Sunday 1 July 2018

ଧଳା ଗୋଲାପ -- ଏକ ଅଣୁ ଗଳ୍ପ


ପ୍ରାୟ ବର୍ଷେ ହବ , ସହରର ଅନତିଦୂରରେ ଏକ ବଟବୃକ୍ଷ ତଳେ ସବୁଦିନ ସକାଳେ ଦୁଇଘଣ୍ଟା ବସୁଥିଲେ ଜଣେ ସନ୍ଥ | ତେଜସ୍ୱୀ ମୁଖମଣ୍ଡଳ ; ସ୍ମିତହସ ; ମୃଦୁ ବଚନ ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ଥିଲା | କ୍ରମେ ତାଙ୍କ ଖ୍ୟାତି ବ୍ୟାପିଲା ; ବଟବୃକ୍ଷ ଅଂଚଳର ନିର୍ଜନତା ଲୁପ୍ତ ହେଲା | ଉଠା ଚା ଦୋକାନ ର ଆବିର୍ଭାବ ହେଲା ; କିଛିଦିନ ପରେ ଜଳଖିଆ ମଧ୍ୟ ତିଆରି  ହେଲା | ସନ୍ଥ ସମୟର ପରିବର୍ତ୍ତନ କଲେ ; ଅନ୍ଧାରୁଆ ସକାଳୁ  ମଧ୍ୟ ଦର୍ଶନ ଦେଲେ | ନାନା ସମସ୍ୟା ନେଇ ଲୋକେ ତାଙ୍କ ପରାମର୍ଶ ଲୋଡିଲେ |

 ସତୁରି ବର୍ଷ ବୟସ୍କ ଗୌତମ ଚୌଧୁରୀ ମଧ୍ୟ ଦିନେ ସନ୍ଥଙ୍କ ପରାମର୍ଶ ନେଲେ | ସନ୍ଥ ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ ହେଲେ ; ତାଙ୍କ ଅନିଦ୍ରା ସମସ୍ୟା ଶୁଣିଲେ ; ବିଷର୍ଣ୍ଣ ଚେହେରା ଦେଖିଲେ | ଗୌତମଙ୍କୁ ଘର ବଗିଚା ବିଷୟରେ ପଚାରିଲେ | କହିଲେ, " ବଗିଚାର ଧଳା ଗୋଲାପ  ଗଛଟି ତୁମର ଅଧିକ ଯତ୍ନ ଚାହୁଁଚି ; ତାକୁ ସୁସ୍ଥ କର ; ସେଇ ଗଛର ପାଂଚୋଟି ସୁନ୍ଦର ଫୁଲ ଧରି ମୋ ପାଖକୁ ଆସିବ |"

ଗୌତମ ନିରାଶ ହେଇ ଫେରିଲା ; କିନ୍ତୁ ଗୋଲାପର ଯତ୍ନ ନେଲା | ଧୀରେଧୀରେ ଉତ୍ତର  କୋରିଆ ସମସ୍ୟା ଭୁଲିଲା ; ଦକ୍ଷିଣ ଚୀନ ସାଗର ରେ ସାମରିକ ତତ୍ପରତା ବିଷୟରେ ବିଚଳିତ ହେବାକୁ ସମୟ ପାଇଲାନି ; ଭୁଟାନରେ ଚୀନ ଅନୁପ୍ରବେଶ ବା ସର୍ଜିକାଲ ଷ୍ଟ୍ରାଇକ ଇତ୍ୟାଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା  ପସନ୍ଦ ନକରି  ଗୋଲାପ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଗୁଲରୁ ଜ୍ଞାନ ଆହରଣ କଲା ; ଔଷଧ ଆଣିଲା ; ଖତ ଆଣିଲା ; ଜୈବିକ କୀଟନାଶକ ନିଜେ ପ୍ରସ୍ତୁତ କଲା |

ରାତିରେ ଭଲ ନିଦ ହେବା ଆରମ୍ଭ ହେଲା | ଗୋଲାପ ଫୁଲ ଫୁଟିବା ଦେଖି ତା ଛାତି କୁଣ୍ଢେମୋଟ ହେଇଗଲା | ପତ୍ନୀଙ୍କ ସାଙ୍ଗରେ ଦିନେ ପ୍ରତ୍ୟୁଷରେ ସନ୍ଥଙ୍କ ଦର୍ଶନ କଲା | ଦିହେଁ ସନ୍ଥଙ୍କୁ ଦଶଟି ବଡ ଗୋଲାପ ଫୁଲ ଭେଟିଦେଲେ | ସନ୍ଥ ଉଭୟଙ୍କୁ ଆଶୀର୍ବାଦ କଲେ |

*******  

No comments:

Post a Comment