Saturday 20 October 2018

ଦେବୀ ଦର୍ଶନ


ଦେବୀ ଦର୍ଶନ

ମୁଁ ଭୁବନେଶ୍ୱର ସହର  ବକ୍ସି ଜଗବନ୍ଧୁ ନଗରର ବାସିନ୍ଦା | ବକ୍ସି ଜଗବନ୍ଧୁ ନଗର  ପିପୁଲସ ଆସୋସିଏସନ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂଜା ହେଉଛି | ଦୁର୍ଗା ସପ୍ତମୀ ଦିନ  ଦୁର୍ଗାମଣ୍ଡପରେ ଦେବୀ ବିରାଜମାନ ହେଲେଣି | ପ୍ରାତଃଭ୍ରମଣର ଅନ୍ତିମ ପର୍ଯ୍ୟାୟରେ ସେଇ ବାଟ ଦେଇ ଆସିବାକୁ ମନ ହେଲା | ମଣ୍ଡପର ଅନତି ଦୂରରୁ ପେଁକାଳିର ସୁନ୍ଦର ସ୍ୱର ନିତାନ୍ତ ଶୃତିମଧୁର ବୋଧ ହେଲା | ମଣ୍ଡପରେ ପହଂଚି ସୂର୍ଯ୍ୟପୂଜା ପାଇଁ ପ୍ରସ୍ତୁତି ଦେଖିଲି | ଚକ୍ଷୁଦାନ ହେବ ପ୍ରାୟ ଦୁଇଘଣ୍ଟା ପରେ | ସେହି ପାବନ ନିରୋଳା ପରିବେଶରେ ଦଶ ମିନିଟ ଅତିବାହିତ କରି ଆନନ୍ଦରେ ଘରକୁ ଫେରିଲି |

 ଦୁର୍ଗାଷ୍ଟମୀ ଦିନ ସକାଳ ଛ ଟା ବେଳକୁ ଅନତିଦୂରରେ ଥିବା ଏକ ଅପେକ୍ଷାକୃତ ନୂତନ ମଣ୍ଡପରୁ ମନ୍ତ୍ର ଆବୃତ୍ତି ହେଉଥିବା ଶୁଣି ମଣ୍ଡପ ଆଡକୁ ଗଲି | ମଣ୍ଡପ ଜନଶୂନ୍ୟ ଥିଲା | ମନ୍ତ୍ର ଉଚ୍ଚାରଣ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ହେଉଥିବା ଉପଲବ୍ଧି କରି ମର୍ମାହତ ହେଲି | ହୁଏତ ଆନୁଷ୍ଠାନିକ ପୂଜାର୍ଚନା ପାଇଁ ସମୟ ହୋଇନଥିଲା | ଆମ ସହରର ଯେଉଁ ମନ୍ଦିର ଗୁଡିକ ପଚାଶ ବର୍ଷ ଭିତରେ ନିର୍ମିତ, ସେମାନଙ୍କ ପରିସରରେ ନିତିଦିନିଆ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରାୟ ନଗଣ୍ୟ |ସନ୍ଧ୍ୟାବେଳେ ଦେବଦର୍ଶନ ପାଇଁ ଉପସ୍ଥିତ ହେଲେ ପରିସର ଖାଁ ଖାଁ ଲାଗେ | ଆଳତି ସମୟରେ ବାଦ୍ୟ ପରିବେଷଣ ପାଇଁ ଭକ୍ତ ନଥାନ୍ତି ; ମେସିନ ର ସହାୟତା ରେ ଝାଞ୍ଜ ମୃଦଙ୍ଗ ଶବ୍ଦ ସୃଷ୍ଟି କରାଯାଏ | କିନ୍ତୁ ଦୁର୍ଗାପୂଜା ମଣ୍ଡପରେ ସମସ୍ତ ନୀତି ନିର୍ବାହ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଯଥେଷ୍ଟ ସଂଖ୍ୟାରେ ଉପଲବ୍ଧ ହେଇଥିବା ପରିଲକ୍ଷିତ ହୋଇଥାଏ | ଦୁର୍ଗାପୂଜା ଆମ ସମାଜରେ ଏକ ସାମୁହିକ ସମାରୋହ ଭାବରେ ଗୃହୀତ ହୋଇ ଆସିଛି | କିନ୍ତୁ ଦିନକୁଦିନ ବ୍ୟୟବହୁଳ ହେଉଥିବା ଚିନ୍ତାଜନକ | ଚାକଚକ୍ୟ, ବାହ୍ୟ ଆଡମ୍ବର , ବଜାର ସଂସ୍କୃତି ଆଜି ଆମ ମଣ୍ଡପକୁ ଆକ୍ରାନ୍ତ କରିଛି | ଏହି ଅବସରରେ  ଷ୍ଟାରନାଇଟ ର ସମ୍ଭାବ୍ୟ ଜନଗହଳି ଏବଂ ଉନ୍ମାଦନା ପରିପ୍ରେକ୍ଷୀରେ ମୋ ହିତାକାଂକ୍ଷୀ ବନ୍ଧୁ ସହରର ଅନ୍ୟତମ ପ୍ରସିଦ୍ଧ ମଣ୍ଡପରେ      ସନ୍ଧ୍ୟା ପରେ ଦେବୀଦର୍ଶନ ରୁ କ୍ଷାନ୍ତ ହେବା ପାଇଁ ପରାମର୍ଶ ଦେଲେ | ସେ ନିଜ ଅନୁଭୂତି ରୁ କହୁଥିଲେ ମୀନବଜାର; ଠୁଙ୍ଗାପୁରୀ ; ଲଂକାଚପ ଓ ମଥୁରାପେଡା  ର ଆକର୍ଷଣ ଅସଂଖ୍ୟ ପରିବାରକୁ ଏକତ୍ରିତ କରୁଥିବା ଦୃଷ୍ଟିରୁ ସେହି  ଜନସମୁଦ୍ରରେ ହାତଗଣା କେତେକ  ବୃଦ୍ଧ ଓ ବୃଦ୍ଧା  ଅସହାୟ ବୋଧ କରୁଥିବା ଦେଖାଯାଏ |

