Monday 2 July 2018

ସୁନାର ଗୌରାଙ୍ଗ


ଦିନେ ମୋ ସାଂଗ ଗୌରାଂଗକୁ ଆମ ହଷ୍ଟେଲର ତା' ରୁମରେ ଗୁମ୍ ହେଇ ବସିଥିବା ଦେଖି ତାକୁ କାରଣ ପଚାରିଲି | ଗୌରାଂଗର ଏହି ଅବସ୍ଥା ତାର ସ୍ବଭାବ ପରିପନ୍ଥୀ ଥିବା ଯୋଗୁଁ ମୁ ଚିନ୍ତିତ ଥିଲି | ତା ଅନୁପସ୍ଥିତିରେ ଗୋଟିଏ ବିରାଡି ଖୋଲା ଝରକା ବାଟଦେଇ ତା ରୁମରେ ପଶି ବାରମ୍ବାର କ୍ଷୀର ପିଉଥିବା ଫଳରେ ଗୌରାଂଗ ରାଗିଥିବା କହିଲା | ସେଇଦିନ ସେ ବିରାଡିକୁ ତା ଉପସ୍ଥିତିରେ ତା ସସ୍ ପାନ୍ ରୁ କ୍ଷୀର ପିଉଥିବା ଦେଖି ଅପମାନିତ ହେବା ସ୍ବାଭାବିକ | ମୋର ମନେହେଲା ରାଗ ଠାରୁ ଅପମାନ ତାକୁ ବେଶୀ ବାଧିଥିଲା | ସେଦିନ ବିରାଡିକୁ ଜବତ କରିବା ପାଇଁ ଉପାୟ ସମ୍ପର୍କରେ ମୋ ସହିତ ବିଚାର ବିମର୍ଷ କରିଥିଲା |

 ବିରାଡି କଥା ପ୍ରାୟ ପଂଚାବନ ବର୍ଷ ତଳର | ଆମେ ଏଲାହାବାଦ ବିଶ୍ବବିଦ୍ୟାଳୟରେ ପଢୁଥିବା ସମୟର କଥା | ସମ୍ବିତ ଏହି କଥା ଶୁଣି ମୋତେ ପଚାରିଲା " ଅଜା , ତୁମ ସାଂଗଂକ ନାଁ କଣ ?" ମୁଁ କହିଲି " ସୁନାର ଗୌରାଂଗ |" ସେ କହିଲା ଏମିତି କଣ ନାଁ ଥାଏ ?" ମୁଁ କହିଲି " ମାତ୍ର ଅଳ୍ପଦିନ ପୂର୍ବେ, ପ୍ରାୟ ପଂଚାବନ ବର୍ଷ ପରେ, ହଠାତ ଗୌରାଂଗ ମୋତେ ଖୋଜି ବାହାର କଲା | ମୁଁ ତାକୁ ନିଜ ବିଷୟରେ ପଚାରିଲି |

 ତା ଜୀବନ ସମ୍ପର୍କରେ ଚୁମ୍ବକରେ ସେ ଯାହା କହିଗଲା ମୁଁ ଭାବିଲି ତାର ଉପଯୁକ୍ତ ନାଁ ସୁନାର ଗୌରାଂଗ ଛଡା ଆଉ କିଛି ହେଇ ନପାରେ | ସେଇ ସରଳ ସ୍ବଭାବ ; ସେହି ଅନାବିଳ ସ୍ନେହ ; ସେହି ସରଳ ଜୀବନ ; ସେହି ସ୍ବଳ୍ପ ସ୍ବପ୍ନ ; ଜଟିଳ ଏବଂ ଆଡମ୍ବର ସର୍ବସ୍ବ, ଅହଂକାର ର ଦୁନିଆ ପ୍ରତି ସେହି ବିରାଗ ; ଏ ସବୁ ଅନୁଭବ କରି ମୁଁ ଭାବିଲି ଆମ କିଶୋର ବୟସର ଗୌରାଂଗ ରାୟ ସେମିତି ସୁନାମୁଣ୍ଡା ଟିଏ ହେଇ ରହିଚି | ମୁଁ ତେଣୁ ତାକୁ ଅନ୍ୟ ନାଁରେ ତାର ପରିଚୟ ତତେ ଦେଇ ପାରୁନାହିଁ |" ଚଉଦ ବର୍ଷର ସମ୍ବିତ ମୋ କଥାର ମର୍ମ ବୁଝି ପାରିଲା ଭଳି ମୋର ମନେହେଲା |

*********

2nd July, 2017

No comments:

Post a Comment