Monday 25 November 2019

ଭଗବାନଙ୍କ ପୀଠ ରେ ସାମ୍ୟବାଦ ର ରାଜତ୍ୱ






ବନ୍ଧୁ ଡାକ୍ତର ମିଶ୍ର ସରକାରଙ୍କ ପ୍ରମୁଖ କଲେଜର ଜଣେ ଜଣାଶୁଣା ଅବସରପ୍ରାପ୍ତ ହୋମିଓପାଥି ପ୍ରଫେସର | ତାଙ୍କର ପତ୍ନୀ ବହୁଦିନରୁ ଆଂଠୁ ଦରଜ ବ୍ୟାଧିରେ ଆକ୍ରାନ୍ତ | ବହୁଦିନ ପରେ ଗତ ରବିବାର ଦିନ ଭୁବନେଶ୍ୱର ରୁ ଶ୍ରୀମନ୍ଦିର ଗଲେ | ଶାରୀରିକ କଷ୍ଟ ସତ୍ତ୍ୱେ ବାଇଶ ପାହାଁଚ ଅତିକ୍ରମ କରି ବେଢ଼ାରେ ପ୍ରବେଶ କଲେ |

ଭିଡ଼ ସତ୍ତ୍ୱେ ଧୈର୍ଯ୍ୟ ଧରି ବହୁ ସମୟ ଅପେକ୍ଷା କରିବା ପରେ ମନ୍ଦିର ଭିତରେ ପ୍ରବେଶ କରିନପାରି ନିରାଶ ହୋଇ ଫେରିଲେ | ଡାକ୍ତର ମିଶ୍ରଙ୍କ ଜଣେ ବିଧବା ଭଉଣୀ ଭୁବନେଶ୍ୱର ରେ ରୁହନ୍ତି ; ଏହିବର୍ଷ କାର୍ତିକ କରିବାକୁ ପୁରୀ ଯାଇ ପାରି ନାହାନ୍ତି |

ଅନ୍ତତଃ ଥରଟିଏ ମହାପ୍ରସାଦ ପାଇବା ସୁଯୋଗ ଦେବାପାଇଁ ଭାଇ ଜଣେ ପରିଚିତଙ୍କୁ ଦୁଇଶହ ଟଙ୍କାଦେଇ ମହାପ୍ରସାଦ ଆଣିବା ପାଇଁ ପଠେଇଲେ | ସେ କ୍ଷୁଦ୍ର କୁଡ଼ିଆରେ ଅନ୍ନ ଓ ଅତି କ୍ଷୁଦ୍ର କୁଡିଆର ଏକଚତୁର୍ଥାଂଶ ରେ ଡାଲି ଧରି ଆସିଲେ | ପ୍ରସାଦରେ ବ୍ୟଞ୍ଜନ ନଥିଲା ନା ଡାଲି ପରିମାଣ ସନ୍ତୋଷଜନକ ଥିଲା |

ଡାକ୍ତର ବନ୍ଧୁ ଗ୍ଳାନିରେ ଭୁବନେଶ୍ୱର ଫେରିଲେ | ଏମିତି କାହିଁକି ହେଉଛି ? ଆମେ ଦିନ ରାତି ସଂସ୍କାର କଥା ଶୁଆଭଳି ରଟି ଚାଲିଛେ ; ଅଥଚ ଚରମ ଅବ୍ୟବସ୍ଥା ଯୋଗୁଁ ଏକ ବୟସ୍କ ଦମ୍ପତି ଦର୍ଶନରୁ ବଂଚିତ ହେଉଛନ୍ତି : ମହାପ୍ରସାଦ ଉଚିତ ମାନ ର ଓ ଉଚିତ ଦର ରେ ମିଳୁନାହିଁ |

ଏହି ଅବ୍ୟବସ୍ଥାର ମୂଳ କାରଣ ହେଲା ଯେଉଁମାନେ ତଦାରଖ ଦାୟିତ୍ତ୍ୱରେ ଅଛନ୍ତି ସେମାନେ ସୁବିଧାରେ ଦର୍ଶନ ପାଉଛନ୍ତି ; ଉଚ୍ଚ ମାନର ପ୍ରସାଦ ପାଉଛନ୍ତି | ସାମନ୍ତବାଦ ବ୍ୟବସ୍ଥା ଆଜି ମନ୍ଦିର ବ୍ୟବସ୍ଥା କୁ ଶୋଭନୀୟ କରି ପାରି ନାହିଁ | ଭବିଷ୍ୟତରେ ମଧ୍ୟ ଏହା ହେବାର ସମ୍ଭାବନା ନାହିଁ |

ନେତା ହୁଅନ୍ତୁ , ଅଧିକାରୀ ହୁଅନ୍ତୁ ; ପଦସ୍ତ ଅତିଥି ହୁଅନ୍ତୁ ; ସମସ୍ତେ ସୁବିଧା ପାଇବେ ; ସାଧାରଣ ଭକ୍ତ କୋଣଠେସା ହେବେ | ଭଗବାନଙ୍କ ପୀଠ ରେ ସାମ୍ୟବାଦ ର ରାଜତ୍ୱ ନାହିଁ | ପ୍ରସାଦର ମାନ ଓ ଦର ନିର୍ଧାରଣ ସମ୍ପର୍କରେ ଆମ ବିଧି ଦ୍ୱାରା ପ୍ରତିଷ୍ଠିତ ବ୍ୟବସ୍ଥା ଚିନ୍ତିତ ନୁହେଁ |

*******

25th Novemebr, 2019

Sunday 24 November 2019

ଗାଁ ପୋଖରୀ ହୁଡାରେ ମୋବାଇଲ ସିଗନାଲ






ପଚିଶବର୍ଷ ବୟସ୍କ ଯୁବକଟିର ଘର ଅନୁଗୁଳ ଜିଲା ହଣ୍ଡପା ଅଂଚଳର ଗୋଟିଏ ପାହାଡିଆ ଗାଁରେ | କୌଣସି କାରଣରୁ ଗାଁକୁ ଏପର୍ଯ୍ୟନ୍ତ ମାବାଇଲ ଫୋନ ସିଗନାଲ ପହଂଚି ପାରିନି | ଭୁବନେଶ୍ୱରରୁ ତା ଘରକୁ ଫୋନ କରିବା ସମ୍ଭବ ନୁହେଁ | ବାପା ଯଦି ରବିବାର ବେପାର ପାଇଁ ହଣ୍ଡପା ବା ବଇଣ୍ଡା ଆସନ୍ତି, ସେ କଥା ହେଇପାରେ; କାରଣ ସେହି ଜାଗାରେ ସିଗନାଲ ମିଳେ |

