Friday 20 July 2018

ଓଡ଼ିଆଙ୍କ ପାଇଁ ବିଶ୍ବସ୍ତରୀୟ ଉତ୍କର୍ଷ ପ୍ରାପ୍ତି ସଂଭାଵନା


                                                                                                   

ବିଶ୍ବରେ ଚାରିକୋଟି ରୁ ଅଧିକ ଲୋକେ ଓଡ଼ିଆ | ବିଶ୍ବ ଜନସଂଖ୍ୟା (୭୪୦କୋଟି) ର ଏହା ୦.୭ ପ୍ରତିଶତ | ଓଡ଼ିଆ ଭାଷା କହୁଥିବା ଲୋକଂକ ସଂଖ୍ୟା ଦୃଷ୍ଟିରୁ ଏହି ଭାଷା ର ସ୍ଥାନ ବିଶ୍ବରେ ବତିଶ | ଏହି ଦୃଷ୍ଟିରୁ ବୌଦ୍ଧିକ; ସାଂସ୍କୃତିକ; ଶାରୀରିକ ଏବଂ ଆର୍ଥିକ ଉପଲବ୍ଧି କ୍ଷେତ୍ରରେ ଓଡ଼ିଆମାନେ ବିଶ୍ବରେ ଏକ ଗୁରୁତ୍ବପୂର୍ଣ ଭୁମିକା ବହନ କରୁଥିବା ଅନେକେ ବିଶ୍ବାସ କରୁଥିବେ | ସଂସାରର ଶହେ ପ୍ରମୁଖ ବୈଜ୍ଞାନିକଂକ ଭିତରୁ ଜଣେ ଦୁଇ ଜଣ ଓଡ଼ିଆ ହେବା ସମ୍ଭାବନା ସମ୍ପର୍କରେ ଆଶା କରିବା ଅବାସ୍ତବ ନୁହେଁ | ସେମିତି ୧/୨ଜଣ ବିଶ୍ବ ପ୍ରଖ୍ୟାତ ଉଦ୍ୟୋଗପତି ହେବା ସମ୍ଭାବନା କଥା ମଧ୍ୟ ଚିନ୍ତା କରାଯାଇପାରେ | ଓଡ଼ିଆ ଯୁବପିଢି ଉତ୍କର୍ଷ ଆହରଣ ଦିଗରେ କେମିତି ଅଗ୍ରଗତି କରୁଚି ଏହା ଜାଣିବା ପାଇଁ ୫୦ ବର୍ଷ ବୟସରୁ କମ୍ ବିଶ୍ବ ପ୍ରଖ୍ୟାତ ୫୦ଜଣ ଓଡ଼ିଆ ନାଁ ଜାଣିବା ପାଇଁ ଆଗ୍ରହ ଦେଖାଇ ଫେସବୁକ୍ ବନ୍ଧୁଂକ ସହାୟତା ମାଗିଲି | ଅନେକେ ସାହାଯ୍ୟ କଲେ ; କିନ୍ତୁ ପ୍ରତିଭା ର ଦୁର୍ଭିକ୍ଷ ମୋତେ ମର୍ମାହତ କଲା | ଏହା ହେଉଚି ଆଜିର ସତ୍ୟ | ଏତେ ଆଡମ୍ବର,, ବାହୁସ୍ଫୋଟ , ପ୍ରଚାର ସତ୍ତ୍ୱେ ଆମ ଜାତି ଅବକ୍ଷୟମୁଖୀ | ଆମ ରାଜନୀତି , ପ୍ରଶାସନ ଏବଂ ଆମ ସାମାଜିକ ଚେତନା ଏହି ବିଷୟ ପ୍ରତି ଉଦାସୀନ |
ବିଦେଶରେ ଅନେକଦିନରୁ ରହୁଥିବା  ମୋର ଜଣେ  ଉଚ୍ଚଶିକ୍ଷିତ ଘନିଷ୍ଠ ବନ୍ଧୁ  ଉପରୋକ୍ତ ମନ୍ତବ୍ୟ ଦେଖି ଚିଠିଟିଏ ଦେଲେ ; ଲେଖିଥିଲେ ଆପଣଙ୍କ ଗପ ଶୁଣିବାକୁ ଭାରି ଇଛା ହେଉଛି ; ମୋତେ ଆପଣଙ୍କ ସୁବିଧା ସମୟ କେତେବେଳେ ଜଣେଇଲେ ମୁଁ ଫୋନ କରି ଆପଣଙ୍କ ଗପ ଶୁଣନ୍ତି | ଏହି ବକ୍ତବ୍ୟରେ ତାଙ୍କର ବ୍ୟଙ୍ଗ ପରିଷ୍କାର ଭାବରେ ଅନୁଭବ କରି  ପାରୁଥିଲି | ତାଙ୍କୁ ଜବାବ ଦେବା ଉଚିତ ମାନେ କଲିନି ; କିନ୍ତୁ ଭାବିଲି ଆମର ନିଜ ପ୍ରତି ବିଶ୍ବାସ କାହିଁକି ଦୁର୍ବଳ ହେଇ ଯାଉଛି ?
