Tuesday 8 January 2019

ସ୍ୱଳ୍ପ ବଚନ






ମୋର ଜଣେ ଗପୁଡି ଯୁବକ ବନ୍ଧୁ ଜାନୁଆରୀ ଛ ତାରିଖରେ ଆମକୁ ନୁଆବର୍ଷର ଶୁଭେଚ୍ଛା ଦେବାପାଇଁ ଘରକୁ ଆସି କହିଲେ ଯେ ସେ ଏକ ତାରିଖ ଦିନ ଘରୁ ବାହାରିଥିଲେ ଆମକୁ ଶୁଭେଚ୍ଛା ଜଣେଇବାକୁ ; କିନ୍ତୁ ବାଟରେ ଗପି ଗପି ଆସିବାରୁ ଡେରି ହେଇଗଲା |

(8th Jan, 2019)



****

ଧାନ ର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ହେବା ଅର୍ଥ ଚାଉଳ କୁଇଣ୍ଟାଲ ପ୍ରାୟ ୫୦୦୦ ଟଙ୍କା ହେବ | ଏବେ ଦିଲ୍ଲୀ ଦରବାର ରେ ଏହି ମର୍ମ ରେ ସ୍ୱର ଉତ୍ତୋଳନ ହେବ | ଏହାର ସମ୍ଭାବ୍ୟ ପରିଣତି କଣ ? ଆମର ଦାବି ହେବ ଆମେ ଉତ୍ପାଦନ କରୁଥିବା ଚାଉଳ ସରକାରଙ୍କୁ ବିକି ତାଙ୍କ ଠାରୁ କିଲୋ ପ୍ରତି ପଚାଶ ଟଙ୍କା ନେବୁ ଏବଂ ସରକାର ଆମକୁ ଖାଇବା ପାଇଁ ଯେଉଁ ଚାଉଳ ଦେବେ ତାହା ବାବଦରେ ଆମେ ପ୍ରତି କିଲୋ ପାଇଁ ଟଙ୍କେ ଦେବୁ | ଏହିଭଳି ବ୍ୟବସ୍ଥାର ପରିଣତି କଣ ସେବିଷୟରେ କଣ କେହି ମୁହଁ ଖୋଲି କହିବେନି ? ପାଠୁଆ ଲୋକ , ଅନୁଭବୀ ଲୋକ , ଆସନ୍ତା ପିଢିଙ୍କ ଭବିଷ୍ୟତ ପ୍ରତି ଚିନ୍ତା କରୁଥିବା ଲୋକ କଣ ଏହି ପାଲା ଶୁଣୁଥିବେ ଆଉ ପାଟି ଖୋଲିବେ ନାହିଁ ? (7th Jan, 2019)

****



ଆମ ଗୋଚର ଜମିରେ ଘାସ କଅଁଳେ ନି କାହିଁକି ? ଆମ ଖେଳ ପଡିଆ ଟାଙ୍ଗରା ଦିଶେ କାହିଁକି ? (6th Jan, 2019)

****

ହଁ, ଯେହେତୁ ଖାସି ଦର ଉଚ୍ଚା ଅଛି, ଜାଣି ହୁଏ ବାଘ ବଂଚିଛି |(4th Jan, 2019)