କୁଆଡେ ଗାଁ ର କେତୋଟି ବାହାଘର ପ୍ରସ୍ତାବ ଏହି ସିଗନାଲ ସଙ୍କଟ ଯୋଗୁଁ ଭାଙ୍ଗି ଯାଇଥିବା ସେ କୁହେ | କାଲିଠାରୁ ସେ ଗାଁ ଯାଇଛି ; କାରଣ, ବାପା ଓ ମା ଭୀଷଣ ଜ୍ବରରେ ପଡିଛନ୍ତି | ଜେଜେମା ବ୍ୟତୀତ ଘରେ ସୁସ୍ଥ ଲୋକ ଆଉ କିଏ ନାହିଁ | ଆଜି ସକାଳେ ତା ଭଲମନ୍ଦ ବୁଝିବା ପାଇଁ ତାକୁ ଫୋନ କଲି | ଜାଣିଥିଲି ଫୋନ ସଂଯୋଗ ହେବନି | ତଥାପି କଲି |

ଆଶ୍ଚର୍ଯ୍ୟ ହେଲି , ଫୋନ ରିଂ ହେଲା ; ସେ ଫୋନ ଧରିଲା ଓ ଉତ୍ତର ଦେଲା | ଆଜି ସିଗନାଲ ଯିବା କାରଣ ପଚାରିଲି | ସେ କହିଲା ବଡ଼ିସକାଳୁ ଗାଁ ପୋଖରୀ ପାଖକୁ ଆସିଥିଲା , ସେଇ ଜାଗାକୁ ସିଗନାଲ ଆସେ ; ସେଇଠୁ ତା ଭିଣେଇ ସାଙ୍ଗରେ କଥା ହେବାକୁ ସେ ଆସିଥିଲା | ଆଜି ତା ବାପା ମାଙ୍କୁ ଅନୁଗୁଳ ନେବ ; ଡାକ୍ତରଙ୍କୁ ଦେଖେଇବ |

ତା ଭିଣେଇ ଫାର୍ମାସିଷ୍ଟ ; ହଣ୍ଡପା ଠାରୁ ଦଶ କିଲୋମିଟର ଦୂର ଗାଁ ରେ ରୁହନ୍ତି | ସେ ମଧ୍ୟ ତା ସାଙ୍ଗରେ ଅନୁଗୁଳ ଯିବ | ସେଇ ବିଷୟରେ କଥା ହେବା ପାଇଁ ପୋଖରୀବନ୍ଧ ପାଖକୁ ଆସିଥିଲା | ଗାଁ ଦୂରସଂଚାର ବ୍ୟବସ୍ଥାର ଏହି ସ୍ୱଳ୍ପ ଉନ୍ନତି ଯେ ଆଜିକା ପାଠୁଆ ଝିଅ ମାନଙ୍କୁ ଏଇ ଗାଁ ରେ ଘରକରିବାକୁ ପ୍ରଲୋଭିତ କରିବ ସେ ବିଷୟରେ ମୁଁ ସନ୍ଦିହାନ |

*******
24th November, 2019

ପୁରୀ ଭଙ୍ଗା






ବୟସ ଏକାଅଶୀ ; ଆଜୀବନ ଜଗନ୍ନାଥ ଭକ୍ତ; ଗଣି ହବନି କେତେଥର ରତ୍ନ ସିଂହାସନ ରେ ଠାକୁରଙ୍କୁ ଦୂରରୁ , ପାଖରୁ ମୁଣ୍ଡିଆ ମାରିଛନ୍ତି ; ସୁଖରେ ଯାଇଛନ୍ତି ; ଦୁଃଖରେ ବି | କାଲି କହୁଥିଲେ ସେ ଆଉ ଯିବେନି ଦର୍ଶନ କରିବାକୁ | ସ୍ୱରରେ ଅଭିମାନ ; ମନ ଆହତ |

ଆଉଜଣେ କହୁଥିଲେ | ସେ ଜଗନ୍ନାଥ ଭକ୍ତ ; ଭଲ ଇଞ୍ଜିନିଅର | ମନ୍ଦିର ସେବାରେ ଅନେକ ବର୍ଷ କାମ କରିଛନ୍ତି | ମନ୍ଦିର ଆଖପାଖରୁ ମଠ , ବାସଗୃହ ଭାଙ୍ଗିବା ସେ ଆହତ | ଦେଉଳ ପାଖରେ ରହୁଥିବା ଶତାଧିକ ବୃଦ୍ଧ ଓ ବୃଦ୍ଧା ଯେଉଁମାନେ ପ୍ରତିଦିନ ସକାଳ ସନ୍ଧ୍ୟାରେ ଦର୍ଶନ ପାଇଁ ଯାଆନ୍ତି ସେମାନେ ଏବେ ଏହି ସୁଯୋଗରୁ ବଂଚିତ ହେବାରୁ ସେ ମର୍ମାହତ |

ଅଭିମାନ କରି ଠାକୁରଙ୍କ ପାଖକୁ ଯାଉ ନାହାନ୍ତି | ଏସବୁ ଶୁଣିଲା ପରେ ମୁଁ ଭାବିଲି ଆଜି ଠାକୁରଙ୍କ ଉପରେ ଅଭିମାନ କରିଥିବା ଭକ୍ତଂକ ସଂଖ୍ୟା ବଢି ଚାଲିଛି | ଯେଉଁ ଧ୍ଵଂସଲୀଳା ଚାଲିଛି ସେଥିରେ ଅନେକେ ଅସୁଖୀ | କାହାକୁ ସେମାନେ କହିବେ ? କିଏ ଶୁଣିବ | ଆଜି ସେଇଥି ପାଇଁ ତାଙ୍କ କାଳିଆ ଉପରେ ରୋଷ |