ଅନେକେ କୁହନ୍ତି ଆମ ଦେଶର ବାତାବରଣ ଯାହା ; ସେଥିରେ  ବିଶ୍ବସ୍ତରୀୟ ଉତ୍କର୍ଷ ଆହରଣ କରିବା ଅସମ୍ଭବ | ଧରାଯାଉ   ମୁଁ ଏଥିରେ ଏକମତ ହେବି : ତଥାପି ମୁଁ ସେମାନଙ୍କ ବିଷୟରେ ଭାବୁଛି ଯେଉଁ ଭାରତୀୟମାନେ ବିକଶିତ ଦେଶରେ ଜନ୍ମରୁ ରହି ଆସିଛନ୍ତି ; ସେଠି ଅଧ୍ୟୟନ କରିଛନ୍ତି ; ସେଠାର ନାଗରିକ ହେଇଛନ୍ତି | ସେଇଭଳି ଓଡ଼ିଆଙ୍କ ସଂଖ୍ୟାବି କମ ନୁହେଁ | ତାଙ୍କର ବିଶ୍ବସ୍ତରୀୟ ଉତ୍କର୍ଷ ସମ୍ପର୍କରେ ସୂଚନା ମିଳିଲେ ଆମେ ଉତ୍ଫୁଲ୍ଲିତ ହେବା ସ୍ୱାଭାବିକ | ସେଭଳି ଉପଲବ୍ଧି  ପାଇଁ ଆମେ ସମସ୍ତେ ଅପେକ୍ଷାରତ |
କେବଳ ଆମର ବିଶାଳ ଜନସଂଖ୍ୟା ଆମ ରାଜ୍ୟକୁ  ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ କରିବାକୁ ସମର୍ଥ ହେବନି ; ଆମ କର୍ମ କୌଶଳ ; ଶୃଙ୍ଖଳା ;  ଆମ ଶିକ୍ଷାର ମାନ, ଆମର ଉତ୍କର୍ଷ ପାଇଁ ସହାୟକ ହେବ | ଆମ ରାଜ୍ୟରୁ ବହୁ ସଂଖ୍ୟାରେ ଇଂଜିନିୟର ବାହାରିବା ଦ୍ୱାରା ଆମେ ଉତ୍ଫୁଲ୍ଲିତ ହେବା ଦ୍ୱାରା ଆମ ଉତ୍କର୍ଷ ପ୍ରତିପାଦିତ ହେବନାହିଁ | ଯଦି ଏହା ହେଉଥାନ୍ତା, ତେବେ ମାତ୍ର ଦଶବର୍ଷ ପୂର୍ବେ ନିର୍ମିତ ଅନେକ  ସୌଧ କାହିଁକି ଆଜି ଜୀର୍ଣ୍ଣ ଅବସ୍ଥାରେ ଅଛନ୍ତି ? କାହିଁକି କେଉଁଠାରେ ନିର୍ମାଣାଧୀନ ସେତୁ ଭୁଶୁଡି ଯାଉଛି ? କାହିଁକି ସରକାରୀ ଅର୍ଥରେ ପରିଚାଳିତ ବିଦ୍ୟାଳୟ-ଭୋଜନ ନିମ୍ନ ମାନର ହେଉଛି ? କାହିଁକି ସେହିଭଳି କେତେକ ଭୋଜନ ବ୍ୟବସ୍ଥାରେ ଅବ୍ୟବସ୍ଥା ଫଳରେ କେତେକ ଛାତ୍ରଛାତ୍ରୀ ଅସୁସ୍ଥ ହେଇ ଯାଉଛନ୍ତି ?
ଲୋକଚରିତ୍ର ଦେଶକୁ ଉତ୍କର୍ଷ କରିଥାଏ | ଯେଉଁଟି ଏହା ଦେଖାଯାଏ, ସେହି ସମାଜ ଉତ୍କର୍ଷ  ପ୍ରଦର୍ଶନ କରିଥାନ୍ତି |ସେଭଳି କ୍ଷେତ୍ରରେ ଜନସଂଖ୍ୟା ଅପ୍ରାସଙ୍ଗିକ ହୋଇଥାଏ |
