Monday 16 July 2018

ଛତୁ ଉଠା କାଠ


ଆଜି ସକାଳେ ଆମ ଘରପାଖରେ ଗୋଟିଏ ଗଚ୍ଛମୂଳରେ ଛତୁ ଫୁଟିଥିବା ଦେଖି ପିଲାଦିନ ସଂସ୍କୃତ ଶିକ୍ଷକଂକ ସେଇ କଥା ମନେ ପଡିଲା |୧୯୫୫ ମସିହାର ଘଟଣା | ସେତେବେଳର କୋରାପୁଟ ସହରରେ ମାତ୍ର ଗୋଟିଏ ହାଇସ୍କୁଲ ଥିଲା , ସରକାରି ହାଇସ୍କୁଲ | ଅଷ୍ଟମ ଶ୍ରେଣୀରୁ ସଂସ୍କୃତ ପଢା ଆରମ୍ଭ ହେଲା ; ଆମେ କେତେଜଣ ପିଲା ନୁଆ ଭାଷା ଶିଖିବା ପାଇଁ ଆଗ୍ରହୀ ଥିଲୁ | ଆମ ସଂସ୍କୃତ ଶିକ୍ଷକ ଅତ୍ଯନ୍ତ ମିଷ୍ଠଭାଷୀ  ଥିଲେ; କିନ୍ତୁ ଆମକୁ ତାଂକ ଦକ୍ଷତା ପ୍ରଭାବିତ କରି ପାରି ନଥିବା ମୋର ମନେପଡୁଚି | ଶାନ୍ତଶିଷ୍ଠ  ବିଦ୍ୟାର୍ଥୀ ଭାବରେ ଆମେ କେତେଜଣ ନୁଆ ଭାଷା ଶିଖିବାରେ ତତ୍ପର ହେଇ ପଡିଲୁ ; କିନ୍ତୁ କେତେଜଣ ସେତେ ଆଗ୍ରହୀ ନଥିବା ଆମ ଗୁରୁ ମଧ୍ୟ ଜାଣିଲେ | ସେଇ ମାନ୍ଦାଗୋଷ୍ଠୀର  ପୁରୋଧାଂକୁ ଆମ ଗୁରୁ ଦିନେ ସଂସ୍କୃତରେ ପ୍ରଶ୍ନଟିଏ ପଚାରିଲେ | ଆମ ସହପାଠୀ ନିରବରେ ଠିଆ ହେଇରହିଲା  | ବୟସରେ ସେଇ ସହପାଠୀ ଆମ ଅପେକ୍ଷା ପ୍ରାୟ ଦୁଇତିନି ବର୍ଷ ବଡ ଥିଲା   ଏବଂ ତା' ନାକ ତଳେ ନିଶର ଆବିର୍ଭାବ ପରିଷ୍କାର ଦିଶୁଥିଲା | ଆମ ଗୁରୁ ଆମ ସାଂଗଆଡେ ଚାହିଁ କହିଲେ " ଛତୁ ଉଠା କାଠ ; ନିଶ ଉଠା ପାଠ "| ଆମ ସାଂଗ ମୁହଁକୁ ହାଣ୍ଡିଭଳିଆ କରି ନିରବରେ ବସିପଡିଲା |

ଆଉ ଗୋଟିଏ ଦୁଇଟି କଥା ସେତେବେଳର ( ୧୯୫୫-୫୭ ମସିହା) କୋରାପୁଟ ସ୍କୁଲ ଅନୁଭୁତିରୁ ମନେପଡୁଚି | ଆମକୁ ଇଂରାଜୀ ପଢାଉଥିବା ଶିକ୍ଷକ ସାଧାରଣ ଶିକ୍ଷକ ମାନଂକ ମଧ୍ୟରୁ ବ୍ୟତିକ୍ରମ ଥିବା ଆମେ ସମସ୍ତେ ଭାବୁଥିଲୁ | ସେ କଣ କହୁଥିଲେ ଆମେମାନେ ବୁଝି ପାରୁନଥିଲୁ | ଆଉ ବହିରେ ଥିବା ବିଷୟ ଠାରୁ ସେ ସବୁବେଳେ ଅଲଗା କଥା କହୁଥିଲେ | ଦିନେ ଶ୍ରେଣୀର ଆମେ ସମସ୍ତେ ମେଳି କଲୁ; ଆଉ ହେଡମାଷ୍ତରଂକ ପାଖରେ ଫେରାଦୀ ହେଲୁ | ବୋଧହୁଏ ଆମ ହେଡମାଷ୍ଟର ବି ସେଇ ଶିକ୍ଷକଂକ ପ୍ରତି ଅସୁଖି ଥିଲେ; ଆଉ ଆମକଥା ତଂକୁ ଖୁବ ଭଲ ଲାଗିଲା | ସେ ହସିଲେ; ଆଉ ଆମକୁ କ୍ଲାସକୁ ଯିବାପାଇଁ କହିଲେ | ଆମେ ସିନା ଆମ ମନକଥା କହିଦେଲୁ ; କିନ୍ତୁ ସେଇ ଶିକ୍ଷକଙ୍କ ସାମନା ହେବା ପାଇଁ ଡର ଲାଗିଲା | କିନ୍ତୁ ସେମିତି କିଛି ଅସୁବିଧା ହେଲାନି | ସେ ପୁଣି ଆମକୁ ଇଂରାଜୀ ପଢେଇବାକୁ ଆସିଲେ ; କିନ୍ତୁ ସରଳ ଭାଷାରେ ପଢେଇଲେ | ତାଂକ ମୁହଁଟା କିନ୍ତୁ ଶୁଖିଲା ଦିଶିଲା |