ଦେଖିବା କିଏ ଜିତୁଛି -- ଜେସିବି ମେସିନ ନା ଆହତ ଭକ୍ତ | ହଁ , ଆଉ ଗୋଟିଏ କଥା | ଭଙ୍ଗା ହେବା ପରେ ଯେଉଁ ଖୋଲା ଜାଗା ବାହାରୁଚି ଓ ବାହାରିବ ସେଇଠି କଣ ହେବ ? ଯାହା ହେବ ଜଳଜଳ ହେଇ ଦିଶୁଚି |

ସେଇଠି କେତେ ବର୍ଷ ପରେ ଉଠା ଦୋକାନୀ ବସିବେ ; ରାଜନୀତି ହେବ , ଭାଷଣବାଜି ଚାଲିବ ; ନେତା ସ୍ବପ୍ନ ଦେଖେଇବେ ; ପରିବା ବିକ୍ରି ହେବ ; ଖୋଲାଖୋଲି ପାଚିରୀ କଡରେ ଲୋକେ ଏକ କରିବେ ; ନିର୍ମାଲ୍ୟ ବିକ୍ରି ହେବ ; କାଠ ଠାକୁର ମୂର୍ତ୍ତି ବିକ୍ରି ହେବ ; ପଟି ଚିତ୍ର ବିକ୍ରି ହେବ |

*******
24th November, 2019

ଆମ ରାଜ୍ୟରେ ଅସଂଗଠିତ ସେକ୍ଟର ର ବିକାଶ ନିତାନ୍ତ ଆବଶ୍ୟକ






ଆମ ରାଜ୍ୟରେ ଅର୍ଗାନାଇଜେଡ଼ (ସଂଗଠିତ ) ସେକ୍ଟର ରେ ଏଯାଏଁ କର୍ମନିଯୁକ୍ତି ସୁଯୋଗ ନଗଣ୍ୟ | ରାଜ୍ୟର ପ୍ରାୟ ୮୫ ଲକ୍ଷ ପରିବାର ବା ପ୍ରାୟ ୨୦୦ ଲକ୍ଷ କର୍ମଯୋଗ୍ୟ ଲୋକଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ଲୋକ ଏହି ସେକ୍ଟରରେ କାମ କରୁଛନ୍ତି | ନୂତନ କର୍ମସୁଯୋଗ ପ୍ରାୟ ସୃଷ୍ଟି ହେଉନଥିବା ଚିନ୍ତାଜନକ |

ଏହି ଅଭାବନୀୟ ଅବସ୍ଥା ପରିପ୍ରେକ୍ଷୀରେ ଅସଂଗଠିତ ସେକ୍ଟର ର ବିକାଶ ନିତାନ୍ତ ଆବଶ୍ୟକ | ପାରମ୍ପାରିକ କୌଶଳ ଉପଯୋଗ କରି ଅନେକ କର୍ମନିଯୁକ୍ତି ସୁଯୋଗ ପାଇଁ ବାତାବରଣ ର ପ୍ରସ୍ତୁତି ଆଜି ର ପ୍ରାଥମିକ ସରକାରୀ ଓ ସାମାଜିକ କର୍ତ୍ତବ୍ୟ |

ଗୋଟିଏ ଛୋଟ ଉଦାହରଣ ପ୍ରାସଙ୍ଗିକ ମନେହୁଏ | କେନ୍ଦୁଝର ବଡି ର ଖ୍ୟାତି ରହିଛି | ଏହାର ମାନ ବଜାୟ ରଖି , ଉପଯୁକ୍ତ ପ୍ୟାକେଜିଙ୍ଗ ବ୍ୟବସ୍ଥା କରି ; ଆବଶ୍ୟକ ବ୍ୟାଙ୍କ ଓ ମାର୍କେଟିଙ୍ଗ ସହାୟତା ଦେଇ ଆମେ ବଡି ଉଦ୍ୟୋଗ ପ୍ରସାର କରିପାରନ୍ତେ ଏବଂ ଅନେକ କର୍ମସୁଯୋଗ ସୃଷ୍ଟି କରିପାରନ୍ତେ |

ଆଜିର ବଜାରରେ ଆମ ରାଜ୍ୟର ଉତ୍ପାଦନର ବ୍ରାଣ୍ଡିଂ ନିତାନ୍ତ ଆବଶ୍ୟକ | ଆମ ସୁସ୍ଵାଦ କୋରା-ଉଖୁଡା କୁ ଆମେ ବିଶ୍ବବିଖ୍ୟାତ ଆଖ୍ୟା ଦେଇଛେ କିନ୍ତୁ ଏହାକୁ ବିଶ୍ବ ବଜାରରେ ପହଞ୍ଚେଇ ପାରିନେ; ଅଥଚ ହଳଦୀରାମ ବ୍ରାଣ୍ଡ ର ସେଉ , ମିକସଚର , ସୋନପାପଡ଼ି ଇତ୍ୟାଦି ବିଶ୍ବର ବିଭିନ୍ନ ମାର୍କେଟ ରେ ପହଂଚି ପାରିଛି |

ଆମ ଉଦ୍ୟୋଗୀ ମାନଙ୍କୁ ଆମ ରାଜ୍ୟର କେତୋଟି ଉତ୍ପାଦନ ପାଇଁ ବ୍ରାଣ୍ଡିଙ୍ଗ ବ୍ୟବସ୍ଥା କରିବାକୁ ଆହ୍ବାନ କରୁଛି | ଏଥିପାଇଁ ଉପଯୁକ୍ତ ମାନ ଏବଂ ପ୍ୟାକେଜିଙ୍ଗ ନିହାତି ଜରୁରି |

**********  
24th Novemebr, 2019








Wednesday 30 October 2019

Sarve Bhadrani Pashyantu

My belief in the ancient dictum "Sarve Bhadrani Pashyantu" received, I thought, a jolt this morning while I walked past the building of the Odisha Administrative Tribunal. The Tribunal has been abolished, the Building looked deserted. 

In 1986, it had been established. Mr Gyan Chand became the first Chairman and my house I let out to be the tribunal Building before taking over my assignment as Chairman of Paradip Port.
About 60,000 cases were pending before the Tribunal was abolished. These are lying Red Taped. How would be the litigants feeling? When would the Red Tape be unfastened? I felt disturbed.
I cast a look at the centuries old Banyan Tree close to the Tribunal Building. It looked clean and more Regal. The busy Restaurant near it which had made brisk business while the Tribunal was functioning, has also been relocated.

I enjoyed the prevailing serenity hanging around the majestic Tree. My belief in Sarve Bhadrani Pashyantu got stronger.