କ୍ରୋଏସିଆ ଦୃଷ୍ଟାନ୍ତ ଏହି କ୍ଷେତ୍ରରେ ପ୍ରାସଙ୍ଗିକ |  ଦେଶର ଆୟତନ ମାତ୍ର  ୫୬,୫୯୪ ବର୍ଗ କିଲୋମିଟର ; ଓଡ଼ିଶାର ଆୟତନ ୧ ,୫୫ ,୭୦୦ ବର୍ଗ କିଲୋମିଟର | କ୍ରୋଏସିଆ ଦେଶର ଲୋକସଂଖ୍ୟା ପ୍ରାୟ ୪୩ ଲକ୍ଷ ; ଓଡ଼ିଶାର ଲୋକସଂଖ୍ୟା ପ୍ରାୟ ୪୫୦ ଲକ୍ଷ | ଆଜି ଫୁଟବଲ ଖେଳରେ କ୍ରୋଏସିଆ ଦେଶର କୃତିତ୍ୱ ସର୍ବଜନ ବିଦିତ |ଏହି ଦେଶରେ  ନେକଟାଇ ଉଦ୍ଭାବନ ହୋଇଥିଲା ; ଫାଉଣ୍ଟେନ ପେନ ପ୍ରଚଳନ ଆରମ୍ଭ ହେଇଥିଲା |
ଗୋଟିଏ ପୁରୁଣା ଲୋକପ୍ରିୟ ଗଳ୍ପର ଅବତାରଣା ପ୍ରାସଙ୍ଗିକ ହୋଇପାରେ | ଗଳ୍ପଟିର ମର୍ମ ଏହିଭଳି ---- ଅନେକ ବର୍ଷ ତଳେ ଅନେକେ ହୁଏତ ବେଳେବେଳେ ଭାବୁଥିଲେ ; କିନ୍ତୁ ମୁହଁ ଖୋଲିବା ପାଇଁ ସାହାସ ପାଉନଥିଲେ | କେବଳ ଡର ବା ଭୟ ନୁହେଁ ; ସୁବିଧାବାଦୀ ହେବାରେ ଯେଉଁ ସୁବିଧା ସୁଯୋଗ ମିଳେ ତାହା ହାତଛଡା କରିବା ମାନସିକତା ତାଂକର ନଥିଲା | ଧୀରେଧୀରେ  ବ୍ୟବସ୍ଥାଟି  ପଚିଗଲା ବେଳକୁ ଗୋଟିଏ ପିଲା ସ୍ବାଭାବିକ ଭାବରେ ରଜା ବିନା ଲୁଗା ପିନ୍ଧି ହାତୀରେ ବସିଥିବା କହି ପକେଇଲା | ଆମେ ଏହି ଗପଟି ଜାଣିଚୁ ; କିନ୍ତୁ ପିଲାଟିଏ ଏପର୍ଯ୍ୟନ୍ତ ବାହାର କରି ପାରିନୁ | ହନ୍ତସନ୍ତ ହୋଉଚୁ କିନ୍ତୁ ମୁହଁପୋତା , କୋଣଠେସା ହେଇ ରହିବା ପସନ୍ଦ କରୁଚୁ | ଏହି ମନୋଭାବ ଧରି ଆମେ ଆଗେଇ ଯିବା  ସମ୍ଭବ ନୁହେଁ |
ତେଣୁ ଆମେ ଆତ୍ମନିରୀକ୍ଷଣ କରିବା ; ଦୋଷ ଦୁର୍ବଳତା ଲୁଚେଇବା ମନୋଭାବ ପରିହାର କରିବା ; ଯେ ସ୍ବପ୍ନ  ଦେଖୁଚି ତା ଗୋଡ ଟାଣିବାନି ; ଲୋକ ଚରିତ୍ର ଏବଂ ନିଜ ଚରିତ୍ର ମାର୍ଜିତ କରିବାକୁ ଶପଥ ନେବା | ଉତ୍କୋଚ ପ୍ରେମୀ ହୋଇ; ସୁବିଧାବାଦୀ ହେଇ  ସିଦ୍ଧାନ୍ତକୁ ଜଳାଞ୍ଜଳି ଦେବା ନାହିଁ | ତେବେ ଯାଇଁ ଓଡ଼ିଆ ମାନଙ୍କ ମଧ୍ୟରୁ ବିଶ୍ବସ୍ଥରୀୟ ପ୍ରତିଭା ଆବିର୍ଭାବ ହେବ | ଏହା ଅସମ୍ଭବ ନୁହେଁ;  ଅବାସ୍ତବ ମଧ୍ୟ ନୁହେଁ |

**********

No comments:

Post a Comment