****

ଚାରିବର୍ଷ ପୂର୍ବେ  ସାଧାରଣ ସମ୍ବାଦରେ ପିକେ ନାମକ ଏକ ଚଳଚିତ୍ର ଏକ ପ୍ରମୁଖ ସ୍ଥାନ ଲାଭ କରିଥିଲା , ଅଥଚ ଆମେ ଭୟାଭୟ ଜଣ୍ଡିସ ( କାମଳ ) ରୋଗ ବ୍ୟାପୁଥିବା ବିଷୟ ସାଧାରଣ ଚର୍ଚ୍ଚା ରେ ଅଣଦେଖା କରୁଥିଲେ | ମୋ ମତ ଥିଲା ଆମେ ବଂଚିଥିଲେ ସିନା ପିକେ ବିଷୟରେ ଚର୍ଚ୍ଚା କରିବା !! ତେଣୁ ବର୍ତ୍ତମାନ କାମଳ ରୋଗ ସମ୍ପର୍କରେ ଚର୍ଚ୍ଚା ବିଧେୟ | ଆମେ ଅନେକ ସମୟରେ ଏହିଭଳି ବ୍ୟାଧିରେ ପୀଡିତ ହେଉଚୁ ; କେଉଁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ତାହା ଆକଳନ ନକରି ଆମେ ଅନେକ ବିଷୟରେ ଅଯଥା ବାକବିତଣ୍ଡା କରି ସମୟର ଅପଚୟ କରୁଛେ | ଆମ ଦୈନନ୍ଦିନ ଜୀବନରେ ଅନ୍ୟାୟ , ଅପମାନ , ଅବ୍ୟବସ୍ଥା ସହୁଚେ ; ନୀରବତା ଅବଲମ୍ବନ କରୁଛେ | ଏହା ଫଳରେ ଅବ୍ୟବସ୍ଥା ର ଚେର ଦିନକୁଦିନ ଶକ୍ତ ହେଇ ଚାଲିଛି ଏବଂ ଆମର ଅସହାୟତା ଦିନକୁଦିନ ବଢି ଚାଲିଛି | ଖ୍ରୀଷ୍ଟିଆନ ମିଚେଲ କାହା ନାଁ ନେଲା ; କେଉଁ ପରିସ୍ଥିତିରେ ନେଲା ସେ ବିଷୟରେ ସମ୍ପୃକ୍ତ ଅଧିକାରୀ ବୁଝିବେ , ସେମିତି ବିଷୟରେ ଆମେ ହୁରି ପକେଇବା କଣ ନିତାନ୍ତ ଜରୁରୀ ? ବରଂ ଭଲ ହେବ ଯଦି ଆମେ ନିଜ ଚିନ୍ତା ପ୍ରକାଶ କରୁଥିବା ଆମ ପାଖଆଖରେ ବଢୁଥିବା ମଦର ପ୍ରସାର ବିଷୟରେ ; ବିଦ୍ୟାଳୟରେ ଶିକ୍ଷକ ନଥବା ବିଷୟରେ ; ପାଠ୍ୟ ପୁସ୍ତକ ର ଅଭାବ ବିଷୟରେ ; ବଢୁଥିବା ସଡକ ଦୁର୍ଘଟଣା ବିଷୟରେ ; ଡାକ୍ତରଖାନାରେ ରାତିରେ ଡାକ୍ତରଙ୍କ ଅନୁପସ୍ଥିତି ବିଷୟରେ | ଟ୍ରମ୍ପ ମେକ୍ସିକୋ ପାଚିରୀ ବିଷୟରେ କଣ କଲେ ନକଲେ ଆମେ ଉଚ୍ଚ ସ୍ୱରରେ ଏବଂ ବହୁସମୟ ଆଲୋଚନା ନକରି ଭଲ ହେବ ଆମ ପରିବେଶକୁ ଉନ୍ନତ କରିବା ପାଇଁ ଆଗେଇବା | (2nd Jan, 2019)