******
October 30, 2019

Monday 28 October 2019

ଦୀପାବଳି ବାଣ ଫୁଟା

ଦୀପାବଳି ପୂର୍ବ ଅପରାହ୍ନରେ ଆମ ସହରର ବାଣ ଦୋକାନ ଅନୁସନ୍ଧାନରେ ଗଲି | ଡ୍ରାଇଭର କେଉଁଠୁ ଶୁଣିଥିଲା ବ୍ବରଗଡ଼ ଅଂଚଳର ବ୍ରିଟକଲୋନୀ କଥା | ସେଇଠି ବାଣ ଦୋକାନ ଥିବା କହିଲା | ମୁଁ ସେଇ ଅଂଚଳକୁ ଯାଇ ଗୋଟେ ଖୋଲା ଜାଗାରେ ମାତ୍ର ଗୋଟିଏ ଦୋକାନ ଦେଖି ସେଇଠି ପହଂଚିଲି | ମାତ୍ର ଅଳ୍ପ କେତେଜଣ ଗ୍ରାହକ ଥିଲେ | ଦୋକାନ ଟି ସମୃଦ୍ଧ ଦିଶୁନଥିଲା | ପୂର୍ବ ବର୍ଷ ମାନଙ୍କ ଭଳି ଦୋକାନ ମାନଙ୍କ ସଂଖ୍ୟା ସ୍ୱଳ୍ପ ଥିବା ଜଣା ପଡୁଥିଲା | ବାଣ ତିଆରି କରି ଆମ ଦେଶର ଅନେକ ଲୋକ ଜୀବିକା ନିର୍ବାହ କରୁଥିଲେ | ଆମେ ସେଇ ସୁଯୋଗକୁ ସଂକୁଚିତ  କରିବାରେ ଲାଗିଛେ | ବାଣ ଡିକ୍ରି କରି ଅନେକ ଯୁବକ ସାମୟିକ କର୍ମ ସୁଯୋଗ ପାଉଥିଲେ | ତାହା ମଧ୍ୟ ସଂକୁଚିତ  ହେଉଛି | ମୋର ଜଣେ ଉଚ୍ଚଶିକ୍ଷିତ ଭାଣିଜୀର ବକ୍ତବ୍ୟ ମନେ ପଡିଲା | ସେ କହୁଥିଲା ପିଲାଙ୍କ ବାଣ ଫୁଟାଇବା କଥା | ତାର ମତ ହେଲା ବାଣ ଫୁଟାଇଲେ ପିଲାଙ୍କ ସାହାସ ବଢେ | ବଡ଼ ହେଇ ସେ ଆମ ଦେଶର ସେନାବାହିନୀ ରେ ଯୋଗ ଦେବାପାଇଁ ଆକୃଷ୍ଟ ହୁଏ | ସେ ମାତୃଭୂମି ର ସୁରକ୍ଷା କରେ; ନିଆଁ ସହିତ ଖେଳେ ; ସହିଦ ହୁଏ | ଆମ ପିଲାଙ୍କୁ ସାହସୀ ହେବାକୁ ହେବ | ତାର ମତ ବାଣ ଦିନେ ଫୁଟିଲେ ଆମ ବିଶାଳ ଦେଶ ପ୍ରଦୂଷଣ ରେ ଅତ୍ୟନ୍ତ ଆକ୍ରାନ୍ତ ହେବନି ; ବରଂ ଗାଡି ମଟର ସଂଖ୍ୟା ବଢି ଆମ ସହର ମାନଙ୍କୁ ଯଥେଷ୍ଟ  ପ୍ରଦୂଷିତ କରୁଛନ୍ତି | ମୋର ମଧ୍ୟ ସେଇ ମତ | କେଉଁକାଳରୁ ଚାଲି ଆସୁଥିବା ଆମର ବର୍ଷରେ  ଦିନକର ପର୍ବ ପର୍ବାଣି      ଉପରେ ଏତେ କଟକଣା  କାହିଁକି ? ହଁ , ବାଣ ଫୁଟାରେ କଟକଣା ରହୁ ; ନିୟନ୍ତ୍ରଣ ରହୁ ; ରାତି ତମାମ ଠୋ ଠା, ଢ଼ୋ ଢା  ନହେଉ ; ଜନବସତି ଠାରୁ ଦୂରରେ ବିକ୍ରି ହେଉ ; ବିପଦଜନକ ବାଣ ବ୍ୟବହାର ଜନବସତି ଠାରୁ ଦୂରରେ ହେଉ | ଖୋଲା ପଡିଆରେ ଆତସବାଜି  ପ୍ରତିଯୋଗିତା ହେଉ | ଆମ ଲୋକେ ଏହା ଉପଭୋଗ କରନ୍ତୁ | ଆମ ସଂସ୍କୃତି ବଂଚି ରହୁ |

