Thursday 3 January 2019

ଅପବ୍ୟୟ

ଅପବ୍ୟୟ


ଆଜି ସକାଳେ ବୁଲିବା ବେଳେ ଗୋପାଳକୁ କହିଲି ," ଗୋପାଳ ; ତୁମେ ରାଜ୍ୟ ସରକାରଙ୍କ ଜଣେ ଅନୁଭବି ଏବଂ ପ୍ରବୀଣ ବିତ୍ତ ପରାମର୍ଶଦାତା ଥିଲ ; କହିଲ ତୁମେ ଏପର୍ଯ୍ୟନ୍ତ ବ୍ୟକ୍ତିଗତ କ୍ଷେତ୍ରରେ କେତେ ଅପବ୍ୟୟ କରିଛ ?" ଏମିତି ପ୍ରଶ୍ନ ପାଇଁ ସେ ପ୍ରସ୍ତୁତ ନଥିଲା ; କିନ୍ତୁ ଉତ୍ତର ଦେବାପାଇଁ ପଛେଇଲାନି | 

କହିଲା ," ମୁଁ ପିଲାଦିନୁ ଆର୍ଥିକ ଅନାଟନ ଭିତରେ ବଡ ହେଇଚି ; ତେଣୁ ପଇସାର ସଦଉପଯୋଗ ପାଇଁ ସବୁବେଳେ ସତର୍କ ରହିଆସିଛି | ମୋର ପରିବାର ଟି ବଡ | ପିଲାମାନଙ୍କୁ ଭଲ ଶିକ୍ଷାଦେବା ; ବିବାହ କରେଇବା ; ରହିବାପାଇଁ ଘରଟିଏ କରିବା --  ମୋ ପାଇଁ ସବୁବେଳେ ବଡ ଆହ୍ବାନ ଥିଲା | ଅର୍ଥ ଅପଚୟ କରିବା ପାଇଁ ନା ଅର୍ଥ ଥିଲା ନା ପରିବେଶ | 

ମୁଁ କିନ୍ତୁ କହିଲି , 'ମନେ ପକାଅ; କାହାକୁ ହୁଏତ ଋଣ ଦେଇଥିଲ ଆଉ ସେ ତୁମକୁ ଠକିଦେଲା !! " ତାର ସେମିତି ଗୋଟିଏ ଘଟଣା ମନେପଡ଼ିଲା | ଲୋକଟି ତା ପତ୍ନୀଙ୍କ ସହପାଠୀ ଥିଲା ; ଭର ଘରର ଲୋକଟିଏ ; ଦିନେ ଆସି କହିଲା ତା ପୁଅର ଇଞ୍ଜିନିଅରିଙ୍ଗ କଲେଜ ଆଡମିସନ ର ଶେଷ ଦିନ ; ଦଶ ହଜାର ଟଙ୍କାର ନିହାତି ଆବଶ୍ୟକତା ଅଛି | ମାସକ ଭିତରେ ଫେରାଇବା ପ୍ରତିଶୃତି ମଧ୍ୟ ଦେଲା | ମୁଁ ମନା କରି ପାରିଲିନି | କିନ୍ତୁ ଟଙ୍କା ନେଲା ପରେ ମାସକ ଭିତରେ ମାତ୍ର ଦୁଇହଜାର ଫେରାଇଲା; ତାପରେ ଲୁଚିଲା | ଗୋପାଳ ପୁଲିସ ସହାୟତା ପାଇଁ ଚେଷ୍ଟା କଲା ; କିନ୍ତୁ ଜଣେ ଭଲ ପୁଲିସ ବାବୁ କହିଲେ, "ତାଙ୍କୁ ଟଙ୍କା ଦେଲେ କାହିଁକି ?" ଗୋପାଳ ଦେଖିଲା, ଆଉ କିଛି କରିହବନି ; ଦୁଃଖ କଲା; ଆଉ ଧୀରେଧୀରେ ଭୁଲିଗଲା | ଆଜି କହୁଥିଲା " ସାର , ମୋର ଏଇ ଗୋଟିଏ ଘଟଣା ମନେପଡୁଛି, ଯେଉଁଟା ଆପଣ ଅପବ୍ୟୟ ଭାବରେ ଗ୍ରହଣ କରି ପାରନ୍ତି |" 

ଆଜି ଆଉ ଜଣେ ଦେଖାହେଲେ |ସେ ବ୍ୟବସାୟ କରେ | ବିଦେଶରୁ ଫେରିଥିଲା | ମୁଁ ପଚାରିଲି," ଟିକିନା , କୁଆଡେ ଯାଇଥିଲ ?" ସେ ଅଳ୍ପ ହସି କହିଲା ," ଅଙ୍କଲ; ମୋ ବିବାହର ପନ୍ଦର ବର୍ଷ ପୂର୍ତ୍ତି ଉପଲକ୍ଷରେ ଆମ ସାଙ୍ଗମାନେ କହିଲେ ବିଦେଶ ଯିବା | ପିଲାଛୁଆ ମିଶି ପଇଁଚାଳିଶ ; ପ୍ରତ୍ୟେକ ପରିବାର ଯାତ୍ରା ଖର୍ଚ ନିଜେନିଜେ ବହନ କଲେ ; କିନ୍ତୁ ସିଙ୍ଗାପୁରରେ ରହିବା; ଖାଇବା , ବୁଲିବା ଖର୍ଚ ଦାୟିତ୍ୱ ଥିଲା ମୋର |" ମୁଁ ପଚାରିଲି "କେତେ ଖର୍ଚ ହେଲା ?" ସେ କହିଲା, " ଅଙ୍କଲ, ବେଶୀ ହେଇଗଲା; ବାର ଲକ୍ଷ ଟଙ୍କା ଖର୍ଚ ହେଲା |" 

ମୁଁ ଭାବିଲି ଇଏବି ତ ଗୋଟିଏ ଅନାବଶ୍ୟକ ବ୍ୟୟ ; କିନ୍ତୁ ଯେହେତୁ ତାର ଉପାର୍ଜନ ବେଶୀ ,ଆଉ ତା ସମାଜରେ ଏହିଭଳି ଖର୍ଚ ଉଣା ଅଧିକେ ସବୁ ଯୁବକ ଯୁବତୀ କରନ୍ତି , ସେ ଏହି ଖର୍ଚକୁ ଅପବ୍ୟୟ ଭାବରେ ଗ୍ରହଣ କରୁନି | ଅପବ୍ୟୟର ପରିଭାଷା ମଧ୍ୟ ବ୍ୟାପକ | ମନେକରନ୍ତୁ ଜଣେ ଅଧିକ ଉପାର୍ଜନ ପାଇଁ ଶେୟାର ବଜାର ରେ ରୁଚି ରଖିଲା କିନ୍ତୁ କ୍ଷତି ହେଲା | ଏହାକୁ କିଏ ଅପବ୍ୟୟ କହିବ; କିନ୍ତୁ ଆଉ କିଏ ହୁଏତ କହିବନି | ପରିସ୍ଥିତି ସ୍ଥିର କରେ କେଉଁଟା ଅପବ୍ୟୟ ; କିନ୍ତୁ ବିବେକ ଅନୁଯାୟୀ ଖର୍ଚ କଲେ ଅପବ୍ୟୟର ସମ୍ଭାବନା ନିଶ୍ଚୟ କମ ରହିଥାଏ I

*******
3rd January, 2018

No comments:

Post a Comment