Tuesday 3 July 2018

ସେଦିନର ନୂଆ କାର କିଣା


ବୋଧହୁଏ ୧୯୫୪ ମସିହା ଘଟଣା | ମୋ ବାପା ସମ୍ବଲପୁରରେ ଅବସ୍ଥାପିତ ହୋଇଥାନ୍ତି | ଗୋଟିଏ ଲାଣ୍ଡମାଷ୍ଟର କାର କିଣିବା ପାଇଁ ନିଷ୍ପତ୍ତି ନେଇ ଦିନେ ବାପା ମୋତେ ତାଂକ ସାଂଗରେ ଯିବାପାଇଁ ନିର୍ଦେଶ ଦେଲେ ଏବଂ ଦାୟିତ୍ବ ମଧ୍ୟ ଦେଲେ | ଦଶହଜାର ଟଂକା ମୋ ପାଂଟପକେଟରେ ସାବଧାନରେ ରଖିବାପାଇଁ କହିଲେ |

 ପ୍ରଥମଥର ଏତେଗୁଡେ ଟଂକା ପକେଟରେ ରଖିବା ସୁଯୋଗ ପାଇ ମୁଁ ଭାରି ଖୁସି ହେଇଥିବା ମୋର ମନେପଡେ | ତା'ଛଡା ନୁଆଗାଡିରେ ବସିବା ଆନନ୍ଦ ଅଲଗା | ମୁଁ ବାପାଂକ ସହିତ ଆମ ଘରୁ ଲକ୍ଷ୍ମୀଟକିଜ୍ ଛକରେ ଥିବା ହିରାକୁଦ ଅଟୋମୋବାଇଲସ୍ ଶୋ ରୂମକୁ  ଗଲି | ସେହି ଅନୁଷ୍ଠାନର ସମ୍ପୃକ୍ତ ବ୍ୟକ୍ତିଂକ ସହ ଆଲୋଚନା କରିବା ପରେ ବାପା ମୋତେ ଟଂକା ଦେବା ପାଇଁ ନିର୍ଦେଶ ଦେଲେ | ପ୍ରାୟ ପନ୍ଦର ମିନିଟ ପରେ ନୁଆ କାର ଆମ ପାଇଁ ପ୍ରସ୍ତୁତ ହେଇଗଲା  | ରସିଦ ସହିତ  ତିନିଶହ ଟଂକା ଆମେ ଫେରି ପାଇଲୁ | ଇଏ ଥିଲା ସେଦିନର ନୁଆ କାର କିଣା ଅନୁଭୁତି |

ଆମ ଝିଅ ଓ ଜୋଇଁ (ପିଂକି ଓ ବୁବୁନ ) ଏଇକଥା ଶୁଣିଲେ | ମୁ କହିଲି, " ଆଜି ୯୭୦୦ ଟଂକାରେ ତୁମ କାରର  ଉଆଇପର ହଳେ କିଣି ହବ କି ନାହିଁ ସନ୍ଦେହ |" ଏହା ଶୁଣି ବୁବୁନ କହିଲେ " ବାପା, ଉଆଇପର ହଳ ଦାମ ବେଶୀ ହବ ; ସେଇ ଟଂକାରେ ହୁଏତ ଆମ କାରର ପଛ ଆଲୁଅ ଦୁଇଟା ଭିତରୁ ଗୋଟେ କିଣି ହବ |" ଆମେ ସମସ୍ତେ ହସିଲୁ |

ମୁଁ କହିଲି " ତାହାହେଲେ ଗୋଟେ  ସ୍ମାର୍ଟ ଫୋନ ପାଇଁ ଚାଳିଶ ହଜାର ଟଂକା କାହିଁକି ଖର୍ଚ କରିବ ? ମୋ ଫୋନ ଆଉ ମାଂକ ଫୋନ ଦଶ ହଜାର ଟଂକାରୁ କମ ଦାମ ର | ବୁବୁନ କହିଲେ, " ମୋ ଫୋନ ଦାମ ବି କମ ; କିନ୍ତୁ ପିଂକିର ଫୋନ ଟା ନିଶ୍ଚୟ ଦାମିକା ହବା ଦରକାର |" ଆମେ ସମସ୍ତେ ହସିଲୁ ; ପିଂକି ବି ହସିଲା | ପିଂକିର ବହୁତ ଦାମିକା ସ୍ମାଟ୍ ଫୋନ ଖରାପ ହେଇଯାଇଥିବା ପରେ ନୁଆ ଫୋନ କିଣିବା ପାଇଁ ଏହି ଆଲୋଚନା ହେଉଥିଲା | ମୁଁ ଓ ତା ମା ଦୁହିଂକୁ ମିତବ୍ୟୟୀ ହେବା ପାଇଁ ପରାମର୍ଶ ଦେଲୁ |

**********

3rd July, 2017

No comments:

Post a Comment