Tuesday 22 January 2019

ପୁଷ୍ୟାଭିଷେକ

ଗତକାଲି ଥିଲା ପୌଷ ଶୁକ୍ଳପକ୍ଷର ଅନ୍ତିମ ଦିବସ ; ପୌଷ ପୂର୍ଣ୍ଣିମା; ସୋମବାର | କିଛିଦିନ ପୂର୍ବର ନିଷ୍ପତ୍ତି ମନେପଡ଼ିଲା -- ସୋମବାର ରେ ଶିବଦର୍ଶନ କରିବା ନିଷ୍ପତ୍ତି | ପୂର୍ବ ସୋମବାର ଦିନ କେଜାଣେ କାହିଁକି ନିଷ୍ପତ୍ତି ପାଳନ କରିବା ସମ୍ଭବ ହେଇନଥିଲା ; କିନ୍ତୁ କାଲି ସକାଳ ବୋଧହୁଏ ଥିଲା ସ୍ୱତନ୍ତ୍ର | ନିଷ୍ପତ୍ତି ପାଳନ ପାଇଁ ବୋଧହୁଏ ପ୍ରଭୁ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁଥିଲେ | 
ସିଦ୍ଧାନ୍ତ ସକାଳୁ ଉଠି ଆଈଙ୍କ ସାଙ୍ଗରେ ଖେଳିବା ଆରମ୍ଭ କରିଦେଇଥିଲା ଏବଂ ଆଈ ମଧ୍ୟ ଅନେକ ଦିନ ପରେ ସିଦ୍ଧାନ୍ତ ର ଉପସ୍ଥିତି କାରଣରୁ ବ୍ୟସ୍ତ ରହିଥିଲେ | ଶିବାନୀ କୁ ସକାଳେ ପ୍ରସ୍ତୁତ ହେଇଯାଇଥିବା ଦେଖି ମୁଁ ମଧ୍ୟ ଆଗ୍ରହୀ ହେଲି ମୋର ସଂକଳ୍ପ ପାଳନ କରିବା ପାଇଁ | ବାହାନଚାଳକ ର ଅନୁପସ୍ଥିତିରେ ମଧ୍ୟ ଗାଡ଼ିଟିକୁ ନିଜେ ଚଲେଇ ଝିଅ ସହିତ ଦେବାଳୟ ଯିବା ଏକ ଆନନ୍ଦଦାୟକ ଅନୁଭୂତି ଥିଲା | 
ବେଲପତ୍ର , କ୍ଷୀର , ନଡ଼ିଆ , ଫୁଲ କିଛି ନଥିଲା ଆମ ଦୁହିଁଙ୍କ ସାଙ୍ଗରେ ; କିନ୍ତୁ ପିତା ଓ ପୁତ୍ରୀ ଉଭୟେ ଉତ୍ଫୁଲ୍ଲିତ ବୋଧ କରୁଥିଲୁ ଦେବଦର୍ଶନ ସୌଭାଗ୍ୟ ଲାଭ ସୁଯୋଗ ପାଇଁ | ଆମେ ଦେବାଳୟରେ ପହଂଚିଲୁ | ସକାଳେ ସବୁ କିଛି ବ୍ୟବସ୍ଥିତ ଥିବା ବୋଧ ହେଲା | 
ମନ୍ଦିର ପରିସର ର ପ୍ରବେଶଦ୍ୱାର ପାଖରେ ହୁଇଲ ଚେୟାର ରେ ବିରାଜମାନ ଥିଲେ ଜଣେ ଭକ୍ତ ; ପ୍ରବେଶଦ୍ୱାର ଅତିକ୍ରମ କଲା ମାତ୍ରକେ ଦେଖିଲୁ ଯେ ପୂଜାସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନଟି ଖୋଲା ଅଛି | ପରିଚିତ ଦୋକାନୀ ଆଗ୍ରହରେ ଆମର ସମସ୍ତ ଆବଶ୍ୟକତା ପୁରାଣ କଲେ | ନଡ଼ିଆ ; ଘିଅ ଦୀପ , ଫୁଲ , ବେଲପତ୍ର ସବୁ ପାଇଲୁ | ଏପରିକି କଂଚା କ୍ଷୀର ମଧ୍ୟ ଉପଲବ୍ଧ ଥିଲା ତାଙ୍କ ପାଖରେ | ବାଉଁଶ ଚାଙ୍ଗୁଡିରେ ସବୁ ସଜେଇ ଦେଇ ସେ ଶିବାନୀ ହାତକୁ ସ୍ନେହରେ ବଢ଼େଇଦେଲେ | 
ମନ୍ଦିର ରେ ଶ୍ରଦ୍ଧାଳୁ ଅନେକ ଥିଲେ କିନ୍ତୁ ପରିବେଶ ଲୋକାରଣ୍ୟ ନଥିଲା | ସେଦିନ ଥିଲା ପୁଷ୍ୟାଭିଷେକ | ଆମ ପ୍ରିୟ ଓ ଦକ୍ଷ ପୂଜାରୀ ନିଜ ଅନୁଜ ସହିତ ପୁଷ୍ୟାଭିଷେକ ପାଇଁ ଆୟୋଜନ କରୁଥିବା ଦେଖିଲୁ | ସେ ଆମକୁ ଦେଖି ଅନୁଜ ଉପରେ ଆୟୋଜନ ଭାର ନ୍ୟସ୍ତ କରି ଆମକୁ ପ୍ରଭୁ ବିଶ୍ଵେଶ୍ଵରଙ୍କ ମନ୍ଦିର ଭିରକୁ ନେଇଯାଇ ପୂଜା ଆରମ୍ଭ କଲେ | ପିତା ଓ ପୁତ୍ରୀ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁ କେହି ନଥିଲେ | ଶାନ୍ତ, ପାବନ ପରିବେଶରେ ପୂଜା ସମ୍ପନ୍ନ ହେଲା | 
ଫେରିବା ବେଳେ ମୁଁ ମୋର ଶିବାଳୟ ଯିବା ନିଷ୍ପତ୍ତି ପ୍ରତିପାଳନରେ ବିଳମ୍ବ ହୋଇଥିବା କାରଣ ସମ୍ପର୍କରେ ଭାବୁଥିଲି | ମନେହେଲା ଯେପରି ଈଶ୍ବର ଚାହୁଁଥିଲେ ପିତା ଓ ପୁତ୍ରୀ ଉଭୟେ ଏକ ସଂଗେ ତାଙ୍କ ଦର୍ଶନ କରନ୍ତୁ ଓ ତାଙ୍କ ଆଶୀର୍ବାଦ ପାଆନ୍ତୁ |

*********
January 22, 2019

No comments:

Post a Comment