******
October 28, 2019

Saturday 26 October 2019

ସାମ୍ୟବାଦ

ଘରପାଖ ହାଟ ରେ ଆଳୁ ପିଆଜ ଅଦା ବିକାଳି ପିଣ୍ଡିରେ ବସୁଥିଲେ କିନ୍ତୁ ଶାଗ , ବାଇଗଣ , ମୂଳା ,ପୋଟଳ, କୋବି ଇତ୍ୟାଦି ପରିବା ବିକାଳି ତଳେ ବସୁଥିଲେ | କେଉଁ କାରଣରୁ ଏହି ବ୍ୟବସ୍ଥା ହେଇଥିଲା  ମୁଁ ଜାଣି ପାରୁନଥିଲି | ଆଜି ଅନେକ ଦିନ ପରେ ସକାଳେ ହାଟରେ ଦେଖିଲି ଅନେକ ପରିବା ବିକାଳି  ପିଣ୍ଡିରେ ବସିଛନ୍ତି | ପାଖ ଗାଁରୁ ଆସୁଥିବା ମୋ ଜଣାଶୁଣା  ପରିବା ବିକାଳି , ଗଗନ, ଦୂରରୁ ମୋତେ ଦେଖି ଦଉଡି ଆସି ଦେଖେଇଲା ସେ କେଉଁ ପିଣ୍ଡିରେ ବସୁଛି | କିନ୍ତୁ ଏଯାଏଁ ସମସ୍ତେ ପିଣ୍ଡି ପାଇ ନାହାନ୍ତି | ପିଣ୍ଡିରେ ପରିବା ଥିବାରୁ ତଳେ ବସି ଭେଣ୍ଡି  ବାଛିବା କଷ୍ଟ କିଣିବା ଲୋକର ଆଉ ନାହିଁ ; ନା ବୁଲା ଗାଈ କୋବି ଟାଣି ନେବା ଭୟ ବିକାଳିର ଅଛି | ଏଇ ଦୃଶ୍ୟ ଦେଖି ମୋର ବିପିଏଲ ଏପିଏଲ ପରିବାର  କଥା ମନେ ପଡିଲା | ମନେହେଲା ଯେମିତି ଅନେକେ ଦାରିଦ୍ର୍ୟ ରେଖା ଅତିକ୍ରମ କଲେଣି ଆଉ ଅନ୍ୟ କେତେ ଅପେକ୍ଷା କରୁଛନ୍ତି | ଉପରେ ଯେଉଁମାନେ ଅଛନ୍ତି , ଗାଈ ଦୌରାତ୍ମ୍ୟ ଭଳି ଅତ୍ୟାଚାର  ରୁ  ରକ୍ଷା ପାଇଲେଣି,  ଆଉ ଯେଉଁ ମାନେ ତଳେ ଅଛନ୍ତି ; ବିପଦରେ ଅଛନ୍ତି | କେବେ ସାମ୍ୟବାଦ ପ୍ରତିଷ୍ଠା ହେବ ଜାଣିବା ପାଇଁ ଜଣେ ତଳେ ବସିଥିବା ବିକାଳି କୁ ସେ କେବେ ପିଣ୍ଡିକୁ ଯିବ ପଚାରିଲି | ସେ ମୋ ମୁହଁକୁ ଚାହିଁ କହିଲା, " ବାବୁ ଦେବାଯାଏଁ ତଳେ ବସୁଥିବୁ " | ମୁଁ ବୁଝିଲି | ଆର୍ଥିକ ପରିବର୍ତ୍ତନ ପାଇଁ ତଳ ଲୋକକୁ ଶାନ୍ତିରେ ଅପେକ୍ଷା କରିବାକୁ ହବ | ସେ ତଳେ ବସିଲେ ବି ନିରବରେ ବସିଥିବ ; ଆନ୍ଦୋଳନ କରିବ ନି | ବାବୁ ,   ଅର୍ଥ ଆମ ସରକାରୀ ବ୍ୟବସ୍ଥା; ଯେବେ  ଚାହିଁବ  ସେ ଉପରକୁ ଯିବ |
******
October 26, 2019

Thursday 17 October 2019

ଆମ ଗୋରୁ ଚରାଳି




ସୋରଡ଼ା ବ୍ଲକର ୫୫ ବର୍ଷ ବୟସ୍କ ସୀମାଞ୍ଚଳ ମଲ୍ଲିକ ଛେଳି ମେଣ୍ଢା ଚରେଇବାକୁ ଗାଁ ପାଖ ଜଙ୍ଗଲ କୁ ଅସୁସ୍ଥତା ସତ୍ତ୍ୱେ ଯାଇ ଅଚେତ ହେଇଯିବା ଯୋଗୁଁ ଘରକୁ ଫେରିଲେନି | ଶେଷରେ ତାଙ୍କୁ ଉଦ୍ଧାର କରାଗଲା ଓ ତାଙ୍କୁ ବୈଦ୍ୟ ମୃତ ଘୋଷଣା କରିବା ପରେ ଶ୍ମଶାନକୁ ନେବା ବେଳେ ସେ କୋକେଇରେ ବସି ପଡିଲେ | ଡାକ୍ତରଖାନାରେ ସେ ସୁସ୍ଥ ହେଇ ଘରକୁ ଫେରିଲେ |

ଆମ ରାଜ୍ୟରେ କେତେଜଣ ଗୋରୁଗାଈ ଛେଳିମେଣ୍ଢା ଚରେଇ ଜୀବିକା ନିର୍ବାହ କରୁଥିବେ ? ମୁଁ ଭାବୁଛି ତାଙ୍କ ସଂଖ୍ୟା ଅନ୍ୟୁନ ଲକ୍ଷେ ହେବ | ଏମାନଙ୍କ ଆର୍ଥିକ ଅବସ୍ଥା କଣ ? ସ୍ୱାସ୍ଥ୍ୟ ବୀମା , ପେନସନ, ସର୍ବନିମ୍ନ ମଜୁରୀ ଇତ୍ୟାଦି ତାଙ୍କ ପାଇଁ ସ୍ବପ୍ନ | ସେମାନେ କେବେ ଫୋନ ରେ "ମୁଁ ନବୀନ ପଟ୍ଟନାୟକ କହୁଛି " ଶୁଣି ପାରିବେନି |

ଗଛମୂଳେ ଅଲୋଡା ହେଇ ହୁଏତ ଟଳି ପଡିବେ -- ଅଚେତ ହେଇ ବା ମୃତ ଅବସ୍ଥାରେ | ଅଥଚ ଆମ ଗୋଧନ ଯତ୍ନ ପାଇଁ ଗୋଚର ଜମି ବ୍ୟବସ୍ଥା ଆଜି ଆଜି ବିଧ୍ୱସ୍ତ | ଗୋଚର ଜମି ରେ କେରାଏ ଘାଷ ନାହିଁ ; ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅନେକ ଜମି ଅକ୍ତିଆର କରି ଚାଲିଛନ୍ତି | ମୋ ସରକାର ଏହି ପ୍ରସଙ୍ଗ ର ଗୁରୁତ୍ୱ ବୁଝି ପାରୁ ନାହାନ୍ତି |

ଓଡିଶାର ଗୋଚର ଜମି ପଲ୍ଲବିତ ହେଲେ ଆମ ସୀମାଞ୍ଚଳ ମାନେ ବଂଚି ଯାଆନ୍ତେ | (October 14, 2019)

