ଆମ ବିକାଶର ମନ୍ଥର ଗତି ଆମକୁ ପଛୁଆ ରଖିବ
୧୯୬୯ ମସିହା ମାର୍ଚ ମାସରେ ସୁନ୍ଦରଗଡ ଜିଲାର ବଣେଇ ସବଡ଼ିଭିଜନରେ ଏସଡିଓ ଭାବରେ ଯୋଗଦେବା ବେଳେ ବଣେଇ ସହରକୁ ଯିବାପାଇଁ ବ୍ରାହ୍ମଣୀ ନଦୀକୁ ଡଙ୍ଗାରେ ପାର ହେବାକୁ ପଡୁଥିଲା | ଅବଶ୍ୟ ବର୍ଷର ଅନେକ ମାସରେ ଗାଡି ପାରହେବାପାଇଁ ଚାପର ବ୍ୟବସ୍ଥା ଥିଲା ତୁମକେଲା ଘାଟରେ | ପୂର୍ତ୍ତ ବିଭାଗ ଏହି ବ୍ୟବସ୍ଥା କରୁଥିଲେ | କିନ୍ତୁ ଚତୁର୍ମାସ୍ୟାରେ ଚାପ ବଂଦ ହେଉଥିଲା ଏବଂ ଛୋଟ ଡଙ୍ଗାରେ ଆହୁଲା ମାରି ନାବିକ ଆମକୁ ନଦୀ ପାର କରାଉଥିଲେ | ତୁମକେଲା ଘାଟରେ ଏସଡିଓଙ୍କ ଗାଡି ପାଇଁ ଗୋଟିଏ ଗାରେଜ ଥିଲା | ଡଙ୍ଗାରେ ନଦୀ ପାର ହୋଇ ଘାଟରେ ଥିବା ଗାରେଜରୁ ଜିପ ନେଇ ସୂବଡ଼ିଭିଜନର ବିଭିନ୍ନ ଅଂଚଳ ଓ ଜିଲାର ଅନ୍ୟ ଅଂଚଳକୁ ଯିବାକୁ ହେଉଥିଲା | ଦିନେ କାମ ସାରି ରାତିରେ ଘରକୁ ଫେରିବା ବେଳେ ବହୁତ ରାତି ହେଇଗଲା | ଡାକିଡାକି ଶୋଇଥିବା ନାବିକକୁ ନିଦରୁ ଉଠାଇବାକୁ ପଡିଥିଲା | ଅତ୍ୟାବଶ୍ୟକ ପରିସ୍ଥିତି ପାଇଁ ଘାଟରେ ଗୋଟିଏ ଛୋଟ ଡଙ୍ଗା ରଖାହେଇ ଥାଏ | ସେଇ ଡଙ୍ଗାର ଦଉଡି ଖୋଲି ନାବିକ ଡଙ୍ଗା ପ୍ରସ୍ତୁତ କଲା ଏବଂ ଆମେ ବସିଲୁ | ନଦୀର ସ୍ରୋତ ପ୍ରବଳ ଥିଲା ଓ ରାତିରେ ସେଇ ସ୍ରୋତ କାଟି ଡଙ୍ଗା କୌଣସିମତେ ଆମକୁ ନଦୀ ପାର କରିଥିଲା | ସେରାତିରେ ମୁଁ ନଦୀରେ ପୋଲଟିଏ କେମିତି ଶୀଘ୍ର ହେବ ତା ପାଇଁ ଠାକୁରଙ୍କୁ ଡାକିଥିଲି |
