Saturday 20 October 2018

ଆମେ ବାଣ କାହିଁକି ଫୁଟାଇବା


ଭାବନା ବାଙ୍ଗାଲୋରରେ ସପ୍ତମ ଶ୍ରେଣୀରେ ପଢେ | ଆମ ଦେଶର ଲକ୍ଷଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ଭଳି ଭାବନା ମଧ୍ୟ ଦୀପାବଳିରେ ବାଣ ବ୍ୟବହାର ପସନ୍ଦ କରେନାହିଁ | କାଲି ଭାବନାର ବାପା ଅଫିସ କାମରେ ବ୍ୟସ୍ତ ରହି ବାଣ କିଣି ପାରିନଥିବାରୁ ଭାବନା ଖୁସି ହେଲା | ତା ମା କିନ୍ତୁ ଦୀପାବଳିରେ କିଛି ବାଣ ଫୁଟେଇବାକୁ ଚାହୁଁଥିଲା | ମୁଁ ତା ମାଆକୁ କହିଲି ," ସବୁ ଦୀପାବଳିରେ ଆକାଶକୁ ଆମ ଲୋକମାନେ କେତେ ବାଣ ଛାଡୁଛନ୍ତି : କେତେ ବୋମା ଫୁଟୁଛି ପ୍ରତି ବର୍ଷ | କାହା ବିରୁଦ୍ଧରେ ଆମେ ଯୁଦ୍ଧ କରୁଛେ ?  ଶତ୍ରୁର ପାଲଟା ଜବାବ କେବେ ଆମେ ଦେଖିଛେ ?" ସେ ଆଶ୍ଚର୍ଯ୍ୟରେ ମୋ  ଆଡେ ଚାହିଁଲା | ମୁଁ କହିଲି "ତୁ ବଡ ହେଲୁଣି , ପିଲାଙ୍କ ଭଳି ଆଉ ବାଣ ଫୁଟେଇବା ସପକ୍ଷରେ କହନି | ଆମ ପରିବେଶରେ ପ୍ରଦୂଷଣ ବଢି ଚାଲିଛି ; ଆମକୁ ବାଣ ପରିହାର କରିବାକୁ ହବ |" ସେ କହିଲା , " ମାମୁ , ତୁମେ ମୋ ଝିଅ ଭାବନା ଭଳି କହୁଚ |ଭାବନା କହେ , " ଖରାପ ପିଲାଏ ବାଣ ପସନ୍ଦ କରନ୍ତି |" ମୁଁ ତାକୁ କହିଲି " ତୁ କଣ ଭାବୁଚୁ ଆମେ ଖରାପ ପିଲା ଥିଲୁ ? ଆମ ଦେଶରେ ଗୁଡ଼େ ଲୋକଙ୍କର କଣ ହେଇଚି କେଜାଣି , ଆମର ସବୁ ପ୍ରଥା , ସାମାଜିକ ବ୍ୟବହାର , ପୂଜା ପର୍ବାଣି କୁ ନାକ ଟେକିବା ତାଙ୍କ କାମ |" ମୁ ଦେଖିଲି ଭାବନା ର ମା  କାଲି ଦୁଇଟା ବାଣ ଫୁଟେଇ ପାରି ନଥିବାରୁ ଭାରି ମନ ଖରାପ କରିଛି | ମୁ ତାକୁ କହିଲି, " ଏଇ ଢ଼ୋ ଢା ରେ କଣ ଲାଭ ହେଉଛି ମୁଁ ଜାଣି ପାରୁନି | ଏଥିରେ ସମାଜ ର କି ମଙ୍ଗଳ ହେଉଛି ମୋତେ ବୁଝେଇଲୁ |" ସେ ରାଜିହେଲା | କହିଲା , " ମାମୁ , ଆମ ଦେଶର ସୁରକ୍ଷା ପାଇଁ ସୈନ୍ୟ ଦରକାର ନା ନାହିଁ ?" ମୁଁ କହିଲି "ଦରକାର" | ସେ କହିଲା, "ମୋତେ ଯଦି ସୀମା ସୁରକ୍ଷା ପାଇଁ ବନ୍ଧୁକ ଦିଆଯିବ ଆଉ କୁହାଯିବ ଶତ୍ରୁକୁ ମାରିବା ତୋ ଦାୟିତ୍ୱ , ମୋ ହାତ ଥରିବ ଆଉ ହାତରୁ ବନ୍ଧୁକ ଖସି ପଡିବ | ସବୁଲୋକ ଦୁର୍ଦ୍ଦାନ୍ତ , ସାହାସୀ ହେଇ ପାରିବେ ନାହିଁ ; କିନ୍ତୁ ସେମିତି ଲୋକଙ୍କର ଆବଶ୍ୟକତା ଅଛି | କିଛି ଲୋକ ବାଣ ଫୁଟାନ୍ତୁ ; ହାବିଳି , ରକେଟ ଛାଡ଼ନ୍ତୁ ; ନିଆଁ , ଧୂଆଁ, ଶବ୍ଦ ସାଙ୍ଗରେ ଖେଳନ୍ତୁ; ଆଉ ସାହାସୀ ହୁଅନ୍ତୁ | ସବୁ କଥାର ମର୍ମ ନବୁଝି ଖାଲି ନାକ ଟେକିବା ପ୍ରବୃତ୍ତି ମୋତେ ଭଲ ଲାଗେନି |" ମୁଁ ତା ଘରୁ ଆସିବା ବାଟରେ ଭାବୁଥିଲି ଭାବନା ଠିକ ନା ତା ମା ଠିକ |

******
20th November, 2018

No comments:

Post a Comment