******

ଆମେ ଦେଖୁଛେ କି ନାହିଁ


ଆମେ ଦେଖୁଛେ କି ନାହିଁ ; କିନ୍ତୁ ଦିନ ମଜୁରିଆ ଟିଏ ଦେହ ଦରଜ , ମୁଣ୍ଡ ବିନ୍ଧା ବା ଭୋକ ନହେବା ଇତ୍ୟାଦି ବେମାରୀ ପାଇଁ ପାଖ ଔଷଧ ଦୋକାନୀ କୁ ଯାଇ ଲକ୍ଷଣ କୁହେ ଆଉ ଦୋକାନ ଆଗରେ ଥିବା ବେଞ୍ଚ ରେ ବସି ବା ଶୋଇ ଗୋଟିଏ ଭଲ ଇଂଜେକସନ ନେବା ପାଇଁ ନେହୁରା ହୁଏ | କି ଇଂଜେକସନ ନିଏ ; ତା ଫଳ କଣ ହୁଏ ସେ ହିସାବ କିଏ କରନ୍ତି ନାହିଁ |

ଅଧିକାଂଶ ମଫସଲ ସରକାରୀ ଡାକ୍ତରଖାନା ରେ ଡାକ୍ତର ବାବୁ ନଥାନ୍ତି ; ଲୋକେ ଫାର୍ମାସିଷ୍ଟ ବାବୁଙ୍କୁ ଡାକ୍ତର ବାବୁ ସମ୍ବୋଧନ କରନ୍ତି ଏବଂ ସେ ରୋଗୀଙ୍କ ଦେଖାଶୁଣା କରନ୍ତି | ଏଇୟା ହେଉଛି ବାସ୍ତବିକତା | ପ୍ରଚାର ହେଉଛି ଅମୁକ ସ୍ୱାସ୍ଥ୍ୟ ଯୋଜନା ; ସମୁକ ସ୍ୱାସ୍ଥ୍ୟ ବୀମା ; ହଁ , ଅନେକେ ଉପକାର ପାଇଛନ୍ତି |

ଅନେକ ନର୍ସିଙ୍ଗହୋମ ସେହି ଯୋଜନାମାନ କାର୍ଯ୍ୟକାରୀ କରି ଅନେକ ଆବଶ୍ୟକ ଅପରେସନ କରିଛନ୍ତି ; ଅନେକ ଗରିବ ପରିବାର ଉପକୃତ ହେଇଛନ୍ତି | କିନ୍ତୁ ଯାହା ଜଣାପଡୁଛି ଏବେ ସରକାର ସେଇ ସଂସ୍ଥା ମାନଙ୍କୁ କୋଟି କୋଟି ଟଙ୍କା ଦେଇ ନାହାନ୍ତି | ସେମାନେ ଆଉ ସେ ଯୋଜନା କାର୍ଯ୍ୟକାରୀ କରିବେ ନାହିଁ ବୋଲି କହି ସାରିଲେଣି |

ଆମେ ଘୋଷଣା କରିବାରେ ଏତେ ବ୍ୟସ୍ତ ଯେ କେଉଁ ଯୋଜନା କେମିତି କାମ କରୁଛି ତାକୁ ଦେଖିବାକୁ ଆଗ୍ରହ ବା ସାମର୍ଥ୍ୟ ନାହିଁ | ଏଇ ପ୍ରହେଳିକାମୟ ବ୍ୟବସ୍ଥା ଭିତରେ ସାଧାରଣ ମଣିଷ ଟି ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଉଛି |
(17th October, 2019)

*******

Monday 19 August 2019

ଆମ ସାମାଜିକ କର୍ତ୍ତବ୍ୟ


ମୋର ଜଣେ ଅନୁଜସମ ଆତ୍ମୀୟ ବୟସରେ ମୋଠାରୁ ସାତବର୍ଷ ସାନ  | ଅନେକ ବର୍ଷ ପୂର୍ବେ ଗୋଟିଏ ମାଳଅଂଚଳର ଜିଲ୍ଲାପାଳ ଥିବାବେଳେ ଅନେକ ଦୁର୍ଗମ ଗାଁ କୁ ଚାଲିଚାଲି ଯାଇ ଲୋକଙ୍କ ଅବସ୍ଥା ବୁଝିବା ତାଙ୍କର ଗୋଟିଏ ଝୁଙ୍କ ଥିଲା | କେତେଥର ଘରକୁ ଫେରିବା ଡେରି ହେଲେ କାହା ଘରେ ବା ଜାଗା ନଥିଲେ  ଗୁହାଳରେ ରାତ୍ରିଯାପନ କରିଥିବା ସେ ମୋତେ କହୁଥିଲେ | ସେତେବେଳ କର୍ମସଂସ୍କୃତି ଭିନ୍ନ ଥିଲା ,  ଆତ୍ମ ପ୍ରଚାର ପ୍ରସାରରେ ଅନେକ ଗୁଣୀ , ପ୍ରତିଭା ସମ୍ପନ୍ନ , କର୍ତବ୍ୟନିଷ୍ଠ ଅଧିକାରୀ ସମୟ ନଷ୍ଟ କରୁନଥିଲେ | ମୋ ଆତ୍ମୀୟ  ଥିଲେ ସେହିଭଳି ଜଣେ ବ୍ୟକ୍ତିତ୍ୱ | ଅବସର ନେବାର କେତେ  ବର୍ଷ ହେଲାଣି | ପ୍ରାୟ  ଦୁଇ ବର୍ଷ  ହେବ, ଆଂଠୁ ପୀଡାର ଶିକାର ହେଇ ବହୁ କଷ୍ଟ ପାଉଛନ୍ତି : କିନ୍ତୁ କର୍ମଚଞ୍ଚଳ ଅଛନ୍ତି | ଦୁଇଦିନ ତଳେ ତାଙ୍କ  ଭଲମନ୍ଦ ବୁଝୁଥିଲି | କେତେଦିନ ହେବ ସେ ନିଜେ ତାଙ୍କ ଭୁବନେଶ୍ୱର ଘର ବଗିଚାରେ ନାନା ଜାତିର ଗଛ ଚାରା କରି ନିଜ ଗାଁରେ ବାଂଟୁଛନ୍ତି | ଚାରା ପ୍ରାୟ ସରିଗଲାଣି | କେବଳ କିଛି ଆମ୍ବ ଚାରା ବଳିଛି |  ଶୁଣି ଖୁସି ହେଲି |
ଭାବିଲି , ବୟସରେ ତାଙ୍କଠୁ ଅନେକ ସାନ ; ଅଥଚ ପାଠୁଆ ଲୋକେ ସହରରେ ରହି ସାମାଜିକ କର୍ତ୍ତବ୍ୟ  ବାବଦରେ  କଣ କରୁଛନ୍ତି ? ଅନେକ ସମୟରେ ଅପ୍ରାସଙ୍ଗିକ ବିଷୟରେ ଚର୍ଚ୍ଚା , ବାଦ ବିସମ୍ବାଦ ଓ  ବିବାଦ ରେ ଛଂଦି ରହୁଛନ୍ତି ଅନେକ ବ୍ୟକ୍ତି | ଅନେକ ସରକାର ଉପରେ ସବୁକିଛି ଛାଡିଛନ୍ତି ଏବଂ ନିଜେ ସାମାଜିକ ଦାୟିତ୍ତ୍ଵରୁ ଦୁରେଇ ରଖୁଛନ୍ତି | ଆମ ଦେଶରେ ଏପରି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ବହୁ ବାଧାବିଘ୍ନ ଦ୍ୱାରା ସତ୍ତ୍ୱେ ସମାଜ ପାଇଁ ଅନେକ କିଛି କରି ଯାଇଛନ୍ତି ଏବଂ ବିକାଶଧାରାକୁ ସମୃଦ୍ଧ କରିଛନ୍ତି ; ଅବହେଳିତଙ୍କ ଉନ୍ନତି କରିଛନ୍ତି | ଆମେ ସମସ୍ତେ ଅଳ୍ପ ବହୁତ କରି ପାରିବା ଆମ ସମାଜପାଇଁ | ଆଶା କରେ ଆମେ ନିଜ ସାମାଜିକ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା  |