*****

ଓଡିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ୨୦୧୯ ବର୍ଷର ଡ଼ାଇରୀରେ କେତୋଟି ଗୁରୁତର ପ୍ରମାଦ ଥିବା କାଁଭାଁ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଥିବା ଦେଖିଲି | କେଉଁଠି ଆମ ବିଖ୍ୟାତ କବିଙ୍କ ଉକ୍ତି ଉଦ୍ଧାର କରିଥିବା ବେଳେ କେତୋଟି ଶବ୍ଦ ଅଶୁଦ୍ଧ ଭାବରେ ପ୍ରକାଶିତ ହୋଇଛି ତ କେଉଁ ସ୍ଥଳରେ ଉଦ୍ଧୃତ ଅମରବାଣୀ ର ରଚୟିତାଙ୍କ ନାମ ଉଲ୍ଲେଖ ନ ହୋଇ ଅନ୍ୟ କାହା ନାମ ପ୍ରକାଶ କରାଯାଇଛି | ପ୍ରମାଦପୂର୍ଣ୍ଣ ଉକ୍ତିମାନଙ୍କର ଫଟ ପ୍ରଦର୍ଶନ କରାଯାଇଛି | ବ୍ୟଥିତ ବ୍ୟକ୍ତିମାନେ ଏହିଭଳି ପ୍ରମାଦ ପାଇଁ ମର୍ମାହତ ହେବା ସଂଗେ ସଂଗେ ଡ଼ାଇରୀ ଗୁଡିକ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି | ଏ ସମ୍ପର୍କରେ ଆଲୋଚନା କଲାବେଳେ କେତୋଟି ପ୍ରାସଙ୍ଗିକ ପ୍ରତିକ୍ରିୟା ପ୍ରକାଶିତ ହୋଇଥିବା ମନେପଡେ --- ଯେମିତି (୧) ହୋଣ୍ଡା ମୋଟର କମ୍ପାନୀ ନିଜ ଉତ୍ପାଦିତ କେତେଗୁଡିଏ ଯାନର କବାଟ ତାଲା ରେ ତ୍ରୁଟି ଥିବା ଯୋଗୁଁ ୩୨୦୦୦୦ ଯାନ ପ୍ରତ୍ୟାହାର କରିଥିଲେ | (୨) ଭୋକସୱାଗନ କମ୍ପାନୀ ଉତ୍ପାଦିତ ୨୮୧୦୦୦ କାର ରେ ଇନ୍ଧନ ପମ୍ପ ରେ ତ୍ରୁଟି ଥିବା ଯୋଗୁଁ କମ୍ପାନୀ ସେଇ କାର ଗୁଡିକ ପ୍ରତ୍ୟାହାର କରିଥିଲେ | ଏହିଭଳି ଅନେକ ଦୃଷ୍ଟାନ୍ତ ରହିଛି | ଓଡିଶା ଡ଼ାଇରୀ କ୍ଷେତ୍ରରେ ଏଭଳି ପ୍ରତିକ୍ରିୟା ଆଶା କରିବା ବୃଥା ମନେହୁଏ | ଆମକୁ ଏହି ପ୍ରମାଦ ସତ୍ତ୍ୱେ ଡ଼ାଇରୀ ଗୁଡିକ ସ୍ୱୀକାର କରିବାକୁ ହେବ; କାରଣ ଆମେ ଭିନ୍ନ ଉପାଦାନରେ ଗଢ଼ା ହେଇଛେ | ଆମ ଆତ୍ମଅଭିମାନ , ଆମ ସହନଶୀଳତା ଏବଂ ଆମ ଚର୍ମ ସ୍ୱତନ୍ତ୍ର | ଆମକୁ ଏହି ସ୍ୱତନ୍ତ୍ରତା ବଜାୟ ରଖିବାକୁ ହେବ |(2nd Jan, 2019)

*****

"ବାପା, ଆଜି କାହିଁକି ଦେଉଳକୁ ଏତେ ଲୋକ ଯିବେ? କଣ ଦିଅଁ ଙ୍କୁ ହାପି ନିୟୁ ଇଅର କହିବାକୁ?" (1st Jan, 2019)

*****

ଭବିଷ୍ୟତର ରୂପରେଖ ସୁଚାଇବା ପାଇଁ କ୍ରିଷ୍ଟାଲବଲ ସବୁବେଳେ ଆବଶ୍ୟକ ହୁଏ ନାହିଁ | ଘଟୁଥିବା ଘଟଣା /ଅଘଟଣା ପରିବର୍ତ୍ତନ ର ସ୍ପଷ୍ଟ ସଂକେତ ଦେଇଥାଏ | ଆମର ସହସ୍ର ସୈନ୍ୟ ସାମନ୍ତ ଗୁପ୍ତଚର ମାନେ ସକ୍ରିୟ ଥିବା ସତ୍ତ୍ୱେ ଆମ ପାଦତଳୁ ମାଟି ଧସି ଯାଏ | ବଡ଼ଦେଉଳ ଭିତରେ ନାବାଳିକା ପ୍ରତି ଅସଦାଚାରଣ ଭଳି ଘଟଣା ପରିବର୍ତ୍ତନ ର ସ୍ପଷ୍ଟ ଆଭାସ ଦିଏ |(30th Dec, 2018)