ତାଙ୍କ ମଣ୍ଡପ ପାଇଁ ଆନୁମାନିକ ଖର୍ଚ୍ଚ ହୁଏ ପଚାଶ ଲକ୍ଷ ଟଙ୍କା ; ଚାନ୍ଦା ଏବଂ ଦେବୀ ଦର୍ଶନ କରୁଥିବା ଭକ୍ତଂକ ଦାନରୁ ଆଦାୟ ହୁଏ  ପ୍ରାୟ ଦଶ ପ୍ରତିଶତ ଅଧିକ | ଆୟୋଜନ ଶୃଙ୍ଖଳିତ ହୋଇଥାଏ ; ପ୍ରାୟ ଦୁଇଶହ ଯୁବକ ଦକ୍ଷତାପୂର୍ବକ ଆୟୋଜନ କରନ୍ତି ଏବଂ ଶତାଧିକ ସୁରକ୍ଷା କର୍ମଚାରୀ  ମଧ୍ୟ ନିଜ କର୍ତ୍ତବ୍ୟ ନିର୍ବାହ କରିଥାନ୍ତି | ଅଂଚଳର କେତେକ ସମ୍ମାନୀୟ ବୟସ୍କ ବ୍ୟକ୍ତି ଏହି ଆୟୋଜନ ତଦାରଖ କରିଥାନ୍ତି | 

 ଷ୍ଟାରନାଇଟର ଆକର୍ଷଣ ରେ ଆମ ସ୍ଥାନୀୟ କଳା    କଳାକାର ଅବହେଳିତ ହେଉଛି ; ଚାଓମିନ-ବର୍ଗର ପ୍ରାଧାନ୍ୟ ବଜାରରେ ଆରିସା , ଚିତୋଉ , ରସାବଳି ପହଂଚି ପାରୁନି ଯେମିତି ମୁଖଶାଳା ର ବିଶାଳତା ଓ ଆକର୍ଷଣ ରେ ଶ୍ରଦ୍ଧାଳୁ ଦିଅଁ ଙ୍କ ପାଖରେ ପହଂଚି ପାରୁ ନାହାନ୍ତି | ବ୍ୟକ୍ତି ବିଶେଷଙ୍କ କ୍ଷେତ୍ର ରେ  ହେଉ ବା ସାମାଜିକ ସ୍ତରରେ , ଆଜି ଚେତନା  ଦୁର୍ବଳ , ନିଷ୍ପ୍ରଭ ବା ସୁପ୍ତ ଅବସ୍ଥାରେ  | ମାନବ ଆଜି ନିଜର ପୁନର୍ବିନ୍ୟାସ ପାଇଁ ପ୍ରୟାସ କରିବାକୁ କୁଣ୍ଠାବୋଧ କରୁଛି |  ଦେବୀଙ୍କ ଆରାଧନା ଆଜି ଅବଚେତନାର ପ୍ରାଚୁର୍ଯ୍ୟ ଦ୍ୱାରା ଆକ୍ରାନ୍ତ | ମୁଖଶାଳା ଆଜି ମୁଖ୍ୟ, ଦିଅଁ ଆଜି ଗୌଣ  |  ଆମକୁ ଏହି ପ୍ରବାହ କୁ ପ୍ରତିରୋଧ କରିବାକୁ ହେବ ; ଉନ୍ମାଦ ପ୍ରବଣତା ଉପରେ ଅଙ୍କୁଶ ରଖିବାକୁ ହେବ ; ଭକ୍ତି ର ପୁନର୍ବିନ୍ୟାସ କରିବାକୁ ହେବ |
******   

No comments:

Post a Comment