Sunday 15 July 2018

ପ୍ରଥମ ରଥଦେଖା


 ପ୍ରଥମ ରଥଦେଖା


ଗଂଜାମ ଜିଲାର ପଚିଶବର୍ଷ ବୟସ୍କ ଯୁବକଟି ବିଭିନ୍ନ ଜାଗା ବୁଲିଛି ; ଦୂର ଜାଗାରେ ବର୍ଷେ ଦିବର୍ଷ କାମ କରିଛି | କିନ୍ତୁ ମୁଖ୍ୟତଃ ଗାଁରେ ନିଜ ଜମିବାଡିରେ କାମ କରୁଥିଲା | ଭୁବନେଶ୍ୱର ଏଇ ବର୍ଷେ ହେବ ଆସିଛି | ଭଲ ପିଲାଟିଏ ; ବୁଦ୍ଧିଆ ; ଚଂଚଳ ; ସକାଳୁ ଉଠେ ; ବର୍ତ୍ତବ୍ୟପରାୟଣ | ଶୀଘ୍ର ନିଜ ଦାୟିତ୍ୱ କଣ ବୁଝି ଯାଏ | ମୋଟ ଉପରେ ଯୁବକଟି ଏକ ଉଚ୍ଚକୋଟୀର ବ୍ୟକ୍ତିତ୍ୱ |ହଠାତ ମୋ ପତ୍ନୀଙ୍କୁ କହିଲା ସେ କେବେ ପୁରୀ ଯାଇନି ; ରଥଯାତ୍ରା ଦେଖିବାକୁ ତାର ଇଛା ହେଉଛି |

ଅନୁମତ ପାଇ ସେ ପୁରୀ ଯିବା ପ୍ରସ୍ତୁତି ଆରମ୍ଭ କରିଦେଲା | ଜଳଖିଆ ଖାଇସାରି ବସରେ ଯିବାକୁ ବାହାରିଲା | ପହଂଚି ଫୋନରେ ଆମକୁ ଜଣେଇଲା | ମଝିରେ ଦୁଇଥର ଫୋନ କରି ଭଲଥିବା ଜଣେଇଲା ଆଉ ରାତି ଆଠଟା ବେଳକୁ ଫେରିଲା | ଆମେ ତା ଖୁସି ଦେଖି ଖୁସିହେଳୁ | ଆମ ପାଇଁ କିଛି ଖଜା ଆଣିଥିଲା | ତା ଅନୁଭୂତି ଶୁଣିବା ପାଇଁ ଆମେ ଆଗ୍ରହୀ ଥିଲୁ |

କଳ୍ପନା ଛକରୁ ମାଳତୀପାଟପୁର ବସ ଭଡା ପଚାଶ ଟଙ୍କା-- ଯିବା ପାଇଁ ; ଆଉ ଆସିବା ପାଇଁ ବି ପଚାଶ ଟଙ୍କା | ଭିଡ ଯୋଗୁଁ ବସରେ ଠିଆହେଇ ଗଲା ; ଠିଆଠିଆ ଆସିଲା | ମାଳତୀପାଟପୁରରୁ ବଡ଼ଦାଣ୍ଡକୁ ଅନେକ ଚାଲି ଚାଲି ଯାଉଥିଲେ ; ସେବି ଚାଲିଲା ; ଫେରିବାବେଳେ ବି ଚାଲିଚାଲି ଆସିଲା | 

ଭିଡ ଓ ବର୍ଷା ର ଅନୁଭୂତି ତାକୁ ଭାରି ଭଲ ଲାଗିଲା | ତିନି ଠାକୁରଙ୍କୁ ରଥ ଉପରେ ଦେଖିଥିବା କହିଲା | ତିନି ରଥଙ୍କୁ କିଛି ବାଟ ଟାଣିଲା | ଦଉଡି ଧରିବା ଆଗରୁ ଜୋତା କାଢ଼ିଦେଲା ଆଉ ବଡ଼ଦାଣ୍ଡରେ ତା ଦାମିକା ଜୋତା ହଳ କୁ ଛାଡିଥିବା ଯୋଗୁଁ ଭାରି ଖୁସି ହେଉଥିଲା | ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ତିନୋଟି ନଡ଼ିଆ ଦାଣ୍ଡରେ ବାଡେଇଲା | ଭିଡ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀ ମାନଙ୍କୁ ଲୋକଙ୍କୁ ବେତରେ ବାଡ଼ଉଥିବା ଦେଖିଲା ଆଉ କହିଲା " ସେମିତି ନକଲେ କଣ ଭିଡକୁ ସମ୍ଭାଳି ହବ ?" କିନ୍ତୁ ତା ଆଡକୁ ଗୋଟେ ବେତ ଆସୁଥିବା ଯେମିତି ଦେଖିଲା , ଆଖି ପିଛୁଳାକେ ବେତଟିକୁ କାବୁ କରି ଫୋପାଡ଼ି ଦେଇ ଆଗକୁ ଚାଲିଗଲା | 

ମନବୋଧ ହେଲାପରେ ସମୁଦ୍ରକୂଳ ଯାଇ ଦେଢ଼ଘଣ୍ଟା ବସି ସମୁଦ୍ରର ଆନନ୍ଦ ନେଲା | ପତ୍ନୀ ପଚାରିଲେ "କିଛି ଖାଇଲୁ ?" ହସି ହସି କହିଲା, "ଏଇ ଅନୁଭୁତିରେ ଯେଉଁ ଆନନ୍ଦ ସେଥିରେ ମୁଁ ଭୋକ ଭୁଲି ଗଲି | ଏବେ ଭୋକ ଲାଗିଲାଣି |"

*******

No comments:

Post a Comment