ଯାହାହେଉ ବଣେଇ ପୋଲ ବହୁତ ବର୍ଷ ପରେ ହେଇ ପାରିଲା ; ଅବଶ୍ୟ ବଣେଇ ସହରରୁ କିଛି ଦୂରରେ | ବଣେଇ ପରେ ମୁଁ ପାନପୋଷ ସବଡିଭିଜନରେ ଏସଡିଓ ଭାବରେ ଯୋଗଦେଲି | ରାଉରକେଲାରୁ ସୁନ୍ଦରଗଡ , ସମ୍ବଲପୁର , ରାଞ୍ଚି ଆଡକୁ ଯିବାପାଇଁ ବ୍ରାହ୍ମଣୀ ନଦୀର ପାନପୋଷ ପାଖରେ ପୋଲ ଥିଲା | କିନ୍ତୁ ପଚାଶ ବର୍ଷରୁ ଉପର ହେବ ; ସେଇ ପୋଲ କୁ ସହାୟତା ଦେବାପାଇଁ ଏ ପର୍ଯ୍ୟନ୍ତ ଅନ୍ୟ ଗୋଟିଏ ପୋଲ ହେଇ ପାରିଲା ନାହିଁ | ସମ୍ବଲପୁର ପାଖରେ ମହାନଦୀ ପୋଲଟି ଆମେ ପିଲାବେଳେ ନିର୍ମିତ ହୋଇଥିବା ମନେପଡେ | ସେଇ ପୋଲର ରାସ୍ତା ମଝିରେ ରେଳ ଲାଇନ ମଧ୍ୟ ଥିଲା | ନୂଆ ପୋଲ ଉପରେ ଗାଡ଼ିରେ ଯିବାବେଳେ ଭାରି ଖୁସି ଲାଗୁଥିଲା | କିନ୍ତୁ ମହାନଦୀ ପାର ହୋଇ ସମ୍ଵଲପୁର ଆଡୁ କଟକ ଆସିବାପାଇଁ ମଟର ଲଂଚ ରେ ଦଉଡି ଲଗାଇ ମସ୍ତବଡ ନୌକାକୁ ଟଣା ହେଉଥିଲା ; ଆଉ ସେଇ ନୌକାରେ ପ୍ରାୟ ଦଶ-ବାରଟି ଗାଡି ଯାଉଥିବା ମୋର ମନେଅଛି |ଆମେ ଯୋବ୍ରା ଘାଟରେ ପହଂଚୁଥିଲୁ|
ବିତ୍ତ ସଚିବ ଥିବାବେଳେ ମୁଁ ଫାଇନାନ୍ସ କମିସନକୁ ଗୋଟିଏ ନଦୀର ଶହେ କିଲୋମିଟର ବ୍ୟବଧାନରେ ଅନ୍ତତଃ ଗୋଟିଏ ପୋଲର ଆବଶ୍ୟକତା ସମ୍ପର୍କରେ ଯୁକ୍ତି ପ୍ରସ୍ତୁତ କରିଥିଲି | ପ୍ରଥମଥର ପାଇଁ ନାବାଡ ସହାୟତାରେ ବଉଦଠାରେ ମହାନଦୀ ପୋଲ ପାଇଁ ଆମ ପ୍ରସ୍ତାବ ସ୍ୱୀକୃତ ହେଲା |
ଏହି ଦୃଷ୍ଟାନ୍ତମାନ ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଆମ ପ୍ରଗତି କରିବାର ପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା | ଆମେ ସର୍ବନିମ୍ନ ଆବଶ୍ୟକତା ପାଇଁ ପଚାଶ ବର୍ଷ , ଶହେ ବର୍ଷ ଅପେକ୍ଷା କରୁଚୁ | ଅବଶ୍ୟ ଆମର ସମ୍ପଦ ସୀମିତ ; କିନ୍ତୁ ସୀମିତ ସମ୍ପଦର ଉପଯୁକ୍ତ ଉପଯୋଗ ସମ୍ପର୍କରେ ଆମେ ଆଜି ମଧ୍ୟ ଉଦାସୀନ | ଗୋଟିଏ ପୋଲ ଆଜି ଉଦଘାଟନ ହେଉଛି ବହୁ ଆଡମ୍ବରରେ : ଜନସାଧାରଣ କରତାଳି ଦେଉଛନ୍ତି ; କିନ୍ତୁ ସେହି ପ୍ରକଳ୍ପଟି କାହିଁକି ଦଶ ବର୍ଷ ଆଗରୁ ହେଇପାରୁନି ସେବିଷୟରେ ସଚେତନତା ନାହିଁ |