*****

ବର୍ଷ ସରିବା ପ୍ରାୟ | ଆମ ଓଡିଶାର ପ୍ରାୟ ସାଢ଼େ ଚାରିକୋଟି ଓଡ଼ିଆଭାଷା କହୁଥିବା ଲୋକମାନଂକ ମାତୃଭାଷା ବ୍ୟବହାରର ମାନ ସମ୍ପର୍କରେ ପୁଣି ଥରେ ଦୁଇପଦ ଲେଖିବା ପାଇଁ ମନହେଲା | ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପି ଯେମିତି ହାଣ୍ଡିର ସବୁ ଚାଉଳ ଶିଝିଚି ନାହିଁ ଜାଣିହୁଏ, ସେମିତି ଆମ ରାଜ୍ୟ ରାଜଧାନୀରେ ଓଡ଼ିଆଭାଷାକୁ କଥାବାର୍ତ୍ତାରେ କେମିତି ବ୍ୟବହାର କରାଯାଏ ତାର ଦୁଇ ତିନୋଟି ନମୁନା ନିମ୍ନରେ ଲେଖୁଚି | ଗୋଟିଏ ଇଂରାଜୀ ଶବ୍ଦ " ଲାଇନ୍ " ର ବହୁଳ ବ୍ୟବହାର ହୁଏ ଏମିତି ---
୧ . କାଲି ରାତି ବାରଟା ଯାଏ ବାରମ୍ବାର ଲାଇନ୍ ଯାଉଥାଏ | ୨. ସେଇ ପେଚାମୁହାଁ ରସିକିଆ ନେତାଟା ଝିଅଂକୁ ଲାଇନ୍ ମାରୁଚି | ୩. ଏଟିଏମ୍ ଆଗରେ ଲାଇନ୍ ଲାଗିଚି | ଅନେକେ ଆମ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ କୁହନ୍ତି ଏବଂ କ୍ଵଚିତ ହସ୍ପିଟାଲ୍ର ର ଏକ ଉପଯୁକ୍ତ ଓଡ଼ିଆ ଶବ୍ଦ ବ୍ୟବହାର ହୋଇଥାଏ | କିନ୍ତୁ ଅଧିକ ଚିନ୍ତାଜନକ ହୋଇଥାଏ "ଛ ନମ୍ବର" ଭାବରେ ଏହି ଡାକ୍ତରଖାନା ର ସ୍ୱୀକୃତ ପରିଚୟ | ଆମ ଘରର ଅବସ୍ଥିତି ସମ୍ପର୍କରେ ସୂଚନା ଦେବାବେଳେ ବକ୍ସି ଜଗବନ୍ଧୁ ନଗର ପରିବର୍ତ୍ତେ ମହିଷୀଖାଲ ଶବ୍ଦ ଅଧିକ ବୋଧଗମ୍ୟ ହୋଇଥାଏ | ଖାଲି "ମୁଖ୍ୟମନ୍ତ୍ରୀ ଓଡ଼ିଆ କହୁନାହାନ୍ତି" କହି ଲାଭନାହିଁ ; ଆମେ ଆମ ମାତୃଭାଷାକୁ କେଉଁ ସ୍ଥରରେ ପହଂଚେଇଚେ ଟିକେ ଭାବନ୍ତୁ | ଲେଖିଲେ ତ କେତେ କଥା ଲେଖିହେବ ;ତେବେ ଆମ ଚଳଚିତ୍ର କଥା ଦେଖୁ ନାହାନ୍ତି !! ସ୍ବାଭିମାନୀ ରୁଚିସମ୍ପନ୍ନ ଓଡ଼ିଆମାନେ କେମିତି ଏ ସମ୍ପର୍କରେ ମୌନ ଅଛନ୍ତି ? କାହିଁକି ଉନ୍ନତମାନର ଚଳଚିତ୍ର ତିଆରି ହେଉନି ? (29th Dec, 2018)