********
19th August, 2019

Thursday 1 August 2019

ପିଲାଦିନ କଥା

ଶ୍ରାବଣ ପାହାନ୍ତିଆର ପତଳା ଅନ୍ଧାରରେ ତାରାଭଳି ଦିଶୁଥିବା ଗଙ୍ଗଶିଉଳି ଫୁଲ ଆମ ମାଟିମଣ୍ଡପ ସାହି ଘର ମୁଖ୍ୟ ଫାଟକ ପାଖ ଚଟାଣରେ ବିଛେଇ ହେଇଥାଏ | ଫୁଲଚାଙ୍ଗୁଡ଼ି ଧରି ପିଲାଦିନେ ଫୁଲ ଗୋଟେଇବା ମନେପଡେ | ଅଳ୍ପ ସମୟରେ ଚାଙ୍ଗୁଡ଼ି ଭର୍ତ୍ତି ହେଇଯାଏ; ଜେଜେମାଙ୍କ "ସେତିକି ଥାଉ" ଶୁଣି ମୁଁ ଘରକୁ ଦୌଡ଼ି ଯାଇ ତାଙ୍କୁ ଚାଙ୍ଗୁଡ଼ି ଧରେଇ ଦିଏ | ପିଲାଦିନେ ରାୟଗଡା ପାଖ  ଥେରୁବାଲିରେ ବାପା ଓ ମା ଙ୍କ ସହ ଗୋଟିଏ ଟ୍ରେନ ସେଲୁନରେ ରାତି ଅବିବାହିତ କରି ସକାଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସସ୍ତ୍ରୀକ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ରୁ ବାହାରିବା ଦେଖିଥିଲି | ଏହା ଏକ ଅଭୁଲା ଅନୁଭୂତି | ରାଷ୍ଟ୍ରପତି ସସ୍ତ୍ରୀକ ସେହି ଅଂଚଳରେ ଅବସ୍ଥାନ କରୁଥିବା ବିନୋବାଙ୍କୁ ସାକ୍ଷାତ ପାଇଁ ଯାଇଥିଲେ | କୋରାପୁଟରେ ରହିବାବେଳେ ବାପା ଭୁବନେଶ୍ୱର ଫୋନ କରନ୍ତି ; କଲେକ୍ଟର  କରିଥିବାରୁ ଅର୍ଡିନାରି କଲ ଶୀଘ୍ର ମିଳିଯାଏ : ଡେରିହେଲେ ବାପା ଅର୍ଜେଂଟ କଲ କରନ୍ତି ; ସେଥିରେ ଡେରି ହେଲେ ଇମିଡିଏଟ କଲ କରନ୍ତି |ନିତାନ୍ତ ଜରୁରୀ କାମ ଥିଲେ ଲାଇଟନିଂ କଲ କରନ୍ତି |ଏଇ ଶବ୍ଦରେ ମୁଁ ଡରିଯାଏ | ସାଂଗେସାଂଗେ କଲ ମିଳିଯାଏ | ପିଲାଦିନ ଏହିକଥା ମନେପଡେ | ପିଲାଦିନେ ବାପା କୋରାପୁଟ କଲେକ୍ଟର ଥିବାବେଳେ କଲେକ୍ଟର ବଙ୍ଗଳାରେ ସନ୍ଧ୍ୟା ପୂର୍ବରୁ ଜଣେ ପିଅନ ବଙ୍ଗଳାରେ ଆଲୁଅ ପାଇଁ ପ୍ରାୟ  ସାତଟି ପେଟ୍ରୋମାକ୍ସ ଲାଇଟ ଜଳେଇବା ପାଇଁ ଆୟୋଜନ କରୁଥିବା ମନେପଡେ | ଆମେ ଥିବାବେଳେ ବଙ୍ଗଳାକୁ ବିଜୁଳି ଆସିଥିବା ବି ମନେପଡେ |



ପିଲାଦିନେ ବାପା କହୁଥିଲେ ତାଙ୍କ ଛାତ୍ରଜୀବନର ସଂଘର୍ଷ  କଥା  --  କେମିତି ବିଗତ ଶତାବ୍ଦୀର ତୃତୀୟ ଦଶକରେ  ଆର୍ଥିକ ବାଧ୍ୟବାଧକତା କାରଣରୁ ନିଜ ଗାଁ ସିଂହାପୁରରୁ ସେ ଅନେକଥର ଯାଜପୁର ସ୍କୁଲ  ଯାଉଥିଲେ ପ୍ରାୟ ୨୫ କିଲୋମିଟର ପାଦରେ ଚାଲିଚାଲି |