ଆମ ଲକ୍ଷ୍ୟ ହେଲା ଆମେ ରେଳରେ ବସି ଯଦି ଦିଲ୍ଲୀ ଯାଉଛେ କେମିତି ପହଂଚି ଯାଉ ; କେତେ ଘଣ୍ଟା ବିଳମ୍ବରେ ପହଂଚିଲୁ ସେ ପ୍ରସଙ୍ଗଟି ଅବାନ୍ତର | ଇଂଲଣ୍ଡରେ ଦେଶର ଯେକୌଣସି ସ୍ଥାନରୁ ଚିଠିଟିଏ ପୋଷ୍ଟ କଲେ ପରଦିନ ଉଦ୍ଦିଷ୍ଟ ସ୍ଥାନରେ ପହଂଚିବା ନିଶ୍ଚିତ | ଭୁବନେଶ୍ବରରୁ ଚିଠିଟିଏ ମାଲକାନଗିରିରେ ଥିବା ବ୍ୟକ୍ତି କେବେ ପାଇଲେ ସେ ବିଷୟରେ ଆମେ ଆଜି ପର୍ଯ୍ୟନ୍ତ ସଚେତନ ହେଇ ପାରିନାହୁଁ |
ଆମର ଅଗ୍ରଗତି ହେଉଛି ; ଆଜି ଆମ ରାଜ୍ୟରୁ ସୁଯୋଗ୍ୟ କନ୍ୟାମାନେ ଅଲମ୍ପିକ ଖେଳରେ ଭାଗ ନେଉଛନ୍ତି ; ଆମ ଦେଶର କେତେକ ଖେଳରେ ଆମ ରାଜ୍ୟର ଯୁବକ ଯୁବତୀ ଅଧିନାୟକତ୍ୱ ମଧ୍ୟ କରିବାର ଗୌରବ ଲାଭ କରିଛନ୍ତି | କିନ୍ତୁ ଆଜି ମଧ୍ୟ ଆମେ ଅନଗ୍ରସରତାର ବୋଝ ମୁଣ୍ଡେଇ ଚାଲିଛୁ | ଏଦିଗରେ ଆମକୁ ଅନେକ କାମ କରିବାକୁ ପଡିବ | ଆମେ ଏବେମଧ୍ୟ ପିସି ସର୍ବସ୍ଵ ବ୍ୟବସ୍ଥା ମଝିରେ ପେଷି ହେଇ ରହିଛୁ | ଏହି ମାନସିକତା ବିକାଶର ପରିପନ୍ଥୀ | ଆମ ଯୁବାପୀଢ଼ି ଏହା ଅନୁଭବ କରିବା ଆବଶ୍ୟକ |
ରାଜ୍ୟ ପ୍ରଗତିର ରେଳଗାଡି ଆଜି ଜଟଣୀରୁ ମାତ୍ର ନୟାଗଡ ପହଂଚିଛି ; ବଲାଙ୍ଗୀର ଆଜି ମଧ୍ୟ ବହୁତ ଦୂରରେ ଅଛି |ଏହି ଦୂରତା ଶୀଘ୍ର ଦୂର ହେଉ | ବୋଧହୁଏ ଏବର୍ଷ ବାହୁଡାରେ ମହାପ୍ରଭୁ ସେଇ ସନ୍ଦେଶ ଦେଇଛନ୍ତି : ସମସ୍ତେ କାମ ଶୀଘ୍ର କରନ୍ତୁ ; ସୁଚାରୁ ରୂପରେ କରନ୍ତୁ |
********
13th July, 2017
No comments:
Post a Comment