Friday 4 January 2019

ଉଦ୍ୟୋଗୀ ର ମାନସିକତା


ସଂସାରରେ ଦୁଇ ପ୍ରକାରର ଉଦ୍ୟୋଗୀ ଥିବା ଆମେ ପିଲାଦିନେ ଶୁଣିଥିଲୁ | ଉଦାହରଣ ମାଧ୍ୟମରେ ଏଇ କଥାକୁ ଶିକ୍ଷକ ଆମକୁ ବୁଝାଉଥିଲେ | କହୁଥିଲେ " ଅମୁକ ଦେଶରୁ ଗୋଟେ ଜିନିଷ କିଣିବା ପାଇଁ ମସ୍ତବଡ ପ୍ରସ୍ତାବ ଟିଏ ଆସିଲା | କୋଟିକୋଟି ଟଙ୍କାର ଅଡର | ଜଣେ ଉଦ୍ୟୋଗୀ ଜିନିଷଟା ବାଘ ନା ଭାଲୁ କିଛି ନବୁଝି ଆଗ୍ରହ ଦେଖେଇ ଠିକ ଜାଗାରେ ପହଂଚିଗଲା | ଆଉଜଣେ ଉଦ୍ୟୋଗୀ ଜିନିଷ ସମ୍ପର୍କରେ ଜୀରାରୁ ସିରା କାଢି ତା ବିଷୟରେ ନାନା ପ୍ରକାରର ସ୍ପଷ୍ଟୀକରଣ ଚାହିଁଲା | ପ୍ରଥମ ବ୍ୟକ୍ତିକୁ ଅଡର ମିଳିଲା | ତାପରେ ଯାଇ ସେ ଉଦ୍ୟୋଗୀ ଜିନିଷ ବିଷୟରେ ଜ୍ଞାନ ହାସଲ କରି ତାକୁ ତିଆରି କରି ଯୋଗାଇଦେଲା |"
 ମୁଁ ଯେଉଁ ଅଂଚଳରେ ବସବାସ କରୁଛି, ସେଇଠି ବେଶୀ ସଂଖ୍ୟାରେ ଜୀରାରୁ ସିରା କାଢ଼ିବା ଲୋକେ ଥିବା ଭଳି ଜଣାଯାଏ | ଅନେକ ସମୟରେ ସୁଯୋଗ ମିଳିଲେ ବି ନାନା କାରଣରୁ ଆଗ୍ରହ ମାନ୍ଦା ଥିବାଭଳି ବୋଧହୁଏ | ଆଜି ସକାଳ କଥା | ପ୍ରାୟ ଚାଳିଶ ବର୍ଷ ହେବ ଆମ ଘରର ସବୁ କାଠକାମ ଜଣେ ଉଦ୍ୟୋଗୀ କରିଆସୁଛନ୍ତି | ଭଲ ଘର ପିଲା ସେ ; ଟିକେ ମାନ୍ଦା ପ୍ରକୃତିର ; କିନ୍ତୁ କାମ ଭଲ କରନ୍ତି ; ବଜାର ଦର ଅପେକ୍ଷା ଅଧିକ ପଇସା ନିଅନ୍ତି | କିନ୍ତୁ ଆମେ ସବୁବେଳେ ତାଙ୍କୁ କାମ ଦେଉ , ଆଉ ସେ ଯେତେ ପଇସା କହନ୍ତି ଆମେ  କିଛି ନପଚାରି ଦେଇଥାଉ |ସେ ଆମକୁ ବୋକା ଭାବନ୍ତି କି ଭଦ୍ର ଭାବନ୍ତି ସେକଥାରେ ଆମେ କେବେ ମୁଣ୍ଡ ପୁରାଉନି |
ଆଜି ଗୁଡ଼େ କାମ ପାଇଁ ତାଙ୍କୁ ଖବର ଦେଲି | ଆମର କାମଟି ଶୀଘ୍ର ହେଇଯିବାପାଇଁ ଆଗ୍ରହ | ଫୋନରେ ତାଙ୍କ ମାନ୍ଦା କଣ୍ଠସ୍ୱରରୁ ତାଙ୍କ ଅନାଗ୍ରହ ସଫା ବାରି ହେଉଥିଲା | କହିଲେ " କରିବିଯେ ; କିନ୍ତୁ ରଜ ପରେ |" ମୁଁ ପଚାରିଲି," ତୁମ ରଜପର୍ବ କେବେ ସରିବ ?" ସେ କହିଲେ କୋଡ଼ିଏ ତାରିଖ |" ଯୋଗକୁ ପାଞ୍ଜି ଟା ମୋ ଆଗରେ ଥିଲା ; ଦେଖିଲି ରଜ ସରୁଛି ସତର ତାରିଖରେ | ମୁଁ ଭାବିଲି ଆଜିତ ରଜ ନାହିଁ ; ଆଜି ଆସି କାମଟାକୁ ଦେଖିଯାଇଥିଲେ ହେଇଥାନ୍ତା | କିନ୍ତୁ ଭାବିଲି ତା ସାଙ୍ଗରେ ଯୁକ୍ତି କରି ଲାଭ ନାହିଁ | ସେ କହିବ, ତା କାରିଗରମାନେ ସବୁ ରଜ ପାଇଁ ଗାଁକୁ ପଳେଇଗଲେଣି | ନିଜ ହତାଶ ଭାବ ଲୁଚେଇ କହିଲି, " ହଉ , କୋଡିଏରେ ପର୍ବ ସରୁ ; ଆମ ଘରକୁ ବାଇଶରେ ଆସି ପାରିବ ?" ସେ ହଁ କହିଲା |
ମୋର କିନ୍ତୁ ତା ଉପରେ କାଣିଚି଼ଏ ବି ଭରସା ନାହିଁ | ସେ ଜାଣେ ମୁଁ ତା ହାତରେ ହିଁ କାମ କରିବି ; ଆଉ କାହା ହାତରେ ନୁହେଁ | ସେ ସିନା ମୋ ମନ ବୁଝିବା ପାଇଁ ହଁ କରିଛି : ସେ କିନ୍ତୁ ଆରମାସ ପହିଲା ବେଳକୁ ଦେଖାଦେବ ; ଆଉ ହସି କଣ ଗୋଟେ ବାହାନା ଦେଖେଇଦେବ |
ଏଇଆ ହେଲା ଆମ ଉଦ୍ୟୋଗୀ ମନୋଭାବ | ଆମେ କହିବା ସେ ରାଜ୍ୟ ଆଗେଇ ଯାଉଛି ; ଆମେ ପଛରେ ରହୁଛେ | ସରକାରକୁ ଗାଳି ଦେବା ; କିନ୍ତୁ ଏଇ କାମରେ ସରକାର କିଭଳି ଦାୟୀ ? ଆମେ ହିଁ ଦାୟୀ |
ଚିଲ ଚିଆଁ କୁ ଝାମ୍ପି ନେଲାଭଳି ଆମକୁ କାମକୁ ଝାମ୍ପି ନେବାକୁ ହବ | ତାହାହେଲେ ଯାଇ ଆମେ ଆଗେଇବା |
********

June 11, 2017

No comments:

Post a Comment