****

କେତୋଟି ନେଉଳ , ଗୂଂଡୁଚିମୂଷା , ବୁଲବୁଲ , ହଳଦିବସନ୍ତ ,କୋଇଲି ଆଉ କାଠରଙ୍କା ଆମ ବଗିଚାର ଅଂଶବିଶେଷ | ଦିନଚର୍ଯ୍ୟା ଏମାନଙ୍କ ସାନିଧ୍ୟରେ ଉପଭୋଗ୍ୟ ହେଇ ଆସିଛି | ମନେହୁଏ ଈଶ୍ବରଙ୍କ ଆଶୀର୍ବାଦ ଏମାନଙ୍କ ଉପସ୍ଥିତି ମାଧ୍ୟମରେ ପ୍ରତିଫଳିତ ହୋଇଥାଏ |(28th Dec, 2018)

*****

" ବିକାଶ କଣ ତାହା ଆମେ ପ୍ରଦର୍ଶନ କରିଦେବୁ ; ଦକ୍ଷିଣ ପୂର୍ବ ଏସିଆ ର ବିକଶିତ ରାଷ୍ଟ୍ର ଭଳି ଆମ ରାଜ୍ୟ ହେଇ ପାରିବ | ଏଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଆଯାଉ "| ଏହି ମର୍ମରେ ବିଜେଡି ଅଧ୍ୟକ୍ଷ ଉଦ୍ବୋଧନ ଦେଇଥିବା ପ୍ରକାଶିତ ହୋଇଛି | ଶାଣିତ ଭାଷାରେ ଏହି ଉଦ୍ବୋଧନ ନିଶ୍ଚୟ ଶୃତିମଧୁର ହୋଇଥିବ | ଏହା ଏକ ଐତିହାସିକ ସନ୍ଦେଶ ଭାବରେ ଚିତ୍ରଣ ହୋଇଥିବା ଦୃଷ୍ଟିରୁ ଏହାର ଏକ ନିରାସକ୍ତ ତର୍ଜମା ଆବଶ୍ୟକ ମନେହୁଏ | ଓଡିଶା ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗବିଶେଷ ; ଭାରତର ସମ୍ବିଧାନ ଦ୍ୱାରା ଆମ ଦେଶ ପରିଚାଳିତ | ରାଜ୍ୟ ଓ କେନ୍ଦ୍ର ର ଆର୍ଥିକ ପରିଚାଳନା ସମ୍ବିଧାନରେ ଥିବା ବ୍ୟବସ୍ଥା ଦ୍ୱାରା ସମ୍ପାଦିତ ହୁଏ | ଅନୁସୃତ ବ୍ୟବସ୍ଥାର ଶୃଙ୍ଖଳା ମଧ୍ୟରେ ଭାରତ ର ବିଭିନ୍ନ ରାଜ୍ୟ ନିଜ ବିକାଶ କରୁଛନ୍ତି | ଏହି ବ୍ୟବସ୍ଥାରେ ଯେମିତି ଆନ୍ଧ୍ର ପ୍ରଦେଶ ପରିଚାଳିତ ହେଉଛି ପଶ୍ଚିମବଙ୍ଗ , ରାଜସ୍ଥାନ , ଓଡିଶା ଓ କର୍ଣାଟକ ମଧ୍ୟ ପରିଚାଳିତ ହେଉଛନ୍ତି | ଯଦି ଏହି ସମସ୍ତ ରାଜ୍ୟ ପ୍ରଚଳିତ ଆର୍ଥିକ ବ୍ୟବସ୍ଥାରେ ସମଭାବରେ ପ୍ରଭାବିତ ହେଉଛନ୍ତି, ତେବେ ସେଇ ରାଜ୍ୟମାନଙ୍କ ମଧ୍ୟରେ ବିକାଶରେ ତାରତମ୍ୟ ରହିଛି କାହିଁକି ? ଉଦାହରଣ ଏହି ମନ୍ତବ୍ୟକୁ ସ୍ପଷ୍ଟ କରିବ | ଯୋଜନା କମିଶନଙ୍କ ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ରେ ଓଡ଼ିଶାରେ ଉତ୍ପାଦିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ମୋଟ ଉତ୍ପାଦନ ମୂଲ୍ୟ ଥିଲା ୨୩୦୯୯ କୋଟି ଟଙ୍କା ; କିନ୍ତୁ ଆନ୍ଧ୍ର ର ପରିମାଣ ଥିଲା ୮୭୩୨୫ କୋଟି ଟଙ୍କାର ; କର୍ଣାଟକ (୪୧୧୫୧ କୋଟି); ରାଜସ୍ଥାନ (୪୯୬୫୮ କୋଟି); ପଶ୍ଚମ ବଙ୍ଗ ( ୬୨୪୨୦ କୋଟି) | ଉଦ୍ୟୋଗ କ୍ଷେତ୍ରରେ ଏହି ପରିମାଣ -- ଓଡିଶା (୫୨,୨୧୪ କୋଟି) ; ଆନ୍ଧ୍ର (୧୦୬୮୦୧ କୋଟି); କର୍ଣାଟକ (୮୫୨୨୧ କୋଟି); ରାଜସ୍ଥାନ (୬୯୯୩୩ କୋଟି) ଓ ପଶ୍ଚିମବଙ୍ଗ (୭୨୩୬୨ କୋଟି) | ପ୍ରତି ୧ହଜାର ଜନ୍ମିତ ଜୀବିତ ସନ୍ତାନ ମଧ୍ୟରୁ ଶିଶୁ ମୃତ୍ୟୁ ହାର ଏହି ରାଜ୍ୟ ମାନଙ୍କରେ ୨୦୧୬ ମସିହାରେ ଥିଲା ଯଥାକ୍ରମେ -- ୪୪, ୩୪, ୨୪, ୪୧ ଓ ୨୫ | ଦେଶର ସମଗ୍ର ଉତ୍ପାଦନ (ଜିଏସଡ଼ିପି ) ର ୧୪.୪୨% ଭାଗ ଥିଲା ମହାରାଷ୍ଟ୍ର ର , ପଶ୍ଚିମବଙ୍ଗ ଭାଗ ଥିଲା ୬.୭୫%' କର୍ଣାଟକର; ୫.୮୭%, ରାଜସ୍ଥାନ ର ଭାଗ ଥିଲା ୪.୯୪% ' ଆନ୍ଧ୍ର ର ୪.୪୩% ଓ ଓଡ଼ିଶାର ଥିଲା ମାତ୍ର ୨.୬୧% | ଏହି ଚିତ୍ରରୁ ଜଣାପଡେ ଆମେ କେମିତି ବିକାଶ ପ୍ରଦର୍ଶନ କରୁଛେ | ଯଦି ଆମେ କୌଣସି କାରଣରୁ ଆର୍ଥିକ ସ୍ୱତନ୍ତ୍ରତା ପାଇବା , ତାହାହେଲେ ରାଷ୍ଟ୍ରର ଅନ୍ୟ ରାଜ୍ୟମାନେ ମଧ୍ୟ ପାଇବେ | ଆଜିର ଶୃଙ୍ଖଳା ଭିତରେ ଥାଇ ଯଦି ଆନ୍ୟ ରାଜ୍ୟମାନେ ଆମ ରାଜ୍ୟ ତୁଳନାରେ ଅଧିକ ଫଳପ୍ରଶୁ ହେଇପାରିଛନ୍ତି ତେବେ ସ୍ୱତନ୍ତ୍ରତା ପାଇଲେ ସେ ତ ଆକାଶ ଛୁଇଁବେ ; ଆମେ କେଉଁଠି ଥିବା ? (27th Dec, 2018)