ପିଲାଦିନେ କୋରାପୁଟରେ ଥିବା ବେଳେ ଜାମା କିଣିବାକୁ ଆମେ 'ସାମସନ' ଦୋକାନ ଯାଉଥିବା ମନେପଡେ; 'ସାମସଂଗ' ବଜାରକୁ ଆସି ନଥିଲେ |
ପିଲାଦିନେ ଗୁରୁଜନଙ୍କ ସାଙ୍ଗରେ ପୁରୀ ମାଟିମଣ୍ଡପ ସାହି ଘରୁ ଚାଲି ସମୁଦ୍ରକୂଳକୁ ଯିବା; ସମୁଦ୍ରକୁଳ ବାଲିରୁ ଶାମୁକା ଗୋଟେଇବା ଓ  ଘରକୁ ଫେରିବା ପରେ ଜାମା ଓ ପ୍ୟାଂଟର ସବୁ ପକେଟରୁ ବାଲିମିଶା ଶାମୁକା ବାହାରକରି ଜେଜେମାଙ୍କୁ ଦେଖେଇବା ଆନନ୍ଦ ମନେପଡେ | ଜୟପୁରରୁ ସିନେମା ଦେଖି ଆମେ କୋରାପୁଟ ଫେରୁଥାଉ ; ଜୟପୁର ଘାଟି ରାସ୍ତାରେ ଗୋଟିଏ ମହାବଳ ବାଘ ଦେଖିଲୁ | କାର ଚାଳକ ଆମକୁ ଆଉ ଗୋଟିଏ ମହାବଳ ବାଘ ଦେଖାଇଲା | ବାଁ ପଟ ବାଘ ରାସ୍ତା ଅତିକ୍ରମ କରି ଡାହାଣ ଆଡକୁ ଯାଇ ପ୍ରତୀକ୍ଷାରେ ଥିବା ବାଘ ପାଖକୁ ଗଲା ଏବଂ ଦିହେଁ ଜଙ୍ଗଲକୁ ଗଲେ. | ପିଲାଦିନର ସେହି ଅନୁଭୂତି ମନେପଡେ. | ପିଲାଦିନେ ରାଜ୍ୟର ଗୋଟିଏ "ନିଆଁଖୁଣ୍ଟା" ପ୍ରଭାବ ଆଜିର ସୋସାଲ ମିଡ଼ିଆ ଅପେକ୍ଷା ଅଧିକ ଥିଲା ; କାରଣ ସେତେବେଳେ କାନ ଶୁଣୁଥିଲା : ବିବେକ  ଚେଇଁ ଥିଲା |
ପିଲାଦିନେ ଅଜାଙ୍କୁ ଦଶହରା ଦିନ ଭଦଭଦଳିଆ ଚଢେଇ ଦେଖିବା ପାଇଁ ସକାଳୁ ତାଙ୍କ ତଳ ତେଲେଙ୍ଗା ବଜାର ହଜାରୀ ଲେନ ଘରୁ ରିକ୍ସାରେ  ବସି କାଠଯୋଡ଼ି କୁଳ ଯିବା ମନେପଡେ |
ପିଲାଦିନେ ମାଆଙ୍କ ଠାରୁ କେନାଲରେ କଟକରୁ ମାଛଗାଁ ମୋଟର ବୋଟରେ ଯିବା ଅନୁଭୂତି ଶୁଣିଥିବା ମନେପଡେ |

ପଡିଶା ଅଜାଙ୍କ ରୁପା ନାସଦାନୀ ପିଲାଦିନେ ମୋ ପାଇଁ ଏକ ଆକର୍ଷଣ ଥିଲା | ବହୁତ ନେହୁରା କରିବା ପରେ ସେ ହସି ଟିକିଏ ନାସ ଦେଉଥିଲେ | ତାକୁ ନାକରେ ପୁରେଇ ଦୁଇ ମିନିଟ ବାରମ୍ବାର ଛିଙ୍କିବା ଆନନ୍ଦ ଆଜି ଯାଏଁ ମନେ ପଡେ |

ପିଲାଦିନେ ପୁରୀ ସମୁଦ୍ରକୂଳରେ ବାଲି କଙ୍କଡା ପିଲାମାନଙ୍କ ସାଙ୍ଗରେ ଲୁଚକାଳି ଖେଳୁଥିଲେ | ଓଟ ଆସି ନଥିଲେ |

ପିଲାଦିନେ ଜେଜେମାଙ୍କ ଢଗ ଶୁଣିବାକୁ ଭଲ ଲାଗୁଥିଲା |

ପିଲାଦିନେ ଅନେକଙ୍କ ଘରେ କାକାତୁଆ ଚଢେଇ ଦେଖି ଆମେ ଖୁସି ହେଉଥିଲୁ |

ପିଲାଦିନେ କିଲ୍ଲାପଡିଆ ଘରେ ରହୁଥିବା ବେଳେ ରାତିରେ ମହାନଦୀ ପୋଲରେ ଟ୍ରେନ ଯାଉଥିବା ଶବ୍ଦ ଶୁଭୁଥିଲା |

ପିଲାଦିନେ ବଡ଼ ମାନଙ୍କ ମାନସାଙ୍କ ଉତ୍ତର ଦେବାକୁ ବଡ଼ ଆଗ୍ରହ ହେଉଥିଲା

ପିଲାଦିନେ ଘରେ ତିଆରି ଜଳଖିଆ ଭାରି ସୁଆଦ ଲାଗୁଥିଲା |

ପିଲାଦିନେ ରାତି ଆକାଶରେ ତାରାଙ୍କ ଭିଡ଼ ଥିଲା |

ପିଲାଦିନେ ଓଡ଼ିଆ ଖବରକାଗଜରେ ଅଳ୍ପ ଫଟ ଓ ବେଶୀ ଲେଖା ଥିଲା |

ପିଲାଦିନେ ରଥରେ ଠାକୁର ବଡ଼ ଦିଶୁଥିଲେ , ଏବେ ମଣିଷ ବଡ଼ ଦିଶୁଛନ୍ତି |

ପିଲାଦିନେ ବଡ଼ଦେଉଳ ବହୁତ ଦୂରରୁ ଦିଶୁଥିଲା |

ପିଲାଦିନେ ଆକାଶବାଣୀ କଟକ କେନ୍ଦ୍ର ଅତ୍ୟନ୍ତ ସ୍ପଷ୍ଟ ଶୁଭୁଥିଲା ; ଆଜିର ଘୋ'ଘା' ରେ କେଉଁଠି ଲୁଚି ଯାଇଥିବା ମନେହୁଏ |
**********