହରର ଗହଣା ଦୋକାନ ମାନଙ୍କରେ ଭିଡ ହେଉଛି |
ଛୋଟ ପିଲାଙ୍କ ସ୍କୁଲ ରେ ମଧ୍ୟ ସେଇ ଅବସ୍ଥା | ଅନେକେ ସ୍କୁଲ ଖର୍ଚ୍ଚ ଅତ୍ୟଧିକ ହେଉଥିବା କୁହନ୍ତି ; କିନ୍ତୁ ପ୍ରବଳ ଭିଡ଼ ହୁଏ ଅଧିକ ଖର୍ଚ ସତ୍ତ୍ୱେ | କେବଳ ସରକାରୀ ସ୍କୁଲ ମାନଙ୍କରେ -- ଯେଉଁଠି ସ୍କୁଲ ଖର୍ଚ୍ଚ ନଗଣ୍ୟ -- ସେଇଠି ଭିଡ଼ ନଥାଏ | ପ୍ରତିକ୍ରିୟା ଏହି କ୍ଷେତ୍ରରେ ଅଲଗା ପ୍ରକାରର ହୋଇଥାଏ |
କେତେକ କ୍ଷେତ୍ରରେ ପ୍ରତିକ୍ରିୟା ସୃଷ୍ଟି କରାହୁଏ କୌଣସି ବ୍ୟକ୍ତିବିଶେଷଙ୍କୁ ଖୁସି କରିବାକୁ | ସଭାରେ ଶୁଣି ବା ବୁଝି ପାରୁନଥିବା ଶ୍ରୋତାଙ୍କୁ ବସାଯାଏ ; ଅବୋଧ୍ୟ ବା ଅପ୍ରାସଙ୍ଗିକ ଭାଷଣ ପରେ କରତାଳି ମାରିବାକୁ | ଯାହାଙ୍କ ଉଦ୍ଦେଶ୍ୟ ରେ କରତାଳି ଦିଆଯାଏ ତାଙ୍କ ମନରେ ଅନୁକୂଳ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ |
ଆମେ ଏଭଳି ସମାଜ ଗଢ଼ିଛେ ଯେଉଁଠାରେ ପ୍ରତିକ୍ରିୟା ସୃଷ୍ଟି ପାଇଁ ଇଭେଣ୍ଟ ମାନେଜମେଣ୍ଟ ବିଶାରଦ ପ୍ରାସଙ୍ଗିକ ହୁଅନ୍ତି | ବିପୁଳ ଅର୍ଥଶ୍ରାଦ୍ଧ କରାଯାଇ ସଭାସ୍ଥଳ ମନୋରମ କରାଯାଏ | ଦାମୀ ପୁଷ୍ପଉଦ୍ୟାନ ର ଭ୍ରମ ସୃଷ୍ଟି କରାଯାଏ ; ସଂଗୀତ ପରିବେଷଣ କାରାଯାଏ ; ରୁଚିପୂର୍ଣ୍ଣ ଢଙ୍ଗରେ ଘୋଷଣା କରାଯାଏ ; ଆବାହନ ସଂଗୀତ ଗାନ କରାଯାଏ ; ଅତିଥିଙ୍କ ଆଗମନପଥ ପୁଷ୍ପସଜ୍ଜିତ ହୁଏ | ଓଡ଼ିଆ ବିଶ୍ୱବିଦ୍ୟାଳୟ ଇଂରାଜୀ ଅଭିଭାଷଣରେ ଗୁଞ୍ଜରିତ ହୁଏ ; କରତାଳିରେ ସଭା ସମାପ୍ତ ହୁଏ | ବିଭିନ୍ନ ଲୋକଙ୍କ ପାଇଁ ଏହା ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରେ |
ପ୍ରତିକ୍ରିୟା ଦିନକୁଦିନ ପ୍ରାକୃତିକତା ହରାଉଛି ; କୁତ୍ରିମତା ପ୍ରବଣ ହେଉଛି |
ମୋର କିନ୍ତୁ ମତ ହେଲା, ପ୍ରତିକ୍ରିୟା କୁତ୍ରିମ ହେଉ ବା ପ୍ରାକୃତିକ ହେଉ ବା ସ୍ୱାଭାବିକ ହେଉ | ଆମ ସମାଜ ପ୍ରତିକ୍ରିୟା ଶୁନ୍ୟ ନହେଉ | ଆମେ ପ୍ରତିକ୍ରିୟା ଶୁନ୍ୟ ହେଲେ ଅନେକେ ଆମକୁ ନିର୍ଜୀବ ବସ୍ତୁ ଭାବରେ ଗ୍ରହଣ କରିବେ | ଆମ ସମାଜକୁ ନିର୍ଜୀଵ ଆଖ୍ୟା ଦେବେ |

No comments:

Post a Comment