***

ସକାଳେ ମୋତେ ଏକୁଟିଆ ଚାଲୁଥିବା ଦେଖି ସେ ସାଇକଲରୁ ଓଲ୍ହେଇ ପଡି ନମସ୍କାର କରିବା ପରେ ମୁଁ ଭାବିଲି ସେ ପୁଣି ସାଇକଲରେ ଚଢି ଆଗକୁ ଚାଲିଯିବ; କିନ୍ତୁ ଆଜି ସେ ମୋ ସାଙ୍ଗରେ ଚାଲିବା ପସନ୍ଦ କଲା | କୋଡିଏ ମିନିଟ ସାଇକଲ ଗଡେଇ ଗଡେଇ ସେ ମୋ ସାଙ୍ଗରେ ଚାଲୁଥାଏ ଓ ମୋ କଥା ଆଗ୍ରହରେ ଶୁଣୁଥାଏ | ମୁଁ ତାକୁ କହିଲି, "ତୁମେ ହାଲିଆ ହେଇ ଯାଇଥିବ , ଆଉ ନଚାଲି ସାଇକଲ ଚଢି ଯାଅ |" ସେ ମନା କଲା ; କହିଲା " ମୁଁ ମୋଟେ ହାଲିଆ ହେଇନି | ଆପଣ କହୁଥାଆନ୍ତୁ ; ମୁଁ ଘରକୁ ଫେରିବା ମାତ୍ରକେ ଆଜି ଏହି ପ୍ରସଙ୍ଗ ଗୁଡିକ ସମ୍ପର୍କରେ ଆପଣ ଯାହା କହିଲେ ତାକୁ ଲେଖି ରଖିବି ; ମୋ ବହି ପାଇଁ କାମରେ ଆସିବ |" ମୁଁ ସ୍ନେହରେ ତା ଆଡକୁ ଚାହିଁ ମନେମନେ ଆଶୀର୍ବାଦ କଲି | ତିନିବର୍ଷ ପରେ ସେ ଚାକିରିରୁ ଅବସର ନେବ ; ଅବସର ପରେ ତା ବହି ପ୍ରକାଶ କରିବାକୁ ସେ ମନସ୍ଥ କରିଛି |(26th Dec, 2018)

****

"ହନୁମାନ କାହାର/ କେଉଁ ଜାଗାର" ଚର୍ଚ୍ଚା ଥମି ଆସିଲାବେଳକୁ କାଲି ଜଣେ ବନ୍ଧୁଙ୍କ ପ୍ରଶ୍ନ "କାଳିଦାସ କେଉଁ ଜାଗାର" ଶୁଣି ମୁଁ ଅପ୍ରସ୍ତୁତ ହେଇଗଲି; ସେ କିନ୍ତୁ ସଂଗେସଂଗେ ଉତ୍ତର ଚାହୁଁଥିଲେ | ତରବର ହେଇ ମୁଁ କହିଲି "କାଳିଦାସ ଓଡିଶା ର" | ସେ କାରଣ ପଚାରିଲେ | ମୁଁ କହିଲି " ଦେଖୁନ, ଯେଉଁ ଗାଁ ରେ ଜନ୍ମହେଇ ବଡ଼ ହେଲେ; ଗାଁ ମାଟି ପାଣି ରେ ହୃଷ୍ଟପୃଷ୍ଟ ହେଲେ, ସେଇ ଗାଁ ସମ୍ପର୍କ କାଟି କେମିତି ଆମ ପିଲେ ଇଆଡ଼େ ସିଆଡେ ଦୌଡୁଛନ୍ତି ଆଉ ଅଳ୍ପ ଟଙ୍କା ରେ ଦିନ ରାତି ଖଟୁଛନ୍ତି | " ସେ ବୁଝି ପାରିଲେନି, ପଚାରିଲେ ଏଥିରେ କାଳିଦାସଙ୍କ ସମ୍ପର୍କ କଣ? ମୁଁ କହିଲି ସେ ଯେମିତି ଯେଉଁ ଡାଳରେ ଠିଆ ହେଇ ସେଇ ଡାଳକୁ କାଟୁଥିଲେ ଆମ ପିଲେ ସେମିତି କରୁ ନାହାନ୍ତି ? ତେଣୁ ମୋର ବିଶ୍ୱାସ କାଳିଦାସ ଏଇଠିକା ଲୋକ |(25th Dec, 2018)

****  




No comments:

Post a Comment