Friday 4 January 2019

ଠିଆ ହୋଇଥିବା ଅବସ୍ଥାରୁ ଲଇଁ ନିଜ ଯୋତାର ଫିତା ବାନ୍ଧିବା

ଆଜି ସକାଳେ ବୁଲିବାର ପ୍ରାରମ୍ଭିକ ପର୍ୟାୟରେ ବନ୍ଧୁ ମୋ' ଡାହାଣ ଗୋଡ ଯୋତାର ଫିତା ଫିଟି ଯାଇଥିବା କହିଲେ | ମୁଁ ମଧ୍ୟ ଏହା ଅନୁଭବ କରିଥିଲି | କିନ୍ତୁ ମୁଖ୍ୟରାସ୍ତା ପାରହେଲା ପରେ ଫିତା ବାନ୍ଧିବାକୁ ସ୍ଥିର କରିଥିଲି | ସେଇଆ କଲି | ଫିତା ବାନ୍ଧିବା ପ୍ରକ୍ରିୟାରେ ମୋ ଶରୀରର ଉପର ଭାଗ ଅଂଟାରୁ ପ୍ରାୟ ୧୩୦ ଡିଗ୍ରୀ ତଳକୁ ଲଇଁ ଯାଇଥିଲା ଏବଂ ସେହି ମୁଦ୍ରାରେ ଫିତା ବନ୍ଧା ସରିଲା | 

ଆମେ ପୁଣି ଚାଲିଲୁ | ୧୯୫୧-୫୨ ମସିହା ର ଗୋଟିଏ ଘଟଣା ମନେ ପଡିଲା | ସୁନ୍ଦରଗଡ ରେ ଜିଲାପାଳ ଥିଲେ ଏନ୍ ଦତ୍ତ ମଜୁମଦାର |ଏକ ଦୀର୍ଘକାୟ ଗୌରବର୍ଣ ଏବଂ ଉନ୍ନତ ନାସିକା ଯୁକ୍ତ ବ୍ୟକ୍ତିତ୍ବ | ମୋ ବାପା ଥିଲେ , ଏଡିଏମ୍ | ମୁଁ ଥିଲି ନ ବର୍ଷର | ଆମେ ଭାଇ ଭଉଣୀ କଲେକ୍ଟର ବଂଗଳାକୁ ଅନେକ ସମୟରେ ଯାଇ ସେଠି ତାଂକ ପିଲାଂକ ସହିତ ଖେଳାଖେଳି କରୁଥିଲୁ ,ଜାମୁକୋଳି ଖାଉଥିଲୁ | ଦିନେ ଦେଖିଲି ଗୋଟେ ଚୌକୀରେ ଜିଲାପାଳ ବସିଚନ୍ତି; ଆଉ ଜଣେ ସେବକ ତାଂକୁ ଯୋତା ପିନ୍ଧାଉଚି ଏବଂ ଯୋତା ଫିତା ବାଂଧୁଚି | ସେତେବେଳେ ୫୫ ବର୍ଷରେ ସରକାରୀ କର୍ମଚାରୀ ମାନେ ଅବସର ନେଉଥିଲେ | ତେଣୁ ମୋର ମନେହୁଏ ଜିଲାପାଳ ୫୨-୫୩ ବର୍ଷ ବୟସ୍କ ହୋଇଥିବେ | ସେବକର ସହାୟତା ହୁଏତ ସ୍ବାସ୍ଥ୍ୟ କାରଣରୁ ହୋଇଥାଇପାରେ ଅଥବା ପଦବୀ ର ଅହଂକାର ଯୋଗୁଁ | 

ଚବିଶ ବର୍ଷ ପରେ ମୁଁ ସୁନ୍ଦରଗଡ ଜିଲାପାଳ ହେଲାବେଳେବି ପିଲାଦିନର ସେଇ ଜାମୁକୋଳି ଗଛ ଥାଏ। ମୁଁ ପୁଣି ଜାମୁକୋଳି ଖାଇଲି। ଆଜି ୭୪ ବର୍ଷ ବୟସରେ ଠିଆ ହୋଇଥିବା ଅବସ୍ଥାରୁ ଲଇଁ ରାସ୍ତା କଡରେ ଅନାୟାସରେ ନିଜ ଯୋତାର ଫିତା ବାନ୍ଧିବା ସାମର୍ଥ୍ୟ ଉପଭୋଗ୍ୟ ହୋଇଥିଲା |

 ବନ୍ଧୁ ଆନନ୍ଦରେ ଏହି ଅନୁଭୁତି ଶୁଣିଲେ ଏବଂ ୧୯୬୫-୬୬ ମସିହାରେ ମାଉନ୍ଟ ଆବୁ ରେ ପୁଲିସ୍ ଟ୍ରେନିଂଗ୍ ନେଉଥିବା ବେଳର ତାଂକ ରୁମ୍ ରେ ରହୁଥିବା ଜଣେ ସହକର୍ମୀଂ କ ସେବକ ଠାରୁ ସାହାଯ୍ୟ ନେବା ପ୍ରବୃତ୍ତି ସମ୍ପର୍କରେ କହିଲେ |

************
January 4, 2017

No comments:

Post a Comment