ମୋର ଜଣେ ଘନିଷ୍ଠ ସାଂଗ ଥିଲା ସାଲିହା | ଭାରି ସରଳ ସ୍ବଭାବର ; ସବୁବେଳେ ତା ମୁହଁରେ ହସ ଥାଏ | ଖେଳଛୁଟିରେ ଆମେ ଏକାଠି ଖେଳୁ, ଆଉ ଗପୁ | କିଛିଦିନ ସେ ଅନୁପସ୍ଥିତ ରହିଲା | ଦୁଇଦିନ ପରେ ଜାଣିଲୁ ତା ବାପାଂକ ଦେହାନ୍ତ ହେଇଯାଇଛି | ଆମକୁ ଭାରି ଦୁଃଖ ଲାଗିଲା | ଦିନେ ଖେଳଛୁଟିରେ ଆମେ ଖେଳୁଥିବାବେଳେ ସ୍କୁଲ ପଛପଟ ଖୋଲା ଜାଗାରେ କେତେ ଲୋକ ଏକାଠି ହେଇଥିବା ଦେଖିଲି | ସେଠାରେ କିଛି କବର ଥିବା ସେଇଦିନ ମୁଁ ଜାଣିଲି | ନୁଆ ମାଟିର କବରଟିଏ ଦିଶୁଥାଏ; ତାର ଯତ୍ନ ନେଉଥାନ୍ତି ସେଇ ଲୋକମାନେ | ତାଂକ ଭିତରେ ସାଲିହାକୁ ଦେଖିଲି | ସେ ମୋ ଆଡକୁ ଚାହିଁଥିବା ମୋର ମନେ ପଡୁଚି ଆଉ ତା ଆଖିରୁ ଝରଝର ବୋହୁଥିବା ଲୁହ ବି |

ଜଣେ ଡ୍ରାଇଭର ସରକାରୀ ଲାଣ୍ଡରୋଭର ଗାଡି ଚଳାଉଥିଲା | ମୋ ବାପା କଲେକ୍ଟର ଥିବାବେଳେ ସେଇ ଗାଡ଼ିରେ ଅନେକ ଥର ମୁଁ ବାପାଙ୍କ ସହିତ ଜିଲାର ବିଭିନ୍ନ ସ୍ଥାନକୁ ଯିବା ସୁଯୋଗ ପାଇଥିଲି |  ଗାଡି ଚାଳନା  ପ୍ରତି ମୋ ଆଗ୍ରହ ଦେଖି ମୋତେ ବାପାଙ୍କ ଅନୁପସ୍ଥିତିରେ ଡ୍ରାଇଭର  ଅନେକ ଥର ଗାଡିର ଷ୍ଟିଅରିଙ୍ଗ ହୁଇଲ ଧରି ଗାଡିର ଦିଗ ନିୟନ୍ତ୍ରଣ କରିବା  କୌଶଳ  ଶିଖାଇଲା | କ୍ରମଶଃ ମୁଁ ଗାଡିକୁ ଅନାୟାସରେ ମାଇଲ ମାଇଲ ଧରି ନିୟନ୍ତ୍ରଣ କରିବା ଶିଖିଗଲି ' ଏପରିକି ବିପରୀତ ଦିଗରୁ ଗାଡି , ମଣିଷ , ସାଇକଲ ବା ଗୋରୁଗାଈ ଆସିଲେ କିପରି ଦୁର୍ଘଟଣା ସମ୍ଭାବନା ଏଡାଇ ଗାଡି ନିରାପଦରେ ଚଳେଇ ହେବ ସେଇ ଆତ୍ମବିଶ୍ବାସ ମୋର ଜାଗ୍ରତ ହୋଇପାରିଲା | କିନ୍ତୁ ଥରେମାତ୍ର ବ୍ରେକ; କ୍ଳଚ ଓ ଆକସେଲେଟରର ନିୟନ୍ତ୍ରଣ ମୋ ଉପରେ ନ୍ୟସ୍ତ କରିନଥିଲା ; କହୁଥିଲା ଏବେ ମୋ ବୟସ ହେଇନି |

ଦିନେ ଆମେ ଭାଇଭଉଣୀ ମାନେ ଜୟପୁରରେ  ସିନେମା ଦେଖି କୋରାପୁଟକୁ ଫେରୁଥିଲୁ | ରାତି ସାଡେ ନ ତା ବାଜିଥାଏ | ଜୟପୁର କୋରାପୁଟ ରାସ୍ତାର ଘାଟିରେ ଆମ କାର ଯାଉଥାଏ | ଝିପିଝିପି ବର୍ଷା ହେଉଥାଏ | ଦେଖିଲୁ  ଆମ ଡ୍ରାଇଭର ଗାଡିକୁ ଡାହାଣ ଆଡକୁ ନେଇ ଆସ୍ତେ କରି ଚଳେଇ ରଖିଦେଇ  କହିଲା, "ବାଘ" | ଆମେ ରାସ୍ତାକଡରେ ଦେଖିଲୁ ମସ୍ତବଡ ମହାବଳ ବାଘ ଠିଆହେଇ  ରାସ୍ତା ର ଅନ୍ୟଆଡ଼କୁ ଅନେଇଛି | ଦେଖିଲୁ ଆଉଗୋଟିଏ ମସ୍ତବଡ ମହାବଳ ଆମ ଗାଡି ଆଗରେ  ରାସ୍ତା ପାର ହୋଇ ତା ସାଙ୍ଗ ସହିତ ଡାହାଣ ପଟ ଜଙ୍ଗଲ କୁ ଚାଲିଗଲା |

*********


No comments:

Post a Comment